STORYMIRROR

UPASANA PATTANAYAK

Abstract Children Stories Inspirational

3  

UPASANA PATTANAYAK

Abstract Children Stories Inspirational

କି ଉଦାହରଣ

କି ଉଦାହରଣ

2 mins
214

ରସାୟନ ବିଜ୍ଞାନର ଜଣେ ସୁନାମଧନ୍ୟ ପ୍ରଫେସର ଦୟାନିଧିଙ୍କର ପିଲାଙ୍କୁ ପଢେଇବାରେ ଯେ ଦକ୍ଷ ଥିଲେ କେବଳ ସେତିକି ନୁହେଁ ପିଲା ମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ମାର୍ଗ ଦର୍ଶନ କରେଇବାରେ ମଧ୍ୟ ବହୁତ ଦକ୍ଷ ଥିଲେ। 


ଥରେ ପ୍ରଫେସର ଶ୍ରେଣୀକୁ ଆସିବା ବେଳେ ସାଙ୍ଗରେ ଚାଳିଶ କି କାଚ ଗିଲାସ ନେଇ ଆସିଥିଲେ। ତାଙ୍କ ଶ୍ରେଣୀରେ ମଧ୍ୟ ଥିଲେ ଚାଳିଶ କି ଛାତ୍ରଛାତ୍ରୀ। ଏହି ଚାଳିଶ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ପ୍ରିୟଂସ କୁ ଡାକି ପ୍ରଫେସର କହିଲେ – “ପ୍ରତି ପିଲାର ଟେବୁଲ ଉପରେ ଗୋଟିଏ ଲେଖାଏଁ କାଚ ଗିଲାସ ରଖିଦିଅ।”


ପ୍ରଫେସରଙ୍କ କଥା ଅନୁସାରେ ପ୍ରିୟଂସ ସମସ୍ତଙ୍କ ଟେବୁଲ ଉପରେ ଗୋଟିଏ ଲେଖାଏଁ କାଚ ଗିଲାସ ରଖିଦେଲା। ତା’ପରେ ପ୍ରଫେସର ପାଠ ପଢାଇବା ଆରମ୍ଭ କଲେ। କିନ୍ତୁ ପିଲାଙ୍କର ସେଦିନ ପାଠପଢାରେ ମନ ନ ଲାଗି କାଚ ଗିଲାସ ଟି ରଖିବାର କାରଣ ଖୋଜିବାରେ ମନ ଥିଲା। ତାଙ୍କ ମନରେ ବିଭିନ୍ନ ଭାବନା ଆସୁଥିଲା, ଯେମିତି – “ସାର୍ କାହିଁକି କାଚ ଗିଲାସ ଆଣିଛନ୍ତି? ପୁଣି ପ୍ରତି ଟେବୁଲ ଉପରେ ଗୋଟିଏ ଲେଖାଏଁ କାଚ ଗିଲାସ କାହିଁକି ରଖାଗଲା? କ’ଣ ହୋଇପାରେ ଏହାର କାରଣ?”


କିଛି ପିଲାଙ୍କର କାଚ ଗିଲାସ ଦେଖି ମନରେ ଆସିଲା – ସାର୍ ମନେହୁଏ ଆଜି ସମସ୍ତଙ୍କ ପାଇଁ ଥଣ୍ଡା ପାନୀୟ ର ଆୟୋଜନ କରିଛନ୍ତି। ସାର୍ ଙ୍କର ନିଶ୍ଚୟ କିଛି ଖୁସିର ବିଷୟ ଥିବ, ତେଣୁ ଏହି ବ୍ୟବସ୍ଥା କରିଛନ୍ତି। ଏମିତି ବହୁତ ପ୍ରକାରେ ପିଲାମାନଙ୍କ ମନରେ ଭାବନା ଆସୁଥାଏ। ଶ୍ରେଣୀରେ ଚାଲିଥିବା ପାଠପଢାରେ ସେମାନଙ୍କର ମନ ନ ଥିଲା। ଶ୍ରେଣୀ ପାଖ ବାରଣ୍ଡାରେ କେହି ଚାଲିବାର ଶବ୍ଦ ପାଇଲେ ପିଲାମାନେ ଭାବୁଥା’ନ୍ତି – ଥଣ୍ଡା ପାନୀୟ ଆସିଗଲା କି?


କିଛି ସମୟ ପରେ ଜଣେ ସମିତା ନାମକ ଛାତ୍ରୀ ଆଉ ସମ୍ଭାଳି ନ ପାରି ପଚାରିଲା – “ସାର୍, ଏ କାଚ ଗିଲାସ ଗୁଡିକ କ’ଣ ପାଇଁ ଆସିଛି?”


ସାର୍ ସମିତାର ପ୍ରଶ୍ନ ଶୁଣି ଟିକିଏ ମୁରୁକି ହସି ଦେଇ କହିଲେ – “କିଛି କାରଣ ନାହିଁ। ମୁଁ ପାଠପଢା ସାରି ଗଲା ବେଳେ ପୁଣି ଏ ସବୁକୁ ନେଇଯିବି। ଏବେ ମୁଁ ପଚାରୁଛି, ବର୍ତ୍ତମାନ ମୁଁ କ’ଣ ପାଉଥିଲି, ତାହା କୁହ।”


କେବଳ ସେଇ ଛାତ୍ରୀ ନୁହେଁ, ଶ୍ରେଣୀର ଅଧିକାଂଶ ଛାତ୍ରଛାତ୍ରୀ କାଚ ଗିଲାସକୁ ନେଇ ବିଭିନ୍ନ କଥା ଭାବି ଅନ୍ୟମନସ୍କ ରହିଥିବାରୁ ପଢାହୋଇଥିବା ପାଠ ପ୍ରାୟ କିଛି ଶୁଣି ନଥିଲେ।


ପ୍ରଫେସର କହିଲେ – “ କେମିତି ଅଯଥା ଭାବନା କିଭଳି ଭାବରେ ମୁଣ୍ଡରେ ପଶି ମୁଣ୍ଡକୁ ବିଚଳିତ କରେ, ସେ କଥା ତୁମ ମାନଙ୍କୁ ବୁଝାଇବା ଲାଗି କାଚ ଗିଲାସ ଗୁଡିକ ନେଇ ଆସିଥିଲି। କାଚ ଗିଲାସ ଗୁଡିକ ଦେଖି ତୁମେମାନେ ଅଯଥାରେ କେତେ କ’ଣ ଭାବିଗଲ ଏବଂ ପାଠପଢାରେ ମନ ଲାଗିଲା ନାହିଁ କି ପାଠ ମୁଣ୍ଡରେ ପଶିଲା ବି ନାହିଁ।”



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract