Arati Sahoo

Abstract Tragedy

3  

Arati Sahoo

Abstract Tragedy

କିନ୍ନରୀ

କିନ୍ନରୀ

5 mins
206



 ପାରୁଲ ନିରବରେ ଦେଖୁଥିଲା ଏ ଦୃଶ୍ୟ । ଦେଖିବାକୁ ବାଧ୍ୟ ସେ , କରିବାକୁ ବାଧ୍ୟ ଏମିତି କଦର୍ଯ୍ୟ ବ୍ୟବହାର । ଏସବୁ କେଜାଣି ପଶୁ ସମାଜରେ ବି ଘଟୁଥିବ କି ନାହିଁ । ସାମନାରେ ଏଇ ଯେଉଁ ପଡି଼ ରହିଛି , ସେଇଟା ମଣିଷର ଶବଟିଏ ତ ? ମୃତ୍ୟୁ ପରେ " କେ କାନ୍ଦିବ ଦିନ ଦଶରେ କୁମର .." ଏହି ମନୋଭାବ ଏଠାରେ କୌଣସି କାମକୁ ନୁହେଁ। ଆଃ ...., 


 ସମସ୍ତେ ଜୋତା ଚପଲରେ ମାରି ମାରି ଭୈରବୀ ଦିଦିର ସ୍ପନ୍ଦନ ହୀନ ଶରୀର ଟିକୁ ଦଳି ଚକଟି ଚାଲିଛନ୍ତି ହିଂସ୍ର ହୋଇ । ତା ଉପରେ ଆହୁରି ଅଶ୍ରାବ୍ୟ ଗାଳି ବର୍ଷଣ । ଏପରି ଘୃଣ୍ୟ ଅସ୍ପୃଶ୍ୟ ଶରୀର ନେଇ ଭୈରବୀ ଆଉ ଧରାରେ ଜନ୍ମ ନ ନେଉ । ସେଇଥିପାଇଁ ତାର ଶରୀରକୁ ଏ ଦଣ୍ଡ ।


 ରାତ୍ରିର ବିଳମ୍ବିତ ପ୍ରହରରେ ଆକାଶ ମଧ୍ୟ ଉଦାସ । ତାରାଗଣ ମନ ଦୁଃଖରେ ମିଟି ମିଟି ହୋଇ ସାକ୍ଷ୍ୟ ଦେଉଥାଆନ୍ତି ଏ କରୁଣ ଦୃଶ୍ୟକୁ । ପବନ ସ୍ଥିର , ଶବ୍ଦ ସ୍ଥିର , ଦୁନିଆ ସ୍ଥିର । ଅନ୍ଧାରୀ ଜୀବ ମାନଙ୍କର ବିଦାୟ ମଧ୍ୟ ଅନ୍ଧାରରେ । ଲୋକ ଲୋଚନର ଅନ୍ତରାଳରେ । ଶବଯାତ୍ରା ଏକ କ୍ଳୀବର !!! ମନର ଶୋକ , କୋହକୁ ଚପେଇ ରଖି ବିଭତ୍ସ ଭାବରେ ହସିବାକୁ ହେବ । ଆନନ୍ଦ ଉଲ୍ଲାସର ଛଦ୍ମ ମୁଖା ନେଇ ମହା ସମାରୋହରେ ଆଗେଇ ଯିବାକୁ ପଡ଼ିବ । ବିକୃତ ଶରୀର ନଷ୍ଟ ହେଉ ବୋଲି ଆରାବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ପଡ଼ିବ । ମୃତ୍ୟୁରେ ମଧ୍ୟ ଉତ୍ସବ ମୁଖରିତ ହେବାକୁ ପଡ଼ିବ ।


 ଦିନ ଆସିବ ପାରୁଲର ଜଡ଼ ଶରୀରର ଏହିପରି ଅବସ୍ଥା ହେବ । ନାତ ମାରୁଥିବେ ଅନ୍ୟାନ୍ୟ କିନ୍ନର କିନ୍ନରୀ । ଶରୀରଟି ଗଡ଼ି ଯାଉଥିବ ଏପାଖ ସେପାଖ । ଛେପ ପକାଉଥିବେ ତା ଉପରେ । ରାତ୍ରିର ଅନ୍ଧକାରରେ ତାର ବି ପ୍ରେତ ବିଦାୟ ହେବ ଏହି ପ୍ରକାର । ଠାକୁରେ , ପାରୁଲର ଆତ୍ମାକୁ ସୁୁସ୍ଥ ମଣିଷ ଶରୀରଟିଏ ଦେବ ଆର ଜନ୍ମକୁ । ଏହି ଦୋହରା , ଦୋକୁଳିଆ ଶରୀର ନୁହେଁ । 


