Banabihari Mishra

Abstract Tragedy

4.4  

Banabihari Mishra

Abstract Tragedy

ମାଆ

ମାଆ

6 mins
399


'ମାଆ, ବୋଉ, ମମ୍ମି, ଅମ୍ମା, ଯାହା ବି ଡାକିଲେ ସେଇ ଅମୃତତ୍ବର ଅନୁଭବ ଲେଶମାତ୍ର କମ୍ ହୁଏନି। ଠିକ୍ ଯେମିତି ଚିନିରେ ଯାହା ମିଠାପଣ ଥାଏ, ସିଏ ଶକ୍କର ବା ସୁଗାର ହେଇଗଲେ ସେଇଟା କମି ଯାଏନି।' ଆହୁରି ଅନେକ ସାରଗର୍ଭକ କଥା ଏଇ ବିଶ୍ବ ମାତୃଦିବସରେ ମଞ୍ଚରେ ଠିଆ ହେଇ ଅନେକ ସମ୍ମାନିତ ତଥାକଥିତ ସମାଜର ବଡପଣ୍ଡାମାନେ ଭାଷଣ ମାଧ୍ୟମରେ କହିଚାଲିଥିଲେ। ସମ୍ନାରେ ବସିଥିବା ପ୍ରାୟ ସବୁ ଦର୍ଶକ କରତାଳି ମାଧ୍ୟମରେ ସେମାନଙ୍କୁ ପ୍ରୋତ୍ସାହିତ କରି ଚାଲିଥିଲେ। ସଭା ସରିଲା, ସବୁ ମିଠା ମିଠା ଉଚ୍ଚକୋଟୀର ଭାଷଣ ଦେଉଥିବା ସମ୍ମାନିତ ବ୍ୟକ୍ତିବିଶେଷମାନେ ଧୀରେ ଧୀରେ ମଞ୍ଚରୁ ଓହ୍ଲାଇ ନିଜ ନିଜର ଗନ୍ତବ୍ୟ ପଥରେ ଅନ୍ଧାରରେ ମିଳେଇ ଗଲେଣି। ସବୁଠୁ ଶେଷରେ ମାନବ ବାହାରିଲା। ଆୟୋଜକ ସିଏ। ସବୁ କଥା ତୁଲେଇ ସାରି ସିଏ ନିଜ ପୁରୁଣା ହମ୍ବର ସାଇକେଲ ପାଖକୁ ଯିବା ଆଗରୁ ତା'ର ନଜର ପଡିଲା ସେଇ ବୁଢୀଟି ଉପରେ। ନିଇତି ସକାଳୁ ଏଇ ସାତଟା କି ସାଢେ ସାତଟା ବେଳୁ ସିଏ ଏଇଠି ଟାଉନହଲ ସାମନା ବଉଳ ଗଛ ଛାଇରେ ବସିଥାଏ। କିଏ କେମିତି ଗଲା ଆସିଲା ବେଳେ ତା ଥାଳିରେ ପକେଇ ଦିଅନ୍ତି। ହେଲେ ଯିଏ ଯାହା ଦେଉ କି ନଦେଉ, ବୁଢୀ ଅନ୍ତରରୁ କଲ୍ୟାଣ କରେ। ମାନବ ଜଣେ ସମାଜସେବୀ ହୋଇଥିବାରୁ ତଥା ଏଇ ଟାଉନହଲରେ ବହୁ ସମୟରେ ସଭା ସମିତି ଆୟୋଜନ କରାଉଥିବା ହେତୁ ପ୍ରାୟ ସବୁଦିନେ ଏଇବାଟେ ସାଇକେଲରେ ଯାଏ। ସବୁଦିନ ସେଇ ସମାନ ଜାଗାରେ ବୁଢୀଟି ବସିଥାଏ। ଖରା ହେଉ କି ବର୍ଷା ହେଉ ଅବା ଶୀତ, କୌଣସି ପାଗ ବୁଢୀର ଅନୁପସ୍ଥିତି ପାଇଁ କାରଣ ହେଇ ପାରିନାହାନ୍ତି। ମାନବ ଦେଖେ, ସକାଳୁ ବୁଢୀଜଣକ ଆସେ ଯେ ସେଇ ଉପରବେଳା ଚାରିଟା କି ପାଞ୍ଚଟା ବେଳକୁ ଯାଏ। ମାନବ ଭାବୁଥାଏ, ବୁଢୀର କେହି ନାହାନ୍ତି ବୋଧେ।

