Lipi Sahoo

Abstract Action Inspirational

4.5  

Lipi Sahoo

Abstract Action Inspirational

କୋଭିଡ ବନାମ ମାଓ

କୋଭିଡ ବନାମ ମାଓ

7 mins
41


ଆଜି ପୂର୍ଣ୍ଣିମା ବୋଧେ । କି ! ତୋଫା ଜହ୍ନ । ସବୁଠି ଦୁଗ୍ଧ ଫେନିଳ ଜୋଛନାର ପରଶ । ସତେ କେତେ ମାଦକତା ଭରି ରହିଛି ତା'ର ଶୀତଳତାରେ ତା'ର ସ୍ୱଚ୍ଛତାରେ । ଜାହ୍ନବୀକୁ ଧୀରେ ଧୀରେ ମତୁଆଲା କରୁଥାଏ ଏଇ ପୂନେଇ ଜହ୍ନ । କାଇଁ କେତେ ମାସ ପରେ ତାକୁ ଟିକେ ସମୟ ମିଳିଚି ନିଃଶ୍ୱାସ ନେବାକୁ । ସେ ଆଜି ମନ ଭରି ଉପଭୋଗ କରୁଛି ଆଜିର ରାତିକୁ । ସତେକି ଧୋବ ଫରଫର ଧୋତି ପିନ୍ଧି ଦଣ୍ଡାୟମାନ ସୂଦୂର ପାହାଡ଼ । ବିଭିନ୍ନ ଆକାର ଆଉ ଆକୃତି ର ଛୋଟ ଛୋଟ ମେଘ ଖଣ୍ଡ ଭାସି ଚାଲି ଥାନ୍ତି ଆକାଶ ଛାତିରେ । ଜାହ୍ନବୀ ଧୀରେ ଧୀରେ ବୁଡି ଯାଉଥାଏ ତା'ର ଅତୀତ ଭିତରେ...।