 କି ଜଘନ୍ୟ ପରିଣତି ? ପ୍ରକୃତିର ହେଉ ଅଥବା ଈଶ୍ୱରଙ୍କ ହେଉ , କେତେ ଅବିଚାର କେତେ ଅନ୍ୟାୟ ସତରେ ତାଙ୍କ ସହିତ । ତାଙ୍କୁ ସମ୍ପୂର୍ଣ୍ଣ ମନୁଷ୍ୟ ହେବାରୁ ବଞ୍ଚିତ କରିଛନ୍ତି କେଉଁ ପ୍ରାରବ୍ଧରୁ ।


 ଏହାହିଁ ଏହି ଭୈରବୀ , ପାରୁଲ ମାନଙ୍କର ନିୟତୀ । ଏମାନେ ମଣିଷ ହେଇ ମଣିଷ ନୁହନ୍ତି । ଏମାନେ ପୁରୁଷ ନୁହନ୍ତି , ନାରୀ ନୁହନ୍ତି , ଏମାନଙ୍କର ମନ ଥାଇ ମନ ନଥାଏ , ଏମାନଙ୍କର ହୃଦୟ ଥାଇ ହୃଦୟ ନଥାଏ , ଏମାନଙ୍କର ଜୀବନ ଥାଇ ବି ଜୀବନ ନଥାଏ । ଅବହେଳିତ , ଘୃଣ୍ୟ , ନର୍କ କୀଟ ତୁଲ୍ୟ ଏ ଜୀବନକୁ ଜୀବନ କୁହା ଯିବ କି ? ସଭ୍ୟ ସମାଜ ନିମନ୍ତେ ଅସ୍ପୃଶ୍ୟ ଗୋଟିଏ ଗୋଟିଏ ଜୀବନ୍ତ ଶବ ଏମାନେ । 


- ପାରୁଲ୍ , ବେଶି ଦୂରକୁ ଯିବୁନୁ ଖେଳିବା ପାଇଁ ।


ମାଆ ଗୋଡେ ଗୋଡେ ଜଗିଥାଏ । ତାର ସାଙ୍ଗ ମାନେ ଦୂରକୁ ଖେଳିବାକୁ ଗଲେ ସେ ମନମାରି ଘରକୁ ଫେରି ଆସେ । କଟକ ତେଲେଙ୍ଗା ବଜାରରେ ତାଙ୍କର ଘର । ତାକୁ ବି ଡର ମାଡେ । ସେ କିମ୍ଭୁତ କିମାକାର ଛୁଟ୍ଟନ ଦାଦା ଆଉ ଗୋଲାପୀ ପାଉଡର ମଖା , ଗୋଲାପୀ ପତଳା ଶାଢ଼ୀ ପିନ୍ଧା ସେହିି ଡେଙ୍ଗି କେତକୀ ମାଉସୀ ଆସିଲେ । ମାଆ ତାକୁ ପଛଆଡେ ଲୁଚେଇ ଦିଏ । ସେ ବି ମାଆ ଗୋଡ଼ ସନ୍ଧିରେ ଲୁଚି ଯାଏ । 


 ସେମାନେ ଗଲାପରେ ମାଆ ଢେର୍ କାନ୍ଦେ ତାକୁ ଆଙ୍କୁଡେଇ ଧରି । ଏତେ ଯୋର ସେ ଚାପି ଧରେ ଯେ ପାରୁଲ ନିସାରାଣିଆ ହେଇ ଯାଏ । 


 ବାପା ଘରକୁ ଆସିଲେ ମାଆ ଆହୁରି କାନ୍ଦେ । ମାଡ଼ ଖାଏ । 


ବାପା କୁହେ ,


- ପାରୁଲକୁ ଯିବାକୁ ହେବ ଏଥର । ଧୀରେ ଧୀରେ ସାହିରେ କଥା ଉଠିବ , କଥା ବଢ଼ିବ । 


  ପାରୁଲ ବୁଝି ପାରେ ନାହିଁ । ସେ କୁଆଡ଼େ ଯିବ । ସେହି କେତକୀ ମାଉସୀ ସାଙ୍ଗରେ କି । ଆକ୍ , ଛିଃ , ସେ ଆସିଲେ ବେଳେବେଳେ ପାରୁଲକୁ କୁଣ୍ଢେଇ ପକାଏ । ତାର କଣ୍ଟା କଣ୍ଟା ଝାଳୁଆ ଦେହ , ଛିଃ । ପାରୁଲ ଯାଇ ଗାଧେଇ ପଡେ ଗାମୁଛାରେ ରଗଡ଼ି ରଗଡ଼ି । ଆଞ୍ଚୁଡି଼ ହେଇ ଲାଲ୍ ହେଇଯାଏ ତାର ଦେହ । ତଥାପି ଝାଳଗନ୍ଧଟା ନେସି ହେଇ ରହିଯାଏ ପାରୁଲ ଦେହରେ । 


