କନ୍ସଲଟେଣ୍ଟ
କନ୍ସଲଟେଣ୍ଟ
ଆଃ , କାଲିଠାରୁ ଆଉ ନା ଥିବ ଜୀ ହଜୁରୀ , ନା ଅନୁଶାସନ । ସେ ସମ୍ପୂର୍ଣ୍ଣ ଭାବେ ନିଜର ଜୀବନଟେ ଜିଇବେ । ବହୁତ ଖଟିଲେଣି , ଏବେ ଗାଁରେ ତାଙ୍କର ଦଉଡ଼ିଆ ଖଟିଆରେ ଆରାମ କରିବେ । ସରକାର ପାଇଁ ଅନେକ କଲେଣି , ବର୍ତ୍ତମାନ ନିଜପାଇଁ କରିବେ । ଅଗଣାର ଘଞ୍ଚ ନିମ୍ବଗଛ ଡାକିଲାଣି ତାଙ୍କୁ।
ବାଡ଼ି ଓ ଘର ଡାକ ଦେଲାଣି ।
ସୁଖ ସ୍ଵପ୍ନଟିଏ ଚେଇଁ ଦେଖୁ ଦେଖୁ ବିଭୁଦତ୍ତ ନିଘୋଡ଼ ନିଦରେ ଶୋଇ ପଡ଼ିଲେ । ଏପରି ଅଚିନ୍ତା ସୁନିଦ୍ରା ତାଙ୍କୁ କେବେ ହେଇ ନଥିଲା ।
କବାଟ ଠକ୍ ଠକ୍ ଶୁଣି ତାଙ୍କର ନିଦ ଭାଙ୍ଗିଲା । ଓହୋ , ଏତେ ଡେରି ଶୋଇ ପଡ଼ିଲେ ? ଆଗାମୀ ଅବସର ଜୀବନର ରିହର୍ସଲ ବୋଧେ ।
ଦ୍ଵାର ପାଖରେ ଅନାମ । ତାଙ୍କର ଅନୁଗତ ପିଅନ । ଓଡ଼ିଆ ।
ବାବୁ , ମୁଁ ଦୁଇଥର ଆସି ଫେରିଲିଣି ।
ଅନାମ ରେ , ଆଉ ତୋତେ କଷ୍ଟ ଦେବି ନାହିଁ ବାବା । ଯାଃ ଆଜି ଦିନକ ପାଇଁ ମୋର ସେବା କରିଦେ ।
ଏ କଣ କହୁଛନ୍ତି ବାବୁ ? ଆପଣଙ୍କ ଯିବାକଥା ଜାଣି ମୋର ନିଦ ନାହିଁ । ମନ ଭଲ ଲାଗୁ ନାହିଁ ।
ସକ ସକ ହେଇ ଗାମୁଛାରେ ଆଖି ପୋଛିଲା ସିଏ ।
ଆହା , ଆରେ ଦିନେ ତ ଏ ସଂସାର ସୁଦ୍ଧା ଛାଡ଼ି ଯିବାକୁ ହେବ । କିଏ ତମ୍ବାମୁଣ୍ଡ ବାନ୍ଧି ଆଇଛି ? ଅନେକ ଦିନ ନିର୍ବାସନ ଭୋଗିଲି । ଏବେ ମୁଁ ମୋ ପରିବାର ପାଖକୁ ଯିବି , ତୋତେ ଖୁସି ଲାଗୁନାହିଁ ?
ଖୁସି ବାବୁ , ବହୁତ ଖୁସି , ହେଲେ ଆପଣଙ୍କ ସେବାଧର୍ମ କରିବା ଅଭ୍ୟାସରେ ପଡ଼ି ଯାଇଥିଲା ତ ?
