Prajna Paramita Mohanty

Classics

2  

Prajna Paramita Mohanty

Classics

କୋଣାର୍କ ମନ୍ଦିରର ଆକର୍ଷଣ ବିଶ୍ଵ ଐତିହରେ

କୋଣାର୍କ ମନ୍ଦିରର ଆକର୍ଷଣ ବିଶ୍ଵ ଐତିହରେ

5 mins
214


ବିଶ୍ଵ ଐତିହ ବା world heritage କହିଲେ କଣ ବୁଝ ? Oxford dictionary, Heritage ଶବ୍ଦର ଅର୍ଥ ବୁଝାଇବାକୁ ଯାଇ କୁହନ୍ତି, "Things such as works of customs that have been passed on from earlier generation" ବା ଅନ୍ୟ ଅର୍ଥରେ ଉତ୍ତରାଧିକାରୀ ସୂତ୍ରେ ପ୍ରାପ୍ତ ସମ୍ପତ୍ତି ବା ପରମ୍ପରା | 

    ବିଶ୍ଵ ଐତିହ ସପ୍ତାହ ପ୍ରତି ବର୍ଷ ନଭେମ୍ବର ମାସ ୧୯ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ | ସେହିପରି ବିଶ୍ଵ ଐତିହ ଦିବସ ପ୍ରତି ବର୍ଷ ଅପ୍ରେଲ ମାସ ୧୮ ତାରିଖରେ ପାଳନ କରାଯାଏ | ପ୍ରଥମେ ୧୯୭୨ ମସିହାରେ ଏକ ସାଧାରଣ ବୈଠକରେ ଇଉନେସ୍କୋ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ | ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୁରାତନ ବିଶ୍ଵ ସାଂସ୍କୃତିକ କଳାକୃତି, ପ୍ରାଚୀନ ପରମ୍ପରା ଓ ପ୍ରାକୃତିକ ଦର୍ଶନୀୟ ସ୍ଥାନମାନଙ୍କର ସଂରକ୍ଷଣ ତଥା ସର୍ବେକ୍ଷଣ ଉପରେ ଗୁରୁତ୍ଵ ଦେବା | ଅଦ୍ୟାବଧି ୫୦୬ ଗୋଟି ପ୍ରସିଦ୍ଧ ସ୍ଥାନ ବିଶ୍ଵ ଐତିହ ମଧ୍ୟରେ ତାଲିକାଭୁକ୍ତ ହୋଇଛନ୍ତି | ୧୯୯୭ ମସିହା ଜାନୁଆରୀ ମାସ ମଧ୍ୟରେ୧୦୭ ଗୋଟି ଦେଶ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି | ଭାରତ ଉକ୍ତ କାର୍ଯ୍ୟକ୍ରମରେ ୧୯୯୭ ମସିହାରୁ ଯୋଗଦାନ କରି କାର୍ଯ୍ୟ କରି ଆସୁଅଛି | ଏହି କାର୍ଯ୍ୟକ୍ରମରେ ବହୁ ଅନ୍ତର୍ଜାତିକ ସଂସ୍ଥା ଯଥା:- ICOMS (ଇକୋମସ), IUCN, ICCROM (ଇକରମ) ସାମିଲ ହୋଇଛନ୍ତି | ଅଦ୍ୟାବଧି ବିଶ୍ଵ ସ୍ତରରେ ଚିହ୍ନିତ ୫୦୬ ଗୋଟିପ୍ରସିଦ୍ଧ ସ୍ଥାନ ମଧ୍ୟରୁ ଭାରତର ୧୬ ଗୋଟି ପୁରାତନ ସାଂସ୍କୃତିକ କ୍ଷେତ୍ର ଓ ୫ ଗୋଟି ପ୍ରାକୃତିକ ଦୃଶ୍ୟରାଜି ସ୍ଥାନ ପାଇଛନ୍ତି | ଏମାନଙ୍କ ମଧ୍ୟରେ ଅଜନ୍ତା, ଏଲୋରା, ସାଞ୍ଚି, ତାଜମହଲ, ପଶ୍ଚିମବଙ୍ଗର ସୁନ୍ଦରୀବନ ଆଦି ପ୍ରାକୃତିକ ଦୃଶ୍ୟରାଜି ମଧ୍ୟରେ ସ୍ଥାନ ପାଇଛନ୍ତି | ଏମାନଙ୍କ ମଧ୍ୟରେ ବିଶ୍ଵ ପ୍ରସିଦ୍ଧ ଅର୍କକ୍ଷେତ୍ରକୋଣାର୍କର ସ୍ଥାନ ୨୪୬ ଅଟେ | ଏହା ଭାରତର ପୁରାତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ବା A.S.I. "MONUMENTS OF WORLD HERITAGE IN INDIA" ନାମକ କ୍ଷୁଦ୍ରପତ୍ର ବାleafletରେ ପ୍ରକାଶ କରିଅଛନ୍ତି | ଏହା ଆମ ପାଇଁ ଗୌରବର କାରଣ ନୁହେଁ କି ?

