କାଳୀ ପୂଜା
କାଳୀ ପୂଜା
ଯେଉଁଦିନ ମାଆର ଭସାଣି ହେଇଥାଏ ସେଦିନ ଗାଆଁଟା ଖାଁ ଖାଁ ଲାଗେ ଯେମିତି ଶୀରି ଚାଲିଯାଇଛି । କିଛି ଦିନ ପୂର୍ବରୁ ଅଗୁରୁ, ଚନ୍ଦନ, ଧୂପ, ଦୀପ ବାସ୍ନାରେ ମହକି ଉଠୁଥିବା ଗାଆଁ ଦାଣ୍ଡରେ ପୁଣି ନିରବତା ବିରାଜିଥାଏ । ଗାଆଁକୁ ଯିଏ ଯେଉଁ ଦୂର ବିଦେଶରୁ ଆସିଥାନ୍ତି ମାଆ ବିଦାୟ ନେବା ପରେ ପରେ ସେମାନେ ମଧ୍ୟ ଫେରିଯାଆନ୍ତି କର୍ମକ୍ଷେତ୍ରକୁ । ଫେରିବା ବେଳେ ଆଖି ଲୁହରେ ଜକେଇ ଯାଏ । ସଦ୍ୟ ବ୍ୟବହାର ହେଇଥିବା ମନ୍ଦିର ଭିତରେ ଥିବା ସେ କାଠ ଫ୍ରେମକୁ ଦେଖି ମାଆର ମୃଣ୍ମୟୀ ମୂର୍ତ୍ତି କିଛି ସମୟ ମନ ଭିତରେ ଛାପି ହେଇ ରହିଯାଏ ।
କାଳୀ ମାଆ ଆମ ଗାଆଁର ଅଧିଷ୍ଠାତ୍ରୀ ଦେବୀ... ସୁଖ ଦୁଃଖ, ହସ ଲୁହ ସବୁଥିରେ ମାଆ ସାଥିରେ ଥାଏ । ମାଆକୁ ବର୍ଷରେ ଥରେ ପୂଜା ମଣ୍ଡପରେ ଦେଖିବା ପାଇଁ ଗାଆଁଵାଲା ଅନେଇ ରହିଥାନ୍ତି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମାଆ ତ ସଭିଙ୍କର । କାଳୀପୂଜା ଆମ ଗାଆଁର ଭାଇଚାରାର ପ୍ରତୀକ । ସାତ ଦଶକରୁ ଅଧିକ ସମୟ ହେବ ମାଆ ପୂଜା ପାଉଛି ଗାଆଁରେ । ଗାଆଁର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ମାଆକୁ କଲିକତାରୁ ଆଣି ଚାଳ ଛାମୁଣ୍ଡିଆ କରି ପୂଜା ଆରମ୍ଭ କରିଥିଲେ କିଛି ପୁରୁଖା ଲୋକ ଯେଉଁମାନେ କଲିକତାରେ ରହି ବ୍ୟବସାୟ କରୁଥିଲେ । ସେହି ଅନନ୍ତ କାଳରୁ ମାଆର ବାର୍ଷିକ ପୂଜା ସହିତ ସମସ୍ତେ ଅତ୍ୟନ୍ତ ସନ୍ତର୍ପଣ ସହ ଯୋଡି ହେଇଛନ୍ତି ।
କଥା ଅଛି ମାଆ ପୂଜା ପାଇବା ବେଳେ ଯିଏ ଯାହା ମାନସିକ କରି ମାଗିଥାଏ ମାଆ ତାକୁ ନିଶ୍ଚୟ ପୁରା କରିଥାଏ । ମୁଁ ମଧ୍ୟ ଏକଥା ଅଙ୍ଗେ ନିଭାଇଛି । ବିଜ୍ଞାନକୁ ବିଶ୍ୱାସ କରୁଥିବା ଲୋକ ମୁଁ,ଆଧ୍ୟାତ୍ମ୍ୟକୁ ମଧ୍ୟ ପାଖରୁ ଦେଖିଛି । ଆମ ଗାଆଁର ଅନେକ ପରିବାର ପୁଅଟିଏ ପାଇଁ ମାଆ ପାଖରେ ଅଧିଆ ପଡନ୍ତି ... ମାନସିକ ଭୁରି ଭୋଜନ ଗାଆଁ ଲୋକଙ୍କୁ ପରଷନ୍ତି । ଆଶୀର୍ବାଦ ଭଲ ପଇବା ନିଅନ୍ତି । ହଁ ସେଥିପାଇଁ ବୋଧହୁଏ ମାଆର କରୁଣାରୁ ଚାରି ପାଞ୍ଚଟି ଝିଅ ପରେ ପୁଅ ଜନ୍ମ ନେଇଛି ଆମ ଗାଆଁର କିଛି ପରିବାରରେ ।