ଆଜି ବିଭୁଦତ୍ତ "' ବି ଆର ଓ "" ରୁ ଅବସର ଗ୍ରହଣ କରୁଛନ୍ତି । ସେ ନିଜକୁ ଶେଷଥର ପାଇଁ ଅଇନାରେ ଆଖି ପୁରେଇଦେଖି ନେଉଛନ୍ତି ବର୍ଦି ସହିତ । ମନଟା କେମିତି କେମିତି ହେଇଗଲା । ଦୀର୍ଘ ତିରିଶ ବର୍ଷର ଅଭ୍ୟାସ । ତିରିଶ ବର୍ଷର ନିବିଡ଼ତା ଏଇ ବର୍ଦି ସହ । ଭାରି ଭାବ ପ୍ରବଣତା ଘାରିଲା । କିନ୍ତୁ ସେଇଟା କ୍ଷଣିକ । ଖୋଲା ଆଖିକୁ ଅତ୍ୟନ୍ତ ସୁଖକର ସ୍ଵପ୍ନଟିଏ ଆବୋରି ବସିଲା ।
ଆଉ ଟିକେ ମାଛ ବେସର ଦିଏ ।
ନସର ପସର ହେଇ ଦୋସର ଭାତ ତାଙ୍କ ଥାଳିରେ ଅଜାଡି଼ ଦେଉ ଦେଉ ମଣିବୋଉ କହୁଥିବେ ।
ବାବା , ବହୁତ ଦିନ ହେଲାଣି ତୁମ ଗୋଡ଼ ମୋଡି଼ ନାହିଁ । ହାତଟା କସମସ୍ ହେଉଛି ।
ସାନଝିଅ ବନାନୀ ଯୋରକରି ନିଜ କୋଳକୁ ତାଙ୍କ ପାଦକୁ ଘୋଷାଡି଼ ନେଉଥିବ ।
ବାବା , ଟୁନକିକୁ ଟିକେ ମେଥ୍ ପଢେଇଦେଲ । ଛୋଟ ଛୁଆଙ୍କୁ ବୁଝେଇବା ବଡ଼ କଷ୍ଟ ।
ବୋହୁ ନାତୁଣୀକୁ ଆଣି ବସେଇ ଦେଉଥିବ କୋଳରେ ।
ବାବା , ଆଜି ଚାଲ ତୁମପାଇଁ ସ୍କୁଟି ଗୋଟେ କିଣି ଆଣିବା । ପାଖ ଆଖକୁ ଯିବା ସୁବିଧା ହେବ । ତୁମେ ତ ଜୀବନ ସାରା ଆମର ସୁଖ ସୁବିଧା ପାଇଁ ଚିନ୍ତା କଲ । ଅଇଛାଁ ଆମ ପାଳି ।
ବଡ଼ପୁଅ ତାଙ୍କ ହାତଧରି ଉଠେଇ ଦେଉଥିବ ।
- ବାବା ଚାଲ କ୍ରିକେଟ୍ ଖେଳିବା । ନହେଲେ ବେଡମିଣ୍ଟନ୍ । ତୁମେ ପଠେଇଥିବା ବ୍ୟାଟ ଓ ରେକେଟ ସାଇତି ରଖିଛି ।
କୋଡ଼ପୋଛା ତାଙ୍କର ଗେହ୍ଲା ଗୁଲ୍ଲୁ ତାଙ୍କୁ ଧରି ଟାଣୁଥିବ । କେତେ କାନ୍ଦେ ସିଏ ଏବେବି , ସେ ଯେତେବେଳେ ଛୁଟି ସାରି ଆସନ୍ତି ।
