ମାଟିର ମଣିଷ
ମାଟିର ମଣିଷ
ଜୀବନର ସବୁ କୋଳାହଳରୁ ଦୂରକୁ ଯାଇ ସୁଜିତ୍ ଆଜି ଅଲୋଡା ପଥରଟେ ପରି ଥକ୍କା ମାରି ବସି ଯାଇଛି ଏହି ବୁଢା ବରଗଛ ତଳେ ।
ହିସାବ କରୁଛି ଜୀବନରେ କଣ ହରେଇଛି ଆଉ କଣ ପlଇଛି । ହଠାତ୍ ଆକାଶରରେ ଉଡି ଯାଉଥିବା ପକ୍ଷୀଙ୍କର କୋଳାହଳ ଶଦ୍ଦରେ ସିଏ ଭାବନା ରାଇଜରୁ ଫେରି ଆସିଲେ ।
ଆଉ ନିଜକୁ ତଉଲୁ ଥିଲେ ସେଇ ଥୁଣ୍ଟା ଶୁଷ୍କ ବରଗଛ ସହିତ । ସତରେ ଆଜି ସିଏ କେତେ ଅସହାୟ ।
ସବୁକିଛି ସେ ହରେଇ ଦେଇଛନ୍ତି ସିଏ ଆଜି ଜଣେ ନିଃଶ୍ବ ମଣିଷ ।
ତାଙ୍କର ଆବଶ୍ୟକ ଆଉ କାହା ପାଇଁ ନାହିଁ ।
ଏଇ ଯେମିତି ଡାଳପତ୍ର ଥିବା ସମୟରେ ପକ୍ଷୀମାନେ ଉଡିଆସି ବସା କରି ରହୁଥିଲେ ।
ଆଉ ଯେତେବେଳେ ବରଗଛଟି ଶୁଖି ଥୁଣ୍ଟା ହେଇଗଲା ପକ୍ଷୀମାନେ ଅନ୍ୟତ୍ର ତାକୁ ଡେଇଁ ଚାଲି ଯାଉଛନ୍ତି ।
ଆଖିରେ ପୁଣି ଭାସି ଆସିଲା ଅତୀତ ଜୀବନ କାହାଣୀ ।
ଗୋଟିଏ ବଡ ପରିବାର ସିଏ ଜନ୍ମ ହୋଇଥିଲେ ।
ଘରର ପ୍ରଥମ ସନ୍ତାନ ଥିଲେ ସିଏ ।
ବାପା ତାକୁ ବହୁତ ଭଲ ପାଉଥିଲେ ।
କାହିଁକି କେଜାଣି ମାଆ ତାକୁ ଆଦୌ ଭଲ ପାଉ ନଥିଲା । ବହୁତ ପାତର ଅନ୍ତର ଦେଖୁଥିଲା ସାବତ ପୁଅଟିଏ ପରି ।
ତାଙ୍କ ପରେ ପରେ ଘରକୁ ଆଉ ଦୁଇ ଭାଇ ଭଉଣୀ ଆସିଲେ, ମାତ୍ର ତାଙ୍କର ଭାଗ୍ୟ ସତେ ଯେପରି ପଥର ତଳେ ।
ଗୋଟିଏ ପରିବାରର ତିନି ପୁଅ ଝିଅ ହେଲେ ବି ମାଆର ପଣତ ତାଙ୍କର ଲୁହ ପୋଛିବାକୁ ନଥିଲା ।
ତଥାପି ବାପାଙ୍କ ଭଲ ପାଇବାକୁ ଆଶ୍ରା କରି ଚାଲିଥିଲେ ଶୈଶବ ର ଅମଡା ପଥ ।
କିନ୍ତୁ ହଠାତ୍ ବାପା ବି ହାତ ଛାଡିଦେଲେ ଅଧା ବାଟରେ ।
ସାନ ଭାଇ ଭଉଣୀ ଓ ମାଆ ପେଟରେ ଅନ୍ନ ଦେବାପାଇଁ ସେ ମାଟି ସହ ମାଟି ହେବାକୁ ଶପଥ ନେଲେ ।
ନବମ ରୁ ପାଠ ଛାଡି ଶ୍ରମ କଲେ ବାପାଙ୍କ ର ସ୍ୱଳ୍ପ ଚାଷ ଜମିରେ ।
ଭାବୁଥିଲେ ମାଆ ପରିବର୍ତ୍ତନ ହେବ, ବିଲରୁ ଆସିଲେ ସ୍ନେହରେ ଟିକିଏ ମୁହଁ ପୋଛି ଦେବ ।
ହେଲେ ସେତକ ଥିଲା ସ୍ୱପ୍ନ ତାଙ୍କ ପାଇଁ ।
