Prajna Paramita Mohanty

Inspirational

2  

Prajna Paramita Mohanty

Inspirational

ଶିଶୁବିକାଶ

ଶିଶୁବିକାଶ

3 mins
216


       ଇଂରାଜୀରେ କୁହାଯାଇଛି, "Child is the father of a man." । ବାସ୍ତବିକ ଏକଥା ଯିଏ କହିଥିଲେ ତାହା ଯଥାର୍ଥ । ଶିଶୁର ଅନ୍ତର୍ନିହିତ ଗୁଣର, ଶକ୍ତିର ଯଥାର୍ଥ ପରିପ୍ରକାଶ ହୋଇପାରିଲେ ଶିଶୁ ଭବିଷ୍ୟତରେ ସୁନାଗରିକ ହୁଏ । ଏଥିପାଇଁ ସମାଜର, ପରିବେଶର, ପାରିପାର୍ଶ୍ଵିକ ଅବସ୍ଥାର ତଥା ପରିବାରର ଭୂମିକା ଅନସ୍ଵୀକାର୍ଯ୍ୟ । ଇଂରାଜୀରେ ପ୍ରବଚନ ଅଛି "Charity begins at home." । ଶିଶୁଟିଏ ପରିବାରରେ ଜନ୍ମ ନିଏ । ପରିବାରର ସଦସ୍ୟମାନେ ତା'ର ଉତ୍ତମରୂପେ ଲାଳନ ପାଳନ କରନ୍ତି । ତା'ର ଗୁଲୁଗୁଲିଆ ଦରୋଟି କଥା ସମସ୍ତଙ୍କ ମୁହଁରେ ହସ ଫୁଟାଏ । ଜନ୍ମଦାତ୍ରୀ ମାଆ ତା'ର ପ୍ରଥମ ଅନ୍ତରଙ୍ଗ ସାଥି ହୁଏ । ମା-ଭଉଣୀଙ୍କ ଜରିଆରେ ସେ ଚିହ୍ନେ ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କୁ । କହିବା ବାହୁଲ୍ୟ କୁମ୍ଭ।ର କଞ୍ଚ।ହାଣ୍ଡି ଗଢିଲା ପରି ପରିବାରର ପ୍ରତ୍ୟକ ସଦସ୍ୟଙ୍କ ଚାଲିଚଳଣି, ଆଚାର-ବ୍ୟବହାର ତା'ର ମନ ଉପରେ ଗଭୀର ପ୍ରଭାବ ପକାଇଥାଏ । ପ୍ରଭାବିତ ହୁଏ ସେ । ସେମାନଙ୍କୁ ଅନୁକରଣ କରେ ସେ । ତା'ପରେ ତା'ର ବିଦ୍ୟାଶିକ୍ଷା ଆରମ୍ଭ ହୁଏ । ଠୁକୁରୁଠୁକୁରୁ ଚାଲି ସ୍କୁଲକୁ ଯାଏ ସେ । ଚିହ୍ନେ ତା'ର ସାଙ୍ଗସାଥିମାନଙ୍କୁ । ପରେ ପରେ ସମାଜର ଅନ୍ୟମାନଙ୍କୁ । ତେଣୁ ଶିଶୁ ଉପରେ ତା'ର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସାଙ୍ଗସାଥିଙ୍କର ପ୍ରଭାବ ପଡେ । ପରିବାରରୁ ଯାହା ଶିଖି ନ ଥାଏ, ବିଦ୍ୟାଳୟରୁ ଓ ସମାଜରୁ ଅନେକ କଥା ଶିଖେ । ଗ୍ରୀକ ଦାର୍ଶନିକ ଆରିଷ୍ଟଟଲ କହିଛନ୍ତି, "Man is a social being. Society and nature are the best teacher." । ଏଇଠି ଏକ କାହାଣୀର ଅବତାରଣ। କରୁଛି ।


      ଗୋଟିଏ ଶୁଆ ଦୁଇଟି ଅଣ୍ଡା ଦେଇଥିଲା । ସେଥିରୁ ଦୁଇଟି ଛୁଆ ହେଲେ । ଜଣେ କେଳା ଏହି ଛୁଆ ଦୁଇଟିକୁ ଧରି ନେଇ ବିକ୍ରି କରିଦେଲା । ଗୋଟିକୁ ଜଣେ ସାଧୁ ପାଳିଲେ ଏବଂ ଅନ୍ୟଟି ଜଣେ ଡକାୟତ ଦ୍ଵାରା ପାଳିତ ହେଲା । କିଛିଦିନ ପରେ କେଳାଟି ସାଧୁଙ୍କ ଆଶ୍ରମରେ ପହଞ୍ଚିଲା । ସାଧୁଙ୍କ ଆଶ୍ରମର ପଞ୍ଜୁରୀରେ ଥିବା ଶୁଆଟି କହିଲା, "ମହାତ୍ମା, ଜଣେ ଅତିଥି ଆସିଛନ୍ତି । ତାଙ୍କର ସତ୍କାର କରନ୍ତୁ ।" କେଳାଟି ଏହା ଶୁଣି ଖୁସିରେ ଫେରିଗଲା । ପରେ ଡକାୟତ ଘରକୁ ଗଲା । ଡକାୟତ ଘରେ ଥିବା ଶୁଆଟି କହିଲା, "ଆରେ ଚୋର ! ତୁ କୋଉଠୁ ଆସିଛୁ ? ବଦମାସକୁ ବହେ ପିଟିଲେ ଜଣାପଡିବ ।" ଶୁଆ ଦୁଇଟି ଗୋଟିଏ ମାଆର ଛୁଆ । ଜଣେ ସାଧୁଙ୍କ ଭଳି କଥାବାର୍ତ୍ତା କରୁଥିଲେ, ଜଣେ ଡକାୟତ ଭଳି କଥାବାର୍ତ୍ତା କରୁଛି । ମୁଁ କହିବାର ଅର୍ଥ ପରିବେଶ ତାଙ୍କୁ ତାହା ହିଁ କରିଦେଇଛି । ପରିବେଶର,ସମାଜର ଓ ପରିବାରର ପୂର୍ଣ୍ଣ ପ୍ରଭାବ ଶିଶୁ ଉପରେ ପରିଲକ୍ଷିତ ହୁଏ । ସନ୍ଥ ରାମଦାସ ଓ ଜୀଜାବାଈଙ୍କ ପ୍ରଭାବ ଛତ୍ରପତି ଶିବାଜୀଙ୍କ ଉପରେ, ମହର୍ଷି ବିଶ୍ଵାମିତ୍ରଙ୍କ ପ୍ରଭାବ ଭଗବାନ ରାମଙ୍କ ଉପରେ ଏବଂ ସୁଭଦ୍ରାଙ୍କ ପ୍ରଭାବ ଅଭିମନ୍ୟୁଙ୍କ ଉପରେ ପଡିଥିଲା ।