ମାଆ ଉପରେ ତାଙ୍କର ତ ସେଥିପାଇଁ ବଢିଯାଇଛି ଅଗାଢ଼ ଭରସା ।
ଦୂର୍ଗା ପୂଜା ଆରମ୍ଭ ହେବା ପୂର୍ବରୁ କାଳୀ ପୂଜା ପାଇଁ ଗ୍ରାମ ସଭା ହୁଏ । ମୁଁ ଦେଖିଛି । ସଭାରେ ଗାଆଁର ପ୍ରତ୍ୟକ ସାହିର ପ୍ରତିନିଧି ଭାଗ ନିଅନ୍ତି । ସେହି ସଭାରେ ଆୟବ୍ୟୟ ହିସାବ ହୋଇ ଚାନ୍ଦା ସ୍ଥିର ହେଉଥିଲା । ପୂଜାରେ କେତେ ଖର୍ଚ୍ଚ, ସଜାସଜି, ତୋରଣ ଆଦିରେ କେତେ ଖର୍ଚ୍ଚ, ପ୍ରସାଦରେ କେତେ ଖର୍ଚ୍ଚ!!!
ଏମିତି ହିସାବ କରୁ କରୁ ବଜେଟ ଉଣା ହୋଇଯାଏ । ଯାତ୍ରା ପାଇଁ ଟଙ୍କା କେଉଁଠୁ ଆସିବ ??? ମୁରବୀ ସାହସ ଦିଅନ୍ତି !!! ଆରେ ସବୁ ମାଆର ଇଚ୍ଛା । ମାଆ ଚାହିଁଲେ ଚାରି ରାତି ଯାତ୍ରା ହେବ । ଟଙ୍କା ଉଣାଥାଏ କେଜାଣି କେମିତି ଟଙ୍କା ଆୟୋଜନ ହେଇଯାଏ ସେକଥା ମାଆ ଜାଣେ । ଗାଆଁରେ ବନ୍ଧୁବାନ୍ଧବ ଝିଅ-ଝିଆଣି ଭର୍ତ୍ତି ହେଇଯାନ୍ତି । ଗାଆଁ ଦାଣ୍ଡରେ ରିକ୍ସା ମାଳ ମାଳ । ଗାଆଁଟା ପୁରିଲା ପୁରିଲା ପରି ଲାଗେ ଯେମିତି ଏକ ଗର୍ଭ ଧରିଣୀ ମାଆ । ମୁଁ ମନେ ପକାଏ ଯେଉଁମାନେ ବୃତ୍ତିଗତ ଜୀବନ ଗାଆଁ ବାହାରେ ଦୂର ସହରରେ ବିତାଉଛନ୍ତି ସମସ୍ତେ ଆସିଗଲେଣି ନା ନାହିଁ । ଅନନ୍ୟ ଲାଗେ ସେ ଘର ବାହୁଡା ବେଶଭୂଷା । ଗାଆଁ ଦାଣ୍ଡ ପାନ ପିକରେ ରଙ୍ଗୀନ ହେଇଯାଏ ।
ମୋ ଆଖି ଉଠିବା ଦିନରୁ ମୁଁ ଦେଖିଛି ମାଆ ମାଟିରୁ ଦେବୀ ହେବା ପର୍ଯ୍ୟନ୍ତ ସେ ପ୍ରକ୍ରିୟା । ମାଟି ଅନୁକୂଳ ହୁଏ । ନଡାରେ ମାଆର ଅସ୍ଥି କଙ୍କାଳ ତିଆରି ହୁଏ । ପ୍ରଥମେ ଏକ ମାଟିଆ ତା’ପରେ ମୁଣ୍ଡ ଲାଗେ । ଚାଞ୍ଚଖାଇ ଓ ଯୋଗାଣି ଖାଇର ମୁଣ୍ଡଲାଗିବା ଦେଖିବା ପାଇଁ ମୁଁ ଉତ୍କଣ୍ଠାର ସହ ଅପେକ୍ଷା କରେ । ମୂର୍ତ୍ତିକାର, ଆମ ଗାଆଁର କେଶବ ଓ ହୁଣ୍ଡା ଦାଦାଙ୍କ ମନରେ ଏଥର କଣ କଳ୍ପନା ଆସିଥିବ ସେ ହିଁ ଜାଣିଥିବେ ଏକା । ପୂଜା କମିଟି କହି ଦେଇଥାନ୍ତି ଆଗୁଆ,ଏମିତି କରିବା ସେମିତି କରିବା ମାତ୍ର ହେଲା ବେଳକୁ ତାହା ହୁଏ ଯାହା ମାଆର ଇଚ୍ଛା । ଯେବେ ଠୁ ମୂର୍ତ୍ତି ତିଆରି ଆରମ୍ଭ ହୁଏ ସେବେ ଠୁ ମୁଁ ସେହି ଜାଗାରେ ଡେରା ପକାଇ ଦିଏ । ଭୋକ ଶୋଷ ଭୁଲି ସେଇଠି ବସେ । ମୂର୍ତ୍ତି ତିଆରି ଦେଖେ । ଦୁଇ ମୂର୍ତ୍ତିକାର ଭାଇ ନିଜ ବାପାଙ୍କ ସମୟରୁ ମୂର୍ତ୍ତି ଗଢି ଆସୁଛନ୍ତି । ଏହି କାମରେ ତାଙ୍କ ପୁରା ପରିବାର ଲାଗିପଡ଼େ । ଛୋଟ ପିଲା ଥିଲି, ନା ଶିବ ତତ୍ତ୍ୱ ଜାଣିଥିଲି ନା ଶକ୍ତି ତତ୍ତ୍ୱ । କୌତୁହଳରେ ବୋଉକୁ ପଚାରେ, ଆଲୋ ବୋଉ କାଳୀ ଠାକୁର କାହିଁକି ଶିବ ଠାକୁରଙ୍କ ଉପରେ ଓ ପାଦ ପକାଇ ଜିଭ କାମୁଡି ଦେଇଛନ୍ତି ଟିକେ କହିଲୁ ?
ବୋଉ କହେ ବୁଝିଲୁ... କାଳୀ ଠାକୁର ହେଉଛନ୍ତି ଭାଇ ବୋହୁ ଓ ଶିବ ଠାକୁର ତାଙ୍କ ଦେଢ଼ଶୁର । ସେ ରାତିରେ ଉଲଗ୍ନ ହୋଇ ବୁଲି ଦୁଷ୍ଟଙ୍କୁ ନାଶ କରି ତାଙ୍କ ରକ୍ତ ପିଅନ୍ତି । ଶିବ ଠାକୁର ତାଙ୍କୁ ରୋକିବା ପାଇଁ ଦିନେ ଦୁଆର ବନ୍ଧରେ ଶୋଇ ପଡିଲେ । କାଳୀ ଠାକୁରଙ୍କୁ ଜଣା ନାହିଁ । ଅଜାଣତରେ ତାଙ୍କ ପାଦ ଶିବ ଠାକୁରଙ୍କ ଉପରେ ପଡି ଯାଇଛି । ସେଥିପାଇଁ ଲାଜରେ ସେ ଜିଭ କାମୁଡି ଦେଇଛନ୍ତି ।
ମୁଁ ଦୀର୍ଘନିଃଶ୍ୱାସ ମାରି କହେ, ଓଃ !!!!
ଆଚ୍ଛା ...ବୋଉର ପୁରାଣ ଦକ୍ଷତା ଉପରେ ମୋର ଟୀକା ଟିପ୍ପଣୀ କରିବାର ନାହିଁ । ମାତ୍ର ବୋଉର ଏହି ତତ୍ତ୍ୱରୁ ସହଜେ ଅନୁମେୟ ଦେଢ଼ଶୁର ଭାଇ ବୋଉଙ୍କ ସମ୍ପର୍କ କେତେ ଶାଳୀନତା ପୂର୍ଣ୍ଣ । ମୁଁ ନିଜେ ଦେଖିଛି ଭାଇ ବୋଉମାନେ ହାତେ ଲମ୍ବର ଓଢଣୀ ଦେଢ଼ଶୁର ଆଗରେ ଟାଣନ୍ତି । ଯେମିତି ଲାଗେ ଭାଇ ବୋହୁ ଓ ଦେଢ଼ଶୁର ମୁହଁ ଦେଖା ଦେଖି ହେବାଟା ଆମ ସଂସ୍କୃତି ବିରୋଧୀ । ଛାଡ଼ନ୍ତୁ ସେ କଥା,ଅନ୍ୟଦିନେ ଆଲୋଚନା କରିବା,ଏବେ ବ୍ ଚାଲନ୍ତୁ ମିଟିଙ୍ଗ ଭିତରେ ପଶିବା....