ଉଦୁ ଉଦୁଆ ଖରାବେଳେ ବିଲରୁ ଆସି ଦେଖନ୍ତି ମାଆ ତାଙ୍କର ଖାଇ ପିଇ ଶୋଇଥାଏ ଆଉ ଭାଇ ଭଉଣୀ ସ୍କୁଲ ଯାଇଥାଆନ୍ତି।
ମନକୁ ବୁଝାଇ ଦିଅନ୍ତି, ଶୋଇଥାଉ କେତେ ପରିଶ୍ରମ କରୁଛି।
ହେଲେ ଭାତ ବାଢି ତରକାରୀ ପାଇଁ କଢେଇ ଦେଖନ୍ତି ତ କିଛି ନଥାଏ ।
ପିଆଜ ଖଣ୍ଡେ କାଟି ଲୁଣ ମଡେଇ ଖାଇ ବସିଲା ବେଳକୁ ପଡିଶା ଘର ସୁଦୀପା ତରକାରୀ ଧରି ପହଞ୍ଚି ଯାଏ।
ଆଉ କହେ " ମୁଁ ଥାଉ ଥାଉ ତୁ'ତୁଚ୍ଛା ଖାଇବୁ ଏମିତି କଣ୍ ହେବ
ହସିଦିଏ ସୁଜିତ, ଆଉ କହେ ତୋ ପାଇଁ ଟିକିଏ ତରକାରୀ ପାଟିରେ ବାଜୁଛି ସିନା ତୁ' ଶାଶୁ ଘର ଚାଲିଗଲେ ଆଉ ଦେବ କିଏ ?
ସୁଦୀପା କହେ ତତେ ଛାଡି ମୁଁ କୁଆଡେ ଯିବିନି,ଦେଖିବୁ ତୁ'ସିନା ପଢି ପାରିଲୁନି ମୁଁ କିନ୍ତୁ ବହୁତ ପାଠ ପଢିବି ଚାକିରୀ କଲେ ଆମେ ସାଙ୍ଗ ହୋଇ ରହିବା ।
ସୁଜିତ୍ କହେ ଏତେ ସପନକୁ ରାତି କାହିଁଲୋ ?
ଦେଖୁଛୁ ତ ମୋ ଭାଗ୍ୟ ସବୁବେଳେ ପଥର ତଳେ ।
ସୁଦୀପା କହେ ଦେଖିବୁ ରହ,ଭାଗ୍ୟ ବଦଳିବ ।
ହେଲେ ସେ ସୁଦିନ ସୁଜିତ୍ ଭାଗ୍ୟରେ ଆସିଲାନି ।
ମାଟି ସହ ମାଟି ହୋଇ ସୁନାର ଫସଲ ଫଳାଏ ସିନା ହେଲେ ନିଜେ କୋଉଦିନ ଭଲରେ ଗଣ୍ଡାଏ ଖାଇନାହିଁ ।
ସବୁ କଷ୍ଟକୁ କାଠେଇ ନିଏ ଭାଇ ଭଉଣୀ କୁ ମଣିଷ କରିବା ପାଇଁ ।
ଏହା ଭିତରେ ପନ୍ଦର ବର୍ଷ ସରି ଯାଇଛି ତାର ମାଟି ସହ ମାଟି ହୋଇ ।
ଭାଇ ଭଉଣୀ ସବୁ ଚାକିରୀ କଲେଣି ।
ସୁଦୀପା ବି ଆଉ ଗାଁ ରେ ରହୁନି ,ତା ବାପା ବୋଉ ସହ ବାହାରେ ରହୁଛି ।
ଏସନ ଲୋନ୍ ଆଣି ଚାଷ କରିଥିଲା ଯେ ଚାଷ ଉଜୁଡି ଗଲା ।
କାଳେ ସୁଝିବାକୁ ପଡିବ ଭାବି ଭାଇ ଓ ବୋଉ ଧକ୍କା ମାରି ଘରୁ ବାହାର କରିଦେଲେ ।
ବାହାର କଲାବେଳେ ବୋଉ କହୁଥିଲା ,ତତେ କୋଉ ଜନମ ଦେଇଛି ଯେ ମୋ ଅନ୍ତର କାନ୍ଦିବ ।
କୋଉ ଅନାଥ ଛୁଆଟା ବୁଲୁଥିଲୁ ଜାତି ଗୋତ୍ର ନାହିଁ ତୋ 'ବାପା ଉଠାଇ ଆଣିଥିଲା ରାଜ ରାସ୍ତା ରୁ ।
ମୋ ଛୁଆଙ୍କ ସାଙ୍ଗେ ତୁ କେମିତି ସମାନ ହେବୁ ?