       ଏଇ କୋରୋନା ଭଳି ପରିସ୍ଥିତିରେ ଡାକ୍ତର ମାନଙ୍କୁ ଫୁରସତ କାଇଁ ନିଃଶ୍ୱାସ ମାରିବା ପାଇଁ ? ହଁ ସେ ପେଶାରେ ଡାକ୍ତର । ସୁଦୂର ମାଲକାନଗିରି ରେ ତା'ର ପୋଷ୍ଟି୍ଂ ହୋଇଛି । ଏଠାରେ ତା'ର ରହିବାର ବର୍ଷେ ହେଇଗଲାଣି । ହଁ ଏଇଠିକି ଆସିବା ପାଇଁ ସେ ସରକାରଙ୍କୁ ସୁପାରିଶ ବି କରିଥିଲା । ସ୍ୱାସ୍ଥ୍ୟ ବିଭାଗର ଡାଇରେକ୍ଟର ତା'ର ଆପ୍ଲିକେସନ ଦେଖି ଆଶ୍ଚର୍ଯ୍ୟ ଆଉ ଖୁସି ବି ହେଇ ଯାଇଥିଲେ । ୟେଥି ପାଇଁ ତାକୁ କମ୍ ଲଢ଼ିବାକୁ ପଡିନି ବାପା ମା'ଙ୍କ ସହ । ସେମାନେ ଜମା ରାଜି ନଥିଲେ । ଏକ ତ ୟେତେ ଦୂର ପୁଣି ମାଓ ପ୍ରବଣ ଅଞ୍ଚଳ ସେଠି ଏକୁଟିଆ କେମିତି ଚଳିବୁ ? ହେଲେ ସେ କ'ଣ କରିବ ? ୟେ ଅଞ୍ଚଳ ପ୍ରତି ତା'ର ରହିଯାଇଛି ଏକ ଅହେତୁକି ଆକର୍ଷଣ ପିଲାବେଳୁ । ତା'ର ପିଲାଦିନ ଏଇଠି କଟିଛି । ଏଇଠି ପାଠପଢ଼ା ଆରମ୍ଭ କରିଥିଲା । ବାପା ଥିଲେ ସରକାରୀ କର୍ମଚାରୀ ଏଇଠି ୫/୬ ବର୍ଷ ଥିଲେ । ବଣ ପାହାଡ ଘେରା ଏଇ ଛୋଟ ସହରଟି ତା ଅଜାଣତରେ ତା ହୃଦୟ ରେ ବସି ଯାଇଥିଲା । ଛୋଟବେଳର ଅନେକ ସ୍ମୃତିକୁ ସେ ସାଇତି ରଖିଥିଲା ତା ଛାତି ତଳେ । ଏମିତି କି ତା'ର ଏଇ ଭାବ ପ୍ରବଣତା ପାଇଁ ତାକୁ ପ୍ରତୀକଙ୍କୁ ବି ହରେଇବାକୁ ପଡ଼ିଥିଲା । ହଁ ଡକ୍ଟର ପ୍ରତୀକ ଦାସ ତା'ର ମନର ମଣିଷ । ଏବେ ପ୍ରତୀକ ଜର୍ମାନୀରେ । ଫେଲୋସିପ ପାଇ ରିସର୍ଚ୍ଚ କରିବା ପାଇଁ ଚାଲିଗଲେ । ଜାହ୍ନବୀ ବି ପାଇଥିଲା ହେଲେ ସେ ଗଲାନି । ସେଥିପାଇଁ ଦୁହିଁଙ୍କ ଭିତରେ ଖୁବ୍ ଯୁକ୍ତିତର୍କ ବି ହେଇଥିଲା । ଦୁଇ ପରିବାର ବିବାହ ପାଇଁ ବି ରାଜି ହେଇ ସାରିଥିଲେ । ହେଲେ ଜାହ୍ନବୀ ବାଛିଥିଲା ଏଇ ସହରକୁ । ପ୍ରତୀକ ୟେତେ ରାଗି ଯାଇଥିଲା ଯେ ଶେଷ ଥର ପାଇଁ ଦେଖା ନକରି ଜର୍ମାନୀ ଚାଲିଯାଇଥିଲା । ଜାହ୍ନବୀ ବି ଖୁବ୍ ଅଭିମାନ କରିଥିଲା । ମନର ମଣିଷ ହେଇ ଯଦି ଜଣକର ଇଚ୍ଛା କୁ ବୁଝି ନ ପାରିଲା ତେବେ ସେ ସମ୍ପର୍କରେ ଲାଭ କ'ଣ ??? ସେତ କେବଳ ଚାହୁଁ ଥିଲା ଏଇ ସହଜ ସରଳ ମଣିଷ ମାନଙ୍କ ପାଇଁ କିଛି କରିବାକୁ । ପୋକ ମାଛି ପରି ବଞ୍ଚୁଥିବା ଏଇ ମଣିଷମାନଙ୍କୁ ମଣିଷ ଭଳି ବଞ୍ଚବା ସିଖେଇବ । ଏଇ ଛୋଟିଆ ନିର୍ଣ୍ଣୟ ପାଇଁ ତାକୁ ବହୁତ ଲଢ଼ିବାକୁ ପଡ଼ିଛି ପରିବାର ସହ ମନର ମଣିଷ ସହ ......।


