STORYMIRROR

Lopamudra Parida

Abstract Action Inspirational

3  

Lopamudra Parida

Abstract Action Inspirational

କିଛି କଥା

କିଛି କଥା

4 mins
137

ଲେଖିବାକୁ ବସିଲେ ପ୍ରଜ୍ଞା ।ଯାହା କହି ହୁଏନି କାଳେ ଲେଖି ହୁଏ,ହାଲୁକା ଲାଗେ .... ଏମିତି ବିଶ୍ବାସ ଟେ ମଞ୍ଜି ପୋତିଛି ଧାରଣାରେ ତାଙ୍କର ।ମୁକୁଳିବାକୁ ଛଟପଟ ଏଇ ଚିରାଚରତା ଶିଙ୍କୁଳି ର ଗରମ ନିଶ୍ବାସ ବେଢା ରୁ ।

ଶବ୍ଦ ସବୁ ରୂପ ନେଇ ଲହଡି ଈଡି ପଡୁ ଥିଲେ ଅଦୃଶ୍ୟ ରେ ଏଇ କିଛି କ୍ଷଣ ଆଗରୁ । ଯେତେବେଳେ ଯେତେବେଳେ ସିଏ ଭୋଗୁଥାନ୍ତି କିଛି, ସୃଜନ ଗଢିହେଉଥାଏ.....ଜଳଛାୟା ର ଶ୍ରୁତଲେଖରେ ।ଭାବନ୍ତି ଧରାଦେଉ କାଳି ଓ ଆଧାରଛନ୍ଦା କାଗଜ ଖାଲି ,ଢାଳିଦେବେ ଇୟତାବିହିନ ହୋଇ । ହେଲେ ହଜି ଯାଇଥାନ୍ତି ତ ଶବ୍ଦ ତକ ସେଇ ମୂହୁର୍ତ୍ତ ସବୁକୁ ଦମ୍ଭ ଦେଉ ଦେଉ ହାତରେ ହାତ ଛନ୍ଦି ......ତାଙ୍କର ବା କୋଉ ଇଛ୍ଛା ଟା ଥାଏ ଯେ ଲିପିବଦ୍ଧ ହେବାକୁ, ସେମାନେ ଅପେକ୍ଷା କରନ୍ତେ !

ବନ୍ଧନ ବା କାହାକୁ ଭଲ ଲାଗେ ! ସିଏ ଶବ୍ଦ ହେଉ କି ବସ୍ତୁ ।

କିନ୍ତୁ ପ୍ରକୃତରେ କଣ ସେଇଟା ସତ? ଯଦି ହଁ ତେବେ ଅନେକ ଅନୁଭବ, ଅନୁଭୂତି ର କଥା କେବଳ ଭୋଗିହୁଏ, ଭିଜି ହୁଏ,ମିଳେଇ ଭାଙ୍ଗି ହୁଏ .... ଆହୁରି ଅସରନ୍ତି ଏମିତି ମୂହୁର୍ତ୍ତ ଥାଏ ଯାହା ନିଜେ ନିଜକୁ ବ୍ଯକ୍ତ କରିହୁଏ କି ( ? ) ଯେ ଶବ୍ଦ ରୂପରେ ଭେଟିବ !

ବେଳେବେଳେ କିଛି ସଜାଡିବାକୁ ନୂଆ କରି ଗଢିବାକୁ ହେଲେ ଭାଙ୍ଗିଦେବାକୁ ହୁଏ ଆଗର ସିମେଣ୍ଟରଙ୍ଗଛଡା, ପୋକଲଗା, ଶିଉଳି ଦନ୍ଥରା ପାହାଚ ତକ କୁ ।ନହେଲେ ହଜାରେ ଦଫା ଝୁଣ୍ଟି ବୁଢା ଆଙ୍ଗୁଠି କଣ ନଖା ଫାଟି ପଚୁଥିବ ସିନା ଆଉ କଷ୍ଟ ତକ କଣ କୁଆଡେ ଛୁ ହେଇଯିବ କି ?

କଷଣ : ମଣିଷ କୁ କରେ ପାଷାଣ ।

ନିହାଣ ମୁନରେ ପିଟୁଥାଏ ସମୟ ,କଠୋର କରି ।ଝରିଯାଉଥିବା ଧାର ରୁଧିରକୁ ତିଳେ ଭୃକ୍ଷେପ କରି ବାରବାର ନିକ୍ଷେପୁଥାଏ ଗଭୀର ଗର୍ତ୍ତକୁ ।କଣ ବୁଝେଇବାକୁ ଚାହେଁ କେଜାଣି? ଯିଏ ସହେ, ତାକୁ ସିଏ ପାରେ ବୋଲି ଚୁପ ରହେ ......ଭାବିନିଏ ଜୀବନ .... ପୁଣି ପୁଣି ଲଦୁଥାଏ ବସ୍ତାର ଶେଷ ବଳକା କଣ୍ଟା ଟି ଥିବା ଯାଏ ।ହେଲେ କାହିଁକି?

ପ୍ରାରବ୍ଧ, କର୍ମ, ଆଉ କଣ କଣ ସବୁ ଗୋଲମାଳିଆ ଶବ୍ଦ ଜାଲରେ ଗୁଡେଇତୁଡେଇ ଲାଗିଲେ ବି ବିଶ୍ବାସ କରିନିଏ ମନ ଏ ଗୋଲକଧନ୍ଦାକୁ ...... କ୍ଷଣିକ ପାଇଁ ହେଲେ ବି ଭାବେ, " ହଁ ହୋଇପାରେ ..... କାହାର ଗୋଟେ କର୍ମ ର ଛାଇ, ଠିକ୍ ଓଟ ପିଠିରେ ଲାଖି ଥିବା ଅଯଥା କୁଦ ଟି ପରି " ।

ଅଣନିଶ୍ବାସୀ ହବା ମାନେ ନିଶ୍ବାସ କୁ ଭାଗ ଭାଗ କରି ସଞ୍ଚି ସଞ୍ଚି ନେବା ନୁହେଁ ।ଅମ୍ଳଜାନ ର ଅମୃତ ସ୍ପର୍ଶ ନ ମିଳିବା ହୋଇପାରେ ଆକ୍ଷରିକ କିନ୍ତୁ ତାର କାରଣ ସବୁ ସେଇ ଛାତି ଭିତରେ ଥାନ୍ତି ।ଦିଶେନି ଉପରକୁ ରଙ୍ଗହୀନ ସେ ସବୁ ,ହେଲେ ଦିଶେ ଧଡପଡ ହୋଇ ଉଠପଡ ଲଢୁଥିବା ଧାପେ ପବନ ର ରହିଯିବାର ଚେଷ୍ଟା ସେଇ ଅଳିନ୍ଦ ନିଳୟ ତଳେ ।କିଏ ପେଲେ? " ନା ତୁ ବାହାରି ଯା" କହେ ।

କିଏ ଇଚ୍ଛା କରି ରହିପାରେ ଯେ ନା ଇଛ୍ଛା କରି ଚାଲିଯାଇପାରେ? ଇଛ୍ଛା ଗୁଡା ତୁଛ୍ଛା ମୋହ ।

ମୋହ ଶୂନ୍ଯ ଦିଶୁଥିବା, ଶୁଭୁଥିବା ସେଇ ଶରୀର ଟି ପଡିଥିଲା ମୁଠାଏ ନିଶ୍ବାସ କୁ ଜୋର କରି ଧରିରଖିବାର ମୋହକୁ ଛାତି ତଳେ ଚାପି ଧରି ।