ପୂଜା କମିଟିର ସଭାପତି, କେସିୟର ମୁଖ୍ୟ ମେମ୍ବରଙ୍କ ଉପରେ ଫଣ୍ଡ ମ୍ୟାନେଜମେଣ୍ଟକୁ ନେଇ ପ୍ରବଳ ଚାପ । କେମିତି କମ ପଇସାରେ ସବୁଠୁ ଭଲ ସାଉଣ୍ଡ ସିଷ୍ଟମ, ତୋରଣ, କପଡା ସିଲିଂ ହେବ । ପୂଜା ପାଞ୍ଚ ଦିନ ପୂର୍ବରୁ ମାପଚୁପ ହୋଇ ଗାତ ଖୋଳା ଆରମ୍ଭ ହୁଏ ।
ଦଶ ଦିନ ଆଗରୁ ବଜେଟକୁ ମେକ ଅପ କରିବା ପାଇଁ ଗାଆଁରେ ଯାର ବାଉଁଶ ବୁଦା ଅଛି ତାଠୁ ମାଗଣାରେ ବାଉଁଶ ଅଣାଯାଏ । ଉଦ୍ଦେଶ୍ୟ ହେଉଛି ଫଣ୍ଡ ମ୍ୟାନେଜମେଣ୍ଟ । ସେ ବାଉଁଶ ମନ୍ଦିର ପ୍ରାଙ୍ଗଣ ଓ ଗାଆଁ ଦାଣ୍ଡ ସଜାରେ ଲାଗିବ । ଟେଣ୍ଟ ଵାଲା ଶେଷରେ
ସେ ବାଉଁଶ ପଇସାକୁ କାଟି ତାର ପ୍ରାପ୍ୟ ନେବ ।
ସେତବେଳେ ଭୋଜି ଓ ନୀତି ଭୋଗ ପାଇଁ ଗ୍ୟାସ ଚୁଲାର ବ୍ୟବହାର ହେଉନଥିଲା । ପୁଣି ଆଉ ଥରେ ଫଣ୍ଡ ମ୍ୟାନେଜମେଣ୍ଟ ପାଇଁ ଗାଆଁର ବଡ଼ ବଡ଼ ଗଛରୁ ଭୋଜିରେ ଜାଳେଣି ପାଇଁ ମୋଟା ମୋଟା ଡାଳ କଟାଯାଏ । ଜାଣି ଶୁଣି ଅଧିକ କଟାଯାଏ କାରଣ ଯାତ୍ରା ପାର୍ଟିଵାଲା ମଧ୍ୟ ରୋଷେଇରେ ବ୍ୟବହାର କରିବେ ।
ଶେଷରେ ଯାହା ବଳେ ନିଲାମୀ ହୁଏ । ଟଙ୍କା ପୂଜା କମିଟିକୁ ଆସେ । ଥରେ ଚିନ୍ତା କରନ୍ତୁ ତ କୌଣସି ମ୍ୟାନେଜମେଣ୍ଟ ସ୍କୁଲରେ ମଧ୍ୟ ଏମିତି ମ୍ୟାନେଜମେଣ୍ଟ ଶିଖା ଯାଇ ନଥିବ ଯାହା ସେତବେଳେ ଚାଲିଥିଲା ।
ବାଲି ଟ୍ରକଠୁ ଚାନ୍ଦା, ବ୍ରିଜ କାମ କରୁଥିବା କଣ୍ଟ୍ରାକ୍ଟରଠୁ ଚାନ୍ଦା, ନଈ ବନ୍ଧ ଉପରେ ଯାଉଥିବା ଗାଡିମାନଙ୍କଠୁ ମଧ୍ୟ ତାଙ୍କ ଇଚ୍ଛା ମୁତାବକ ସାହାଯ୍ୟ ମଗାଯାଏ । କେମିତି ନିଅଣ୍ଟ ରୋକିବା ତାହା ପ୍ରତିଟି ଆଦାୟକାରୀଙ୍କ ମସ୍ତିଷ୍କରେ ଥାଏ । ଗାଆଁରୁ ମୁଣ୍ଡ ପିଛା ସର୍ବ ନିମ୍ନ ଚାନ୍ଦା ଆଦାୟ ପ୍ରତି ସନ୍ଧ୍ୟାରେ ହୁଏ । ଗାଆଁ ବୁଲିଲା ବେଳେ ପ୍ରତି ପରିବାରର ଅଭାବ ଅସୁବିଧା ସଂଘର୍ଷ ଦେଖିହୁଏ । କାହାକୁ ଚାନ୍ଦା ପାଇଁ ଚାପଗ୍ରସ୍ତ କରଯାଏ ନାହିଁ । ଯାହାର ଥାଇ ସେ ଦେବାରେ ଡେରି କଲା ତା ପଛରେ ଭୟଙ୍କର ସମାଲୋଚନା । ଏଇ ତ ଜୀବନ... ଝଡ଼ ଝଞ୍ଜା ଦୁଃଖ କଷ୍ଟ ଭିତରେ ଟିକେ ହସି ହସାଇବା । ଗାଆଁ ଟୋକାଙ୍କ ପୂଜା ପ୍ରସ୍ତୁତି ମେଳି ଓ କାର୍ଯ୍ୟ ଶୈଳୀ କେଉଁ ପ୍ରଫେସନାଲ୍ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିଠୁ କମ୍ ଅନୁଭବ ହୁଏ ନାହିଁ ।
ମାଆର ଘଟ ସ୍ଥାପନା ପାଇଁ ନଦୀକୁ ଯାଇ ତାର କଳସ ପୂଜା କରାଯାଏ । ଢୋଲ, ମୃଦଙ୍ଗ, ବେଦମନ୍ତ୍ରରେ ଅଭିମନ୍ତ୍ରିତ ହୁଏ ଗାଆଁ ଦାଣ୍ଡ ମାଆ ଆସି ମୂର୍ତ୍ତି ଭିତରେ ପ୍ରବେଶ କରେ । ତାର ଆଖିକୁ ଦେଖିଲେ କାହିଁକି କେଜାଣି ମନ ଶିହିରୀ ଉଠେ । ଲାଗେ ଯେମିତି ଅଦମ୍ୟ ଶକ୍ତି ସାମର୍ଥ୍ୟ ମୋ ଭିତରକୁ ପଶି ଯାଉଛି । ମାଆର ରାଗ ମିଶା ସ୍ମିତ ହାସ୍ୟ ପିଲାଠୁ ବୁଢା ପଯ୍ୟନ୍ତ ସମସ୍ତଙ୍କୁ କରୁଣା ଢାଳିଦିଏ ।
ମାଆକୁ ବେଶୀଦିନ ରଖି ହୁଏନି । ପୂର୍ଣ୍ଣାହୁତି ପରେ ପରେ ବିସର୍ଜନ କରି ଦିଆ ହୁଏ । ମୁଁ ନିରୀହ ଜୀଵ ହତ୍ୟା ରୂପକ ବଳିଦାନ ଦେଖିନି ମାଆ ଆଗରେ ଅମାବାସ୍ୟା ଦିନ । ଗାଆଁ ଲୋକେ ନିଜ ମଧ୍ୟରେ ଥିବା ଗର୍ଵ, ଅହଙ୍କାର ଓ ପରଶ୍ରୀକାତରତାକୁ ବଳି ଦିଅନ୍ତି ।
ଦେହୁରୀ ମଥାରେ ସିନ୍ଦୂର ଲଗାଏ । ବାଉଁଶ କାଠିରେ ବଳି ଖମ୍ବ ବନେ । ନଡ଼ିଆ, ଆଖୁଗଛ ଓ ପାଣି କଖାରୁକୁ ଏକା ଚୋଟରେ କାଟି ମାଆକୁ ସମର୍ପି ଦିଆଯାଏ । ଘଣ୍ଟ ଘଣ୍ଟା ହୁଳ ହୁଳି ଶକ୍ତି ମନ୍ତ୍ରରେ ଗାଆଁ ଥରି ଉଠେ । ସତେ ଯେମତି ଗାଆଁରେ ଦେବତ୍ଵ ପ୍ରବେଶ କରିଛି । ଏକ ଭୟଙ୍କର ଧ୍ୱନୀ ତରଙ୍ଗର ବଳୟ ସମ୍ପୂର୍ଣ୍ଣ ଗାଆଁରେ ଖେଳିଯାଏ । ମାଆ ସହ ସମସ୍ତେ ଅଙ୍ଗାଙ୍ଗୀ ଭାବେ ଯୋଡ଼ା । କିଏ ଅଧିର ହୋଇ ନାଚିଲାଣି ତ କିଏ ଲମ୍ବ ହୋଇ ଭୁଇଁରେ ଗଡିଲାଣି ।
ମାର ସନ୍ଧ୍ୟା ଆରତୀ ଦେଖିବାକୁ ଭିଡ଼ ଜମେ ।
