କୁନି ବାହାଦୁର
କୁନି ବାହାଦୁର
ଛୁକ୍ ଛୁକ୍ ଶବ୍ଦକରି ଚାଲିଥାଏ ଟ୍ରେନ ଟି ଦିଲ୍ଲୀ ଅଭିମୁଖେ।କେତେ ବଣଲତା, ପାହାଡମାଳ, ନଦୀ, ବଡବଡ ନଭଶ୍ଚୁମ୍ବୀ ହର୍ମ୍ୟବିମଣ୍ଡିତ ନଗର ସବୁ ନିମିଷକେ ଅତିକ୍ରମି ଯାଉଥାନ୍ତି ଚକ୍ଷ୍ୟୁ ପରିଧିଭିତରୁ।
ଶୀତର ପ୍ରକୋପ ଏବେବି ରହିଛି। ଜାନୁୟାରି ଛବିସ ହେବାକୁ ବସିଲାଣି ହେଲେ ଏଯାଏ ମୁହଁ ଫେରାଇନି ଶୀତ ତାର ଗନ୍ତବ୍ୟ ସ୍ଥଳକୁ। ସମସ୍ତେ ଶୀତ ଚାଦର ବା ସୁଏଟର କୋଟ ପରିହୀତ ହୋଇ ବସିଛନ୍ତି ରେଳବଗି ମାନଙ୍କରେ।ପାଉଲୁସ୍ ସାଞ୍ଚି ଆଉ ରଏବାରୀ ବି ବସିଛନ୍ତି ଗୋଟିଏ ସିଟରେ । ସେମାନଙ୍କୁ ଡାକରା ଆସିଛି ଦିଲ୍ଲୀରେ ରାଷ୍ଟ୍ରପତିଙ୍କଠାରୁ ତାଙ୍କୁ ପୁରସ୍କାର ମିଳିବ ତାଙ୍କର ସାହସିକ କାମପାଇଁ ସାଧାରଣତନ୍ତ୍ର ଦିବସରେ |
ସେମିତି ସେଦିନ ବି ସେମାନେ ଟ୍ରେନରେ ପୁଅ ପାଖକୁ ଦିଲ୍ଲୀ ବାହାରିଥିଲେ। ପୁଅ ସେଠି ପୋଲିସ ବିଭାଗରେ ଚାକିରି କରେ। ସେମାନେ ସୁନ୍ଦରଗଡ ଅଞ୍ଚଳର ଏକ ମୁଣ୍ଡା ସମ୍ପ୍ରଦାୟର ଲୋକ। ବହୁତ ପରିଶ୍ରମୀ ସାଙ୍ଗକୁ ବହୁ ସାହସୀ ବି। ତାଙ୍କ ପୂର୍ବ ପୁରୁଷ ବାଘ ସିଂହଙ୍କ ସହିତ ରହି ଜୀବନ ବିତାଇଛନ୍ତି।
ବନ୍ୟ ଜୀବଙ୍କ ସହ ଶିଶୁବେଳୁ ରହିରହି ତାଙ୍କସହ ଲଢିବାର ସାହାସ ସ୍ବତଃପ୍ରବୃତ ଜାଗୃତ ହୋଇଯାଇଛି ହୃଦୟ ଭିତରେ। ଛୋଟ ଛୋଟ ଦୁର୍ଘଟଣା କୁ ସାମନା କରିବାର ଉପାୟ ତାଙ୍କୁ ବେଶ୍ ଜଣା। ସେଦିନ ଏମିତି ନିଶ୍ଚିନ୍ତରେ ଟ୍ରେନରେ ବସିଥିବା ବେଳେ ହଠାତ୍ ଦୁଇଜଣ ଦୁର୍ବୁର୍ତ୍ତ ଟ୍ରେନ ଭିତରକୁ ପଶି ଆସିଲେ। ଜଣକ ହାତରେ ବନ୍ଧୁକଟିଏ ତା ସାଥିରେ ଆଉ ଜଣେ ବ୍ୟାଗଟେ ଧରି ପଛେ ପଛେ ଚାଲିଥାଏ। ସେମାନେ ସବୁ ସିଟ୍ କୁ ଯାଇ ବନ୍ଧୁକ ଦେଖାଇ ଯାତ୍ରୀଙ୍କୁ ଡରାଉଥିଲେ । ତାଙ୍କ ପାଖରେ ଯାହା ଟଙ୍କାସୁନା ଅଛି ଦେବାପାଇଁ କହୁଥିଲେ|
