କଲେଜ ବେଳର ବନ୍ଧୁ
କଲେଜ ବେଳର ବନ୍ଧୁ


ଅନେକ ବର୍ଷ ପରେ ସରୋଜ ସହ ଦେଖାହେଲା। ସରୋଜ ମୋ କଲେଜ ବେଳର ବନ୍ଧୁ। ସୁନ୍ଦର ଚେହେରା ସହ ଭଲ ପାଠ ବି ପଢୁଥିଲା ସେ। କଲେଜର ଅନେକ ଝିଅ ତା ସହ ବନ୍ଧୁତା କରିବାକୁ ହାତ ବଢାଉଥିଲେ, ବୋଧେ ଏକତରଫା ପ୍ରେମ ବି କରୁଥିଲେ। ସରୋଜ କିନ୍ତୁ ଥିଲା ଲାଜକୁଳା ସ୍ବଭାବର। ତାକୁ ଝିଅମାନଙ୍କ ଏଭଳି ଆଚରଣ ଆଦୌ ଭଲ ଲାଗୁ ନ ଥିଲା। ସେ ସେମାନଙ୍କଠୁ ମୁକ୍ତି ଚାହୁଁଥିଲା। ମୋ ସହ ତାର ଭାରି ଭଲ ପଡେ। ସେ ସବୁ କଥା ମୋତେ ଜଣାଏ। ତା କଥା ଶୁଣି ମୁଁ ହସେ ଆଉ ତାକୁ ମଜା କରି କହେ" ସତରେ ସରୋଜ, ତୁ ବଡ ଭାଗ୍ୟବାନ୍। ନ ହେଲେ ଏକାଥରକେ ଏତେ ଗୁଡାଏ ଦେବୀଙ୍କ ସାନିଧ୍ୟ ପାଇବା କେତେ ଜଣଙ୍କ ଭାଗ୍ୟରେ ଥାଏ।" ମୋ କଥା ଶୁଣି ସେ ଚିଡି ଯାଏ। ଏମିତି ହସ ମଜା ଭିତରେ ଦିନ ଗୁଡାକ ବିତିଗଲା। ଶେଷବର୍ଷ ପରୀକ୍ଷା ପରେ ସେ ତା ଗାଆଁକୁ ଚାଲିଗଲା। ମୁଁ ମୋ ଗାଆଁକୁ ଚାଲି ଆସିଲି। ତା ପରେ ସଂସାର ଜଞ୍ଜାଳରେ ପଡି ମୁଁ ତା କଥା ପୁରା ଭୁଲି ଯାଇଥିଲି। ଅନେକ ବର୍ଷ ପରେ ତା ସହ ଏମିତି ଅଚାନକ ଦେଖା ହେବ ବୋଲି ମୁଁ ସ୍ବପ୍ନରେ ସୁଧା ଭାବି ନଥିଲି।
ସେ କିନ୍ତୁ ପୁରା ବଦଳି ଯାଇଛି। ଚେହେରାରେ ତାର ଆଉ ଆଗଭଳି ଚମକ ନାହିଁ। ମୋତେ ଦେଖି ସେ ଅତ୍ୟନ୍ତ ପ୍ରସନ୍ନ ହୋଇଗଲା। ମୁଁ ବି ଖୁସିରେ ତାକୁ କୁଣ୍ଢେଇ ପକେଇଲି। ତା ସହ କଥା ହେଇ ଜାଣିଲି ଘରେ ପୁଅ ଆଉ ସ୍ତ୍ରୀ ଅଛନ୍ତି। ଆସିବାର ଅଭିପ୍ରାୟ ପଚାରିବାରୁ ସେ କହିଲା ଏମିତି ହିଁ ଚାଲିଆସିଲି। ଦୁହେଁ ମିଶି କଫି ପିଇଲୁ। ତା ପରେ ସେ ମୋ ଠାରୁ ବିଦାୟ ନେଇ ଚାଲିଗଲା। ଯିବା ବେଳେ ମୋତେ ସେ ତା ଘର ଠିକଣା ଦେଇ କହିଗଲା" ସମୟ ପାଇଲେ ମୋ ଘର ଆଡେ ବୁଲି ଆସିବୁ।"