ଏବେ ତ ସମୟ ଓ ରୁଚି ବଦଳି ଗଲାଣି । କୋଡିଏ ପଚିସି ବର୍ଷ ପୂର୍ବେ କିଛି ଅଲଗା ଥିଲା । ଡିଜିଟାଲାଇଜେଶନର ନାଁ ଗନ୍ଧ ନଥିଲା । ନଥିଲା ମୋବାଇଲ ଫୋନ । ଇଣ୍ଟରନେଟ ସୋସିଆଲ ମିଡ଼ିଆ । ହେଲେ ମାଆର ବାର୍ତ୍ତା ଆଖ ପାଖ ପଚାଶ ଖଣ୍ଡ ଗାଆଁକୁ ଚାଲି ଯାଉଥିଲା । ଭକ୍ତ ମାଡି ଆସୁଥିଲେ ଦୂର ଗାଆଁରୁ ଆମ ଗାଆଁକୁ ।
ଲୋକେ କୁହା କୁହି ହୁଅନ୍ତି:-ନଟିଲ ଗାଆଁରେ ବେଶି ରୋଜଗାରିଆ ନାହାନ୍ତି, କିନ୍ତୁ ଯେଉଁ ରଙ୍ଗ ଢଙ୍ଗରେ ପୂଜା ହୁଏ ତାହା ଆଉ କେଉଁ ଗାଆଁ କରି ପାରିବେ ନାହିଁ । "ନଟିଲ "କାଳୀ ପୂଜାର ନିଆରା ଅଟେ । ସତରେ ପାଖା ପାଖି ମାସେ ଗାଆଁ ଏକ ଫୁଲହାର ପରି ଗୁନ୍ଥି ହେଇଯାଏ ଯେଉଁଥିରେ ନାନା ରଙ୍ଗର ଫୁଲ ଥାଏ ।
ଜାତିବାଦ,ସଂକୀର୍ଣ୍ଣ ଧର୍ମବାଦର ଉର୍ଦ୍ଧ୍ୱରୁ ଆମ ଗାଆଁର ପୂଜା । ସକାଳେ ଭିକାରୀ ବଳ, ଅରବିନ୍ଦ ମୁଦୁଲି ଓ ନିମାଇଁ ହରିଚନ୍ଦନ ଆଦିଙ୍କ ଓଡ଼ିଆ ଭଜନ କ୍ୟାସେଟ, ସନ୍ଧ୍ୟାରେ ଅନୁମାନ ଚାଳିସା, ହନୁମାନ ଅଷ୍ଟକମ୍,ଅନୁପ ଜୋଲଟାଙ୍କ ଭଜନ । ଖରାବେଳ ବାଟ ଛାଡ଼ ଷଣ୍ଢ ଆସୁଛି, ଝଡ଼ ବତାସ, ବଇନା ଦେଇଛି ବାହା ହେବାକୁ, କଥା ରହିଲା ମଗୁସୁରକୁ, ବନ୍ଧା ପଡିଛି ମୋ ବାହା ମୁକୁଟ ଓ ମୋ ପେଁ କାଳୀ ବଜାଇ ଦେ ପରି ଚର୍ଚ୍ଚିତ ନାଟକ ମାଇକ ଵାଲା ବଜାଏ । କିଏ ମାଙ୍କଡା ପଥର ଉପରେ, କିଏ ଗାଆଁ ଜଳଖିଆ ଦୋକାନ ଲଙ୍ଗ ବେଞ୍ଚରେ ପେଟେଇ ତ ଆଉ କେଉଁଠି ଗୋଷ୍ଠୀ ହୋଇ ନାଟକର ସଂଳାପଗୁଡିକୁ କାନ ଡେରି ମନ ଧ୍ୟାନ ଦେଇ ଶୁଣି ଆଖିରେ ନଚାନ୍ତି । ବାକି ସମୟ ହଜି ଗଲା ମୋର ନେଉଳ ଛୁଆ,ସେ ନୀଳ ଶାଢ଼ୀ ପିନ୍ଧିଛି, ଗୁଲୁ ଗୁଲୁ ଗୁଲୁଗୁଲା ଓ ସୁନା ଇଲିସି ବାଜେ । ଅନ୍ୟ ରାଜ୍ୟରେ କାମ କରୁଥିବା ଆମ ଗାଆଁ ଟୋକାଏ ଡିମାଣ୍ଡ କରନ୍ତି ହିନ୍ଦୀ ଗୀତ ବଜାଇବାକୁ ତାଗିଦ କରନ୍ତି ...ତାଙ୍କ ଇଚ୍ଛା ମଧ୍ୟ ପୁରଣ ହୁଏ ।
ଆପକା ଆନା ଦିଲ୍ ଧଡ଼କାନା...