ମଧୁର ଆଗତ ଜୀବନର କଳ୍ପନା ଭିତରେ ବୁଡ଼ି ରହି ସେ ପହଞ୍ଚି ଗଲେ ଅଫିସ । ଭବ୍ୟ ସମାରୋହରେ ତାଙ୍କୁ ଫେରଓ୍ଵେଲ୍ ଦିଆଗଲା । ସଚ୍ଚୋଟ ଓ ନିୟମିତ ସେବା ନିମନ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସାରେ ଆପ୍ୟାୟିତ କରାଗଲା । କେହି କେହି ନିଜ ରୁମାଲରେ ଆଖି ପୋଛିବା ଦେଖାଗଲା । ତାଙ୍କର ହୃଦୟ ମଧ୍ୟ କୋହାଚ୍ଛନ୍ନ ହୋଇଗଲା । ବାଷ୍ପରୁଦ୍ଧ ସ୍ଵରରେ କେବଳ " ଧନ୍ୟବାଦ " ଶବ୍ଦଟିଏ ସେ କହି ପାରିଲେ ।
ତା ପରଦିନ ସମସ୍ତ ସହକର୍ମୀ ଓ ଉପସ୍ଥ ଅଫିସର୍ ମାନେ ତାଙ୍କୁ ବଳେଇ ଦେବାକୁ ଆସିଥିଲେ ଷ୍ଟେସନ୍ । ଫୁଲମାଳରେ ସେ ପୋତିହେଇ ପଡ଼ି ଥିଲେ ଓ ଉପହାରରେ ତାଙ୍କ ବର୍ଥଟା ଭରି ଯାଇଥିଲା । ଅନାମ ଟିଣେ ବେସନଲଡୁ ଆଣି ଥୋଇଦେଇ ତାଙ୍କ ପାଦ ଧରି କାନ୍ଦି ଲୋଟି ଯାଉଥିଲା । ଟ୍ରେନ ଗତିଶୀଳ ହେବା ସହିତ ସେମାନଙ୍କ ଗତି ମଧ୍ୟ ବଢ଼ି ଯାଇଥିଲା । ଝରକା ରେଲିଂକୁ ଧରି ଅନାମ ବିକଳ ହେଉଥିଲା ।
ଷ୍ଟେସନ୍ ଅଦୃଶ୍ୟ ହେଲା ପର୍ଯ୍ୟନ୍ତ ସମସ୍ତଙ୍କର ହାତ ହଲୁଥିଲା । ଶୋକାଚ୍ଛନ୍ନ ଭାରାକ୍ରାନ୍ତ ମନରେ ବିଭୁଦତ୍ତ ଦେଖୁଥିଲେ ତାଙ୍କର ଅତି ପରିଚିତ ତାଙ୍କ ଜୀବନରୁ ସବୁଦିନପାଇଁ ପୋଛି ହେଇ ଯାଉଥିବା ସହରଟିକୁ । ଗଛଲତା , ରାସ୍ତାଘାଟ , ଘର ଦ୍ଵାର ସବୁ ପଛରେ ଛୁଟି ଯାଉଥିଲେ । ତାଙ୍କ ଅଜାଣତରେ ତାଙ୍କ ଆଖି ଲୁହରେ ଭର୍ତ୍ତି ହେଇ ଯାଇଥିଲା ।
ସୂର୍ଯ୍ୟ ବୁଡ଼ି ଯାଉଥିଲେ ପଶ୍ଚିମାକାଶରେ ଆଉ ଏକ ନୂଆ ସକାଳକୁ ସ୍ଵାଗତ ଜଣେଇବା ପାଇଁ । ନୂତନ ଆଶାର ନୂତନ ଜୀବନର ପ୍ରତିଶ୍ରୁତି ଦେଇ ।
