Bibhu Samanta

Romance

1.5  

Bibhu Samanta

Romance

କଲେଜ ଖୋଲିବା ପରେ

କଲେଜ ଖୋଲିବା ପରେ

2 mins
623


ସରିଗଲା ଖରା ଛୁଟି, ଖୋଲିଗଲା ସ୍କୁଲ କଲେଜ । କିଛି ନୂଆ ମୁହଁର ଆଗମନ, ଆଉ କିଛି ଅଧୁରା କାହାଣୀର ଖିଅ । ଅପେକ୍ଷାରେ କିଛି ରୋମାଣ୍ଟିକ ଦୃଶ୍ୟର ପରିକଳ୍ପନା । ଏଇ ଖରା ଛୁଟିଟା ବି ଭାରି ବଦମାସ । ଲମ୍ବିଥାଏ ମେ ଆରମ୍ଭରୁ ଯେ ସରେ ପୁଣି ଜୁନ ଶେଷ ଆଡକୁ । ଏଟା ଛୁଟି, ନା ମାଲବାହୀ ଟ୍ରେନ ଜମା ସରୁନି ଜମା । ସାଙ୍ଗସାଥି ବିନା ସମୟଟା ଯାଏନି ଜମା । ଯେତେ ଟିଭି ସିରିଏଲ ଦେଖ, ଯେତେ ସିନେମା ଦେଖ ନହେଲେ ଚାଟ କର । ସାଙ୍ଗ ପାଖେ, ଗୋଟେ ମୁହୂର୍ତ୍ତ ଏସବୁର ସମାନ ହୁଏନି । ଆଉ ଯଦି ସାଙ୍ଗ ଟି ତୁମ ପ୍ରିୟତମ ହୁଏ? ହୁଏ ଯଦି ତୁମ ଏକାନ୍ତ ନିଜର ତେବେ ?

କାନ୍ଥକୁ ଆଉଜି ଠିଆ ହୋଇଥିଲା ସୁଲଗ୍ନା । ଗାର୍ଲସ କମନ ରୁମ ପାଖରେ, ତା ଅଭି ସାଙ୍ଗରେ । ଋତୁମତି ହେଇଚି ଏ ଧରା । ସମ୍ଭାବନାକୁ କୋଳେଇ ନେବାକୁ ଆକଣ୍ଠ ତୃଷ୍ଣା । ଆଉ ନିଜର ସବୁ ସାଇତା ଅନୁରାଗକୁ ବାଢି ଦେବାକୁ ଅବଦମିତ ଆଶା । ଯୌବନ ରୂପେଲି ଚାଦର ତଳେ ଦି ଟା ଶରୀର । ବାହାରେ ବର୍ଷାର ରିମଝିମ ଗଜଲ । ଆଉ ଏଠି ଆଖିରେ ବୁଡିଛି ଆଖି ।


