କୂଳନନ୍ଦନ
କୂଳନନ୍ଦନ


ପୌଷମାସର ଶୀତୁଆ ସକାଳ ହେଲେବି , ହାଡଥରା ଶୀତର ପ୍ରକୋପ ମାନବସକଳଙ୍କୁ ରେଜାଇ –କମ୍ବଳ ଭିତରେ ଜାବୋଡି ରଖିଥିଲେବି , ସିର ସିର ଦଲକା ଉତ୍ତରା ପବନ ଶୀତର ତାଣ୍ଡବଲିଳା ଚଳେଇଥିଲେବି ...ପାଗଲା ନାନଙ୍କୁ କାଳି ଅନ୍ଧାରରୁ ଏକଡାଳିଆ ପୁଷ୍କରିଣୀରେ ବୋଡ଼ ନପକେଇଲେ ଚଳେନା | ସିଂଦୁରା ଫାଟୁ ଫାଟୁ ନନା ଆମର ଫିଟ ଫାଟ ହୋଇ ମନ୍ଦିର ଅଗଣାରେ ହାଜର | ଧୋବ ଫର ଫର ସଫା ଧୋତି ସାଙ୍ଗକୁ ନାଲି ଖୋର୍ଦ୍ଧା ପାଚିଲା ଗାମୁଛା –କାନ୍ଧରେ ଖଣ୍ଡେ ଆଉ ଅଣ୍ଟାରେ ଖଣ୍ଡେ | ସଫା ପଇତା ସହିତ ବେକରେ ରୁଦ୍ରାକ୍ଷ୍ୟର ମାଳ | ଉଁ କାର ବେଦ ମନ୍ତ୍ର ସବୁ ଓଠ ଅଗରେ |
କଥା କ’ଣ କି ? ନାନା ଆମର ପରା ସର୍ବପୁରାତନ ଐତିହାସିକ ଜଗତିପୁର ପଞ୍ଚାୟତର ବାବା ଜଗତେଶ୍ଵର ମହାଦେବ ପିଠର ମୁଖ୍ୟ ପୂଜାରୀ-ପ୍ରଭାରି | ଆଜି ପୁଣି ପୌଷ ମାସର ପ୍ରଥମ ସୋମବାର | ମାର୍ଗଶିର ମାସରେ ମହାଲକ୍ଷ୍ମୀ ବ୍ରତ ଆଉ ସୁଦଶା ବ୍ରତ ଥିବା ଯୋଗୁଁ ମନ୍ଦିରରେ ଜମାରୁ ଭିଡ ନଥିଲା | ତେଣୁ ଆମଦାନି ଆଠଣିବି ନାହିଁ କିନ୍ତୁ ଖର୍ଚ୍ଚ ରୁପିୟା |ଅର୍ଥାତ ବିମୁଦ୍ରାକରଣ ଆଉ ଜିଏସଟି ଯୁଗରେ ପିଆଜ ଆଜି କ୍ରିକେଟ ଟି-ଟ୍ୱେନ୍ଟି ଖେଳରେ ଦୁଇ ଶତକ ମାରିଥିବା ସଚିନ ତେନ୍ଦୁଲକର ଓ ରୋହିତ ଶର୍ମାଙ୍କ ସମକ୍ଷକ ହେବାକୁ ବସିଥିବା ବେଳେ ପାଗଲା ନନାଙ୍କର ଆମଦାନି ନାହିଁ କହିଲେ ଚଳେ |
ଖୋଦ ସେଇଥିପାଇଁ ପାଗଲା ନନା ଆମର ବଡିଭୋରରୁ କାଉ –କୋଇଲି କା-କା-କୋ-କୋ କରିବାର ବହୁ ଆଗରୁ ଯାଇ ମନ୍ଦିରରେ ପୂଜା-ପାଠର ଶୁଭାରମ୍ଭ କରି ସାରିଲେଣି | ଅଗରବତୀର ମହମହ , ଚନ୍ଦନର ଟହଟହ ଆଉ ସଜ ଫୁଲର ସୌରଭିତ ଗନ୍ଧ ଭିତରେ ଆରମ୍ଭ ହୋଇଗଲାଣି ଓଁ-ସ୍ଵାହା-ପୂଜା-ପାଠ-ନୈବେଦ୍ୟ-ପାର୍ବଣର ଅୟମାରମ୍ଭ |
ଓଁ ସର୍ବେଶ୍ଵରାୟ ନମଃ ----
ଓଁ ମହାଦେବାୟ ନମଃ ----