 କାହାଘରେ ପୁଅ ହେଲେ , ଛୁଟ୍ଟନ ଦାଦା ଆସେ ତାର ଦଳବଳ ନେଇ । ସ୍ନୋ ପାଉଡର ରଙ୍ଗବୋଳା ତାଳି ବାଡ଼ଉଥିବା ଡେଙ୍ଗୀଡେଙ୍ଗୀ , ଗୋଲାପୀ ଗୋଲାପୀ ସରୁମୁହିଁ ଝିଅ ମାନଙ୍କୁ ନେଇ । ଢୋଲ ମୃଦଙ୍ଗ ପିଟି ପିଟି କାନ ଅତଡ଼। କରି ଦିଅନ୍ତି । ଅଜବ ଢଙ୍ଗରେ ଗୀତ ବୋଲି ଛୁଆ ପୁଅକୁ ଏ କୋଳରୁ ସେ କୋଳକୁ ନଚାନ୍ତି । ପଇସା ମାଗନ୍ତି । ନଦେଲେ ଅଜବ ବ୍ୟବହାର କରନ୍ତି ।ପାରୁଲର ସାଙ୍ଗ ମାନେ ଧାଇଁ ଯାଆନ୍ତି ଖୁସିରେ ତାଙ୍କୁ ଦେଖିବା ପାଇଁ । ପାରୁଲ୍ ଭୟରେ ଆସି ଲୁଚେ ତା ମାଆ କୋଳରେ । ତା ମାଆ କହିଛି , ଏମାନେ ବସ୍ତାବାୟା । ବସ୍ତା ଭିତରେ ପୁରେଇ ନେଇ ଯିବେ ।


 ଖେଳୁଖେଳୁ ପାରୁଲକୁ ଏକ ଲାଗେ । ତାର ସାଙ୍ଗ ମାନେ ସେହି ବସ୍ତି ରାସ୍ତା କଡରେ ବସି ଯାଆନ୍ତି । ହେଲେ ମାଆ ତାକୁ ମନା କରିଛି । ସେ ଧାଏଁ ଘରକୁ । ବେଳେବେଳେ ତାର ପ୍ୟାଣ୍ଟ ଓଦା ହେଇଯାଏ । ମାଆ କେବେ ହେଲେ ଗାଳି କରେନା , ଏମିତି ହେଲେ । ତାର ପ୍ୟାଣ୍ଟ ବଦଳିଦିଏ । ଛିଃ , ତାର ସାଙ୍ଗ ମାନେ ଦୁଷ୍ଟ । ରାସ୍ତାରେ ଏକ କରୁଛନ୍ତି ।


 ତାର ଗୋଟିଏ ଭାଇ ଆସିଲା । ସେହି ସରକାରୀ ଡାକ୍ତର ଖାନାରୁ । ପାରୁଲ୍ ଖୁସି । ମାଆ ବି ଖୁସି , କିନ୍ତୁ ପାରୁଲ ପାଇଁ ବେଶି ଯତ୍ନ ତାର । ତାର ହେପାଦସ୍ତ ବେଶି ନିଏ ।


 ଭାଇ ବଡ଼ ହେଲା , ପାରୁଲ ବି ବଡ଼ ହେଲା ।


 ଛୁଟ୍ଟନ ଦାଦା ଆଉ କେତକୀ ମାଉସୀ ବେଶି ବେଶି ଆସିଲେ । ମାଆ ବେଶି ବେଶି କାନ୍ଦିଲା । ବାପା ବେଶି ବେଶି ପିଇକି ଆସିଲା , ମାଆକୁ ବେଶି ବେଶି ମାରିଲା । 


  ପାରୁଲ୍ ଆଉ ବଡ଼ ହେଲା । ତା ଭାଇ ଆଉ ବଡ଼ ହେଲା । ତାର ସାଙ୍ଗ ମାନେ ଆଉ ବଡ଼ ହେଲେ । ଭାଇ ସ୍କୁଲ ଗଲା । ପାରୁଲର ସ୍କୁଲ ଯିବା ବନ୍ଦ ହେଲା । ମାଆ ମନା କଲା ଯିବାକୁ । ବାପା ମନା କଲା ଯିବାକୁ ଆଉ ପାରୁଲର ବି ଇଚ୍ଛା ମରି ଯାଇଥିଲା । ସେ ଅଲଗା ପ୍ରକାର ଦିଶୁଥିଲା । ଆଇନାରେ ଦେଖିଲେ ତାକୁ କେତକୀର ମୁହଁଟା ଦିଶୁଥିଲା । ଗାଲ କଣ୍ଟା କଣ୍ଟା ଲାଗୁଥିଲା । ସେ ସାବୁନ ଲଗେଇ ଗାଲକୁ ରଗଡ଼ି ଲାଲ୍ କରି ଦେଉଥିଲା । ସେ ଆହୁରି କେତକୀ ପରି ଦିଶୁଥିଲା ।ଗୋଲାପୀ ଗୋଲାପୀ ।