କଣ ପାଇଲେ ସିଏ ?କଣ ବା ନ ଢାଳି ଦେଇଛନ୍ତି ଜୀବନ ସାରା ! ଏମିତି କି ଏବେ ଏ ଅବସ୍ଥା ରେ ସେଇ ମାନଙ୍କୁ ନେଇ ଭାବୁଛନ୍ତି, ଝୁରୁଛନ୍ତି ଯେ ତାଙ୍କ ଅନ୍ତେ କେମିତି ଚଳିବେ ସେମାନେ? ଯୋଉମାନେ କି ଥରେ ପଚାରନ୍ତି ବି ନାହିଁ କି " ତୁମେ ଜୀଇଁଛ ତ ! " ..... ଯେତେବେଳେ କି ତାଙ୍କର ଭାବିବା କଥା ତାଙ୍କର ଏକମାତ୍ର ସବୁଥିରେ ଅଳ୍ପ ଥିବା ଦୁନିଆ ଆଖି ରେ ନିକମ୍ମା, ଅପାରଗ ପୁଅଟି ପାଇଁ ।ଭାବିବା କଥା ଯେ ଏତେ ନିର୍ମାୟା ଏ ପ୍ରାଣୀ ଟି ଏ କଣ୍ଟା ଜଙ୍ଗଲ ଘେରର ଦନ୍ତଧାରି ଜନ୍ତୁ ମାନଙ୍କ ମଝିରେ ଜୀଇଁବ କେମିତି? ସିଏ କିନ୍ତୁ ଭାବୁଥିଲେ, " ତାଙ୍କ ବାପାଙ୍କ ପାଦ ଛୁଇଁ ନେଇଥିବା ଶପଥ କଥା ।" ଭାଇ ମାନଙ୍କୁ ଚାହିଁବି ।"

ଲୁଟି ହେଇ ସାରିଲା ପରେ ବି କଣ ଭାଇ ମାନେ ତୁମକୁ ଚାହିଁଲେ?

ମଣିଷ ଶପଥ ନବାକୁ କିଏ ? ଈଶ୍ବର କଣ ଭାଙ୍ଗ ଖାଇ ଶୋଇବେ ମଣିଷ ଯଦି ନିଜେ ଶପଥ ନେଇ ସବୁ ଓଲଟେଇପକେଇବ! ହେଲା ଯଦି ତମର ଦୂର ଦୃଷ୍ଟି ସେତେ ପାରଗ, ତମେ ତୁମ ଆୟୁଷ ଓ ଭବିଷ୍ୟ ର ସବୁ ଦଉଡିକୁ ଜିତିଛ ତାହେଲେ ନଉନ କେତେ ପ୍ରତିଜ୍ଞା ନବ ।ନବାକୁ କିଏ ରୋକିଛି ।ହେଇଯାଅ ଭୀଷ୍ମ, ଆଉ ଚାଲିଥାଉ ମହାଭାରତ ଚାରିଯୁଗକୁ ।ଛେଃ ।କିଏ ବୁଝେଇବ! ଜନ୍ମ କଲା ପିଲାକୁ ନ ଚାହିଁ କହିଲେ କଣ ନା ମୁଁ ଶୂନ୍ଯ ରୁ ମାଟି ଆଣି ନିଜେ ଗଢି ହେଇଛି ଯେତେବେଳେ ତୁ ବି ପାରିବୁ ।ମୋର କର୍ତ୍ତବ୍ୟ ଶେଷ ।ଧନ୍ୟ ।

ଆଉ ଯୋଉ ମାନଙ୍କ ପାଇଁ ଓଜାଡି ହେଇ ସରିଯାଉଛନ୍ତି ସେମାନେ ଏଇ କ୍ଷଣରେ ଜାଣନ୍ତି ବି ନାହିଁ ଯେ ପଡିଯାଉଥିବା ଏ ହାତ ପାଦ ଅଚଳ ହେବାକୁ ଆଉ ମୂହୁର୍ତ୍ତ ଟେ ।ସେମାନେ ତ " ଆହୁରି ଦେଉ ,ନହେଲେ ଯାଉ " ର ନ୍ଯାୟ ରେ ଓଲଟା ଅଭିମାନ ବାନ୍ଧି ବସିଛନ୍ତି ଯେ ," ଅଛି ବୋଲି ଦଉଛି ନା ।କଣ କରିଛି କି ଆମର ,ସୁଉକିଏ ର ସାହାଯ୍ୟ କରିଛନ୍ତି ନା ଆଗେ! "

ପୁରା ଜୀବନ ର ପୁଞ୍ଜି, ସମୟ, ତ୍ଯାଗ, ଏ ସବୁ ର ମୂଲ୍ୟ ଦଶ ନୂଆ ପଇସା ଠୁ ହୀନ ।ଯଦି ତୁମ ତପସ୍ୟା ର ମୂଲ୍ୟ କଣା ପଇସା ମଝି ଦେଇ ବାହାରିଗଲା, ମିଳେଇ ଗଲା କୁଆଡେ..... ତମେ ମୋର ମୋର କହି ହାମୁଡି ପଡିବା କଣ ମୋହ ନୁହେଁ ।ଏତେ କଲା ପରେ ଶେଷକୁ .......