   କଳାଭାସ୍କର୍ଯ୍ୟରେ ପ୍ରସିଦ୍ଧି ଲାଭ କରିଥିଲା ଆମ ରାଜ୍ୟ ଓଡିଶା | ଅଙ୍ଗେ ଅଙ୍ଗେ ଯା'ର କଳାର ସମ୍ଭାର, ତା'ର ନାମ ଥିଲା କଳିଙ୍ଗ | କଳାରେ ଚରମ ଉତ୍କର୍ଷତା ଲାଭ କରିଥିବା ହେତୁ ଏହାର ନାମ ଥିଲା ଉତ୍କଳ | ଉତ୍କଳୀୟ କଳାଭାସ୍କର୍ଯ୍ୟର ବଳିଷ୍ଠ ପ୍ରମାଣ ଦିଏ କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୂବନେଶ୍ବରର ଲିଙ୍ଗରାଜ ମନ୍ଦିର, ପୁରୁଷୋତ୍ତମର ଶ୍ରୀମନ୍ଦିର ତଥା ମୟୂରଭଞ୍ଜର ଖିଚିଙ୍ଗରେ ଥିବା ଦେବୀ କୀଚକେଶ୍ବରୀଙ୍କର ମନ୍ଦିର | ଏ ସମସ୍ତ ମନ୍ଦିରମାନଙ୍କରେ ଉତ୍କଳୀୟ କଳାକୃତିର ଚରମ ନିଦର୍ଶନ ଦେଖିବାକୁ ମିଳେ | କିନ୍ତୁ ଏ ସମସ୍ତ ସ୍ଥାନ ଅପେକ୍ଷା କୋଣାର୍କର କଳାକୃତି ବିଶ୍ବଦରବାରରେ ଆଣିଦେଇଛି ଆମ ରାଜ୍ୟ ପାଇଁ ପ୍ରଭୂତ ପ୍ରସିଦ୍ଧି | କାହିଁକି ଏ ମନ୍ଦିର ବିଖ୍ୟାତ ? କଣ ପାଇଁ ଏହାର ଆକର୍ଷଣ ଏତେ ଅଧିକ ? ସ୍ୱଳ୍ପ ସମୟ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ଏତେ ବ୍ୟାପକ ଯେ ଏହା ବର୍ଣ୍ଣନା କରିବା ଅସମ୍ଭବ |