ତାର ସାଙ୍ଗ ମାନେ କିନ୍ତୁ ତାଠାରୁ ଅଲଗା ପ୍ରକାର ଦିଶୁଥିଲେ ।


  ପାରୁଲ୍ କାନରେ କଣ କଣ ଶବ୍ଦ ମାନେ ଆସି ତାର ମନକୁ ଆଘାତ ଦେଲେ । ସାଙ୍ଗ ମାନେ ଚୁପି ଚୁପି କଥାବାର୍ତ୍ତା ହେଲେ । ପାରୁଲକୁ ଦେଖିଲେ ତୁନେଇ ଗଲେ , ଘୃଣାରେ ଆଡେଇ ଗଲେ । ପାରୁଲ୍ ଆଉ ଦାଣ୍ଡକୁ ଗଲା ନାହିଁ । ନିଜ ଶରୀରକୁ ନେଇ ଅନେକ ତର୍ଜମା କଲା , ବଚସା କଲା ନିଜ ସହିତ । ପ୍ରଶ୍ନ କଲା , ଉତ୍ତର ପାଇଲା ନାହିଁ । ଘୃଣା କଲା ନିଜକୁ ।


  କ୍ରମେ ସେ ସବୁ ଜାଣି ପାରିଲା । ସବୁ ବୁଝି ପାରିଲା । ମାଆ କାନ୍ଦର ଅର୍ଥ । ବାପ ମାଡ଼ର କାରଣ । ତାର ଶରୀରର ବିକୃତି । ଛୁଟ୍ଟନ ଆଉ କେତକୀର ଆସିବାର ଅଭିପ୍ରାୟ । 


 ନିଷ୍କର୍ଷ ବାହାର କଲା ଯେ , ସେ ଏଇ ଦୁନିଆର ମଣିଷ ନୁହେଁ । ତାର ବ୍ୟକ୍ତିତ୍ୱ ଭିନ୍ନ , ତାର ଦୁନିଆ ଭିନ୍ନ । ସିଏ ପରିବାରରେ ରହିବା ମଣିଷ ନୁହେଁ , ମୋଟକଥା , ସେ ମଣିଷ ହିଁ ନୁହେଁ । ତାକୁ ଯିବାକୁ ହେବ । ତାର ନିଜର ଦୁନିଆକୁ । 


ନିଷ୍ପତ୍ତି ନେଲା ସେ । ଯେଉଁ ନିଷ୍ପତ୍ତି ତାର ବାପ ନେଉଥଲା ଆଉ ତା ମାଆ ନେଇ ପାରୁ ନଥିଲା । ସେ ତ୍ୟାଗ କଲା ସମାଜ , ଯେଉଁ ସମାଜ ତାକୁ ତ୍ୟାଗ କରି ସାରିଥିଲା କେବେଠାରୁ । ଆପଣେଇ ନେଲା ଛୁଟ୍ଟନକୁ , ଆପଣେଇ ନେଲା କେତକୀକୁ ଆଉ କେତକୀ ପରି ଆହୁରି ଅନେକ ଚମ୍ପା , ଚମେଲୀ , ଗୋଲାପ , ସେବତୀ ମାନଙ୍କୁ । ସେ ଏହି ସମାଜରେ ନିଜର ସୁଗନ୍ଧ ଚହଟେଇବ । 


 ଘର ଛାଡ଼ିଲା ବେଳେ ହସୁଥିଲା ଛୁଟ୍ଟନ , ହସୁଥିଲା କେତକୀ । ଖୁସି ହେଉଥିଲେ କବାଟ ଫାଙ୍କରୁ ଦେଖୁଥିବା ତାର ପାଖ ପଡୋଶୀ । ଖୁସି ଥିଲା ତାର ବାପା ।ହେଲେ  କାନ୍ଦୁଥିଲା ତାର ମମତା ମୟୀ ମାଆ । ପାରୁଲ ଜାଣି ପାରୁ ନଥିଲା ତାର ପ୍ରତିକ୍ରିୟା କଣ ହେବା ଉଚିତ ।


 କ୍ଳୀବତ୍ଵର ସାର୍ଟିଫିକେଟ ମିଳିଛି ତାକୁ ଆଜି !!!!


Rate this content
Log in

Similar oriya story from Abstract