ଠିକଣା ପାଇ ମୁଁ ବେଶ୍ ଖୁସି ହେଲି। ଏମିତି ସପ୍ତାହଟେ ବିତିଗଲା। ଇଚ୍ଛା ହେଲା ବନ୍ଧୁ ଘରକୁ ଯାଇ ବନ୍ଧୁପତ୍ନୀଙ୍କ ହାତରୁ କଫି କପେ ପିଇ ଆସିବି। ସଅଳ ସଅଳ ବାହାରିଗଲି ବନ୍ଧୁ ଗାଆଁକୁ। ପଚାରି ପଚାରି ପହଞ୍ଚିଗଲି ବନ୍ଧୁ ଘରେ। ଜଣେ ଅଳ୍ପ ବୟସ୍କ ମହିଳା ମୋତେ ଘର ଭିତରକୁ ପାଛୋଟି ନେଲେ। ଘରେ କେବଳ ସେ ଓ ତାଙ୍କର ଏକମାତ୍ର ପୁଅ ରାହୁଲ୍ ଥାଏ। ପିଲାଟିକୁ ଦେଖି ଜାଣିଗଲି ଏ ପିଲାଟି ନିଶ୍ଚୟ ମୋ ସାଙ୍ଗ ସରୋଜର ପୁଅ। ପୁଅକୁ ପାଖକୁ ଡାକି ପଚାରିଲି,"ତୋ ବାପା କାହାନ୍ତି?" ପିଲାଟି କହିଲା," ମୋ ବାପା ନାହାନ୍ତି।" ହଠାତ୍ ସେ ମହିଳା ଜଣକ ଭଅଁ ଭଅଁ ହୋଇ କାନ୍ଦି ଉଠିଲେ। ତାଙ୍କ କଣ୍ଠ କିଛି ସ୍ପଷ୍ଟ ବାରି ହେଉ ନ ଥିଲା। କିନ୍ତୁ କାନ୍ଥରେ ଝୁଲୁଥିବା ଫୁଲମାଳଟଙ୍ଗା ସରୋଜର ଫୋଟଟି ଦେଖି ଏତିକି ବୁଝି ସାରିଥିଲି ମୋ ବନ୍ଧୁ ଆଉ ନାହାନ୍ତି। କିଛି ସମୟ ପରେ ବନ୍ଧୁପତ୍ନୀ ପ୍ରକୃତିସ୍ଥ ହେଲେ । ମୁଁ ମନେ ମନେ ଭାବୁଥାଏ, ସପ୍ତାହେ ଭିତରେ ଏତେ ବଡ ଘଟଣାଟେ ଘଟିଗଲା ଅଥଚ ମୁଁ ଜାଣି ପାରିଲି ନାହିଁ। ବନ୍ଧୁପତ୍ନୀ କଫି କପ୍ ଟିଏ ନେଇ ଆସିଲେ। କଫି କପ୍ ଟି ଧରିଲି , ତଥାପି ପିଇବାକୁ ଇଚ୍ଛା ହେଉ ନଥାଏ। ବନ୍ଧୁପତ୍ନୀଙ୍କୁ ସରୋଜର ମୃତ୍ୟୁର କାରଣ ପଚାରିଲି। ସେ ଯାହା କହିଲେ ତାହା ମୋ ପାଇଁ ସମ୍ପୂର୍ଣ୍ଣ ଅବିଶ୍ବାସନୀୟ ଥିଲା। ସେ କହିଲେ," ଆଜକୁ ଦୁଇବର୍ଷ ତଳେ ଭୁବନେଶ୍ବର ଯିବା ବାଟରେ ଏକ ବାଇକ୍ ଦୁର୍ଘଟଣାରେ ସେ ଆରପାରିକୁ ଚାଲିଗଲେ।" ଏତିକି କହି ସେ ପୁଣି କାନ୍ଦିବାକୁ ଲାଗିଲେ। ତାଙ୍କୁ ମୁଁ ଅନେକ ବୁଝେଇବାକୁ ଚେଷ୍ଟାକଲି କିନ୍ତୁ କହିପାରିଲି ନାହିଁ ଯେ ସପ୍ତାହେ ତଳେ ସରୋଜ ଓ ମୁଁ ମିଶି କଫି ପିଇଥିଲୁ ବୋଲି। ଅନିଚ୍ଛା ସତ୍ତ୍ବେ ବନ୍ଧୁପତ୍ନୀ ଦେଇଥିବା କପେ କଫିକୁ ଢକ ଢକ କରି ପିଇଗଲି। ତା ପରେ ବନ୍ଧୁଘରୁ ଫେରିଆସିଲି।ଆଉ ତା ପରଠୁ କଲେଜ ବେଳର ସେଇ ବନ୍ଧୁ ସହ ମୋର ଆଉ ଦେଖା ହୋଇନାହିଁ।