   ଏ ମନ୍ଦିର ନିର୍ମିତ୍ତ ହୋଇଥିଲା ୧୩ଶହ ଶତାବ୍ଦୀରେ ଗଙ୍ଗବଂଶର ପ୍ରଥିତଯଶା ଶାସକ ଲାଙ୍ଗୁଳା ନରସିଂହଦେବଙ୍କ ଦ୍ଵାରା | ମନ୍ଦିରର ନିର୍ମାଣ କାର୍ଯ୍ୟ ଓ ପ୍ରତିଷ୍ଠା ସ୍ଥାନ ଉପରେ ବହୁ କିମ୍ବଦନ୍ତୀ, ଲୋକକଥା ଶୁଣିବାକୁ ମିଳେ | କେତେକ କହନ୍ତି, ଏହା ଚନ୍ଦ୍ରଭାଗା ଓ ସମୁଦ୍ରର ସଙ୍ଗମ ସ୍ଥଳରେ ନିର୍ମିତ୍ତ ହୋଇଥିଲା | ଫଳରେ ଏହାର ମୂଳଦୁଆ ଖୁବ ଅଗଭୀର ଥିଲା | କାରଣ ଜାଉ ଦେଇଥିବା ବୁଢୀର ସୁଚିନ୍ତିତ ପରାମର୍ଶ ଅନୁଯାୟୀ କଡରୁ କଡରୁ ପଥରଦ୍ବାରା ଜଳସ୍ରୋତକୁ ଅଟକା ଯାଇ ଠିକ ଗଣ୍ଡରେ ନିର୍ମିତ୍ତ ହୋଇଥିଲା ଏହି ମନ୍ଦିର | ଏହା କଣ ଆଶ୍ଚର୍ଯ୍ୟ ନୁହେଁ କି ? କାରଣ ନଦୀ ଓ ସମୁଦ୍ରର ସଙ୍ଗମ ସ୍ଥଳରେ ମନ୍ଦିର ନିର୍ମାଣର ପରିକଳ୍ପନା ଆମକୁ ଉଦ୍ଭଟ ମନେ ହେଉଥିଲେ ମଧ୍ୟ ୧୨ଶହ ବଢେଇଙ୍କ ୧୨ ବର୍ଷର ଅକ୍ଲାନ୍ତ ପରିଶ୍ରମ, ରାଜକୋଷର ୧୨ ବର୍ଷର ରାଜସ୍ଵର ବିନିଯୋଗ ସାକାର କରିଥିଲା ଏହି ଅବାସ୍ତବ ପରିକଳ୍ପନାକୁ | ଦ୍ବିତୀୟରେ କୋଣାର୍କ ଭଳି ଏକ ବିସ୍ତୀର୍ଣ୍ଣ ମରୁମୟ ବାଲୁକା ପ୍ରାନ୍ତରରେ ଏଡେ ବଡ ବଡ ପଥରକୁ ଏକତ୍ରିତ କରେଇ ମନ୍ଦିର ନିରମାନର ପ୍ରଚେଷ୍ଟା ଦ୍ଵିତୀୟ ଆଶ୍ଚର୍ଯ୍ୟ | ତଥାପି ସ୍ଥଳପଥ, ଜଳପଥ ଓ ନଦୀପଥରେ ବହୁଦୂରରୁ ଯଥା ଉତ୍ତରପୂର୍ବ ଲଳିତଗିରି, ରତ୍ନଗିରି ଏବଂ ଦକ୍ଷିଣପୂର୍ବ ଖୋର୍ଦ୍ଧା, ଟାଙ୍ଗୀ ଆଦି ଅଞ୍ଚଳରୁ ପାହାଡ କାଟି ମହାମେରୁ ପଥରଖଣ୍ଡମାନଙ୍କୁ ଜଳପଥରେ ନୌକା ସାହାଯ୍ୟରେ ବୋହି ଆଣି କୋଣାର୍କ ମନ୍ଦିର ନିର୍ମାଣ କରିବାର ପ୍ରଚେଷ୍ଟା ପାଇଁ ଲାଙ୍ଗୁଳା ନରସିଂହଦେବଙ୍କ ଆନ୍ତରିକତା ତଥା ବୀର ଓଡିଆମାନଙ୍କ ଚେଷ୍ଟା ଓ ନିଷ୍ଠାର ସାଫଲ୍ୟ ପାଇଁ ସେମାନଙ୍କର ନିଶ୍ଚିତ ଭାବରେ ଓଡିଶାର ଗର୍ବଗୌରବରେ, କଳାସଂସ୍କୃତିରେ ମହତ ଦାନ ଅନସ୍ବୀକାର୍ଯ୍ୟ | ଏହା ହିଁ ଦ୍ଵିତୀୟ ଆକର୍ଷଣ | ଏବେ ମଧ୍ୟ କୋଣାର୍କର ଅନତିଦୂରରେ ଜୁଣେଇ ନିକଟରେ ଅବସ୍ଥିତ ପଥରଭସା ନଦୀ ମୂକସାକ୍ଷୀ ହୋଇ ରହିଅଛି | ଅଧୁନା ସମୁଦ୍ର ପ୍ରାୟ ୩ କି.ମି. ଦୂରକୁ ଘୁଞ୍ଚିଯାଇଛି | ଚନ୍ଦ୍ରଭାଗା ନଦୀର ଅସ୍ଥିତ୍ଵ ବିଲୀନ ତଥାପି ଓଡିଶାର କଳାସଂସ୍କୃତିର ସ୍ଵାକ୍ଷର ବହନ କରି କୋଣାର୍କ ମନ୍ଦିର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି | କାଳର କରାଳ ଗର୍ଭରେ ଉପାସ୍ୟ ସୂର୍ଯ୍ୟଦେବତାଙ୍କର ମୁଖ୍ୟ ମନ୍ଦିର ସମ୍ପୂର୍ଣ ଭଗ୍ନ | କେବଳ ଉପାସନାପିଣ୍ଡି ଏହାର ଅସ୍ଥିତ୍ଵ ଜାହିର କରେ | କର୍ପୁର ଉଡିଯାଇ କନା ପଡିରହିଲା ପରି କୋଣାର୍କ ମନ୍ଦିରର ମୁଖଶାଳା କଳିଙ୍ଗଶିଳ୍ପୀର କଳାଭାସ୍କର୍ଯ୍ୟର ଅମର କୀର୍ତ୍ତିକୁ ଗବେଷକ, ପର୍ଯ୍ୟଟକ ଏବଂ ଶିକ୍ଷାର୍ଥୀଙ୍କୁ ଓଡିଶାର ଗତଗୌରବକୁ ସ୍ମରଣ କରାଇବାରେ ପ୍ରୟାସ କରେ |