ଡମ ଡମ ବଜା ଡମ୍ବରୁ ମେଦିନୀ ଥରୁ -----
କଥା କ’ଣ ? ସକାଳର ଗହଳି ଚହଳି ହେଲାଣି | ବିକା ଗୁମୁଟି ଆଗରେ ଗାଁ ଟାଉଟରଙ୍କ ଢଗ –ଢମାଳିର ପସରା ଆରମ୍ଭ ହେଲାଣି | ନନା ଚା’ ଦୋକାନରେ ଢେଙ୍କାନାଳରୁ-ଢେଙ୍କିଶାଳର କଥା , ଦିଲ୍ଲୀରୁ –ପଲ୍ଲିର ନଥା ସବୁ ପଡିଲାଣି | ପଞ୍ଛାୟତ ନିର୍ବାଚନି ରଣାଙ୍ଗନର ଛକାପଞ୍ଝାର ତରଙ୍ଗାୟିତ ଭିତରିଆ ଗୁମର କଥା ସବୁ ଫୁସ ଫାସ କଲେଣି | ଶିବ କେବିନ ଆଗରେ ବସ୍ତା ବସ୍ତା ଭାଷଣବାଜିର ରିହାତି ରାଜନୀତି ଆଉ ଶସ୍ତା ସ୍ଲୋଗାନ, ଚନ୍ଦନ ଚର୍ଚିତ ଚିହ୍ନା ବ୍ରାହ୍ମଣମାନଙ୍କ ମେଣ୍ଟ ଶାସନର ଫେଣ୍ଟ ଭିତରେ ଚଞ୍ଚକ ରାଜନୀତି ଯେପରି ଚାଣକ୍ୟ ଅର୍ଥନୀତି ଆଗରେ ଆଣ୍ଠୋଇ ପଡିବାର କିମ୍ଭୂତ –କିମ୍ଭାକାର ବାକ୍ୟବାଣ ଚାଲିଲାଣି | ବେଣୁଆ ବୋକାନ ଆଗରେ ପଡିଥିବା କାଠ ବେଞ୍ଚ ଉପରେ ବସିଥିବା ତଥାକଥିତ ବୁଦ୍ଧିଜୀବୀ ଲୋକସଭାରେ ଆଉ ରାଜ୍ୟସଭାରେ ନାଗରିକତା ଏମେଣ୍ଡମେଣ୍ଟ ବିଲ ପାସ ବେଳେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କର ହୁଙ୍କାର ଆଉ ଶାଣିତ ତର୍କ ଆଗରେ ବିପକ୍ଷ କିଭଳି ଲାଙ୍ଗୁଡ ଜାକି ଶହେ ଭୋଟ ଯୋଗାଡ କରିପାରିଲାନିର ଧାରାବାହିକ ବିବରଣୀ ବେଶ କିଛି ଲୋକଙ୍କୁ ଘେରିରଖିବାରେ ଖୋରାକ ଦେଲାଣି |
ସାହୁ ବସବି ହର୍ଣ୍ଣ ବଜେଇ ୭.୨୦ ବେଳେ ବାଲେଶ୍ଵରାଭିମୁଖେ ଗଡିଗଲାଣି | ମାତ୍ର ମନ୍ଦିରରେ ଭକ୍ତ କାହିଁ ? ପୂଜା ଥାଳିରେ ପଇସା କାହୁଁ ଆସିବ ଧାଇଁ ?
ପାଗଲା ନନାଙ୍କ ମନରେ ଭାବନାରାଜିର ଉତ୍ତାଳ ତରଙ୍ଗମାଳା କଡ ଲେଉଟାଇଲେ | ମନ୍ଦିର ଆଉ ଚଳେଇ ହେବନି | ଲୋକେ ଆଉ ପୂଜାଡାଲା ନେଇ , ପୂଜା ପାଛିଆ ସଜେଇ, ଭୋଗ-ରାଗରେ ବାଗେଇ ସୋମବାରରେ ଆସୁନାହାନ୍ତି | ଦକ୍ଷିଣା ନାହିଁ | ଦାନା ନାହିଁ | ମନ୍ଦିରର ରକ୍ଷଣାବେକ୍ଷଣ ହେବ କେମିତି ? ଆମେ ସବୁ ଚଳିବା , ପରିବାର ପୋଷିବା କେମିତି ?