                ହେଲେ ସେ ଏବେ ବହୁତ ଖୁସି । ସେ ତା'ର ସବୁ ଦୁଃଖ ଭୁଲିଯାଇଛି ଏଇମାନଙ୍କ ପାଇଁ କାମ କରି । ଏଇ ସରଳ ମଣିଷମାନେ ହିଁ ଜାଣିଛନ୍ତି ଭଲପାଇବା କ'ଣ ? ଅଳ୍ପରେ ବଞ୍ଚିବାର ଖୁସି । ହଁ ୟା ଭିତରେ ଆଧୁନିକତା ସ୍ପର୍ଶ ଏଠାରେ ବି ଲାଗିଛି । ହେଲେ ସେମାନଙ୍କ ଭିତରେ ସରଳ ମାନବିକତା ଏବେ ବି ବଞ୍ଚି ରହିଛି । ଏଇ ମାନଙ୍କଠାରୁ ହିଁ ତ ସେ ଶିଖିଥିଲା ଅନାବିଳ ଭଲପାଇବା କ'ଣ ? ହେଲେ କାହାର ନଜର ଲାଗିଲା କେଜାଣି ? ଏବେ ମାଓବାଦୀ ସାଜି ଖୁବ୍ ତାଣ୍ଡବ ରଚଉଛନ୍ତି । ନିର୍ମଳ ହୃଦୟରେ ଘୃଣାର ବୀଜ ପୋତା ଚାଲିଛି । ସେମାନଙ୍କୁ ସଚେତନ କରେଇବା ନାଁ ରେ ଗୋଟିଏ ଗୋଟିଏ ହତ୍ୟାକାରୀ ସଜେଇ ଦିଆଯାଉଛି । ସେମାନେ ତ ଚାହାଁନ୍ତି ଟିକିଏ ଭଲପାଇବା ଆଉ ସ୍ଵୀକୃତି ହେଲେ ସେମାନଙ୍କୁ କିଏ ଦେଖେଇ ଦେଉଛି ଏଇ ହିଂସା ର ପଥ ? ମନରେ ଭରି ଦେଉଛି ବିଷ ଯେ ସେମାନେ ଅବାଞ୍ଛିତ ଆଉ ଅସଭ୍ୟ ଏଇ ସଭ୍ୟ ସମାଜ ଆଖିରେ । ସେହି ଅସୂୟା ଭାବକୁ ସେମାନଙ୍କ ମନରୁ ପୋଛିବା ପାଇଁ ୟା ଭିତରେ ସେ ଅନେକ ଦୁର୍ଗମ ପଥ ଅତିକ୍ରମ କରି ଗାଁ ର୍ଗାଁ ବୁଲିଛି । ଲୋକଙ୍କ ସେବା କରିଛି ପ୍ରଚୁର ଭଲପାଇବା ଦେଇଛି । ସଚେତନ କରେଇଛି ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ । ସେମାନଙ୍କ ଅସୁବିଧାରେ ନିଜକୁ ସାମିଲ କରିଛି । ଆପ୍ରାଣ ଚେଷ୍ଟା କରି ଏକ ଯୋଗସୂତ୍ର ଯୋଡିବାର ପ୍ରୟାସ କରି ଚାଲିଛି । ପ୍ରତିବଦଳରେ ଖୁବ୍ ଭଲପାଇବା ବି ସାଉଁଟିଛି । ଡାକ୍ତର ଦିଦି ନାଁ ରେ ସେ ସହର ପାଖଆଖ ଗାଁ ଗଣ୍ଡାରେ ପରିଚିତ ।                           

                ହଠାତ୍ ଫୋନ୍ ର ଘଣ୍ଟି ବାଜି ଉଠିଲା । ଅଜଣା ନମ୍ବର ପୁଣି ଆନ୍ତର୍ଜାତୀୟ ଦେଖି ସେ ଆଶ୍ଚର୍ଯ୍ୟ ହେଲା । କଲ୍ ରିସିଭ କରି ଧୀରେ କହିଲା 'ହ୍ୟାଲୋ' । 

                

  ସେପାଖ ରୁ ଏକ ବହୁତ ପରିଚିତ ଭଏସ୍ "କେମିତି ଅଛ" ?

   

          ଓଃ ! ମାଇଁ ଗଡ୍ , ପ୍ରତୀକ । ହଠାତ୍ କ'ଣ ଉତ୍ତର ଦେବ ଜାଣିପାରୁ ନ ଥାଏ । ଅନେକ ଅଭିମାନର ସ୍ୱର ଏକାଥରେ ବାହାରି ଆସିବାକୁ ପ୍ରୟାସ କରୁଥାନ୍ତି , ହେଲେ ସେ ନୀରବ ରହିଲା

           

ସେ ପଟୁ "ହଁ ! ମୁଁ ଜାଣେ ତୁମେ ବହୁତ ରାଗିଛ ନା" ? ୟାର ବି କୌଣସି ଉତ୍ତର ସେ ଖୋଜି ପାଉ ନଥିଲା । ପୁଣି ନୀରବତା....


