Seetaram Dash

Inspirational Tragedy

3  

Seetaram Dash

Inspirational Tragedy

କାବେରୀ

କାବେରୀ

3 mins
1.7K


ଜଗତର ନାଥ ଜଗନ୍ନାଥ ଙ୍କୁ ଶେଷ ପ୍ରଣାମ ଜଣାଇ ମହୋଦଧିର ଏକ ବିଶାଳ ଜୁଆର ଉପରକୁ ଲମ୍ଫ ଦେଲା କାବେରୀ। କିନ୍ତୁ ଏ କଣ ? କାହାର ମୃଦୁ ସ୍ପର୍ଶରେ ଆଖିଖୋଲି ଦେଖିଲା ନିଜର ଚାରିପଟେ କିଛି ପୋଲିସ କର୍ମଚାରୀ ବସିଛନ୍ତି। କିଛି ବୁଝିବା ଆଗରୁ ମହିଳା ଅଧିକାରୀ ଧୀର ଏବଂ ଶାନ୍ତ ସ୍ୱରରେ ପଚାରିଲେ ମା ଏସବୁ କଣ ପାଇଁ କଲୁ।ପନ୍ଦର ବର୍ଷର କାବେରୀ କଥା ଶୁଣି ସମସ୍ତେ ହେଲେ ଆଶ୍ଚର୍ଯ୍ୟ।

କାବେରୀ ଥିଲା ଅତ୍ୟନ୍ତ ଗରିବ ଏବଂ ହରିଜନ ସମ୍ପ୍ରଦାୟର ଝିଅ। ବାର ବର୍ଷ ବୟସରେ ବାପା ଚାଲିଗଲେ ଆରପରିକୁ । ବାପା ଚାଲିଗଲା ପରେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଥିଲା ପରିବାରଟି। ମା ପର ଘରେ କାମ କରି ଦୁଃଖେ କଷ୍ଟେ ଘର ଚଳାନ୍ତି। ବାପାଙ୍କ ଅନ୍ତେ ଜମିବାଡ଼ି କଳେବଳେ ଅଧିକାର କରିନେଲେ ସାନ ବାପା। "ଜୋର ଯାହାର ମୂଳକ ତାର" ନୀତିରେ ଚୁପ ହୋଇ ଯାଇଥିଲେ ଦୁଇଟି ଦୁଖୀ ମଣିଷ। ଏତିକିରେ ଶେଷ ହୋଇନଥିଲା କାବେରୀର ଦୁଃଖ। ଖାଦ୍ୟଭାଵ, ପରିଶ୍ରମ ଏବଂ ଦୁଃଚିନ୍ତା ରେ ଅତ୍ୟନ୍ତ ଦୁର୍ବଳ ହୋଇ ଯାଇଥିଲେ କାବେରୀର ମା। ଶେଷେରେ ସବୁ ଦିନ ପାଇଁ ଶଯ୍ୟାଶାୟୀ ହୋଇ ପଡିଲେ। ଦୁଃଖର ପାହାଡ଼ ଲଦି ହୋଇ ପଡ଼ିଲା କାବେରୀ ଉପରେ। ଚାରିଆଡ଼ ଅନ୍ଧାର ଦେଖାଗଲା।

ସମୟ କାହାକୁ ଅପେକ୍ଷା କରିନଥାଏ। କାବେରୀ କୈଶୋର ରୁ ଯୌବନ କୁ ଧୀରେ ଧୀରେ ପ୍ରବେଶ କରୁଥାଏ। ଏବେ ଘର ଠାରୁ ବାହାର ପ୍ରଯ୍ୟନ୍ତ ସମସ୍ତଙ୍କ ଆଖି କାବେରୀ ଉପରେ। ଅଭାବ ଅନଟନ ଭିତରେ କାବେରୀର ଶରୀର ଅତ୍ୟନ୍ତ ଦୁର୍ବଳ ହୋଇଥିଲେ ମଧ୍ୟ୍ୟ ସେ ଦେଖିବାକୁ ଥିଲା ଖୁବ ସୁନ୍ଦର। ଅଭାବି ଝିଅଟିର ଅସହାୟତାର ସୁଜଗ ନେଇ କିଏ କେତେ କଥା କୁହନ୍ତି। ଭୟ, ଅପମାନ କୁ ଡରି ଚୁପ ରୁହେ କାବେରୀ।