ପୂଜା କରି କରି ମୋତେ ୮୦ ବରଷ ହେଲାଣି | ଚମ ଲୋଚାକୋଚ୍ଚା ହେଲାଣି | କାମର ନଇଁ ଗଲାଣି | ବାଳ ସବୁ ଝୋଟ ପରି ଦିଶିଲାଣି | ମାତ୍ର ବାପ- ଜେଜେ ଅମଳରୁ କୌଳିକ ପରମ୍ପରାକୁ –ବୃତ୍ତିକୁ ନେଇ ଚଳି ଆସିଥିବା ବ୍ରାହ୍ମଣ ପୁଅ କ’ଣ ହଳ କରିବ ?
କାରଣ --- ଲୋକଙ୍କ ମନରୁ ଈଶ୍ଵର ବିଶ୍ଵାସ ସବୁ କମି କମି ଆସୁଛି ଯର୍ମାନ ଅର୍ଥନୀତିଙ୍କ ଏଚ. ଏଚ. ଗୋସେନଙ୍କର ଡିମିନିଶିଂ ମାର୍ଜିନାଲ ଓଟିଲିଟି ତତ୍ତ୍ଵ ପରି | ଭେଣ୍ଡିଆ ମାନେତ ନିଜକୁ ଏଙ୍ଗରୀ ୟାଙ୍ଗମ୍ୟାନ ବୋଲି ଭାବୁଛନ୍ତି ଆଉ ରାତିଦିନ ମୋବାଇଲ ପଛରେ ଏମିତି ପଡିଛନ୍ତି ଯେ ଘର ପୋଡିଗଲେ ବି ଜାଣିପାରିବେନି |ସୋଶିଆଲ ମିଡିଆରେ ଖାଲି ବିପ୍ଲବ କରିବେ | ସେହି ଚିନ୍ତାଧାରାରେ ମତ୍ତ –ମଗ୍ନ ଆଉ ନିମଗ୍ନ | କଥା ଓ କବିତାରେ ସର୍ବହରାଙ୍କ ପାଇଁ ଶ୍ଵର ଉତ୍ତୋଳନ କରି ଚାଲିଛନ୍ତି | ଯୁବ ସମାଜଠାରେ ତେଣୁ ଧୀରେ ଧୀରେ ଈଶ୍ଵର ବିଶ୍ଵାସ କମି କମି ଆସୁଛି |
ଗୃହସ୍ଥ ମାନେ –ପାରିବାରିକ ସ୍ଵାମୀ-ସ୍ତ୍ରୀ ମାନେ ପାରମ୍ପରିକ ଈଶ୍ଵର ବିଶ୍ଵାସୀ ତଥା ବହୁ-ଇଶ୍ଵର ବିଶ୍ଵାସୀ ଆଦିମ କାଳରୁ | ତେଲ ଲୁଣ ଦୁନିଆରେ ଡୁବି ରହୁଛନ୍ତି | ଘରେ ବୟସ୍କ ବାପା-ବୋଉ , ସ୍ତ୍ରୀ –ପିଲାମାନଙ୍କୁ ନେଇ ଚଳିବା ମୁସ୍କିଲ ହୋଇପଡୁଛି | ଆୟଶୂନ୍ୟ –ଉପାୟଶୂନ୍ୟ ହୋଇ ଭଗବାନଙ୍କ ଶରଣାପନ୍ନ ହୁଅନ୍ତି | ପ୍ରାର୍ଥନାରେ ଅନୁନୟ –ବିନୟର ଶ୍ଵର ବାରି ହୋଇପଡେ | ହେ ଭଗବାନ ! ବାପାଙ୍କୁ ଟିକେ ବଦଳେଇ ଦିଅ | ପୁଅକୁ କିଞ୍ଚିତେ ସଦବୁଦ୍ଧି ଦିଅ | ଝିଅକୁ ଟିକେ ଠିକ ରାସ୍ତାକୁ ଆଣ ହେ ମହାବାହୁ !ସ୍ତ୍ରୀ –ପି
