STORYMIRROR

Nityananda Nandi

Romance Others

3  

Nityananda Nandi

Romance Others

କେଟରିଂ

କେଟରିଂ

3 mins
361


କେଟରିଂ.... Out sourced


ଗାଲରେ ରଙ୍ଗ ବୋଳିବା ତ ବାହାନା, ହୃଦୟକୁ ଜିତିବାକୁ ହୁଏ। ତାହା ହିଁ ବୋଧ ହୁଏ ହୋଲିର ସାର୍ଥକତା !! ମନ ଭିତରେ ଆନ୍ତରିକତାର ମହକ, ବାସ୍ନାହୀନ ହୋଲି ରଙ୍ଗ ଠାରୁ ଅନେକ ଭିନ୍ନ। ତଥା କଥିତ ଭିଜା ମାଟିର ଗନ୍ଧ କିଛି ନୁହଁ, ଯେତେବେଳେ ହୃଦୟଟା ବାସ୍ତବରେ ହୃଦୟ ପରି ବାସେ। ସର୍ତ୍ତ ର ଜାଗା କାହିଁ ! ପ୍ରେମ ହିଁ ପ୍ରେମ। ମନ ଭରିବା ପର୍ଯ୍ୟନ୍ତ। ବର୍ଷକରେ ଗୋଟାଏ ଦିନ। ଅନ୍ୟ ଦିନ ପରି ରାଗ, ରୋଷ, ଅଭିମାନ, ବ୍ଲାକ ମେଲ କରିବାର ଇଚ୍ଛାସବୁ ମୃତବତ ପ୍ରାୟ।


ୟୁନିଭରସିଟି କ୍ୟାମ୍ପସ ଉଠୁଛି, ପଡୁଛି। ସଙ୍ଗୀତ ତାଳେ ତାଳେ ଝୁମୁ ଥାଆନ୍ତି ହଷ୍ଟେଲର ସବୁ ପୁଅ ଝିଅ ମାନେ। ଆଧୁନିକ ଗୀତ ସହିତ ଚଳଚଞ୍ଚଳା ଝିଅ ମାନଙ୍କ ଠୁମକି ଅପୂର୍ବ କରୁଥିଲା ପରିବେଶକୁ। କେଟରିଂ ଆଉଟ ସୋର୍ସଡ। ଲଡୁ, ଭାଙ୍ଗ ପଣା, ମଦିରା ଠୁ ଆରମ୍ଭ କରି ଷ୍ଟାର୍ଟର ପର୍ଯ୍ୟନ୍ତ ସବୁ କିଛି ପରଶୁ ଥାଆନ୍ତି ବିନୟ ଓ ମାଧୁରୀ। ଚିକେନ, ମଟନ ଡେ଼ସାର୍ଟ ଅନେକ କିଛି। ଲିନା ପ୍ଲେଟ୍ ଧୋଇ ଚାଲିଥାଏ ରେଷ୍ଟଲେସ୍ ଭାବରେ। ଲିନା କୁ ଫୁରସତ କାହିଁ, ପଛକୁ ଅନେଇ ଦେଖିବ..ପୃଥିବୀଟା ଦେଖିବାକୁ କେମିତି !

ଆରମ୍ଭ ହେଲା ହୋଲି ବନ୍ଧୁ ମିଳନର ଚର୍ଚ୍ଚା, ଜୀବନର କିଛି କିଛି ପ୍ରେମ ମୁହୂର୍ତ୍ତର ଅନୁଭୂତିକୁ ଜଣେ ପରେ ଜଣେ ଆସି ବଖାଣିଲେ। ହୋଲି ରଙ୍ଗ ସଙ୍ଗେ ପ୍ରେମ ରଙ୍ଗର କକ ଟେଲ୍। ଜୀବନର ମାରୁଦ୍ୟାନରେ ଶୁଷ୍କ କ୍ୟାକଟସ ବି ବଞ୍ଚିବାର ସ୍ବପ୍ନ ଦେଖୁଥିଲା।

ହଠାତ, କେଟରିଙ୍ଗ ଗାର୍ଲ୍ ମାଧୁରୀ ଷ୍ଟେଜ ଉପରକୁ ଯାଇ କହିଲା ମୁଁ କିଛି କହିବି। ସମସ୍ତେ ନିସ୍ତବ୍ଧ...


ଡିଅର ଫ୍ରେଣ୍ଡସ

ମୁଁ ରମାଦେବୀ କଲେଜରୁ ବି ଏ ପାସ। କଲେଜ୍ ରାଜନୀତିରେ ଅଳ୍ପ ଅଭିଜ୍ଞତା ଅଛି ବୋଲି ଆପଣ ମାନଙ୍କ ଆଗରେ ମୋ ମନ କଥା ରଖୁଛି। ସାନ ଭାଇର ଇଞ୍ଜିନିୟରିଂ ପଢ଼ା ଖର୍ଚ୍ଚ ଭରିବା ପାଇଁ ବାପା ମା ଅସମର୍ଥ। ସେଥିପାଇଁ ମୋତେ ଏଇ କେଟରିଙ୍ଗ କମ୍ପାନୀରେ କାମ କରିବାକୁ ପଡୁଛି। ଆପଣମାନଙ୍କ ପରି ଛୁଟିରେ ରହି ହୋଲି ଖେଳିବା ପାଇଁ ବହୁତ ଇଛା ଥିଲା। 

I love Vinay, my co-worker, sitting over here. ଆମେ ଦୁଇ ଜଣ ଛୁଟି ପାଇଁ ଆବେଦନ କରିଥିଲୁ। ଗତ କାଲି Women's day ଥିଲା। ଆମ କମ୍ପାନୀର ଡାଇରେକ୍ଟର, ନାରୀ ସ୍ୱତନ୍ତ୍ରତା ବିଷୟରେ ଭାଷଣ ଦେବା ସମୟରେ ପିଅନ ମୋତେ ଛୁଟି ଦରଖାସ୍ତ ଫେରେଇଦେଲା, ଲେଖା ଥିଲା ରିଜେକ୍ଟେଡ୍, if you will not attend duty tomorrow, don't come from day after tomorrow !


ଗତ କାଲି ମୁଁ ଉପଲବ୍ଧି କଲି ମୁଁ ଜଣେ ନାରୀ ନୁହଁ, ଖାଲି ଦେଖିବାକୁ ନାରୀଟିଏ ପରି । ମୋର ପୁଣି ଅଧିକାର କଣ !! ବିନୟ ଓ ମୋ ପାଖରେ ଉପାୟ କିଛି ନ ଥିଲା। ଆପଣ ମାନଙ୍କ ହୋଲି ସେଲିବ୍ରେସନକୁ ଡିଉଟି କରିବା ପାଇଁ ଆସିଛୁ।

ଅତି ପାଖରୁ ଆପଣ ମାନଙ୍କ ଖୁସି ଦେଖି ଅତ୍ୟନ୍ତ ଖୁସି ହେଲି। ଇଚ୍ଛା ଥିଲା ଆପଣ ମାନଙ୍କ ସହିତ ମିଶି ରଙ୍ଗ ଖେଳିବା ପାଇଁ। ବିନୟ କୁ କହିଲି ଟିକିଏ ରଙ୍ଗ ଲଗେଇ ଦେ ମୋ ଗାଲରେ। ଭାରି ଲାଜକୁଳା ଜିଭ କାମୁଡି କହିଲା, ସେମାନେ କଣ ଭାବିବେ, ଏ ବର୍ଷ ଯାଉ ଆଗ ବର୍ଷକୁ ଖେଳିବା। 

ମନ ବୁଝୁ ନ ଥାଏ ହୋଲି ଖେଳିବାକୁ ଭାରି ଇଛା ହୁଏ। ଭୂଇଁ ରୁ ଅଳ୍ପ ଶୁଖିଲା ରଙ୍ଗ ନେଇ ପ୍ଲେଟ୍ ମାଜୁ ଥିବା ଝିଅ ଲିନା ଗାଲରେ ଲଗେଇ ଦେଲି ଭାବିଲି ସେ ମୋ ଗାଲରେ ଟିକେ କଲର୍ ଲଗେଇଦେବ, କିଛି ବୁଝିଲାନି। ସରଳ ଓ ନିଷ୍କପଟ ହସ ଭିତରେ ଲୀନାର ଅସହାୟତା କୁ ସ୍ପଷ୍ଟ ଭାବେ ବୁଝି ପାରିଲି। ତା ଜୀବନରେ ହୋଲି ଆସିନି, କେବେ ଆସିବ କେଜାଣି !