ଆଖି ଆଖିରେ କଥାଚାଲିଥିଲା । ଆଖିରେ ପଚାରୁଥିଲା ସୁଲଗ୍ନା । ଆଉ ଉତ୍ତର ଖୋଜୁଥିଲା ଅଭି ଆଖିରେ । ଅଭିମାନ କରି ପଚାରୁଥିଲା କାହିଁ ଆସୁନଥିଲା ସେ ତାଙ୍କ ଘରକୁ ତାକୁ ଦେଖା କରିବାକୁ । କ୍ଷମା ମାଗୁଥିଲା ଅଭି, ଯାଇ ପାରିନି ସେ କୋଉ କାରଣ ପାଇଁ ଗୋଟେ । ମାନିଗଲା ସୁଲଗ୍ନା । ଆଖିରେ ଅଝଟ କରି କିଛି ମାଗିଲା ଅଭିକୁ, ଦୁଷ୍ଟାମୀର ହସ ଫୁଟାଇ । ଅଭି ବି ଅନେକ ଚେଷ୍ଟା କରିଛି, ଏକା ପାଇ ତା ସୁଲୁ ଓଠରେ ଆଙ୍କିବାକୁ ସୁନ୍ଦର ଚୁମାଟିଏ । ଏମିତି ଫୋନ ରେ କଥା ହେଲାବେଳେ, ପ୍ରତିଥର ପଚିଶଟା ଚୁମା ମାଗିନିଏ ସେ । ସେ ମନା କରେନି, ମନ ଭରି ଗେଲକରେ । ସତରେ ଫୋନରେ ଯାହା କହିହୁଏ, ସାମ୍ନାସାମ୍ନିରେ କହି ହୁଏ ନାହିଁ । ଅନେକ କଥା ରହିଯାଏ, ସଙ୍କୋଚର ଆଢୁଆଳରେ । ଚୁମାଟିଏରେ ପ୍ରତିଶୃତି ଥାଏ, ସାରା ଜୀବନ ସାଥି ହେଇ ରହିବାର । ଥାଏ ଆଶ୍ୱାସନାଟିଏ ଯେ ମୁଁ ତୁମର । ଥାଏ ସମର୍ଥନ ଟିଏ ଯେ ମୁଁ ସବୁ ପରିସ୍ଥିତି ତୁମ ସାଙ୍ଗରେ । ହେଲେ, କୋଉ ହେଇପାରେ ଯେ ? ତାଙ୍କ ଚାରିପଟେ ପା’ କେତେ କୋଳାହଳ । କିଏ କହେ ପ୍ରାକ୍ଟିକାଲ ରେକର୍ଡ କଥା, କାହା ମୁହଁରେ ସିନେମା ସଂଗୀତରୁ ପଦେ, କିଏ ପୁଣି କହୁଥାଏ ଆଜି ଦାସ ମ୍ୟାଡମଙ୍କ ଶାଢ଼ୀ ଆଉ ଲିପ୍ସଟିକର କଥା । କେତେ ଦିନ ପରେ ଦେଖା, ଆଉ ଏ ବର୍ଷା । କେହି ହେଲେ ତ ଯାଇକି ବୁଝେଇ ଦିଅନ୍ତା କି ଏମାନଙ୍କୁ, ଯେ ଦୟା କରି କିଛି ସମୟ ଏକା ଛାଡି ଦିଅନ୍ତେ କି ପ୍ରେମୀ ଯୁଗଳଙ୍କୁ । ତଥାପି ସେମାନେ ସେମିତି ଠିଆ ହେଇ ଥାନ୍ତି । ସୁଲୁ ଛାତିରେ ଇତିହାସ ବହିଟିକୁ ଜାବୁଡି ଧରିଛି, ଯେମିତି ଘରେ କଥା ହେଲା ବେଳେ ତା ତକିଆକୁ । ଆଉ ଅଭି ପି’ ଯାଉଛି, ତା ନଟଖଟ କୁଆଁରୀ ପଣକୁ । ଓଠ ତ ନୀରବ ଦ୍ରଷ୍ଟା ଟିଏ ଯାହା ।


ଦଲକାଏ ପବନ, ବହି ଚାଲିଗଲା ଦି’ ଜଣଙ୍କୁ ଛୁଇଁ । ପବନରେ ଥିଲା ଆନମନା କରିବାର ମହକଟିଏ । ଆଉ ଗୋଟେ ଗାଢ଼ ବାଇଗଣୀ ରଙ୍ଗ ଓଢଣୀଟେ ଉଡି ଆସି ପଡିଗଲା, ଅଭି ପାଖରେ । ଆଖି ଫେରେଇ ନେଲା ସେ, ତା ସୁଲୁ ପାଖରୁ । ଦେଖୁଥିଲା ଫାଷ୍ଟ ଇଅର ର ଝିଅଟେ ବିନା ଓଢଣୀରେ ଆସୁଛି ତା ଆଡ଼କୁ । ଅଭିର ଆଖି ତା’ ଦେହସାରା ଖେଳିବୁଲୁଚି । ଆଉ ତା ଆପଣାର ସୁଲୁ ଏବେ ବି ଚାହିଁଛି ତା ଆଖିକୁ ।


Rate this content
Log in

Similar oriya story from Romance