ସେଦିନ କିନ୍ତୁ ବୁଢୀଟି ସଭା ସରିଲା ପର୍ଯ୍ୟନ୍ତ ବସିଥାଏ। ସମୟ ପ୍ରାୟ ରାତି ନ'ଟା ହେବ। ତଥାପି ବୁଢୀ ଏପର୍ଯ୍ୟନ୍ତ ବସିଛି। ବଡ ସତୃଷ୍ଣ ଆଖିରେ ଟାଉନହଲର ମୁଖ୍ୟ ଦରଜା ଆଡକୁ ଚାହିଁ ରହିଛି। କିନ୍ତୁ ସଭା ସରିଲା ପରେ ମାନବ ଯେତେବେଳେ ମୁଖ୍ୟ ଦରଜା ବନ୍ଦ କଲା ଆଉ ତା ସାଇକେଲ ଆଡକୁ ଆଗେଇଲା, ସେତେବେଳେ ଝାପ୍ସା ଆଲୁଅରେ ଲକ୍ଷ୍ୟ କଲା ବୁଢୀର ମୁହଁରେ ହତାଶଭାବ ଆଉ ନିଷ୍ପ୍ରଭ ଆଖି କଣରେ ଚିକ୍ ଚିକ୍ କରୁଥିବା ଲୁହ କେଇବୁନ୍ଦାକୁ। ମାନବ ଆଉ ସାଇକେଲ ପାଖକୁ ଯାଇ ପାରିଲାନି, ପାଦ ଅଟକି ଗଲା। ସତେ ଯେମିତି ବୁଢୀର ସେଇ ହତାଶଭାବ ଆଉ କେଇଟୋପା ଲୁହ ବେଡି ହେଇ ମାନବକୁ ବାନ୍ଧିଦେଲା ଆଉ ଟାଣି ଆଣିଲା ବୁଢୀ ପାଖକୁ।

-- ମାଉସୀ, ଆଜି କ'ଣ ଏତେ ଡେରି ହେଲାଣି ଯାଇନୁ? 

ଏତିକି କହି ମାନବ ବୁଢୀ ପାଖରେ ଯାଇ ବସିଲା। ଅତି ସ୍ନେହରେ ବୁଢୀର ମୁଣ୍ଡକୁ ଆଉଁସିଲା। ପୁଣି ପଚାରିଲା, 'ମାଉସୀ, କିଛି ଖାଇଲୁଣି ନା ନାହିଁ?' ମାନବ ଦେଖିଛି, ଖରା ମୁଣ୍ଡ ଉପରୁ ଗଡିଲଜ ନିଜସ୍ୱ ଭୌଗଳିକ ଆକୃତି ହରାଇଥିବା ଆଲୁମିନିୟମ ଥାଳିରେ ପଡିଥିବା ପଇସା କେଇଟା ନେଇ ପାଖ ଚା'ଦୋକାନରୁ ପାଉଁରୁଟି କି ବିସ୍କୁଟ ଦି'ଟା ଖାଇ ମୁନ୍ଦେ ପାଣି ପିଇନିଏ। ସେଇତକ ବୋଧହୁଏ ବୁଢୀର ଦିନଯାକର ଖୋରାକ ଯାହା ତାକୁ ଅଧିକ କଙ୍କାଳସାର କରିବାରେ ସହାୟକ ହେଇଥିବ।

ମାନବର ଆତ୍ମୀୟତାଭରା କଥା ପଦକର ଉଷ୍ମତାରେ ଅନେକ ଦିନରୁ ହୃଦୟର ଗୋପନ କନ୍ଦରରେ ଆତ୍ମଗୋପନ କରି ଜମାଟ ବାନ୍ଧିଯାଇଥିବା କୋହଟା ତରଳିଗଲା। ସବୁବେଳେ ଦୁଃଖରେ ଅନୁଦ୍-ବିଘ୍ନ ଆଉ ସୁଖରେ ସ୍ପୃହାହୀନ ନିର୍ଲିପ୍ତ ନିର୍ବିକାର ଭଳି ମନେହେଉଥିବା ବୁଢୀର ମୁହଁଟା କେମିତି କାନ୍ଦ କାନ୍ଦ ହେଇଗଲା ପରି ଲାଗିଲା। ତଥାପି କେମିତି କେଜାଣି, ବୁଢୀର ଦୁର୍ବଳ ଅସ୍ଥିପଞ୍ଜର ଭିତରେ କୋଉଠୁ ଏତେ ପାରିବାପଣିଆ ଅଛି, ସବୁ କୋହକୁ ସେଇ ଛାତି ଭିତରେ ତାଲାବନ୍ଦ କରି ରଖିଦେଲା।

-- ବାପରେ, ସିଏ ପଳେଇ ଗଲାଣି କି? 

ମାନବ ଆଶ୍ଚର୍ଯ୍ୟ ହେଇ ବୁଢୀ ମୁହଁକୁ ଚାହିଁଲା। କାହା କଥା ବୁଢୀ କହୁଛି? କାହାକୁ ଖୋଜୁଛି?

-- କିଏ ? କାହା କଥା କହୁଛୁ ମାଉସୀ?

ତା'ପରେ ବୁଢୀ ପୁଣିଥରେ ଚୁପ୍ ହେଇଗଲା। ମାନବ ଯାହା ପଚାରିଲେ ବି କୌଣସି ଉତ୍ତର ମିଳିଲାନି।

-- ଆଚ୍ଛା ମାଉସୀ, ନକହିଲୁ ନାହିଁ। ଏବେ ରାତି ହେଲାଣି। ଚାଲ ଯିବା। ମୁଁ ତତେ ତୋ ଘରେ ଛାଡିଦେବି। 

ବୁଢୀର ସେଇ ଗଣ୍ଠିଲିଟାକୁ ମାନବ ସାଇକେଲରେ ରଖିଲା। ଗୋଟେ ହାତରେ ବୁଢୀର ହାତ ଆଉ ଗୋଟେ ହାତରେ ସାଇକେଲ। ମାନବର ଘର ଏଠୁ ପ୍ରାୟ ଗୋଟେ କିଲୋମିଟର ହବ। ତଥାପି ଭରସା ପାଉନଥାଏ, ସତରେ କ'ଣ ଏ ଅସ୍ଥିଚର୍ମସାର ବୁଢୀ ଏତକ ବାଟ ଚାଲି ଚାଲି ଯାଇପାରିବ? ବୁଢୀ କୁଆଡେ ଯିବ କିଛି କହୁନି। ସେଥିପାଇଁ ବୁଢୀକୁ ନିଜ ଘରକୁ ନେଉଛି। ଘରେ ତା' ସ୍ତ୍ରୀ ମନୀଷା ଚାହିଁ ବସିଥିବ। ଅବଶ୍ୟ ମନୀଷା ଜାଣେ ଯେ ମାନବର ନିତିଦିନିଆ ଫେରିବା ସମୟ ଏବେ ବି ହେଇନି। 

ରାତି ପ୍ରାୟ ସାଢେ ଦଶଟା ହବ। ମାନବ ବୁଢୀକୁ ନେଇ ଘରେ ପହଞ୍ଚିଲା। ବୁଢୀ ସେତେବେଳେ ଯାଇ ମୁହଁ ଖୋଲିଲା। 'ପୁଅ, ଏଇଟା ତ ମୋ ଘର ନୁହେଁ। ମତେ ଇଆଡେ କୁଆଡେ ଆଣିଲୁ?'