ଆଉ ଯାତ୍ରୀମାନେ ଭୟରେ ସେମାନଙ୍କ କଥା ପାଳନ କରୁଥିଲେ। ତଥାପି ଲୋକଙ୍କ ଭିତରେ ଭାଗାଦୌଡି ହୋହଲ୍ଲା ଲାଗିଥାଏ। ଶୋରଶବ୍ଦ ଶୁଣି କିଛି ବିପଦର ଆଶଙ୍କା କରି ପାଉଲୁସ୍ ଟ୍ରେନର ଶିକୁଳି ଟାଣିଦେଲା। କିଛି ଦୂରକୁ ଯାଇ ଟ୍ରେନଟି ମନ୍ଥର ହୋଇ ସ୍ଥିର ହୋଇଗଲା।ହରଗୌରାଫଳ ଫାଟିଲେ ତାର ବୀଜମାନେ ଯେମିତି ଛିଟିକି ପଡନ୍ତି ଯାତ୍ରୀମାନେ ସେମିତି ଟ୍ରେନରୁ ଶୀଘ୍ରତାର ସହିତ ବାହାରି ବାହାରେ ବିଛେଇ ହେଇଗଲେ। ସେ ଦୁର୍ବୁର୍ତ୍ତଟି କିଏ ଶିକୁଳି ଟାଣିଲ କହି ଖୋଜିଲା ବେଳକୁ ପାଉଲୁସ୍ ତାର ପରିବାର ଧରି ତଳେ ଓହ୍ଲାଇ ସାରିଥିଲା।ବଦମାସ୍ ଲୋକଟା ତଳକୁ ଡିଆଁମାରି ସାଞ୍ଚି କୁ ଧରିନେଲା ଓ କହିଲା ଯିଏ ଯାହାଯାହା ଧରିଛ ଦେଇଦିଅ ବେଶି ଚାଲାକି ଦେଖାଅ ନାହିଁ ନହେଲେ ଏ ଝିଅକୁ ଗୁଳି କରିଦେବି।
ସାଞ୍ଚି ବାର ତେର ବର୍ଷର ଶ୍ୟାମଳୀ ସୁନ୍ଦର ଗଢଣର ଝିଅଟିଏ।ସପ୍ତମ ଶ୍ରେଣୀର ଛାତ୍ରୀ। ସାଞ୍ଚିର ଜୀବନ ବିପଦରେ ଦେଖି ତା ମାଆ ରଏବାରି ସହିପାରିଲାନି।ମାଆଟିଏ ସବୁ ସହିପାରେ ହେଲେ ସନ୍ତାନ କି ସ୍ବାମୀର ବିପଦ ସହି ପାରେନାହିଁ। ନିଜ ଜୀବନ ବିନିମୟରେ ତାଙ୍କ ରକ୍ଷା ପାଇଁ ବାହାରିଆସେ। ଅନେକ ପୁରୁଷ ଏକତ୍ରିତ ହେଇଛନ୍ତି ହେଲେ କାହାର ସାହସ ନାହିଁ ଦୁର୍ବୁର୍ତ ସହ ଲଢିବାକୁ। ଯଦି ସମସ୍ତେ ଏକାସାଙ୍ଗେ ତାକୁ ଆକ୍ରମଣ କରନ୍ତେ ତାହେଲେ ଏ ଚୋର ଲାଙ୍ଗୁଡ ଜାକି ପଲାନ୍ତାହେଲେ ବନ୍ଧୁକ ଡରରେ ସମସ୍ତେ ଚୁପ୍ ପଡିଥିଲେ।ହେଲେ ରଏବାରି ତ ମାଆଥିଲା। ମାଆ କଣ ସନ୍ତାନକୁ ବିପଦରେ ଦେଖି ଚୁପ୍ ରହିପାରିବ।