        ଶିଶୁର ଉପଯୁକ୍ତ ଯତ୍ନ, ଲାଳନପାଳନ, ଶିକ୍ଷାଦୀକ୍ଷା ଦିଆଗଲେ ଶିଶୁ ଭବିଷ୍ୟତରେ ସୁନାଗରିକରେ ପରିଣତ ହେବ । ଏହାକୁ କହନ୍ତି ଶିଶୁବିକାଶ ।


   କିନ୍ତୁ ହାୟ ! ଆଜିର ଶିଶୁବିକାଶ ବାଧାପ୍ରାପ୍ତ । ତୀବ୍ର ଜନବିସ୍ଫୋରଣ, ଦାରିଦ୍ର୍ୟ, ଅଶିକ୍ଷା ଓ ଅଜ୍ଞାନ ଶିଶୁବିକାଶରେ ଅନ୍ତରାୟ ହେଉଛି । ଭାରତର ଜନସଂଖ୍ୟା ୧୩୦ କୋଟିରେ ପହଞ୍ଚିଲାଣି । ବହୁ ଶିଶୁ ଏ ଦେଶରେ ଲାଞ୍ଛିତ, ନିଷ୍ପେଷିତ । ଭଲକରି ଗଣ୍ଡେ ଖାଇବା, ଖଣ୍ଡେ ପିନ୍ଧିବା, ଖଣ୍ଡେ ଚାଳ ତଳେ ମୁଣ୍ଡ ଗୁଞ୍ଜିବା ଅଧିକାଂଶ ଶିଶୁଙ୍କ ପକ୍ଷରେ ସ୍ଵପ୍ନ, ପାଠପଢିବା ତ ଦୂରର କଥା ! ଦାରିଦ୍ର୍ୟ ବୈତରଣୀରୁ ପାରି ହେବ ପାଇଁ ଅନେକ ସାଜନ୍ତି ପକେଟମାର, ଧପ୍ପାବାଜ ଓ ପରେ ପରେ ଚୋର । ଏଠି ଶିଶୁବିକାଶ ବ୍ୟାହତ ହେଉଛି । ମୂର୍ଖତା ହେତୁ ଭଲମନ୍ଦ ବିଚାର କରିବା ସେମାନଙ୍କ ପାଇଁ କଷ୍ଟ । ଭାରତରେ ଶିଶୁ ମୃତ୍ୟୁ ହାର ସର୍ବାଧିକ । ପୁଣି କେତେକ ପରିବାରରେ ଅସ୍ଵାସ୍ଥ୍ୟକର ପରିବେଶ ତଥା ଉଚ୍ଛ୍ରୁଙ୍କଳ ଆଚରଣ ଶିଶୁକୁ ମାନସିକ ସ୍ତରରେ ରୁଗଣ କରି ଦିଏ । ଭାରତରେ ଶିଶୁବିକାଶ ପାଇଁ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ତାହା କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ଏଥିପାଇଁ ପ୍ରଶାସନ ବିଫଳ ହେଉଛି । କଥା ଓ କାମରେ ସମନ୍ଵୟ ରହୁ ନାହିଁ । କଳଙ୍କିତ ନେତୃତ୍ଵ ଓ ଦୁର୍ନୀତିଗ୍ରସ୍ତ ସମାଜ ଏଥିପାଇଁ ଦାୟୀ ।


       ଶିଶୁବିକାଶ ଘଟିଲେ ଦେଶର ବିକାଶ ଘଟିବ । ଏଥିପାଇଁ ଦରକାର ଆନ୍ତରିକତା । ସ୍ଵାମୀ ବିବେକାନନ୍ଦ ଯଥାର୍ଥରେ କହିଥିଲେ, "ମାଆ, ମୋତେ ଏକ ସୁନ୍ଦର ପୃଥିବୀ ଦିଅ ।" ଆସନ୍ତୁ, ଆମେ ସମସ୍ତେ ଶିଶୁବିକାଶରେ ବ୍ରତୀ ହେବା । 



Rate this content
Log in

Similar oriya story from Inspirational