ପାଦତଳୁ ମାଟି ଖସି ଯାଇଥିଲା ସୁଜିତ୍ ର ।
ବୋଉର ଗୋଡକୁ ମାଡିବସି ଧରି ସୁଜିତ୍ କହୁଥିଲା ,ବୋଉ ତୁ'ସେମିତି କହନା ଲୋ ଖାଲି ଥରୁଟିଏ କହିଦେ ମୁଁ ତୋରି ପୁଅ ବୋଲି ।
ହେଲେ ସୁଜିତ୍ ର କାନ୍ଦ ଛୁଇ ପାରୁନଥିଲା ସୁରମା କାନକୁ ।
ଧଡ୍ କରି କବାଟ ବନ୍ଦ କରିଦେଲେ ସୁରମା ।
କଣ୍ କରିବେ ନ କରିବେ ଭାବନା ଭିତରେ ଉଠିଲା ସୁଜିତ୍ ।
ମନେ ପଡିଲା ବାପାଙ୍କ କଥା ।
ବାପା କହୁଥିଲେ ଦୁଃଖକୁ କେବେ ପିଠି କରି ଦବୁନି ।
ସାମ୍ନା କରି ଚାଲିଲେ ସେ ତୋତେ ଡରିବ ।
ଏବେବି ଦେହରେ ବଳ ଅଛି ସୁଜିତ ର,ନିଜେ ପୁଣିଥରେ ହାଡ ଭଙ୍ଗା ପରିଶ୍ରମ କରି କରଜ ସୁଝିବ ।
ଆତ୍ମହତ୍ୟା କରି ପଳାତକ ସାଜିବନି ସିଏ ।
ଅଣ୍ଟାରେ ହାତ ମାରି ଦେଖିଲା କିଛି ପଇସା ଅଛି ।
ବଜାରରୁ ଜରି ଖଣ୍ଡେ କିଣି ଆଣି ଛପର ଖଣ୍ଡେ କଲା ମୁଣ୍ଡ ଗୁଞ୍ଜିବାକୁ ।
ନଦୀ ପଠାକୁ ହାଣି ଚାଷ କାମରେ ଲାଗିଗଲା ।
ଶୋରିଷ ,ମୁଗ ,ବିରିରେ ପୁଣି ହସିଲା ତା କ୍ଷେତ ।
ସବୁ ବିକ୍ରି କରି କିଛି କରଜ ସୁଝି କିଛି ପୁଣି ଚାଷରେ ଲଗାଇଲା
ଏମିତି କଟିଗଲା ଦୁଇ ବର୍ଷ ।
ସୁଜିତ୍ ଏବେ କରଜ ମୁକ୍ତ ।
ନିଜ ପରିଶ୍ରମରେ ମାଟିରେ ସୁନା ଫଳୋଉଥିବା ସୁଜିତ୍ ଆଜି ଗଢିଛି ଅନାଥ ଆଶ୍ରମ ଟିଏ ।
ଦିନ ଯାକର ପରଶ୍ରମ ପରେ ଏହି ଛୋଟ ପିଲାଙ୍କ ଭିତରେ ସେ ଅନୁଭବ କରେ ନିଜ ଶୈଶବ କୁ ।
ଆଜିବି ମନେପଡେ ସୁଦୀପା କଥା ।
ହଠାତ୍ କାହାର କର ସ୍ପର୍ଶ ରେ ପଛକୁ ଫେରି ଚାହିଁଲା ସୁଜିତ୍ ।
ପଛରେ ଛିଡା ଜଣେ ହୋଇଥିଲେ ଜଣେ ସୁନ୍ଦର ତରୁଣୀ ।
ସୁଜିତ୍ ମ୍ୟାଡାମ କଣ ଦରକାର ?
