Prajna Paramita Mohanty

Classics Others

3  

Prajna Paramita Mohanty

Classics Others

ବୋଇତ ବନ୍ଦାଣ ଉତ୍ସବର ତାତ୍ପର୍ଯ୍ୟ

ବୋଇତ ବନ୍ଦାଣ ଉତ୍ସବର ତାତ୍ପର୍ଯ୍ୟ

3 mins
269


ବୋଇତ ବନ୍ଦାଣ ଉତ୍ସବ ଓଡିଆ ଜାତିର ନୌବାଣିଜ୍ୟର ସ୍ମୃତି ବହନ କରେ | ଉତ୍କଳ ବା କଳିଙ୍ଗ ବା ଉଡ୍ରଦେଶ ଦିନ ଥିଲା କଳା, ସାହିତ୍ୟ, ସଂସ୍କୃତି ଓ ନୌବାଣିଜ୍ୟରେ ବିଶ୍ବରେ ସ୍ଵାତନ୍ତ୍ର୍ୟ ବହନ କରୁଥିଲା | ଦୁର୍ଦ୍ଧଷ ଥିଲା ଏ ଜାତି | ନୌବାଣିଜ୍ୟର ସାମ୍ରାଜ୍ୟ ବିସ୍ତାର କରିଥିଲା ସୁଦୂର ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିୟ, ଇଣ୍ଡୋନେସିଆ ଓ ସିଂହଳ ଇତ୍ୟାଦି ଦେଶମାନଙ୍କରେ | ତତ୍କାଳୀନ ସମାଜରେ ଗମନାଗମନ, ପରିବହନ ଓ ବାଣିଜ୍ୟ ପାଇଁ ଉତ୍କଳର ଦୀର୍ଘ ଉପକୂଳ ହିଁ ଥିଲା ଏକମାତ୍ର ମାଧ୍ୟମ | ଜଳପଥରେ ନୌବାଣିଜ୍ୟ କରି ଏ ଜାତି ବିଦେଶରୁ ବୋହି ଆଣୁଥିଲା ଅମାପ ଧନସମ୍ପଦ | ଗଢି ଉଠିଥିଲା ଓଡିଶାର ଉପକୂଳରେ ଅନେକ ବନ୍ଦର | ବର୍ଷାଋତୁର ଶେଷରେ କଳିଙ୍ଗର ସାଧବପୁଅମାନେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ନୌଯାତ୍ରା ଆରମ୍ଭ କରୁଥିଲେ | ବାଣିଜ୍ୟ କରି ସମୃଦ୍ଧ ଉତ୍କଳର ସ୍ଵପ୍ନ ଦେଖୁଥିଲେ ସେମାନେ | ନୌଯାତ୍ରା ପୂର୍ବରୁ ସେମାନଙ୍କର ଗୃହଲକ୍ଷ୍ମୀମାନେ ଯଥାବିଧି ଶଙ୍ଖ ହୁଳହୁଳି ଦେଇ, ଦୂବ-ବରକୋଳି ପତ୍ର ଓ ଧୂପଦୀପରେ ବୋଇତ ବନ୍ଦାଣ କରୁଥିଲେ | ବିରହ ବିରଧୁତ ମୁଖରେ ହସି ହସି ବିଦାୟ ଦେଉଥିଲେ ସେମାନଙ୍କର ସ୍ଵାମୀ, ପୁତ୍ର ଓ ଆତ୍ମୀୟ ପରିଜନମାନଙ୍କୁ | ଏହି ମହାନ ତଥ୍ୟକୁ ପ୍ରମାଣ କରେ ତଅପୋଇ କାହାଣୀ | ହସି ହସି ବିଦାୟ ନେଉଥିଲେ କଳିଙ୍ଗର ସାଧବପୁଅମାନେ ଅମାପ ଧନସମ୍ପତ୍ତି ଓ ପ୍ରିୟପରିଜନଙ୍କର ଦୁର୍ଷ୍ପ୍ରାପ୍ୟ ସୌଖୀନ ଜିନିଷ ପାଇବାର ଇଚ୍ଛାକୁ ପୂରଣ କରିବାର ପ୍ରତିଶ୍ରୁତି ଦେଇ | ମେଘମୁକ୍ତ ଆକାଶ, ଶାନ୍ତ ନଦୀର ଜଳରାଶି, ପ୍ରଶାନ୍ତ ସାଗର ବକ୍ଷ ଅତିକ୍ରମ କରି ସେମାନେ ପହଞ୍ଚୁଥିଲେ ଦକ୍ଷିଣପ୍ରାଚ୍ୟର ବିଭିନ୍ନ ଦେଶମାନଙ୍କରେ | ବଡ ଦୁର୍ଗମ ଥିଲା ସେମାନଙ୍କର ଯାତ୍ରା | ଭ୍ରୂକ୍ଷେପ ନାହିଁ ସେଥିପ୍ରତି | ବାଣିଜ୍ୟେ ବସତେ ଲକ୍ଷ୍ମୀ | ଲକ୍ଷ୍ମୀଙ୍କର ପ୍ରତୀକ ଅମାପ ଧନସମ୍ପତ୍ତିକୁ ନିଜଦେଶକୁ ଆଣିବା ଓ ବିତତଶାଳୀ ହେବା ଏକମାତ୍ର ଲକ୍ଷ୍ୟ | ପହଞ୍ଚୁଥିଲେ ଜାଭା, ସୁମାତ୍ରା, କ|ମ୍ବୋଡିଆ ଆଦି ଦେଶମାନଙ୍କରେ | ସେ ଦେଶର ଶାସକମାନଙ୍କୁ ବହୁମୂଲ୍ୟ ଦୁଷ୍ପ୍ରାପ୍ୟ ଦ୍ରବ୍ୟ ଭେଟି ଦେଇ ସେମାନେ ସୁଯୋଗ ପାଉଥିଲେ ବାଣିଜ୍ୟ କରିବା ନିମନ୍ତେ | ଏହିପରି ଲାଭ କରୁଥିଲେ ଅମାପ ଧନସମ୍ପତ୍ତି | ଇତିମଧ୍ୟରେ ଗୋଟିଏ ଦେଶର ପଣ୍ୟଦ୍ରବ୍ୟ କ୍ରୟ କରି ଅନ୍ୟଦେଶରେ ବିକ୍ରୟ କରୁଥିଲେ ସେମାନେ | ସାତ-ଆଠ ମାସ ନୌବାଣିଜ୍ୟ ପରେ ସେମାନେ ନିଜଦେଶକୁ ପ୍ରତ୍ୟାବର୍ତ୍ତନ କରୁଥିଲେ | ଏମାନଙ୍କ ମଧ୍ୟରୁ ଅନେକ ବିଦେଶର ମୋହକୁ ଛାଡି ନ ପାରି ବିଦେଶରେ ବସତି ସ୍ଥାପନ କରୁଥିଲେ | ଆଜି ମଧ୍ୟ ଅନେକ ଓଡିଆ ସିଂହଳ, କାମ୍ବୋଡିଆ ଓ ଜାଭାରେ ବସତି ସ୍ଥାପନ କରି ରହୁଥିବାର ଜଣାଯାଏ | ସେମାନଙ୍କର ବସତି ସ୍ଥାପନ ଓ ନୌବାଣିଜ୍ୟ ପ୍ରଭାବିତ କରୁଥିଲା ବିଦେଶର ଧର୍ମ, କଳା, ସଂସ୍କୃତି , ରଣନୀତି ଇତ୍ୟାଦିକୁ | ଏବେ ମଧ୍ୟ ସିଂହଳରେ ସେନାନାୟକ, ରଣତୁଙ୍ଗା, ରତ୍ନନାୟକ, ବନ୍ଦରନାୟକ ସଙ୍ଗିଆଧାରୀ ଲୋକ ଦେଖିବାକୁ ମିଳନ୍ତି | ସେନାନାୟକ ଓ ରଣତୁଙ୍ଗା ଦୁର୍ଦ୍ଧଷ ଓଡିଆ ପାଇକ ବୀର | ବନ୍ଦରନାୟକ ନୌବାଣିଜ୍ୟ ଓ ବନ୍ଦରର ମୁଖିଆଙ୍କୁ ବୁଝାଉଥିଲା | ସୁଦୂର କାମ୍ବୋଡିଆରେ ଆବିଷ୍କୃତ ଏକ ଘଞ୍ଚ ଜଙ୍ଗଲରୁ ଏକ ପରିତ୍ୟକ୍ତ ବିଷ୍ଣୁ ମନ୍ଦିରର ସନ୍ଧାନ ମିଳିଲା | ଭୂତତ୍ତ୍ଵବିତ, ଐତିହାସିକ ଓ ଭୌଗୋଳିକମାନେ ପ୍ରମାଣ କଲେ ଏହା ଓଡିଆମାନଙ୍କଦ୍ଵାରା ନିର୍ମିତ୍ତ ୧୭୦୦ ଶତାବ୍ଦୀର ମନ୍ଦିର | ଏହାର ଗାତ୍ରରେ ଫୁଟିଉଠିଛି ପୁରୀ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିରର କ|ରୁକଳାର ଅଭିନବ ସାଦୃଶ୍ୟ | ଏଠାରେ କହିବାର ଅର୍ଥ ହେଉଛି, ଏ ଜାତି ମହାନ ! ଏହାର ପରମ୍ପରା ମହାନ !