   ମାନବଜୀବନର ଦର୍ଶନ, ପ୍ରେମ, ଅନୁରାଗ, ଯୁଦ୍ଧ, ବାଣିଜ୍ୟ, ପାରିଧି, ନ୍ୟାୟିକ ବ୍ୟବସ୍ଥା, ଆଶ୍ରମ ବିଦ୍ୟାଦାନ, ଶୃଙ୍ଗାରପ୍ରିୟ ରସିକତା, ପୌରାଣିକ କିମ୍ବଦନ୍ତୀର ଅପୂର୍ବ ନିଦର୍ଶନ ହେଉଛି ତତ୍କାଳୀନ କଳିଙ୍ଗଶିଳ୍ପୀ ନିହଣମୁନରେ ପଥର ଖୋଦେଇର ଶ୍ରେଷ୍ଠ ସାଫଲ୍ୟ |

   ମନ୍ଦିର ଗାତ୍ରରେ ଫୁଟିଉଠିଛି ଦେବନାରୀ ବା ସୁରସୁନ୍ଦରୀଙ୍କ ସ୍ଵର୍ଗୀୟ ଭାବାବେଶ | ପୁଣି କେଉଁଠି ଦେଖାଯାଉଛି ବିଭିନ୍ନ ମୁଦ୍ରାରେ ବଦ୍ୟୋପକରଣ ସହ ନୃତ୍ୟଡ଼ଟ ରମଣୀଗଣ | କିଏ କରତାଳ ଧରିଛି ତ କିଏ ଝାଞ୍ଜ, ଗିନି | କିଏ ପୁଣି ବୁଭୁସିତ ହୋଇ କାନ୍ତି ପ୍ରକାଶ କରୁଛି | କେଉଁ ନୃତ୍ୟରତା ରମଣୀ ସାହାନାଇ ବଦନ କରୁଛି ତ କିଏ ମାଦଳର ଛନ୍ଦେ ଛନ୍ଦେ ନୃତ୍ୟରତା | ଅପୂର୍ବ ଏ ଆକର୍ଷଣ ! ଧନ୍ୟ କଳିଙ୍ଗ ଶିଳ୍ପୀ ! ନିହଣ ମୁନରେ ପଥରକୁ ଜୀବନ୍ତ କରିବାର ପ୍ରୟାସ | ଦର୍ଶକକୁ କେବଳ ଆମୋଦିତ କରେ ନାହିଁ, ବିସ୍ମୟାଭିଭୂତ କରିଦିଏ | ଅପୂର୍ବ ଶୃଙ୍ଗାରର ପରିପାଟୀ କୋଣାର୍କ ଗାତ୍ରରେ ଫୁଟିଉଠିଛି | ରାଜା କେଉଁଠି ପ|ରିଧିକୁ ଯାଉଛନ୍ତି, ସଙ୍ଗରେ ସୁଶୋଭିତ ପରିଷଦବର୍ଗ | ଥାଟ ପଟୁଆର, ଘୋଡା, ହାତୀ, ଛତିରେ ରାଜକୀୟ ଠାଣିର ପରିପ୍ରକାଶ | କେଉଁଠି ଦରବାର ବସିଛି ତ କେଉଁଠାରେ ଆବାସିକ ଆଶ୍ରମରେ ଗୁରୁ ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଛନ୍ତି | କର୍ଣ୍ଣରେ କୁଣ୍ଡଳ, ଗଳାରେ ମୁକ୍ତାମାଳ, କଟିରେ କରବାଳ ସମ୍ରାଟଙ୍କର ଶ୍ରେଷ୍ଠତ୍ଵ ପ୍ରତିପାଦନ କରୁଛି | ଅପୂର୍ବ ଏ ଦୃଶ୍ୟ ! ଅନ୍ୟତ୍ର ଦେଖିବାକୁ ମିଳେ ରାଜାଙ୍କ ସମରସଜ୍ଜା | ଯୁଦ୍ଧକୁ ବାହାରିଛନ୍ତି ସମ୍ରାଟ | ଅନୁଗମନ କରୁଛନ୍ତି ସୈନ୍ୟ, ସାମନ୍ତ, ସେନାପତି | ଛୁଞ୍ଚିମୁନରେ ନିଖୁଣ କଳାଭାସ୍କର୍ଯ୍ୟ | ପ୍ରତ୍ୟକ କ୍ଷେତ୍ରରେ ଏ ଜାତି ଉତ୍କର୍ଷତା ଲାଭ କରିଥିଲା ଏହା ନିଃସନ୍ଦେହ | ପରାଜିତ ସୈନିକକୁ ଅବଦମିତ କରୁଛି ବୃହଦାକାୟ ଅଶ୍ଵ | ଏହାଠାରୁ ବଳି ଆକର୍ଷଣ ଆଉ କଣ ଥାଇପାରେ |