ଭୋଲି ଭାଲି ଲଡକି....
ଵୋ ଲଡକୀ ୟାଦ୍ ଆତି ହେ ଆଦି ଗୀତ ମାଧ୍ୟମରେ ।
ସନ୍ଧ୍ୟାରେ ଆରମ୍ଭ ହୁଏ ଷ୍ଟେଜ ଉପରେ ଗାଆଁ ପ୍ରତିଭାଙ୍କ ଅସଲ ଖେଳ ।
ଭଜନ ସନ୍ଧ୍ୟା, ବାଡି ଖେଳ, କଟକ ମେଲୋଡି ଆଦି ଦିନେ ପରେ ହୁଏ । ସବୁ ସରିଗଲେ ଫ୍ରି ଵାଲା ଓପନ ଡ୍ୟାନ୍ସ ... ତାକୁ କୋରିଓ ଗ୍ରାଫ କରିଥାନ୍ତି ଆମ ଗାଆଁର ସେତେବେଳେ ହିନ୍ଦୀ ସିନେମା ଦେଖୁଥିବା ଯୁବପିଢୀ ।
ବିଛୁଆତି ଡ୍ୟାନ୍ସ ... ଆମା ଦେ ଆ ଦେ... ନାଗିନ ଡ୍ୟାନ୍ସକୁ ଛାଡି ଆହୁରି ଅନେକ ଆଇଟମ୍ ନମ୍ବର । ଏକକୁ ଆରକ । ଲାଗେ ଯେମିତି ଆମ ଗାଆଁରେ ପ୍ରତିଭା ଖୁନ୍ଦିକି ଅଛି । ଭାରି ଆମୋଦ ଦାୟକ ସେ କ୍ଷଣ ସବୁ ....
କହିଲେ ସରିବନି । ଇଛା ମୋ ଗାଆଁ ସାଙ୍ଗ, ଭାଇ,ବନ୍ଧୁ ଯିଏ ଏ ଲେଖାକୁ ପଢିବେ ବାକି ଅନୁଭୂତି କମେଣ୍ଟ କରିବେ । ଏବେକାର ଗାଆଁର ଯୁବ ପୀଢିକୁ ଆହ୍ୱାନ କରିବି ସେ ମୋ ଗାଆଁର ନିଆରା ପରମ୍ପରାକୁ ବିଶ୍ୱବିଦିତ କରାନ୍ତୁ । ବିଗତ କିଛି ବର୍ଷ ହେବ ଆଧୁନିକତା ଓ ବ୍ରାଣ୍ଡ ଆଦି ପଶିଛି ପୂଜାରେ ହୁଏତ ଅନେକ ଯାକଜକମରେ ପୂଜା ହେଉଥିବ କିନ୍ତୁ ସେ ଅତୀତର ସେ ମିଠାପଣ, ଭାଇଚାରା,ସୋହାର୍ଦ୍ଧପୂର୍ଣ ପରିବେଶ ମନେ ପକାଇଲେ ଅଜାଣତରେ ଆଖି ଲୋତକପୂର୍ଣ ହୁଏ । ଆଖି ଆଗରେ ନାଚି ଉଠେ କାଳୀପୂଜା ।