କଳ୍ପନାର ଡେଣା
କଳ୍ପନାର ଡେଣା
କଳ୍ପନାର ଡେଣା ଲଗେଇ ଉଡିଲେ ଏତେ ମଜା ଲାଗେ।ଆଃ ଦୁଃଖ ନାହିଁ ଅଭାବ ନାହିଁ ଖାଲି ମଜା ଆଉ ମଜା।
ଗାଲରେ ହାତ ଦେଇ ଝାଡୁ ଧରି ଘର ପିଣ୍ଡାରେ ଗଭୀର ଭାବନା ସମୁଦ୍ରରେ ବୁଡି ଯାଉଛି ଟିକୁ। ଏ ଝାଡୁଦାର ଜୀବନ ଗୋଟେ ଜୀବନ ! ଛିଃ । ଖାଲି ଅଭାବ।
କଳ୍ପନାର ଡେଣା ଲଗେଇ ଏଇ ଦେଖନ୍ତୁ ଚାଳିଶ ବର୍ଷରୁ ଶୁନ ଲିଭେଇ ହୋଇଗଲି ଚାରି ବର୍ଷର ଛୁଆ।
ଏଇ ଧରନ୍ତୁ ମୋତେ ଈଶ୍ୱର ଗୋଟେ ବର ଦେଇଛନ୍ତି।ମୁଁ ଯେତେବେଳେ ଯାହା ଚାହିଁବି ହୋଇ ପାରିବି।ବାଃ ଏଥର ମୁଁ ସାନ ଟୁକୁ ହୋଇଗଲି।ବଡ଼ ହେଲା ପରେ ପିଲାଟିଏ ହୋଇ ଯିବାକୁ କାହିଁକି କେଜାଣି ଖୁବ୍ ଇଚ୍ଛା ହୁଏ।ନିଷ୍କପଟ ସରଳ ଅଳ୍ପକେ ଖୁସିର ସେଇ ମହାର୍ଘ୍ୟ ପିଲା ଦିନ କଅଁଳ ଖରା ପରି ଭାରି ଲୋଭନୀୟ।
କାଗଜ ଡଙ୍ଗାର ବୟସକୁ ସିନା
ପଛରେ ଆସି ଛାଡି
ମୋ ହୃଦୟ କିନ୍ତୁ ସେ କୁନିଛୁଆକୁ
ଧରି ରଖିଛି ଜାବୁଡି।
ଏଥରକ କିନ୍ତୁ ପିଲାଟିଏ ବୋଲି ମୋତେ କେହି ଅଣ ଦେଖା କରି ପାରିବେ ନାହିଁ। ଓଃ ମୋ ପିଠିରେ ଏ ବ୍ୟାଗ୍ ବୋଝ।ନା ମୁଁ ବୋଝ ଉଠେଇ ପାରିବି ନାହିଁ।ମୋ ଦେଇ ପାଠ ହେବ ନାହିଁ। ମୁଁ ଜଣେ ଡ୍ୟାନ୍ସର ହେବାକୁ ଚାହୁଁଛି।ମୋତେ ଡ୍ୟାନ୍ସ ଶିଖେଇବାକୁ ନ ଛାଡ଼ି ଏଣେ ତେଣେ ଟିୟୁସନ କଣ କରୁଛ ? ପିଲାଦିନେ ଚିକୁ ପେନ୍ ଲୁଚେଇ ନେଇ ଆସିଥିଲି। ଆଉ ସେ ଭୁଲ୍ କରିବି ନାହିଁ।ଅନ୍ୟ ଜିନିଷ ପ୍ରତି ଲୋଭ ଏକ ଖରାପ ଗୁଣ।
ଆଃ ବାପା ମୋ କାନ ଛାଡ଼ ଛାଡ଼।ମରିଗଲି ମାଆଲୋ। ସୁନା ମାଆ ଗଛରୁ ସବୁ ପିଜୁଳି ତୋଳି ଆଣିଥିଲି ବୋଲି କି କାନ ମୋଡ଼ା ଚାପୁଡା। ନା ନା ବାପା ଆଉ ଏମିତି ଭୁଲ୍ କରିବି ନାହିଁ।
ମନ ଦେଇ ପାଠ ପଡୁନି ବୋଲି ବାପା ମାଆ କୁ ଗାଳି ଗୁଲଜ କରନ୍ତି। ମୁଁ ମନ ଦେଇ ପଢିବି ବାପା।ପରୀକ୍ଷାରେ ଏଥରକ ସବୁଠାରୁ ଭଲ କରିବି।ଚମତ୍କାର ! ପରୀକ୍ଷା ପୂର୍ବ ରାତିରେ ମୁଁ ଇଚ୍ଛା କଲି ତ କୋଶ୍ଚିନ ଦିଶିଗଲା । ସବୁ ଉତ୍ତର ମୁଖସ୍ଥ କରିଦେଇ ଗଲି।ଶହେରୁ ଶହେ ମୋ ନମ୍ବର !