   ଏହାଛଡା ପୌରାଣିକ ମତବାଦର ସାଙ୍କେତିକତା ବହନ କରେ କୋଣାର୍କର ସୂର୍ଯ୍ୟ ମନ୍ଦିର | ୨୪ଟି ଚକ ବର୍ଷକର ୨୪ଟି ପକ୍ଷ ତଥା ଦିନକର ୨୪ ଘଣ୍ଟାର ପ୍ରତୀକ ଅଟେ | କାରଣ ଭଗବାନ ସୂର୍ଯ୍ୟ ଦିନ, ରାତି, ସପ୍ତାହ, ମାସ ଓ ବର୍ଷର ମୂଳ ଉତ୍ସ | ମୁଖ୍ୟ ମନ୍ଦିରରେ ସଂଯୁକ୍ତ ସପ୍ତାଶ୍ଵ ସାତବାର ବାସପ୍ତାହର ପ୍ରତୀକ | ପ୍ରତିଚକ୍ରର ଆଠ ଅର ଅଷ୍ଟପ୍ରହରର ପ୍ରତୀକ | ଏତଦଭିନ୍ନ ମନ୍ଦିରର ତିନିପାର୍ଶ୍ବରେ ପ୍ରତିଷ୍ଠିତ ସୂର୍ଯ୍ୟଦେବତାଙ୍କ ଭିନ୍ନ|ବସ୍ଥାର ଅବସ୍ଥିତି ଭଗବାନ ସୂର୍ଯ୍ୟଙ୍କର ସାରାଦିନର ଅବସ୍ଥିତିର ସୂଚନା ଦିଏ | ଉଦିତ ସୂର୍ଯ୍ୟଙ୍କ ପ୍ରଥମ କିରଣ ସ୍ପର୍ଶ କରୁଥିଲା ଉତ୍ତରଦିଗରେ ଥିବା ସୂର୍ଯ୍ୟଙ୍କୁ | ମଧ୍ୟାହ୍ନ ସୂର୍ଯ୍ୟରଶ୍ମି ଦକ୍ଷିଣଦିଗର ସୂର୍ଯ୍ୟଙ୍କୁ ଓ ଅଷ୍ଟଗାମୀ ସୂର୍ଯ୍ୟରଶ୍ମୀ ପଶ୍ଚିମଦିଗର ସୂର୍ଯ୍ୟଙ୍କୁ ସ୍ପର୍ଶ କରୁଥିଲା | ଭୌଗଳିକ ତଥା ବୈଜ୍ଞାନିକ ଦୃଷ୍ଟିକୋଣରୁ ସୌର ଉପାସନାର ପୀଠ କୋଣାର୍କ ମନ୍ଦିରର କୌଣିକ ଅବସ୍ଥିତି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ତଥା ତତ୍କାଳୀନ ଶିଳ୍ପୀର ବାସ୍ତୁକଳା ଜ୍ଞାନର ପରିଚୟ ପ୍ରଦାନ କରେ |

   ଏତଦଭିନ୍ନ ବିଶାଳକାୟ ଗଜ ବିଡାଳାକ୍ଷ, ସିଂହ ବିଡାଳାକ୍ଷ ଯାହା କି ଅଧୁନା କୋଣାର୍କ ସ୍ଥିତ ପ୍ରତ୍ନତତ୍ତ୍ଵ ସଂରହଳୟରେ ସରଂକ୍ଷିତ, ସେଗୁଡିକର କମନୀୟ ଗଠନ ଶୈଳୀ ଦର୍ଶକଙ୍କୁ ବିସ୍ମୟାଭିଭୂତ କରିଦିଏ | ବିଶାଳକାୟ ଗଜମର୍ଦ୍ଦନକାରୀ ସିଂହ ସଂଯମ ଗୁଣ ଇନ୍ଦ୍ରିୟ ସୁଖକୁ ଦମନ କରୁଥିବାର ସଙ୍କେତ ବହନ କରେ | ପୁନଶ୍ଚ ବିରାଟ ବିରାଟ ଲୌହକଡିର ନିର୍ମାଣ ଓ ସେଗୁଡିକର ସୂର୍ଯ୍ୟ ମନ୍ଦିର ଗଠନରେ ଉପଯୋଗୀତା ଓଡିଶା ଏକ ଶିଳ୍ପସମୃଦ୍ଧ ରାଜ୍ୟ ଥିଲା ବୋଲି ସୂଚନା ଦିଏ | ଅଶ୍ଳୀଳ ଶୃଙ୍ଗାରର ଲିପ୍ତ ମୂର୍ତ୍ତିସବୁ ସୃଷ୍ଟି ତତ୍ତ୍ଵ ତଥା ବାହ୍ୟ ଇନ୍ଦ୍ରିୟ ଶକ୍ତି ବିଜଡିତ ହେବା ପାଇଁ ସୁମହତ ଶିକ୍ଷା ପ୍ରଦାନ କରେ |