ତରୁଣୀ--ଶୁଣିଲି ସରକାରୀ ଜମି ତୁମେ ଜବର ଦଖଲ କରିଛ ।
ସୁଜିତ୍--ନାହିଁ ଆଜ୍ଞା ,ଜବର ଦଖଲ କଣ, ପଡିଆ ପଡିଥିଲା ଏହି ଅନାଥ ପିଲାଙ୍କ ପେଟରେ ଦାନା ଦେବାପାଇଁ ମୁଁ ସେଠାରେ ଚାଷ କରି ସୁନା ଫଳୋଉଛି ।
ତରୁଣୀ--ଜାଣିଛ ସରକାରୀ ଜମି ଜବର ଦଖଲ ଅପରାଧ ବୋଲି ।
ସୁଜିତ୍ --ଆଜ୍ଞା, ଯୋଉମାନେ ସରକାରୀ ଯମି ବିକି ଭାଙ୍ଗି ଖାଉଛନ୍ତି ସେମାନେ ଅପରାଧୀ । ମୁଁ ତ ଅନାଥଙ୍କୁ ଆଶ୍ରୟ ଦେଉଛି ।
ତରୁଣୀ ସହ ଥିବା ଆଉ କିଛି ବ୍ୟକ୍ତି ସୁଜିତ୍କ କହିଲା ମ୍ୟାଡମ ହେଉଛନ୍ତି ଏଠିକାର ଜିଲ୍ଲାପାଳ ।
ଆପଣ ଭଲ କାମ କରୁଥିବାର ଖବର ପାଇ ସେ ଏଠାକୁ ଆସିଛନ୍ତି ସରକାରୀ ସହାୟତା ଦେବାପାଇଁ ।
ସୁଜିତ୍ କହିଲା ,ରଖହୋ ତୁମର ସହାୟତା । ଏସବୁ ଖାଲି କାଗଜ କଲମରେ ।
ମୁଁ କୌଣସି ସହାନୁଭୂତି ଚାହୁଁନି,ଆପଣ ମାନଙ୍କ ପାଖରୁ ।
ତରୁଣୀ -- ତା ହେଲେ ଆପଣ ଚାହୁଁଛନ୍ତି ଆପଣଙ୍କ ପରି ଏ ପିଲାଙ୍କୁ କେହି ଧକ୍କା ମାରି ବାହାର କରିଦେଉ ବୋଲି ।
ଚମକି ପଡିଲେ ସୁଜିତ୍ ?
କିଏ ଏହି ତରୁଣୀ ,କେମିତି ଜାଣିଲେ ତାଙ୍କ ବିଷୟରେ ଏସବୁ ପ୍ରଶ୍ନରେ ଛନ୍ଦି ହେଲାବେଳେ ସୁଦୀପା କହିଲା ,ମୋତେ ଚିହ୍ନି ପାରୁନ ସୁଜିତ୍ ?
ତଥାପି ପ୍ରଶ୍ନିଳ ଆଖିରେ ଚାହିଁ ଥିଲା ସୁଜିତ୍ ।
ସ୍ଥାନ ,କାଳ ପାତ୍ର ସବୁ କିଛି ଭୁଲିଯାଇ ସୁଦୀପା ଲଟାଟିଏ ଭଳି ଗୁଡେ଼ଇ ହୋଇଗଲା ସୁଜିତ୍ ଦେହରେ ।
ସୁଦୀପା ର ଛୁଆଁରେ ସୁଜିତ୍ କୁ ଆଉ କିଛି ବୁଝିବାକୁ ବାକି ନଥିଲା
ପାଟିରୁ ତାର ବାହାରି ଆସିଲା ସୁଦୀପା !