ଆଉ ପୁଣିଥରେ ଉଇଁଲା ସୂର୍ଯ୍ୟ । ନୂତନ ରଙ୍ଗ ନେଇ ନୂତନ ରୂପ ନେଇ ଆଉ ବିଭୁଦତ୍ତଙ୍କ ଜୀବନରେ ନୂତନ ଆଲୋକ ଓ ସ୍ଵାଦ ନେଇ ।
ବିଭୁଦତ୍ତ ଘରେ ପହଞ୍ଚିଲେ । ତାଙ୍କର ଇଚ୍ଛା ହେଉଥିଲା ସମଗ୍ର ପରିବାରଟିକୁ ନିଜର ଆଲିଙ୍ଗନ ଭିତରେ ରଖିନେବେ ଏକସଙ୍ଗେ , ଯେମିତି ଆଜିଠାରୁ ତିରିଶବର୍ଷ ପୂର୍ବେ କରୁଥିଲେ ଯେତେବେଳେ ପିଲାମାନେ ଟିକି ଟିକି ହେଇଥିଲେ ।
କିନ୍ତୁ ସବୁ ଇଚ୍ଛା ମାନେ କି ଧରା ଦିଅନ୍ତି । ଛୁଆ ବଡ଼ ବଡ଼ ହେଇ ଯାଇଛନ୍ତି । ତାଙ୍କର ପରିବାର ବଢିଛି । ବଡ଼ଝିଅ ଶାଶୁଘରେ ।
ସମସ୍ତେ କିନ୍ତୁ ଏକସଙ୍ଗେ ସ୍ଵାଗତ କଲେ ତାଙ୍କୁ । ବେଲୁନ୍ ଫୁଲରେ ସଜା ହୋଇଥିଲା ବୈଠକ । ବୋହୁ ଆରତି ଥାଳି ଆଣି ବନ୍ଦାପନା କଲା । ମଣିବୋଉ ହଳଦୀପାଣିରେ ଗୋଡ଼ ଧୋଇଦେଲେ । ସାନ ପୁଅଝିଅ କେକ୍ ଆଣି ସେଣ୍ଟର୍ ଟେବୁଲ ଉପରେ ରଖିଲେ । ଆନନ୍ଦାଶ୍ରୁ ବୋହି ଯାଉଥିଲା ତାଙ୍କର ଦୁଇ ଗଣ୍ଡଦେଶ ଦେଇ ।
ଆଃ , ଇଏ ହେଉଛି ଜୀବନ । ଏ ଯାବତ୍ ସେ ଫର୍ଜି ଜୀବନ ଜିଇ ଆସୁଥିଲେ । ଆଃ , କି ଶାନ୍ତି ।
ତା ପରଦିନ ଅଭ୍ୟାସ ମୁତାବକ ବଡି଼ ଭୋରରୁ ଉଠି କଲୋନୀ ରାସ୍ତାରେ ପ୍ରାତଃ ଭ୍ରମଣରେ ବାହାରିଲେ । ଆଶ୍ଚର୍ଯ୍ୟ !! କଲୋନୀର ନିଦ ଭାଙ୍ଗି ନାହିଁ ଏ ଯାଏଁ । କଲୋନୀଟା ମୃତ ପ୍ରାୟ ଲାଗିଲା ତାଙ୍କୁ ।
ସେ ବ୍ୟାୟାମ , ଯୋଗ ସାରି ଘରକୁ ଆସିଲେ । ମଣିବୋଉ ବିଛଣାରୁ ଉଠି ଅଳସ ଭାଙ୍ଗୁଥିଲେ । ହଁ ବୟସ ହେଇ ଗଲାଣି । ଏତେବଡ଼ ସଂସାରର ଗୁରୁଦାୟିତ୍ଵ ବହନ କରିବା କଣ ସହଜ କଥା ? ଅଣ୍ଟା ଭାଙ୍ଗିଯିବ ।
କେହି ଉଠି ନାହାନ୍ତି ?