            ଏ ସମସ୍ତ ଆକର୍ଷଣରେ ବିମଣ୍ଡିତ କୋଣାର୍କ ମନ୍ଦିର ବହୁ ଆଲୋଚକ, ସମାଲୋଚକ, ପ୍ରାବନ୍ଧିକ, ଗବେଷକମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ଅସରନ୍ତି ଜ୍ଞାନର ଭଣ୍ଡାର ଏଥିରେ ସନ୍ଦେହର ଅବକାଶ ନାହିଁ | ପରମବାଗ୍ମୀ ସ୍ଵର୍ଗତ ପଣ୍ଡିତ ନୀଳକଣ୍ଠ ଦାସ, ପୁରୀ ଜିଲ୍ଲାସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ପଣ୍ଡିତ ମଧୁସୂଦନ ଦାସ, ଗବେଷକ ଡକ୍ଟର ସତ୍ୟ ନାରାୟଣ ରାଜଗୁରୁ, ଅଧ୍ୟାପକ ଗୌରୀକୁମାର ବ୍ରହ୍ମା ଆଦି କୋଣାର୍କ ଉପରେ ବହୁ ଗବେଷଣା କରିଅଛନ୍ତି | ଏମାନଙ୍କର ଗବେଷଣାଲବ୍ଧ ଜ୍ଞାନ ନିଶ୍ଚିତ ଭାବେ ଜ୍ଞାନପିପାସାମାନଙ୍କୁ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ |   

ଉପସଂହାରରେ ମୁଁ ଏତିକି କହିବାକୁ ଚାହେଁ ଯେ, ଏହି ଅପୂର୍ବ କଳାକୃତିକୁ ସଂରକ୍ଷଣ କରିବା ଆମ ସମସ୍ତଙ୍କର ସାମୁହିକ ପ୍ରଚେଷ୍ଟା ହେବ ଉଚିତ | ପୁରାତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ବା ଙ୍କର ଏହି ମହାନ ପ୍ରଚେଷ୍ଟାରେ ଆମେ ସାମିଲ ହୋଇ ଅନ୍ତରିକତାର ସହ ଛାତ୍ରସମାଜ, ଯୁବସମାଜ ତଥା ପ୍ରତ୍ୟକ ପ୍ରାଣରେ ସଚେତନତା ବା ସୃଷ୍ଟି କରିପାରିଲେ ବିଶ୍ଵ ଐତିହ ସପ୍ତାହ ପାଳନ ସାର୍ଥକ ହେବ |

  ପରିଶେଷରେ ଦେଶପ୍ରାଣ ଉତ୍କଳମଣି ଗୋପବନ୍ଧୁଙ୍କ ଉକ୍ତି ମୁଁ ଏଠାରେ ଉଲ୍ଲେଖ କରୁଛି,

     "ପୂଣ୍ୟ ଜନ୍ମଭୂମି ପୂଣ୍ୟ ଦେବାଳୟ,

          ଉଦ୍ଧରିବା ଲାଗି କଲେ ତନୁ କ୍ଷୟ,

     ମାନବ ଜୀବନ ହୁଅଇ ସଫଳ,

         ଏ ମହାଦୀକ୍ଷା କି ବୁଝିବା ଉତ୍କଳ |"  

    

 



Rate this content
Log in

Similar oriya story from Classics