ପିଲୁ ମୋ ସହ ସାଙ୍ଗ ହେଉ ନଥିଲା ତ ଇଚ୍ଛା କଲି ସେ ମୋ ସାଙ୍ଗ ହେଉ। ସତ ନା ମିଛ ପିଲୁ ମୋ ସହ ସାଙ୍ଗ ହେବାକୁ ଆସୁଛି !
ବ୍ରିଜୁ ସାର୍ ଇଂଲିଶି କ୍ଳାସରେ କି ଧନାଧନ
ନାଦନ୍ତି ।ଏଥର ଇଛିଲି ମୋର ଇଙ୍ଗିଲିଶ ମୋର ଭଲ ହେଉ।ଏଇ ଦେଖ୍ ମୁ କେମିତି ଫରେନ୍ ର ପରି ଠୁସଙ୍ଗ୍ ଠାସ୍ଇଙ୍ଗିଲିଶ ଚୋବେଇ ପକଉଛି।ସମସ୍ତେ ଟେରା ମୋ ଇଙ୍ଗିଲିଶ କହିବା ଦେଖି।ଏଥରକ ଇଙ୍ଗିଲିଶ ରେ ବି ଶହେକୁ ଶହେ।କି କନ୍ଦାଏ ଏ ଇଙ୍ଗିଲିଶ ! ରହରେ ବାପଧାନ ମୋତେ ଏଣିକି ସବୁ ଆସିବ।
ସୋନିର ଯେମିତି ଗିଅର ଵାଲା ସାଇକେଲ
ଟିଏ ମୋର ବି ଦରକାର। ଆଁ ଭାବୁ ଭାବୁ ସାଇକେଲ ! ଓହୋ ପବନକୁ ପଛରେ ପକେଇ ଘେରାଏ ବୁଲି ଆସିଲି ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ। ବିଲୁ, ଜିମି , ରିଟା ମୋ ସାଇକେଲ ଦେଖି ଡାହାଣ ପରି ଅନାଉଥାନ୍ତି। ମୁଁ ବଡ଼ ହୋଇଗଲି।ଏଥରକ ମୋର ଦଶମ ଶ୍ରେଣୀ। ନୀଲୁ କୁ ମୁଁ କେତେ ଭଲ ପାଏ।ସେ କିନ୍ତୁ ମୋତେ ଟିକେ ବି ଭଲ ପାଏନାହିଁ। ଝଙ୍କାର ଓ ତାର ଭଲ ଯୋଡି।ଏଁ ଦେଖ୍ ଦେଖ୍ ଓଠ ଚାପି ନୀଲୁ ହସୁଛି। ଟିକୁ ଆଇ ଲବ୍ ୟୁ କହୁଛି।ଓହୋ ହୋ ମୋତେ ସବୁ ମିଳି ଯାଉଛି।
ଚଢେଇ କେମିତି ଉଡେ। ମୁଁ ଚଢ଼େଇଟିଏ ହୋଇ ଯାଆନ୍ତି କି ? ଇସ୍ ମୋ ଦେହରେ ଡେଣା । ମେଘ ପାଖରେ ଉଡି ପାରୁଛି ତ ? ,ବାଃ ମଜା ହିଁ ମଜା। ଝରଣା ପାଣି ପିଉଛି।ଗଛ ଡାଳରେ ରହୁଛି।ବଣ ଫଳ ମୂଳ ଖାଉଛି। କି ମୁକୁଳା ଖୁସିର ଜୀବନ!