          ମୁଁ ଆରମ୍ଭରୁ କହିଛି, ସମରସଜ୍ଜା ଓ ଭାସ୍କର୍ଯ୍ୟରେ ଏ ଜାତି ଅଦ୍ଵିତୀୟ ଥିଲା ବିଶ୍ବରେ | ଅଙ୍ଗେ ଅଙ୍ଗେ ଯା'ର କଳ|ର ବିଭବ, ସେ ହିଁ କଳିଙ୍ଗ | ଉତ୍କର୍ଷତା ଲାଭ କରିଛି କଳାରେ ହେତୁ ଉତ୍କଳ | ଧନ୍ୟ ଓଡିଆ ଜାତି ! ଧନ୍ୟ ତୁମ ସ୍ଵାକ୍ଷର ବିଦେଶ ମାଟିରେ | ପ୍ରକୃତିକ ଦୁର୍ବିପାକ ଯଥା ଝଡବତାସ, ଜଳଦସ୍ୟୁମାନଙ୍କର ଆକ୍ରମଣ, ଦୀର୍ଘ କ୍ଳାନ୍ତ ଜଳଯାତ୍ରା | ଭ୍ରୂକ୍ଷେପ ନାହିଁ ସେଥିପ୍ରତି | ଅନେକ ମରି ହଜି ଯାଉଥିଲେ ଏହି କାରଣରୁ ଓ ଯାତ୍ରା ସମୟରେ ଅନେକ ରୋଗରୁ | ଦୀର୍ଘ ନୌବାଣିଜ୍ୟର ବ୍ୟବଧାନ ପରେ ସେମାନେ ଫେରୁଥିଲେ ପ୍ରିୟ ଜନ୍ମଭୂମିକୁ ବର୍ଷାଋତୁର ଆରମ୍ଭରେ | ତା'ପରେ ଲାଗି ରହିଥିଲା ଚାଷବାସ କାମ | ଫେରିବା ସମୟରେ କୂଳବଧୂମାନେ ମଧ୍ୟ ସେହି ପାରମ୍ପରିକ ରୀତିରେ ନିଜର ପ୍ରିୟ ପରିଜନମାନଙ୍କୁ ସ୍ଵାଗତ କରୁଥିଲେ | କିନ୍ତୁ ହାୟ ! ଏ ଜାତି ଆଜି ନିଃସ୍ଵ, ବିକଳାଙ୍ଗ ! ଭିକ୍ଷାଥାଳ ଧରି ଭିକ୍ଷାମ ଦେହି ଚିତ୍କାର କରୁଛି | ସ୍ଵାଭିମାନ ତା'ର ମୃତ | କାମ ନ କରି ଦମ୍ଭର ସହ ବିପର୍ଯ୍ୟୟର ମୁକାବିଲା ନ କରି ଋଣ ଓ ଅନୁଦାନରେ ବଞ୍ଚିବାର ପ୍ରୟାସ କରୁଛି ଏ ଜାତି | ଏହା ଭିକ୍ଷାବୃତ୍ତି ନୁହେଁ ତ ଆଉ କଣ ?