ଲାଝିଲାମାନଙ୍କୁ ବୁଝେଇ-ସୁଝେଇ ଦିଅହେ ସାଆନ୍ତେ ! ମୋତେ ଅନ୍ତତଃ ଅଳ୍ପ ଟିକେ କରୁଣା ଦିଅ ଯେ ମୁଁ ସମସ୍ତଙ୍କୁ କିଞ୍ଚିତ କିଞ୍ଚିତ ବଦଳେଇବାକୁ ସକ୍ଷମ ହୁଏରେ ବୁଢା ମହାଦେବ ! ଏହି ଭଗବାନ ବିଶ୍ଵାସ –ଏହି ଭଗବତ ଆଶା –ଭରଷା ତାକୁ ଟାଣି ଆଣୁଥିଲା ମନ୍ଦିରର ବେଢାକୁ ଶିବରାତ୍ରି –ଜାଗର ଆଉ ଚଡକ ମେଳାର ଦ୍ଵାର ଦେଇ ଦ୍ଵାହି ନେଇ |
ମାତ୍ର କୁଆଡୁ ଆସିଲା ଏ ଅଲପେଇସା ଟେଲିଭିଜନ ଆଉ କେବଳ ଟିଭି , ମୋବାଇଲ ସାଙ୍ଗକୁ ଇଣ୍ଟାର୍ନେଟ | ଅଶ୍ଳୀଳ ନାଚ-ଗୀତରେ ସପରିବାର ବ୍ୟସ୍ତ ରହିଲେ ସଞ୍ଜ ସକାଳ | ଭଜନ ଭୂଲି ଗାଇଲେ ଆଇଟମ ସଙ୍ଗ | ଭଜନ ସନ୍ଧ୍ୟା ଆସରରେ, ବାଦିପାଲା, ଦାସକାଠିଆ, ଦଣ୍ଡନୃତ୍ୟରେ ଲୋକେ କାହିଁ ? ମାତ୍ର ରେକର୍ଡ ଡ୍ୟାନ୍ସ- ଆଲବମ ନାଇଟ ରେ ପିଲା –ଟୋକା –ବୁଢା ସମସ୍ତେ ମତୁଆଲା |ମନ୍ଦିର ଆସିବେ କେତେବେଳେ ? ରାତ୍ରି ଉଜାଗର ରହି ସବୁ କର୍ମକୋଢିଆ ଅସୁର୍ଜ୍ୟମପଶ୍ୟା ହେଲେଣି |
୨୦ କି ୩୦ ବର୍ଷ ତଳର କଥା | ସବୁ ପାଗଲା ନନାର ମନକୁ ଆନ୍ଦୋଳିତ କରୁଥାଏ | ଲୋକେ ସପରିବାର ଦଳ-ବଳ-ସବଳ-ସକଳ ଆସୁଥିଲେ ଆଉ ସମସ୍ତଙ୍କର ଶୁଭ ମନାସୁଥିଲେ | ପାଦୁକା-ନେତ-ପାଉଣା-ଦକ୍ଷିଣା-ରୂପା-ବେଲପତ୍ର ଦେଉଥିଲେ ହସହସ ବଦନରେ | ଚାଉଳ –ଶିଦା ମଧ୍ୟ ବହୁତ ମିଳୁଥିଲା | ସପ ମସିଣା ଆଉ ନୂଆ ଗାମୁଛା ବହୁତ ମିଳୁଥିଲା | ସୋମବାର –ପୂର୍ଣ୍ଣିମା –ସଙ୍କ୍ରାନ୍ତିରେ ବ୍ୟାଗ ଫୁଲ ହୋଇଯାଉଥାଏ | ମାତ୍ର କୁଆଡେ ସେ ସୁବର୍ଣ୍ଣ ଦିନ ସବୁ ଉଭେଇ ଗଲେ |
କାହିଁକି ବା କରିବେ ? ସମସ୍ତେ ମାନସିକ କଲେ ପୁଅଟିଏ ହେଉ ?