ଅଭିମାନରେ ସୁଦୀପା କହିଲା ମୋତେ ଚିହ୍ନି ପାରିଲନି ?
ସୁଜିତ୍ --ଆଖି ସିନା ଧୋକା ଖାଇଲା , ହେଲେ ମୁଁ ପରା ମାଟିର ମଣିଷ ଟିଏ,ମାଟି ଛୁଇଁ କହିଦିଏ କଣ ଫସଲ ହେବ । ଆଉ ତୁମର ସ୍ପର୍ଶ ହିଁ ମୋତେ ଜଣାଇ ଦେଲା ତୁମେ ମୋ ସୁଦୀପା ବୋଲି ।
ହେଲେ ତୁମେ ଜଣେ ଅଫିସର ଆଉ ମୁଁ ଜଣେ ଚାଷୀ !
ସୁଦୀପା କହିଲା ଯେଉଁ ଚାଷୀ ମାଟି ସହ ମାଟି ହୋଇ ସୁନା ଫଳୋଉଛି ସେ ବଡ ନା ତା ଖାଦ୍ୟ ଖାଇ ଅଫିସର ହେଉଥିବା ମୋ ଭଳି ଅଫିସର ବଡ ?
ପହଞ୍ଚି ଯାଇଥିଲେ ସୁଦୀପା ର ବାପା ବୋଉ ।
ସୁଜିତ କୁ ସେ ସବୁକଥା କହିଥିଲେ ସୁଦୀପା ର ।
ଏକଥା ବି କହିଥିଲେ ସୁଜିତ୍ ବିନା ସୁଦୀପା ଅଧୁରା ବୋଲି।
ଆଉ ମଧ୍ୟ କହିଲେ ତୁମେ ସବୁଠାରୁ ଭଲ ପାଉଥିବା ତୁମ ବୋଉ ବି ଆମ ସାଥିରେ ଆସିଛନ୍ତି ।
ଭିଡ ଭିତରୁ ବାହାରି ଆସିଲେ ସୁରମା ,ନିଜ ଭୁଲ୍ ପାଇଁ କ୍ଷମା ମାଗିବା ପାଇଁ ଗଲାବେଳେ ଧରି ପକାଇଲେ ସୁଜିତ୍ ।
ମୋତେ କ୍ଷମା କରି ଦେ ପୁଅ ସୁରମା କହିଲେ ।
ତୋର ତ୍ୟାଗ ସେଇ ତ୍ୟାଗ ପାଇଁ ତୁ ଆଜି ଏତେ ଉପରେ ଆଉ ତତେ ତଡି ଦେଇଥିବା ମାଆ ଆଜି ନିଜେ ତଡାଖାଇ ଆସିଛି।
ସୁଜିତ୍ କହିଲା ତମେ ଆଜି ମୋ ପାଖରେ ମାଆ ।
ମୁଁ ତ କହିବି ଏଇ ସବୁ ତମ ପାଇଁ ସମ୍ଭବ ମାଆ ।
ମାଆ କୈକେୟୀ ଯଦି ପ୍ରଭୁ ରାମଚନ୍ଦ୍ରଙ୍କୁ ବନବାସ ପଠେଇ ନ ଥାନ୍ତେ ରାମାୟଣ କଣ ପୂର୍ଣ୍ଣତା ହୋଇ ପାରିଥାନ୍ତା ମାଆ ।
ଆଜି ମୁଁ ତୁମ ଭିତରେ ମାଆ କୈକେୟୀଙ୍କ ତ୍ୟାଗ ଅନୁଭବ କରି ପାରିଲି ମାଆ ।
ଆଜି ସେଥିପାଇଁ ତମେ ମୋତେ ପୁଣି ମିଳିଲ ମୋ ବୋଉ ହୋଇ ।