-- ମାଉସୀ, ତୁ ତ ତୋ ଘର କୋଉଠି କହିଲୁନି। ସେଇଥିପାଇଁ ଆମ ଘରକୁ ତତେ ନେଇଆସିଲି। ଏଇଠି ରାତିଟା ରହିଯା। କାଲି ସକାଳୁ ତତେ ତୋ ଘରେ ଛାଡିଦେଇ ଆସିବି।

ଏତିକି କହିଦେଇ ମାନବ ଭିତର ଆଡକୁ ଚାହିଁ ଡାକିଲା, 'ମନି, ଆସ ତ ଟିକେ। ଦେଖ ଆମ ଘରକୁ କିଏ ଆସିଛି।' ଭିତରୁ ପାଉଁଜିର ରୁଣୁଝୁଣୁ ଶବ୍ଦ ସହ ମାନବର ସ୍ତ୍ରୀ ବାହାରି ଆସିଲା। ବୁଢୀ ଆବାକାବା ହେଇ ଚାହିଁ ରହିଥାଏ। 'ଆଲୋ, ତୁ ପଦିଆ ଝିଅ ମନି ଟି।' ଆଗରୁ ଦୋ ଦୋ ଚିହ୍ନା ହେଉଥିବା ମନୀଷା ଏଥର ସ୍ଥିର ନିଶ୍ଚିତ ହେଇଗଲା, ଇଏ ଉମା ବଡମା। ମନୀଷା ଭାବୁଥିଲା, ଏଇ ତ ତା ନାଁ ମନୀଷା ଦେଇଥିଲେ। ଛୁଆମାନଙ୍କୁ କେତେ ଭଲ ପାଆନ୍ତି ସତେ। ଧନରେ ସିନା ଗରିବ, ହେଲେ ମନଟା କୋଟିପତି। ନିଜେ ପଛେ ଭୋକିଲା ରହିଯିବେ, ପାଟିକୁ ନୋଉଥିବା ଭାତଗୁଣ୍ଡାଟା ମାଗିଲା ଲୋକର ମୁହଁରେ ଦେଇଦିଅନ୍ତି। କାହାରି ଦୁଃଖ ସହି ପାରୁ ନଥିବା ଉମା ବଡମାଙ୍କର ଏମିତି ଦୟନୀୟ ଅବସ୍ଥା ଦେଖି ମନୀଷାକୁ ଭାରି ଦୁଃଖ ଲାଗୁଥିଲା। ମନୀଷା ଫେରି ଯାଇଥିଲା ଅନତିଦୂର ଅତୀତକୁ। ତା ବାପା ଚଡକରେ ମଲା ପରଠୁ ଏଇ ଉମା ବଡମା ତ ସାହା ଭରସା ଥିଲେ। ତା ମାଆ ସବୁ କଥାରେ ଏଇ ଉମା ବଡମାଙ୍କୁ ପଚାରେ। ଏଇ ବଡମା ଯେତିକି ଭଲ ତାଙ୍କ ପୁଅ ହରିଭାଇ ସେତିକି ବଦମାସ। ନାଆଁରେ ସିନା ଭଗବାନ, କାମଗୁଡା କୋଉ ଅସୁରଠୁ କମ୍ ନଥିଲା। କୌଣସି ରକ୍ତସମ୍ପର୍କ ନଥିଲେ ବି ଉମା ବଡମା ମନୀଷାକୁ ନିଜର ଝିଅଠୁ କମ୍ ଭାବୁ ନଥିଲେ। ଆଉ ମନୀଷା ବି ହରିଆକୁ ଭାଇର ସ୍ଥାନ ଦେଇ ଆସିଥିଲା। ହେଲେ ହରିଭାଇର ଖରାପ ନଜର ସବୁବେଳେ ମନୀଷା ଉପରେ ଥାଏ। ଦିନେ ବଡମା ନଥିଲା ବେଳେ ମନୀଷାକୁ ଟଣା ଓଟରା କରୁଥିଲା। ସେତିକି ବେଳେ ବଡମା ଆସି ହରିଭାଇକୁ ଦି'ଚଟକଣା ପକେଇଲେ। ବାସ୍, ତା'ପରେ ହରିଭାଇର ରାଗ ଦେଖେ କିଏ! ବଡମାକୁ ଧକ୍କା ଦେଇ ଗଲା ଯେ ଆଉ ଫେରିଲାନି। ଆଉ ଯେତେବେଳେ ଫେରିଲା, ସେତେବେଳକୁ ସିଏ ହରିଆ'ଇରୁ ହରି ଦାଦା ହେଇ ସାରିଥିଲା। ରାଜନୀତିର ପଶାପାଲିରେ ନେତାଙ୍କ ଗୋଟି ହେଇ ଯାଇଥିଲା। ପେଣ୍ଟ ସାର୍ଟ ଛାଡି ଧୋତି ପଞ୍ଜାବୀ ଆଉ ଅଚକନ ପିନ୍ଧୁଥିଲା। ସାଇକେଲ ଛାଡି ମଟରଗାଡି ଚଢୁଥିଲା। ଖୁବ୍ ପଇସାବାଲା ହେଇ ଯାଇଥିଲା। ଗାଁକୁ ଆସିଥିଲା ତା ସବୁ ପୈତୃକ ସମ୍ପତ୍ତି ବିକ୍ରି କରିଦେଇ ସହରରେ ଘର କିଣିବ। ଏଇ ସହରୀ ବାବୁ ହେବାର ନିଶାଟା ଅଧୁନା ମଫସଲ ଅଞ୍ଚଳରେ ଯତ୍ର ତତ୍ର ସର୍ବତ୍ର ଦେଖା ଦେଇଛି। ହରିଆ'ଇ ସେଥିରୁ ବାଦ୍ ଯାଇଥାନ୍ତା କେମିତି। ସେଇ ନିଶାରେ ମସଗୁଲ ହରିଆ'ଇ ବଡମା'ର ଅନେକ ବୁଝେଇବା ସତ୍ତ୍ୱେ ଖାଲି ଘରଡିହ ଖଣ୍ଡକ ଛାଡି ବାକି ସମସ୍ତ ପୈତୃକ ସମ୍ପତ୍ତିକୁ ଶାଗମାଛ ଦରରେ ବିକ୍ରି କରି ପଇସା ଧରି ସହରକୁ ଚାଲିଗଲା। ସେଠି କୁଆଡେ ହରିଆ'ଇ ଗୋଟେ ନାମୀ ନେତା ହେଇଯାଇଛି। ନିର୍ବାଚନରେ ଲଢ଼ି କୁଆଡେ କର୍ପୋରେଟର ହେଇଯାଇଛି। ହରିଆ'ଇ ଘରଛାଡି ଗଲାପରେ ବଡମା ଏକରକମ ଚୁପଚାପ ହେଇଗଲା। ନା ଘରୁ ପଦାକୁ ବାହାରେ ନା କାହା ସାଙ୍ଗରେ କଥା ହୁଏ। ହଁ, ମନୀଷା କି ତା' ମାଆ ଯାହା ହେଲେ ଗଣ୍ଡେ ଫୁଟେଇ ଦେଇ ଆସନ୍ତି। କେବେ ବଡମା ଖାଏ ତ କେବେ ସେଇମିତି ଥୁଆ ହେଇଥାଏ। ୟାରି ଭିତରେ ମନୀଷାର ବାହାଘର ହେଇଯାଇଛି। ଗାଁରୁ ଶାଶୁଘର ପୁଣି ଶାଶୁଘରୁ ଏଠି ସହରର ଏଇ ଭଡା ଘରକୁ। ବେଶ୍ କିଛି ଦିନ ବିତି ଯାଇଛି। ଏମିତି ନୁହେଁ ଯେ ମନୀଷା ଗାଁ ଖବର ରଖିନି। ଗାଁକୁ ହରିଆ'ଇ ଆଉ ଆସେନା। ଦିନେ ସକାଳୁ ଉଠି ଦେଖିଲା ବେଳକୁ ବଡମା କୁଆଡେ କବାଟ କଣ୍ଟା ଖୋଲା ଛାଡିଦେଇ ଘରୁ ପଳେଇଲା। ମାଆ କହୁଥିଲା, ବଡମା କୁଆଡେ ହରିଆ'ଇକୁ ଖୋଜିବାକୁ ଯାଇଛି। କହ୍ନେଇ ଲାଗି ସିନା ଗାଈଗୁହାଳ। ହରିଆ'ଇର ଘର ଛାଡ଼ି ଚାଲିଯିବା ପରେ ବଡମାକୁ ସବୁ ବିଷପିତା ଲାଗୁଥିଲା।