ଇଚ୍ଛା ହେଉଥିଲା, ଆପଣ ମାନେ ମୋ ଗାଲରେ ରଙ୍ଗ ନେସି ଦେଇଥାନ୍ତେ..ହୋଲି ରଙ୍ଗର ସମ୍ପୂର୍ଣ୍ଣ ଆବରଣରେ ଅଦୃଶ୍ୟ ହୋଇଯାଇ ଥାଆନ୍ତି ଆପଣମାନଙ୍କ ସହିତ। କୋଳାହଳ ଭିତରେ ନିଶବ୍ଦ ହୋଇ ଯାଇ ଥାଆନ୍ତି ମୁଁ। ନିଖୋଜ ହୋଇଯାଇଥାଆନ୍ତି ରଙ୍ଗର ଭିଡ ଭିତରେ। ନିଜକୁ ଖୋଜି ବି ପାଇ ନ ଥାଆନ୍ତି କିଛି ମୁହୂର୍ତ୍ତ ପାଇଁ। ମହକୁ ଥାଆନ୍ତି ମୁଁ ... ମୋ ଭିଜା ଭିଜା ଦେହର ବାସ୍ନା ରେ। ମେଞ୍ଚା ମେଞ୍ଚା ନାଲି ନାଲି ରଙ୍ଗ ବିସ୍ଫୋରିତ ହୋଇଥାଆନ୍ତା ମୋ ହୃଦୟରୁ..ଗୋଟିଏ ଦିନରେ ଜୀବନର ସବୁ ଦୁଃଖକୁ ଭୁଲି ଯିବା ପାଇଁ ବାହାନାଟିଏ ମିଳି ଯାଇ ଥାଆନ୍ତା ଏମିତି ଗୋଟାଏ ହୋଲି ବନ୍ଧୁ ମିଳନରେ, ଆପଣ ମାନଙ୍କ ସହିତ।

କିନ୍ତୁ ହାୟ, ସବୁ ଇଚ୍ଛା କଣ ପୂରଣ ହୁଏ ! 

ଆପଣ ମାନେ ବି ଭୂଲ କରି ବସିଲେ। ହୋଲି ଦିନରେ କଣ କେହି ବଡ଼ ସାନ ଥାଏ। ମୋର ମନ, ବିନୟର ମନ ଓ ଲିନାର ମନ ଠିକ ଆପଣ ମାନଙ୍କ ମନ ପରି। ଖାଲି ପାର୍ଥକ୍ୟ ଆପଣ ମାନେ ଭାଗ୍ୟବାନ। କଲେଜରେ ଲିଟେରାରୀ ଚମ୍ପିୟାନ୍ ଥିଲି, ଯଦି ଅଧିକ କିଛି କହି ଥାଏ ତ ପ୍ଲିଜ୍ ମନରେ ରଖିବେନି।

କରତାଳିରେ ଭରି ଯାଉଥିଲା ପରିବେଶଟି...କିଛି କିଛି ଦୁଃଖ କଡ ଲେଉଟୁଥିଲା ମାଧୁରୀ ମନ ଭିତରେ । ଯୁବକ ଯୁବତୀ କେତେଜଣ ହାପି ହୋଲି କହି ଉଠି ଆସୁଥିଲେ ମଞ୍ଚ ଉପରକୁ।ରଙ୍ଗରେ ବୋଳି ହୋଇ ଯାଉଥିଲା ମାଧୁରୀ , ମନ ଭିତରେ ଜମିଥିବା କୋହ ସବୁ ବାଷ୍ପୀଭୂତ ହୋଇ ଉଠିଯାଉଥିଲା ଶୂନ୍ୟ ଆକାଶକୁ... ଆପାତତ କିଛି ମୁହୂର୍ତ୍ତ ପାଇଁ।




Rate this content
Log in

Similar oriya story from Romance