ପ୍ରତୀକ ଅନର୍ଗଳ କହିଚାଲେ, " ମୁଁ ଏଠିକି ଆସି ଜମା ବି ଖୁସି ହେଇ ପାରିଲିନି । ଯଦି ଓ ଏଇଟା ମୋର ସ୍ୱପ୍ନ ଥିଲା । ସବୁବେଳେ ଗୋଟେ ଅପରାଧ ବୋଧ ମନରେ ରହିଲା । ଯଉଠି ବଢିଲି ପଢିଲି ତା ପାଇଁ କିଛି ବି ନକରି ସ୍ବାର୍ଥପର ଭଳି ସେ ମାଟିକୁ ଛାଡି ଆସିଲି । ଏଠି ରହିବାକୁ ତିଳେ ମାତ୍ର ଇଚ୍ଛା ନାହିଁ । ଆଉ ୩ ମାସ ପରେ ମୋ ଥେସିସ ପେପର ସବମିଟ୍ କରି ଦେଇ ଓଡ଼ିଶା ଫେରିଯିବି । ଯଦିଓ ଏଠି ମୋତେ ଆସୋସିଏଟ ପ୍ରଫେସର ପୋଷ୍ଟ ଅଫର କରାଯାଇଛି ମୁଁ ଜଏନ୍ କରିବିନି । ମୁଁ ଫେରିଯିବା କୁ ଚାହୁଁଚି ମୋ ଘରକୁ , ତୁମ ପାଖକୁ......"

ତଥାପି ନିରୁତ୍ତର ଜାହ୍ନବୀ । କିଛି ଶବ୍ଦ ଖୋଜିପାଉ ନଥାଏ ସେ ।

ପ୍ଲିଜ୍ କିଛି କୁହତ ଅନ୍ତତଃ ...

ଜାହ୍ନବୀ ଦେଖିଲା ଗେଟ୍ ପାଖରେ ଗୋଟିଏ ଜିପ୍ ବ୍ରେକ ଦେଲା । ଏଇଟା ତ ଅଫିସ ଗାଡ଼ି ନୁହଁ । ଦୁଇ ଜଣ ଗେଟ୍ ଖୋଲି ଧଡାଧଡ ପଶିଆସି, ଗୋଟେ ଗନ୍ ତା ମୁଣ୍ଡ ରେ ଲଗାଇ କହିଲେ ଚାଲ ଆମ ସାଙ୍ଗରେ । ଆପଣ ମାନେ କିଏ ? ମୁଁ କୁଆଡ଼େ ଯିବି ? 

କଲ୍ ଚାଲୁଥାଏ । ସେପଟୁ ପ୍ରତୀକ ହ୍ୟାଲୋ ହ୍ୟାଲୋ...... ଜାନୁ...

ଜଣେ କଲ୍ ଡିସକନେକ୍ଟ କରିଦେଲା । ଚୁପଚାପ ଘର ଭିତରକୁ ଚାଲ ମେଡିକାଲ ବ୍ୟାଗ ଧର ଆଉ ଆମ ସାଙ୍ଗରେ ଚାଲ । 

ଆଖିରେ ପଟି ବାନ୍ଧି ତାକୁ ଗାଡିରେ ବସେଇଲେ ଆଉ ଗାଡ଼ି ଗଡ଼ି ଚାଲିଲା । ପାଖାପାଖି ଅଧଘଣ୍ଟେ ପରେ ଗାଡ଼ି ଅଟକିଲା । ତାକୁ ଜଣେ କହିଲେ ପଟି ଖୋଲି ଓହ୍ଲାନ୍ତୁ । ସେ ଗାଡିରୁ ଓହ୍ଲାଇଲା । ଶୂନଶାନ ଜଙ୍ଗଲ ଘେରା ଇଲାକା । ସାମ୍ନାରେ ଝୋପଡି ଘରଟିଏ । ସମସ୍ତେ ଧୀରେଧୀରେ ଆଗେଇଲେ । ଘର ଭିତରେ ଅଳ୍ପ ଆଲୁଅ । ଖଟ ଉପରେ ଜଣେ ଶୋଇ ଥାଆନ୍ତି । ଜଣେ କହିଲେ କମ୍ରେଡ ଡକ୍ଟର ଆସିଛନ୍ତି । ସେ ମୁହଁ ବୁଲେଇ ଚାହିଁଲେ । ମୁହଁରେ ଛୋଟଛୋଟ ଦାଢ଼ି । ତଥାପି ଜାହ୍ନବୀ ଠିକ୍ ସେ ଚିହ୍ନି ପାରିଲା । ଆରେ ଅରୁଣ ତମେ ଏଠି ? ମେଡିକାଲ କଲେଜରେ ଏକାଠି ପଢୁଥିଲେ । ହଠାତ୍ ଥାର୍ଡ ଇୟରରୁ ସେ ନିଖୋଜ ହେଇଗଲା । ବହୁତ ଖୋଜାଖୋଜି ହେଲା କିଛି ବି ପତ୍ତା ମିଳିଲାନି । ୟେତେ ବର୍ଷ ପରେ ହଠାତ୍ ଏଇଠି ଦେଖା । କିଛି ବି ବଦଳିନି ସେ । ସେ ବି ଖଟରୁ ଉଠି ଆଶ୍ଚର୍ଯ୍ୟ ହେଇ କହିଲା ଜାହ୍ନବୀ ତୁମେ ଏଠି ? ଏତିକି ରୁ ଜାହ୍ନବୀ ବହୁତ କିଛି ଅନୁମାନ କରି ନେଇଥିଲା । 