          ସ୍ଵାଧୀନ ଭାରତରେ ଗଢି ଉଠିଛି ପାରାଦ୍ଵୀପ ବନ୍ଦର ଓ ଗୋପାଳପୁର ବନ୍ଦର | କିନ୍ତୁ ଏହା ଆମର ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇପାରି ନାହିଁ | କୋଟି କୋଟି ଟନ ଲୌହପିଣ୍ଡ, କୋଇଲା ପାରାଦ୍ଵୀପ ବନ୍ଦରରୁ, ୟୁରାନିୟମ ପାଇଁ ବିରଳ ମୃତ୍ତିକା ଗୋପାଳପୁର ବନ୍ଦରରୁ ରପ୍ତାନି ହେଉଛି | କାରଣ ସେଗୁଡିକର ଉପଯୋଗ ପାଇଁ ଏଠି ନାହିଁ ଭିତ୍ତିଭୂମି | ପ୍ରତିଦାନରେ ଆମେ ପାଉଛେ କଣ ? ବହୁମୂଲ୍ୟ ଆମରି ଲୁହାରେ ପ୍ରସ୍ତୁତ କ୍ଷୁଦ୍ର କ୍ଷୁଦ୍ର ଯନ୍ତ୍ରାଂଶ | ଏଥିପାଇଁ ସରକାରୀ ସ୍ତରରେ ବା ବେସରକାରୀ ସ୍ତରରେ ସଚେତନତା ନାହିଁ | 

         ସେ ନୌବାଣିଜ୍ୟ ଆଜି ନାହିଁ | ସେ ଗତଗୌରବ ଆଉ ନାହିଁ | ତଥାପି ସେ ସ୍ମୃତିକୁ ଉଜ୍ଜୀବିତ କରିବାର ପ୍ରୟାସ ବୋଇତ ବନ୍ଦାଣ ଉତ୍ସବ | ପୂର୍ବ ସୁରୀଙ୍କର ଅମ୍ଳାନ କୀର୍ତ୍ତିରାଜିକୁ ମନେ ପକାଇବାର ସଫଳ ପ୍ରଚେଷ୍ଟା ଲକ୍ଷ ଲକ୍ଷ ଓଡିଆମାନଙ୍କ ହୃଦୟରେ ନବଚେତନା ଜାଗରଣ କରୁ ଏହା ହିଁ କାମନା |    



Rate this content
Log in

Similar oriya story from Classics