ମନୀଷା ବଡମାକୁ ନେଇ ଧୁଆଧୁଇ କରେଇ ଭଲ ଶାଢ଼ୀ ଖଣ୍ଡେ ପିନ୍ଧେଇ ଦେଲା। ବାଃ, ଏଥର ତା ବଡମାକୁ ପାଇଛି। ସେଇ ଖୁସିରେ ମନ ନାଚି ଉଠୁଥିଲା। ତିନିଜଣ ଖାଇ ବସିଲା ବେଳେ ମନୀଷା ବଡମାକୁ ଖୁଆଇ ଦେଉଥିବା ପ୍ରତ୍ୟେକ ଗୁଣ୍ଡାରେ ଅନୁଭବ କରୁଥିଲା, ସତେ ଯେମିତି ତାକୁ ନିଜ ଛୁଆ ଭଳି ସ୍ନେହ ଦେଇଥିବା ବଡମା ଆଜି ତା' ଝିଅ ହେଇ ତାକୁ କୃତକୃତ୍ୟ କରିଦେଇଛି। 

ବଡମା ମନୀଷାର ସେବା ଯତ୍ନରେ କ୍ରମେ କ୍ରମେ ସୁସ୍ଥ ହେଇ ଆସିଲାଣି। ଦିନେ ମନୀଷାକୁ ପାଖକୁ ଡାକି ବଡମା ତା ବ୍ୟାଗ ଭିତରୁ ବିଡାଏ କାଗଜପତ୍ର ବାହାର କରି ଧରେଇଦେଲା। ମନୀଷା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ। ବଡମା କହୁଥାଏ, 'ମନି, ଜୋଇଁ ଆମର ଭାରି ଭଲଲୋକ। ହରିଆଟା ନିହାତି ଦୁଷ୍ଟଟାଏ। ତା ଦୋଷ ଧରିବୁନି ଲୋ ମାଆ। ସେଇଟା ପାଗଳାଟାଏ। ତୋ ଭଳି ଭଲ ଝିଅର ଅପଶାଇପ ଠକ୍ କରି ଫଳିବ। ଗୋଟେ ବୋଲି ଛୁଆ, ବାପଛେଉଣ୍ଡ। ତୋ ଶାଇପରେ ତା'ର ଅମଙ୍ଗଳ ହବ। ଜମିବାଡ଼ି ସିନା ବିକିଦେଲା, ହେଲେ ଘରଡିହଟା ଛାଡିଗଲା। କାଳେ ତା'ର ଆଉ ପଇସାପତ୍ର ଦରକାର ଥିବ, ସେଇଥିପାଇଁ ଏ ଘରଡିହର କାଗଜପତ୍ର ଆଣିଥିଲି। ଖାସ୍ ତାକୁ ଦବାପାଇଁ। ତା ବାପ ଅଜାଙ୍କ ସମ୍ପତ୍ତି, ଯାହା କରିବ ସିଏ କରୁ। ମୁଁ ତ ବୁଢୀ ହେଲିଣି, ପାଚିଲା ପତର। ଆଜି ଅଛି, କାଲିକି ନାହିଁ। ତାକୁ ହିଁ ଖୋଜି ଖୋଜି ମୁଁ ଏଠିକି ଆସିଲି। ଏଇ ସହରରେ କେତେ ଥର ତାକୁ ଭେଟିଛି। ଆଜି ସେଇ ବଡ ଘରଟା ଆଗରେ ତାକୁ ଦେଖିଲି। ମୁଁ ତାକୁ କେତେ ଡାକିଲି, ସିଏ ଶୁଣି ବି ଶୁଣିଲାନି। ଦେଖି ବି ଚିହ୍ନିଲାନି। ନ ଦେଖିଲା ଭଳି ମଟରରେ ଚଢି ଚାଲିଗଲା। ଜୋଇଁଙ୍କୁ କହିବୁ, ଏସବୁ କାଗଜପତ୍ର ତା'କୁ ଦେଇଦେବେ। ଏଇ ପୁଟୁଳିଟା ତୋର। ତୋ ବାହାଘର ବେଳକୁ ତ କିଛି ଦେଇ ପାରିନି। ଏବେ ମୋ ଦାୟିତ୍ୱ ଛିଡିଲା। ମାନବ ଆସିବା ପୂର୍ବରୁ ବଡମା ଘରଛାଡି ଚାଲିଗଲା। ଯେମିତି ଦିନେ ଅଚାନକ ଆସିଥିଲା ସେଇମିତି ଚାଲିଗଲା।