ଶେଷରେ ଅରୁଣ ତୁମେ ମାଓରେ ସାମିଲ ହେଲ ? ଜମା ବିଶ୍ୱାସ ହିଁ ହେଉନି । କାହିଁକି ୟେ ରାସ୍ତା ବାଛିଲ ?

ହଠାତ୍ ତା ଆଖି ଦୁଇଟି ଜଳି ଉଠିଲା । ହେଲେ ସେ ସାଙ୍ଗେ ସାଙ୍ଗେ ନିଜକୁ ସମ୍ବରଣ କରିନେଇ କହିଲା , " ଛାଡ, ସେ ସବୁ କଥା ମୁଁ ବର୍ତ୍ତମାନ କୋଭିଡ ପଜେଟିଭ । ମୋର ଟ୍ରିଟମେଣ୍ଟ ଦରକାର , ହେଲେ ସେମାନେ ତୁମକୁ ନେଇ ଆସିବେ ଜାଣି ନଥିଲି । 

ଆଚ୍ଛା ତୁମେ କେମିତି ଜାଣିଲ ଯେ ତୁମେ କୋଭିଡ ପଜେଟିଭ ? ଟେଷ୍ଟ କରିଛ ? ହଁ ଆନ୍ଧ୍ରରେ ଟେଷ୍ଟ କରିଛି । ମୁଁ ସେଠୁ ଲୁଚିକି ଚାଲି ଆସିଛି । 

ହେଲେ ଏଠି ତ ଟ୍ରିଟମେଣ୍ଟ ହେଇ ପାରିବନି । ତୁମକୁ ହସ୍ପିଟାଲ୍ ଯିବାକୁ ପଡିବ । ଏଠି କିଛି ମେଡ଼ିସିନ୍ ଦେଇପାରିବି କେବଳ ।

 ଦୀର୍ଘ ନିଃଶ୍ବାସ ମାରି , ହଁ ମୁଁ ଜାଣେ । ତୁମେ ଏଠି ରହିଲେ ମୁଁ ଟ୍ରିଟମେଣ୍ଟ ପାଇଁ ଯିବି ।

ତା ମାନେ ତୁମେ ମୋତେ ଏଠି ବନ୍ଧକ ରଖିବ ?

ହଁ, ସେଇୟା ଭାବି ନିଅ ।

ତେମେ କେତେ ବଦଳି ଯାଇଛ ଅରୁଣ । ସମସ୍ତଙ୍କୁ ଭଲପାଉଥିବା ମଣିଷଟି ଭିତରେ ୟେତେ ଘୃଣା କିଏ ଭରିଦେଲା ଅରୁଣ ?