ଆଧିଆ ପଡିଲେ ଖାଲି ପୁଅ ଟିଏ ହେଉ | ଯଦି ଝିଅ ହେଲା ମନ୍ଦିର ନା ଫନ୍ଦିର | ପୁଅ ବାହାଘର ପରେ ସ୍ତ୍ରୀ କଥାରେ ପଡି ଉଲଟିଗଲା | ଦେଖ ! ହରିଆ ରାଉତ –ବନା ଜେନା –ରବି ପାତ୍ର –କଣା ବିଶ୍ଵାଳ –ଅନନ୍ତା ଅଣ୍ଡିଆ –ସମସ୍ତେ ଏକୋଇର କଳା ବିଷୀକେଶନ ଥିଲେ |ନୟନର ମନି ଥିଲେ | ମାତ୍ର ବାହାବେଦି ହାତରୁ ନ ଫିଟୁଣୁ ସବୁ ଗାଡରମେଣ୍ଢା ହୋଇଗଲେ | ପର ଝିଅକୁ କାହିଁକି ବା ଦୋଷ ଦେବା | ଆମ କୂଳନନ୍ଦନ ତ ଅଣପୁରୁଷା –ଚନ୍ଦ୍ରଶେଣା ତଥା ମାଇଚିଆ ହେଲେ | ସତ ସିଂହର ବଳ ସବୁ ମେଂ ମେଂର ଶବ୍ଦରାଜିର ବୀଣା-ଝିଣା ଆଉ ରୁଣୁ-ଝୁଣୁର ଈଷାରା ତଳେ ଜାକି ଯୁକି ରହିବାକୁ ସାଲିସ କରିନେଲେ | ମର୍ଦ୍ଧ ପୁଅର ହେଣ୍ଟାଳ, ପୁରୁଷ ପୁଅର ପାରିଲା ପାରିଲା ପଣ ମାଇପି ପାଖରେ କୁଆଡେ ଲାଜକୁଳି ଲତା ନ୍ୟାୟରେ ସରମିଲତିକା ସମ ମୁଁହରେ ଫେଭିକଲ ଲଗେଇ ଯେମିତି ରହିବାକୁ ସୁବର୍ଣ୍ଣ ଯୁଗ ମଣିଲେ | କାହାକୁ କହିବା ? କହିଲେ ତ କୂଳ-କୁଟୁମ୍ବକୁ ଲାଜ ! ନ କହିଲେ ବଂଶ –ପରମ୍ପରାତ ରଶାତଳକୁ ଯାଉଛି ! ତୁହି କୈଳାସନାଥ ହିଁ ଭରସା |
ପାଗଲା ନନାଙ୍କ ମନରେ ପୁଣି ଭାବାନ୍ତର | ଯଦି ଭଗବାନଙ୍କୁ ପୁଅ ମାଗୁଛ ଆଉ ମିଳୁଛି ଏମିତି କର୍ମ-କୁଢିଆ କୂଳନନ୍ଦନ, ଏମିତି ଅର୍ବାଚୀନ- ଅକାଳକୁଷ୍ମାଣ୍ଡ କୂଳପ୍ରଦୀପ ଯାହାକୁ ନେଇ ଛାତି ଫୁଲେଈ ଦାଣ୍ଡ ଦୁଲୁକେଇ ଗରବରେ ଦଶଜଣଙ୍କ ଆଗରେ ପାଟି ଫିଟୁନି ---ତେଣୁ ପୁଅ ମାଗନା –ବରଂ ପିଲା ମାଗ –ବରଂ ସନ୍ତାନ ମାଗ | ହେ ! ମୂଢ କଳାମୁଣ୍ଡିଆ ! ହେ ସୃଷ୍ଟିର ଶ୍ରେଷ୍ଠ ସୃଷ୍ଟି ! ଝିଅ ହେଉ କି ପୁଅ ହେଉ ଉପଯୁକ୍ତ-ଉପଯୁକ୍କ୍ତା କର | ଇଙ୍ଗିଲିସ ପଢନ୍ତ୍ତା ଅର୍ଥ ରୋଜଗାରିଆ ଆଧୁନିକା ହେଉ ମନା ନାହିଁ | କିନ୍ତୁ ସଙ୍ଗେ ସଙ୍ଗେ ଭାରତୀୟ –ଉତ୍କଳୀୟ ସଂସ୍କୃତିରେ ପରିକଳ୍ପିତ –ପରିପାଳିତ –ପରିସ୍ଫୁଟିତ ହେଉ | ବଡକୁ ସମ୍ମାନ –ସାନକୁ ଆଦର –ଦୁଃଖୀ-ରଙ୍କିଙ୍କୁ ଦାନ-କ୍ଷମା-କରୁଣା –ଦୟାର ମହା ପାବନ ପାରାବାରରେ ତା’ର ହୃଦୟ ମନ୍ଦିର ସଦା ସର୍ବଦା କ୍ଷାଳିତ ହେଉ ସେହି ଗୀତା –ଭାଗବତ –ପୁରାଣର ଊର୍ମିମାଳାରେ |