ମାନବ ଘରେ ପହଞ୍ଚିଲା ବେଳକୁ ରାତି ନ'ଟା ଉପରେ। ମନୀଷା ବଡ ମନଦୁଃଖ କରି ବସିଥାଏ। ସବୁକଥା ଶୁଣିଲା ପରେ ମାନବ ସେଇ ରାତିରେ ହିଁ ବାହାରିଗଲା ବଡମାକୁ ଖୋଜିବା ପାଇଁ। ଅନେକ ସମୟ ପରେ ଚାରିଆଡେ ଖୋଜାଖୋଜି କରି ଶେଷରେ ଥାନାରେ ରିପୋର୍ଟ ଲେଖେଇ ଫେରି ଆସିଲା। ମନଦୁଃଖରେ ଦି'ପ୍ରାଣୀ ବସିଛନ୍ତି, ଏତିକି ବେଳେ ଥାନାରୁ ଫୋନ ଆସିଲା। କର୍ପୋରେଟର ହରି ବାବୁଙ୍କ ଗାଡି ଧକ୍କାରେ ଜଣେ ବୁଢୀ ଆଘାତ ପ୍ରାପ୍ତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଛି।

ମାନବ ମନୀଷାକୁ ଧରି ତୁରନ୍ତ ଡାକ୍ତରଖାନା ବାହାରିଲା। ସେଠି ପହଞ୍ଚିବା ବେଳକୁ ବଡମାର ଦେହାନ୍ତ ହେଇ ସାରିଥିଲା। ଶବ ସତ୍କାର ପାଇଁ ସବୁ ବ୍ୟବସ୍ଥା କରିଦେଇ ମାନବ ଫେରିଲା ବେଳକୁ ଭୋର ହେଇଗଲାଣି। ଦୁର୍ଘଟଣା ସ୍ଥାନରେ ଲୋକ କହୁଥିଲେ, 'ପାଗଳୀ ବୁଢୀଟା, ହରିଆ ରେ, ମୋ ଧନଟା, ମୋ ସୁନାଟା, ଥରୁଟିଏ ଫେରିଆ। ଏଇମିତି କହି କହି ବୁଢୀଟା ଗାଡି ଆଗକୁ ଆସିଗଲା।' ମାନବ ଜାଣିଥିଲା, ବଡମା ପାଗଳୀ ନୁହେଁ, ବରଂ ଏଇଟା ପୁଅ ପାଇଁ ମାଆର ବ୍ୟାକୁଳତା। 


Rate this content
Log in

Similar oriya story from Abstract