ସ୍ଥାୟୀତ୍ଵ
ସ୍ଥାୟୀତ୍ଵ


ସେଦିନ ପୁରୀରୁ ଭୁବନେଶ୍ବର ବସ ଯାତ୍ରାବେଳେ ଅଚିହ୍ନା ସହଯାତ୍ରୀଙ୍କ ଯାତ୍ରାକାଳୀନ ସ୍ଵଳ୍ପସମୟୀ ସାହଚର୍ଯ୍ୟ ଯେ ମୋର ଜୀବନଯାତ୍ରାର ଏକ ଦୀର୍ଘମିଆଦୀ ସୂତ୍ରରେ ପରିଣତ ହେବ ବୋଲି କିଏ ଜାଣିଥିଲା ? ବେଶ କିଛି ଭାବ ପରିଚୟ |
ଆପଣ କେଉଁଠି ଓହ୍ଲେଇବେ ?
-ଭୁବନେଶ୍ଵରରେ |
ସେଠି କ'ଣ ଚାକିରି କରନ୍ତି ?
-ହଁ |
ଘର କେଉଁଠି ?
-ପୁରୀରେ |
କିଏ କିଏ ଅଛନ୍ତି ?
-ବାପା, ବୋଉ, ଭାଇ, ଭଉଣୀ....
ଦୀର୍ଘ ଦେଢ ଘଣ୍ଟାର ଯାତ୍ରାରେ ଏହି କିଛି ମୁହୂର୍ତ୍ତର କଥାବାର୍ତ୍ତା ଓ ତତ୍ପରେ ପ୍ରାୟତଃ ୨ମାସ ପରେ ଭଦ୍ରବ୍ୟକ୍ତିଙ୍କ ପରିବାର ପକ୍ଷରୁ ଆଗତ ପ୍ରସ୍ତାବ ଅନୁଯାୟୀ ମୋର ତାଙ୍କ ସହ ବିବାହ ହୋଇଥିଲା |
ଅଚାନକ ମୋର ମୋ ହଷ୍ଟେଲ ରୁମମେଟ ସ୍ଵପ୍ନା କଥା ହଠାତ ମନେ ପଡିଲା | ତା'ର ବୟଫ୍ରେଣ୍ଡ ସୁନୀଲ, ଯାହା ସହ ଦୀର୍ଘ ୮ ବର୍ଷର ପରିଚିତି ଓ ଭଲପାଇବା କୋଲେଜ ଛାଡିଲା ପରେ ଯେପରି ମଳିନ ପଡିଯାଇ ଥିଲା | ଶେଷ ଖବର ଅନୁଯାୟୀ ଦୁହେଁ କଲେଜ ଜୀବନର ୨ ବର୍ଷ ପରେ ନିଜର ଅଲଗା ଅଲଗା ଜୀବନସାଥି ବାଛି ନେଇଥିଲେ |
ଆଜି ମୋ ବିବାହର ୧୨ ବର୍ଷ ପରେ ମୁଁ, ମୋର ଓ ସ୍ଵପ୍ନାର ସମ୍ପର୍କର ଗଭୀରତାକୁ ପରଖୁଥିଲି ବିଶ୍ଵାସର ତରାଜୁରେ | କାହିଁ ୮ ବର୍ଷର ମିଳାମିଶା ଓ କାହିଁ ସାମାନ୍ୟ ଅଧ ଘଣ୍ଟାର ଯାତ୍ରା ସମୟ ଲାଘବଜନିତ କଥାବାର୍ତ୍ତା ! ସବୁରି ମୂଳରେ ବିଶ୍ଵାସ | ଏଇ ବିଶ୍ଵାସ ହିଁ ସମ୍ପର୍କର ସ୍ଥାୟୀତ୍ଵ ନିର୍ଦ୍ଧାରଣ କରେ | ସମ୍ପର୍କର ମିଆଦୀ ସୃଷ୍ଟି କରେ- ତା' ଦୀର୍ଘମିଆଦୀ ବା ସ୍ୱଳ୍ପମିଆଦୀ |