ମାଛଟିଏ ହୁଅନ୍ତି କି ଭାବୁ ଭାବୁ ସୁନେଲି ମାଛଟିଏ ହୋଇଗଲି।ସମୁଦ୍ରର ତଳକୁ ଯାଇ ସାମୁଦ୍ରିକ ଜୀବଙ୍କ ସହ କଥା ହେଲି।ସେମାନେ ମୋର ଖୁବ୍ ଚର୍ଚ୍ଚା କଲେ। ଆସିଲା ବେଳେ ମୋତି ସହ ପାଣି ଭିତର ର ଗଛ କେତୋଟି ଉପହାର ଦେଲେ।
ଆଜି ପଢୁଆଅଷ୍ଟମୀ । ।ଜହ୍ନ ମାମୁଁ ଘର ବୁଲି ଗଲେ କେମିତି ହୁଅନ୍ତା ? ଇଏ କଣ ମୁଁ ଜହ୍ନରେ ?ବଢିଆ ଜାଗା ତ। ଜହ୍ନ ମାମୁଁ ଭଣଜା କହି ମୋତେ ଭାରି ସ୍ନେହ ଶ୍ରଦ୍ଧା କଲେ। ଏଠି କେତେ ପାହାଡ଼ ! ମାମୁଁ ପୃଥିବୀ ଲୋକେ ଏଠି ଜମି କିଣିଲେଣି ରହିବେ ବୋଲି। ମୋ ପାଇଁ ଖଣ୍ଡେ ଜମି ରଖିବ।
ବାଘ ହେଲେ କେମିତି ହୁଅନ୍ତା ! ହାଉଁ ଏ ମା ମୁଁ କାଇଁ ! ମୁଁ ବାଘ ହୋଇ ଯାଇଛି। ବଣର ରାଜା।ସବୁ ପଶୁପକ୍ଷୀଙ୍କୁ ଆଦେଶ ଦେଲି କେହି ହିଂସା ଆଚରଣ କରିବେ ନାହିଁ।ଆଜିଠାରୁ ମୋ ସହ କୌଣସି
ମାଂସାସୀ ଜୀଵ ଆଉ ଜୀଵ ଶିକାର କରି ଖାଇବେ ନାହିଁ।ସମସ୍ତେ ଘାସ ଓ ପତ୍ର ଖାଇବେ।ଗଛ ମାନେ କାନ୍ଦୁଥିଲେ। କଣ ହୋଇଛି ତୁମେ କାନ୍ଦୁଛ କାହିଁକି ?