ଅଚାନକ ସେ ଦୁର୍ବୁର୍ତ୍ତ ଉପରକୁ ଲମ୍ଫଦେଲା। ସେ ସିଧା ଲୋକକୁ ଠେଲିକି ଦୂରକୁ ନେଇଗଲା ଓ ଦୁଇଜଣ ତଳେ ପଡିଗଲେ ସେ ଲୋକ ସାଥିରେ। ଏତିକିବେଳେ ସେ ବଦମାସ୍ ହାତରୁ ବନ୍ଧୁକଟା ଛିଟିକି ପଡିଲା ଦୂରକୁ।ଲୋକଟା ଉଠି ରଏବାରିକୁ ତଳୁ ଉଠାଇବାକୁ ଚେଷ୍ଟା କରୁଥାଏ। ଏତିକିବେଳେ ଦୁଇଟା ଗୁଳିଫୁଟିବାର ଶବ୍ଦ ହେଲା। ସମସ୍ତେ କିଏ ଗୁଳି ଫୁଟେଇଲା ଜାଣିବାପାଇଁ ପଛପଟେ ଦେଖିଲାବେଳକୁ ସାଞ୍ଚି ବନ୍ଧୁକ ଧରି ଦୁର୍ବୁର୍ତ୍ତ ଉପରେ ଗୁଳି ଫୁଟେଇ ଚାଲିଥାଏ। ଦୁର୍ବୁର୍ତ୍ତ ତଳେ ପଡିବାଦେଖି ସାଞ୍ଚି ତତ୍କ୍ଷଣାତ୍ ବନ୍ଧୁକକୁ ଉଠାଇ ନେଇଥିଲା । ଏବେ ମାଁ ଉପରେ ବିପଦର ଆଶଙ୍କାକରି ସେ ଲୋକଟାକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲା। ଝିଅ ଏମିତି ସାହସିକ କାମକୁ ସଫଳ ରୂପ ଦେଉଥିବା ବେଳେ ସେପଟେ ପାଉଲୁସ୍ ଦ୍ବିତୀୟ ଚୋର ହାତରୁ ବ୍ୟାଗଟି ଛଡାଇ ଆଣିଲା । ଏବେ ଟ୍ରେନରେ ଥିବା ସବୁ ଲୋକଙ୍କ ମନରେ ସାହସର ସଂଚାର ହୋଇ ସାରିଥାଏ । ସେମାନେ ଦ୍ବତିୟ ଚୋରକୁ ଗୋଡେଇବାରେ ଲାଗିଥାନ୍ତି । ଆଉ ଚୋର ଛତ୍ରଭଙ୍ଗଦେଇ ଜୀବନ ବିକଳରେ ପଳାଉଥାଏ ଦୂରକୁ । ରଏବାରି ଓ ସାଞ୍ଚିର ସାହସ ପାଇଁ ଟ୍ରେନର ଯାତ୍ରୀମାନେ ଲୁଟ୍ ରୁ ବଞ୍ଚି ଯାଇଥିଲେ। ସେଥିପାଇଁ ସାଞ୍ଚିକୁ କୁନି ବାହାଦୂର ର ପୁରସ୍କାର ମିଳିବାର ଅଛି କାଲିର ସାଧାରଣ ତନ୍ତ୍ର ଦିବସରେ। ଝିଅ ଓ ମହିଳା ମାନେ ତ ପୁରୁଷ ପିଲାଙ୍କ ଠୁ ବି ସମୟ ପଡିଲେ ବାହାଦୁରୀର ପରିଚୟ ଦେଇଥାନ୍ତି।