କ୍ଷମା କରାଯାଉ, ମାତ୍ର ଅପାତ୍ର କୁ କିଆଁ ? ବାରମ୍ବାର କିଆଁ ?

ଭାବୁଥିଲେ ପ୍ରଜ୍ଞା ତାଙ୍କ ସାମ୍ନା ଖଟରେ ଅଚେତ ପ୍ରାୟ ପଡିଥିବା ଏଇ ମଣିଷ ଟିକୁ ଚାହିଁ ଯାହାଙ୍କ ହାତ ଧରି ସିଏ ଚାଲିବା ଶିଖିଛି ।ମନେ ପଡିନାହାନ୍ତି ତାର ସେଇ ବାପାଙ୍କ ଅତି ପ୍ରିୟ ମାନେ ଏ ଧାଁ ଧଉଡ ପାଦ ଝୁଣ୍ଟା ସମୟ ରେ ।ସିଏ ଜାଣିଛି କେବଳ କେତୋଟି ତୀକ୍ଷ୍ଣ ପ୍ରଶ୍ନ ଶର ଛଡା ଆଉ ବା କଣ ଥାଏ କି କେବେ ସେମାନଙ୍କ ତୂଣୀରରେ ! ଆଶା ବି ନଥିଲା ସାନ୍ତ୍ବନା ପଦଟେ ପାଇଁ ।ଇଛ୍ଛା ବି ନଥିଲା ଏ ସବୁ ପାଇଁ ଆଉ ।ମେଲୋଡ୍ରାମା ।

ତାକୁ ଆଉ ତାଠୁ ସାତ ସାନ ଭାଇଟିକୁ ହିଁ ବାହି ନେବାକୁ ହେବ ଏ ଅଥର୍ବ ସମୟ କୁ କାନ୍ଧରେ ଥୋଇ ।ଟାଣ ହେବାକୁ ହି ହେବ ।ନ ଚାଲିଲେ ନାଚାର ।

ଶେଷ ସପ୍ତାହ ସାରା ଜୀଇଁଛି ନା ସିଏ ଭୁଲି ସାରିଥିଲା ।ନିଜର ସତ୍ତା ପାଇଁ ମନ ପାଶୋରି ସାରିଥିଲା ନିଜ ଅସ୍ତିତ୍ଵ ।ଲଢୁଥିଲେ ବାପା ନିଶ୍ବାସ ସହ ଅହରହ ।ରୁନ୍ଧି ହେଉଥିଲେ ସନ୍ତାନ ଦୁଇ ଅସହାୟ ଭାବେ ମେଡିକାଲ ର ପଞ୍ଚମ କାନ୍ଥ ତଳେ ।ଏସି ଷୋହଳରେ ଥାଇ ବି ଲୁହ ବହୁଥିଲେ ।ବାଷ୍ପ କରିପାରୁନଥିଲା ହେମାଳତା ।

ଚାଲୁଥିଲା କିନ୍ତୁ ଘଡି ।ରାତି ଦୁଇ ।କହୁଥିଲା ଟିକ୍ ଟକ୍ କରି ।ଉଠିଲେ ପ୍ରଜ୍ଞା ।ଲେଖି ନ ଥିଲେ କାଳି ର ଛିଟଟେ ବି ।ଭାବନାରୁ ଓହରିଲେ ।

ପ୍ରତି ଦୁଇ ଘଣ୍ଟା ରେ ବିପି ମାବିବାକୁ ହେବ ।ରାତି ଡିଉଟିରେ ଥିବା ସିଷ୍ଟରକୁ ଡାକିବାକୁ ହେବ ।



Rate this content
Log in

Similar oriya story from Abstract