ତୁମର ଏଇ ସଭ୍ୟ ସମାଜ । ଆମେ ଆଦିବାସୀ ବୋଲି ଆମର କ'ଣ ଏଠି ଶାନ୍ତି ରେ ବଞ୍ଚିବାର ଅଧିକାର ନାହିଁ ? ତୁମେ ଜାଣିଛ ତୁମ ସରକାର ମୋ ସହ କ'ଣ କରିଛି ? ହସଖୁସିର ପରିବାର ଥିଲା । ବାପାଙ୍କ ଆଖିରେ ବହୁତ ସ୍ୱପ୍ନ ଥିଲା । ପୁଅ ଡାକ୍ତର ହେବ । ଭଉଣୀକୁ ବି ଉଚ୍ଚଶିକ୍ଷିତ କରିବ । ଆମେ ବି ସଭ୍ୟ ସମାଜ ସହ ତାଳ ଦେଇ ଚାଲିବୁ ‌। ହେଲେ ପରିଣତି ହେଲା କ'ଣ ? ଆମର ବହୁତ ଜମି ଥିଲା । ସରକାର ଡ୍ୟାମ୍ କରିବା ନାଁ ରେ ଆମର ସବୁ ଜମି ଏମିତି କି ଘର ବି ନେଇଗଲେ । କେବଳ ଆମର ନୁହଁ ଗାଁର ସବୁ ଲୋକଙ୍କର । ଥଇଥାନ କରିବେ କରିବେ ବୋଲି କଲେନାହିଁ । ଲୋକେ ପ୍ରତିବାଦ କଲେ । ଦିନେ ରାତିରେ ପୋଲିସ ଆସି ସବୁ ପୁରୁଷ ମାନଙ୍କୁ ବାନ୍ଧି ନେଲେ , ସେତିକିରେ ସନ୍ତୁଷ୍ଟ ହେଲେନି ବହୁତ ଝିଅ ବୋହୂମାନଙ୍କର ଇଜ୍ଜତ ସହ ବି ଖେଳିଲେ । କାଳରାତ୍ରି ଥିଲା ଆମ ଗାଁ ପାଇଁ ସେଦିନ । ପୂରା ଗାଁ ଛାରଖାର ହେଇଗଲା । ଲୋକଙ୍କଠୁ ଶୁଣିଲି ମୋର ମାଁ ଆଉ ଭଉଣୀ ନଈରେ ଡେଇଁ ସବୁଦିନ ପାଇଁ ହଜିଗଲେ । ଆଉ ବାପା ! ଆଜି ପର୍ଯ୍ୟନ୍ତ ତାଙ୍କ ପତ୍ତା ପାଉନି । ତୁମେ କୁହ ମୁଁ କ'ଣ କରିଥାନ୍ତି ? ଗୋଟେ ଗୋଟେ ଗାଁ ୟେମିତି ସମୟ ଗର୍ଭରେ ଲୀନ ହୋଇ ଯାଉଛନ୍ତି ତୁମ ସରକାର ତା'ର ହିସାବ ରଖିଛନ୍ତି ? ତୁମେ ଦେଇପାରିବ ଆମକୁ ନ୍ୟାୟ ? ଫେରେଇ ପାରିବ ମୋ ଗାଁ ଆଉ ପରିବାର ? ମୁଁ ବି ଅସ୍ତ୍ର ଛାଡିଦେବି । ମାଓବାଦୀଙ୍କୁ ଅମଣିଷ କହୁଛନ୍ତି ନା ତୁମର ୟେ ସଭ୍ୟ ସମାଜ ହେଲେ ଦେଇପାରିବ ଆମକୁ ନ୍ୟାୟ ? ଆମ ହୃଦୟରେ ଯେଉଁ ନିଆଁ ଜଳୁଛି ତାକୁ ଶୀତଳ କରିପାରିବ ତୁମ ସରକାର ?


ଜାହ୍ନବୀ ଧୀରେ କହିଲା ତୁମେ କାଲି ଯାଇପାର ଟ୍ରିଟମେଣ୍ଟ ପାଇଁ । ସଙ୍ଗେସଙ୍ଗେ ତା'ର ଭିଡିଓ ବନା ହେଇ ଛଡ଼ା ହେଇଗଲା ଟିଭି ଚ୍ୟାନେଲରେ । ରାତାରାତି ଅରୁଣ ଚାଲିଗଲେ ସହର । ଓଃ ! କି ସୌଜନ୍ୟତା ତା ପ୍ରତି । ଖୁବ୍ ଶାଳୀନ ବ୍ୟବହାର ସେମାନଙ୍କର । ଏମାନେ ଯେ ମାଓ ମଣିଷ ମାରନ୍ତି ଟିକେ ବି ଜଣାପଡୁ ନଥାନ୍ତି । ଜଣେ ମହିଳା ବି ଆସି ତା ପାଖେ ପାଖେ ଥାଆନ୍ତି ‌। ଖିଆପିଆରେ କୌଣସି ଅସୁବିଧା ନଥାଏ । ସାରା ଭାରତରେ ଚହଳ ପକାଇ ଦେଇଥାଏ ଏଇ ଖବର । ଘନ ଘନ ଟିଭିରେ କେବଳ ତାରି କାଥା ଆଲୋଚନା ଚାଲିଥାଏ । ସେ କିପରି ମୁକୁଳିବ ସେମାନଙ୍କ କବଳରୁ । ଅନୁରୋଧ କରି ସେ ବାପାଙ୍କ ସହ କଥା ହେଇ , କହିଦେଇ ଥାଏ ଏଠାରେ ତା'ର କିଛି ବି ଅସୁବିଧା ନାହିଁ । ସରକାର ବି ତତ୍ପରତା ଦେଖାଉଥାନ୍ତି ଏଇ ଘଟଣାକୁ ନେଇ । ଏକେତ କୋଭିଡ ସମୟ ସେଥିରେ ଏମିତି ଏକ ଅପ୍ରତ୍ୟାଶିତ ଘଟଣା । ଏଇଟା ବି ସରକାରଙ୍କ ପାଇଁ ଆଉ ଗୋଟେ ଚ୍ୟାଲେଞ୍ଜ ।