ତୁମ ମଣିଷ ଜାତି ମୋତେ କାଟି ମୋ ବଂଶ ଲୋପ କଲଣି।ଏଥକୁ ବିଚାର କରନ୍ତୁ ମହାରାଜ।ଠିକ୍ ଅଛି।ଶୁଣ୍ ଶୁଣ୍ ଆଜିଠାରୁ କେହି ଗଛ କାଟିବେ ନାହିଁ।ଯିଏ କାଟିବ ତାକୁ ଧରି ଆଣି ଗଛ ପରି କାଟି ଦିଆଯିବ।
ଏଥର ମୁଁ ସାରା ପୃଥିବୀର ରାଜା ହେବା ପାଇଁ ଇଛାଟିଏ କଲି ତ ସାଂଗେ ସାଙ୍ଗେ ମୋ ମୁଣ୍ଡରେ ମୁକୁଟ ଦେହରେ ରାଜାଙ୍କ ପୋଷାକ। ହାତୀ ଉପରେ ବସାଇ ପାଟ ମନ୍ତ୍ରୀ ନେଇ ସିଂହାସନ ଉପରେ ବସାଇ ଦେଲେ।ଶହ ଶହ ସମସ୍ୟା ,ଆପତ୍ତି ଓ ଅଭିଯୋଗ
।ଟିକେ ବି ନିଜ ପାଇଁ ଜିଇଁବାକୁ ସମୟ ନାହିଁ। ପଡୋଶୀ ରାଜ୍ୟ ଆକ୍ରମଣ କଲାଣି ତ ରାଜ୍ୟରେ ଆନ୍ଦୋଳନ।ମହାରାଣୀ ସେନାପତିଙ୍କ ସହ ଫେରାର୍। ରାଜକୁମାର ଝିଅ ବୋହୁଙ୍କ ଇଜ୍ଜତ ସହ ଖେଳନ୍ତି ନିଃସଙ୍କୋଚରେ।ଓଃ ନା ନା ଏ ରାଜା ହେବା ଆଦୋୖ ସହଜ ନୁହେଁ।
ଆଛା ଝାଡୁଦାରରୁ ଅଫିସର ଟିଏ ହେଲେ କେମିତି ହୁଅନ୍ତା ! ହୁଅନ୍ତା କଣ ହୋଇଗଲିଣି ପରା।କାମରେ ଠକାମୀ।ଭିଜିଲାନ୍ସ ରେଡ଼ କରିଛି ଘର। ରୋଜଗାର ବହିର୍ଭୁତ ଗୁଡାଏ ସମ୍ପତ୍ତି ଲାଞ୍ଚ ନେଇ ଠୁଳ କରିଛି।ହାତରେ ମୋ ହସ୍ତକଢି।ଆଜୀବନ ଜେଲ୍ ଦଣ୍ଡ ଶୁଣାଇ ଦେଲେ ଜଜ୍ ସାହେବ।
କଳ୍ପନାର ପର ଲଗାଇ ଢେର୍ ବୁଲି ଆସିଲି।ନାଇଁରେ ବାବା ଈଶ୍ୱର ମୋତେ ଯେଉଁ ଝାଡୁଦାରଟିଏ କରିଛନ୍ତି ସେଇଟା ହିଁ ମୋ ପାଇଁ ଭଲ।ସଫା ସଚୋଟ, ନିର୍ମଳ ହୃଦୟ।ଆଖିରେ ପଲକ ପଡୁ ନାହିଁ। ଭାବନାରେ ବୁଡି ସମାଧିସ୍ଥ ହୋଇ ଯାଇଛି ଯେପରି।
ଉମା ହଲେଇ ଦେଇ କହିଲା, କଣ କାନ୍ଥ ହୋଇଗଲଣି କି ? ଆଜି ରାସ୍ତା ଓଳେଇବାକୁ କେତେବେଳେ ଯିବ। ହାଁ ଟା କରି ସେତେବେଳୁ ଝାଡୁ ଧରି ବସିଛ ଯେ ଖୁଣ୍ଟ। କଣ ହୋଇଛି କି ?
ଭାବନା ରାଇଜରୁ ଫେରି ଆସି ଟିକେ ହସି ଦେଇ କହିଲି ଉଡୁଥିଲି।
ଉଡୁଥିଲ ? କେଉଁଥିରେ ? କେଉଁଠି?
କଳ୍ପନାରେ ଡେଣା ଲଗେଇ ଲୋ ଉମା। ଖୁବ୍ ଏକ ମନଲୋଭା ସେ କଳ୍ପନା ରାଇଜ।
ଉମା କହିଲା, ଏ ମା ମୋ ମରଦଟା ପାଗଳା ହୋଇ ଗଲାଣିରେ କିଏ କେଉଁଠି ଅଛ ଦଉଡି ଆସ