ପଚାରି ଦେଲେ ସେ ।
ଏତେ ସକାଳୁ ଉଠି କଣ କରିବେ । ପିଲାଛୁଆ ଲୋକ ।
କଣଟାଏ ଖଟ୍ କିନା ହେଲା ତାଙ୍କ ମନରେ ।
ଏତେବେଳକୁ ଅନାମ ଗରମାଗରମ୍ ଚାହା ସହିତ ଟୋଷ୍ଟ ନେଇ ଆସିଥାଏ । ଆଉ ଫରମାଇସ୍ ନେଉଥାଏ ବ୍ରେକଫାଷ୍ଟ୍ ପାଇଁ ।
ସମୟାନୁବର୍ତ୍ତିତା ଓ ଅନୁଶାସନ ତାଙ୍କର ରକ୍ତରେ ଚହରି ଯାଇଥିଲା ସେଠାରେ କାମ କରି । ତେଣୁ ପରିବାରର ଅନୁଶାସନହୀନତା ଅଖରେଇବା ସ୍ଵାଭାବିକ । ବଳେ ଏସବୁ ଅଭ୍ୟାସରେ ପଡ଼ି ଯିବ ଯେ । ପିଲାଛୁଆ ଆଜିକାର । ସେତ ବୁଢ଼ା ହଡ଼। । ଟିକଟ କଟା ହେଲାଣି । ବେଡିଂ ବିସ୍ତରା ସାଉଁଟିବାର ବେଳ ।
ଅଭ୍ୟାସରେ ପକେଇବାକୁ ଚେଷ୍ଟିତ ବିଭୁଦତ୍ତ ସକାଳ ସମୟଟା ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ବିତାଇବା ଶ୍ରେୟସ୍କର ଭାବିଲେ । ସକାଳବୁଲା , ବ୍ୟାୟାମ , ବର୍ଜିଶ୍ ଛଡ଼ା ସେ ଖବର କାଗଜ ମଧ୍ୟ ପଢ଼ି ସାରି ଘରକୁ ଫେରିଲେ ।
ଶାନ୍ତ ପରିବେଶରେ ରହି ଆସିଥିଲେ ଏପର୍ଯ୍ୟନ୍ତ । ଘରେ ବେଶି ବାସନ ହେଲେ ତ ଠଣ୍ ଠାଣ୍ ହେବ । କେବେ ଶାଶୁ ବୋହୁ , ତ କେବେ ନଣନ୍ଦ ଭାଉଜ , ଆଉ କେବେ ଭାଇ ଭଉଣୀଙ୍କ କଳି ତକରାଳ ତାଙ୍କୁ ଆଦୌ ହଜମ ହେଉ ନଥିଲା । ସେ ଉପନ୍ୟାସ ଭିତରେ ଏସବୁର ସମାଧାନ ଖୋଜୁଥିଲେ ।
- ରାତି ଏଗାରଟା ହେଲାଣି ବନାନୀ ଫେରିନି ? ଏତେ ସମୟ ପର୍ଯ୍ୟନ୍ତ ଝିଅଟା ବାହାରେ ରହୁଛି । ମଣିବୋଉ , ଟିକେ ଆକଟ କରୁନ ?
ତା ସାଙ୍ଗ ଘରକୁ ଯାଇଛି ।
ଝିଅ ଫେରିଲା ପରେ ତାକୁ କଅଁଳେଇ କହିଲେ ,
ମାଆରେ , ଏତେ ରାତି ପର୍ଯ୍ୟନ୍ତ ବାହାରେ ରହିବା କଣ ଠିକ୍ ?