କେମିତି କେଜାଣି ଗୋଟେ ଟିଭି ଚ୍ୟାନେଲବାଲା ଆସି ପହଞ୍ଚିଗଲେ ଏଠି। ତା'ର ଇଣ୍ଟରଭ୍ୟୁ ନେଲେ । ୟା ଭିତରେ ୭/୮ ଦିନ ବିତିଗଲା । ଅରୁଣ ଭଲ ହୋଇ ଫେରିଲା । 


       ସେ ଦିନ ଜାହ୍ନବୀ ଠିକ୍ ପଢି ପାରିଥିଲା ଅରୁଣ ଆଖିର କୃତଜ୍ଞତାର ଭାଷାକୁ । ଜାହ୍ନବୀ ଚାହୁଁ ଥୁଲା ବହୁତ କିଛି ଅରୁଣଙ୍କୁ କହିବା ପାଇଁ । ଜାହ୍ନବୀ ଆଖିରେ ପଟି ବନ୍ଧା ହେବା ଆଗରୁ ସେ ଅରୁଣ ପାଖକୁ ଗଲା ଖୁବ୍ ଜୋର୍ ରେ ତା'ର ଦୁଇ ହାତକୁ ଧରି କେବଳ ୟେତିକି କହିଲା "ଅରୁଣ ତୁମେ ଯେଉଁ ଶିକ୍ଷା ପାଇଛ ତା'ର କାମ ହେଲା ଜୀବନ ଦେବା, ଜୀବନ ନେବା ନୁହଁ । ବାସ୍ ମୋର ୟେତିକି କହିବାର ଅଛି "।

      ଜାହ୍ନବୀକୁ ନେଇ ଗାଡିରେ ବସା ହେଲା । ବହୁତ ଦୂରରେ କୌଣସି ଏକ ଜାଗାରେ କିଛି ଗାଁ ଲୋକଙ୍କୁ ତାକୁ ହସ୍ତାନ୍ତର କରାଗଲା । ସସମ୍ମାନେ ମାଓମାନେ ତାକୁ ସ୍ୟାଲ୍ୟୁଟ କରି ଚାଲିଗଲେ । ସେମାନେ ଆଣି ପୋଲିସ ଅପେକ୍ଷା କରିଥିବା ଜାଗାରେ ତାକୁ ପହଞ୍ଚାଇଲେ । ତାକୁ ନେବାକୁ ତା ବାପା ବି ଆସିଥିଲେ । ହେଲେ ତା ଭିତରେ ଚାଲିଥିଲା ଅନନ୍ତ ପ୍ରଶ୍ନବାଚୀ ...... ୟେ ସମାଜ ସତରେ କ'ଣ ଦେଇପାରିବ ଅରୁଣଙ୍କୁ ନ୍ୟାୟ ? ସରକାର ତାକୁ କିଛି ଦିନ ଛୁଟିରେ ଥିବା ପାଇଁ ନିର୍ଦ୍ଦେଶ ଦେଲେ । ଅଳ୍ପ ଦିନ ପରେ ଟିଭିରେ ଦେଖାଇଲା ମାଓନେତା ଅରୁଣ ପ୍ରଧାନ ଆତ୍ମସମର୍ପଣ କରିଛନ୍ତି ...ହେଲେ ଜାହ୍ନବୀ ମନ ଖୋଲି ଖୁସି ହେଇ ପାରିଲା ନାହିଁ କାହିଁକି କେଜାଣି ?



Rate this content
Log in

Similar oriya story from Abstract