କଥାରେ କହନ୍ତି ; ବାପ ଦଶରଥ ହେଲେ ସିନା ପୁଅ ରାମ –ଲକ୍ଷ୍ମଣ ହେବେ , ଭରତ –ଶତ୍ରୁଘ୍ନ ପରି ଦେବସୁଲଭ ଭାଇ ହେବେ | ବାପ ଜନକ ହେଲେ ସିନା ଝିଅ ସୀତା –ଊର୍ମିଳା ହେବେ | ଘର-ପୁର-ନଗର ସବୁ ଅଯୋଧ୍ୟା –ମିଥିଳା ସମ ରାମ-ସୀତା ରାଜ୍ୟର ସୁଖ ସମୃଦ୍ଧିର ଐକତାନରେ ଦିବା-ନିଶି ଆତଯାତ ହେବେ |
ମାତ୍ର ସେହି ବର୍ତ୍ତମାନର ବାପାମାନଙ୍କୁ –ଅଧୁନା ସେହି ଗୃହସ୍ଵାମୀମାନକୁ –ଅତୀତର ସେହି କୂଳନନ୍ଦନସକଳଙ୍କୁ କି’ଏ ପରିବର୍ତ୍ତନର ଆଲୋକବର୍ତ୍ତିକା ଦେଖେଇବ , କି’ଏ ସେହି ଅବଚେତନ ମାନସ ବେଦିରେ ଦିବ୍ୟସତ୍ତାର ଗର୍ଭଗୃହରେ ନଷ୍ଟସ୍ୟ ଗତିକୁ ରୋକିବାକୁ ନିର୍ବାଣ ପାଇବାକୁ ରାସ୍ତା ଦେଖେଇବ ....ଏମିତି କେତେ ଗହନ କଥାରେ ପାଗଲା ନନା ଭାବି ଚାଳନ୍ତି ---କିଛି କୂଳ କିନାରା ପାଇବାର ଏକ ସୁନେଲି ଆଶାର ଇଙ୍ଗିତରେ |
“ବାପା ! ବାପା ! ହାଟକୁ ଯିବନି କି ? ଆଜି ପରା ସୋମବାର —କୂଳନନ୍ଦନ ସତ୍ୟବ୍ରତର ଡାକରେ ପାଗଲା ନନା ହଡବଡେଇ ଗଲେ |
ମନ୍ଦିରରେ ତାଲା ପକଉ ପକଉ ସେହି ଅଗତିର ଗତି ଜଗତେଶ୍ଵର ମହାଦେବଙ୍କୁ ହାତ ଯୋଡି ଉଲଗି ହେଉ ହେଉ ପୁଅ ସତ୍ୟବ୍ରତ ଆଡକୁ ଦେଖି ମନେ କହୁଥିଲେ କି ମୋର କୂଳନନ୍ଦନ କିପରି ରାମ ହେବ ତୁହି ଜାଣୁରେ ଠାକୁରେ ,ତୋତେ ହି ଲାଗିଲା |
ଝିଭ କାମୁଡି ପକେଇଲେ |ମୋତେ ପରା ଦଶରଥ ହେବାକୁ ପଡିବ ଆଜିଠାରୁ| ଧେତ ତେରିକା , ଅଭିକା ଏହି ମୁହୂର୍ତ୍ତରୁ | ତାଙ୍କ ତୁଣ୍ଡରୁ ଝରୁଥିଲା
ଓଁ ସର୍ବେଶ୍ଵରାୟ ନମଃ
ଓଁ ମହାଦେବାୟ ନମଃ
ଡମ ଡମ ବଜା ଡମ୍ବରୁ ମେଦିନୀ ଥରୁ -