ବାପା , କଣ ହେଲା , ମୁଁ ତ ମୋ ସାଙ୍ଗ ଘରକୁ ଯାଇଥିଲି ।
ଯାହା ହେଲେବି ସନ୍ଧ୍ୟା ଆଠଟା ପରେ କୁଆଡ଼େ ଯିବୁନି ।
ବନାନୀ ଗୋଡ଼ କଚାଡି ଭିତରକୁ ପଳେଇଲା ।
କଣ କହିଲ ଏମିତି ଝିଅଟାକୁ ? କାନ୍ଦି କାନ୍ଦି ନୟାନ୍ତ ହେଲାଣି । ତାକୁ ତୁମର କିଛି କହିବା ଦରକାର ନାହିଁ । ବଢ଼ିଲା ଝିଅଟା ।
ବିଭୁଦତ୍ତ ହାଁ କରି ଅନେଇଥିଲେ ।
- ବାପା , ଆଜି ମୋ ସାଙ୍ଗମାନେ ଆସୁଛନ୍ତି " ସ୍ଲିପ୍ ଓଭର୍ " ( ସାଙ୍ଗ ଘରେ ରାତ୍ରି ଶୟନ ) ପାଇଁ । ଆପଣ ଟିକେ ସେହି ଷ୍ଟୋର୍ ରୁମରେ ଶୋଇ ଯାଆନ୍ତୁ ।
ଗେହ୍ଲାପୁଅ ଗୁଲ୍ଲୁ କହୁଥିଲା ।
ସେ ସ୍ଲିପ୍ ଓଭର୍ ର ତର୍ଜମା କରୁ କରୁ ତାଙ୍କ ଖଟିଆ ଷ୍ଟୋର୍ ରୁମରେ ପହଞ୍ଚି ଯାଇଥିଲା । ରାତି ସାରା ହୋ ହଲ୍ଲା , ଧୁମ୍ ଧଡ଼।କା । ଭାଉଜ ଭଉଣୀ ମଧ୍ୟ ତାଳ୍ ଦେଉଥିଲେ ।
ପୁରୁଣା କାଳିଆ ବିଭୁଦତ୍ତଙ୍କ ନିଶ୍ଵାସ ପ୍ରଶ୍ଵାସ ଅଟକି ଯାଉଥିଲା ଏ ଉଗ୍ର ଆଧୁନିକ ଆବୋହବାରେ ।
ବୈଠକରୁ ଖଟିଆ ବାହାରି ଆସିଲା ସିନା କିନ୍ତୁ ଆଉ ପଶି ପାରିଲା ନାହିଁ । ବିଚରା ବିଭୁଦତ୍ତ ରାତିରେ କେତେବେଳେ ମୂଷା , ଚୁଚୁନ୍ଦ୍ରା ସହିତ ତ କେତେବେଳେ ପିମ୍ପୁଡି଼ ଅସରପା ସହିତ ଗପ କରି ରାତି କାଟିଲେ ।
ତାଙ୍କୁ ବର୍ତ୍ତମାନ ଲାଗୁଥିଲା , ସେ ଆସି ବୋଧେ ସମସ୍ତଙ୍କ ସ୍ଵାଧୀନତାରେ ବାଧକ ସାଜିଛନ୍ତି । କେହି ତାଙ୍କ ପାଇଁ ଖୁସି ନାହାନ୍ତି । ଏମିତି କି ମଣିବୋଉର ମଧ୍ୟ ତାଙ୍କ ବିହୁନେ ଜିଇବା ଅଭ୍ୟାସଗତ ହେଇ ଯାଇଛି । ଏସବୁ କିନ୍ତୁ ତାଙ୍କୁ ଅଣନିଶ୍ଵାସୀ କରି ଦେଉଥିଲା । ସ୍ଵପ୍ନଟିଏ ଦେଖୁ ଦେଖୁ ହଠାତ୍ ନିଦ ଭାଙ୍ଗି ଯାଇଥିଲା ।
ଦଶଦିନ ପରେ , ବିଭୁଦତ୍ତ ରାତ୍ରି ଭୋଜନ ସମୟରେ ଗଳା ସଫାକରି କହିଲେ ।
ମୁଁ ଆମ ଅଫିସରେ କନ୍ସଲ୍ଟେଣ୍ଟ ପାଇଁ ଦରଖାସ୍ତ ଦେଇଥିଲି । ମଞ୍ଜୁରି ମିଳି ଯାଇଛି ।
ମଣିବୋଉ ଆସ୍ତେକିନା ପଚାରିଲେ ,
କେବେ ଯିବ ? ଚାରିକିଲୋ ମଇଦାର ନିମିକି ତିଆରି କରିଦେଲେ ଯଥେଷ୍ଟ ହେବ ନା ?
ବିଭୁଦତ୍ତ ଭାତଥାଳିକୁ ଏକ ଦୃଷ୍ଟିରେ ଅନେଇ ଥିଲେ । ଉତ୍ତର ଦେବାଟା ନିହାତି ଆବଶ୍ୟକ ନଥିଲା ବୋଧେ ।