ଦିନେ ମାଙ୍କର ପେଟରେ ଯନ୍ତ୍ରଣା ହେବା ସହ ରକ୍ତ ବାନ୍ତି ହେଲା। ଔଷଧ ପାଇଁ ଘରେ ପାଇସାଟିଏ ନାହିଁ। କାବେରୀ ସାନ ବାପାଙ୍କ ଗୋଡ଼ହାତ ଧରି ନେହୁରା ହେଲା ପଇସା ପାଇଁ। ଅତି କଷ୍ଟରେ ସାନ ବାପା ଚାରି ଶହ ଟଙ୍କା ଦେବା ସହ ଚାଳିଶ କଥା ଶୁଣାଇ ଦେଲେ। ଲୁହ ଆଉ କୋହକୁ ସାଥିରେ ନେଇ ବଢ଼ିଲା ଝିଅଟି ମା ପାଇଁ ଔଷଧ ପାଇଁ ଗଲା ପାଖ ବଜାରକୁ। କାବେରୀ ମୁହଁରୁ ରୋଗ ସମ୍ବନ୍ଧରେ ଶୁଣି ହଜାର ଟଙ୍କାର ଔଷଧ ଧରାଇ ଦେଲେ ଦୋକାନି। କଣ କରିବ ବିଚାରି, କାନ୍ଦି କାନ୍ଦି ନିଜର ମନ କଥା ଜଣାଇଲା। ଦୋକାନି ରାଜିହେଲେ ଔଷଧ ଦେବା ପାଇଁ କିନ୍ତୁ ଛ ଶହ ଟଙ୍କା ପାଇଁ ଯେଉଁ ସର୍ତ୍ତ କାବେରୀ କାନରେ ଚାପା ଗଳାରେ କହିଲେ, କାବେରୀର ପାଦ ତଳୁ ମାଟି ଖସି ପଡ଼ିଲା। ସେ ଭୟ ଏବଂ ଘୃଣାରେ ଔଷଡ଼ ଛାଡ଼ି ଧାଇଁଲା ଘରକୁ।

ଘରେ ମା ନିରବ ଆଉ ନିଶ୍ଚଳ ହୋଇ ବସିଛନ୍ତି। ସତେ ଯେପରି କାହାକୁ ଅପେକ୍ଷା କରିଛନ୍ତି ଯୁଗ ଯୁଗରୁ। କାବେରୀ ମାଙ୍କୁ ଖାଲି ପାଣି ଟିକେ ପିଇବାକୁ ଦେଲା ଅତି ସହଜ ଭାବରେ, ଯେପରି ତା ସହିତ କିଛି ହୋଇନି। ବୋଧେ ମା ସବୁ ବୁଝିପାରିଥିଲେ। କଣ କହିବାକୁ ଚାହୁଁଥିଲେ, ହେଲେ ଓଠରେ ଏତେ ଶକ୍ତି ନ ଥିଲା। ଏକ ଦୁଃଖଭରା ଚାହାଣୀରେ ଦେଖୁଥିଲେ କାବେରୀକୁ। ସେ ଆଖି କହୁଥିଲା ଅନେକ କଥା, ଅନେକ କାହାଣୀ। ଆଉ ସେ ଆଖିରେ ଭରି ରହିଥିଲା ଅନେକ ସ୍ନେହ, ଅନେକ ମମତା।ସବୁ କିଛି ନିର୍ଭୁଲ ଭାବରେ ପଢି ପାରୁଥିଲା କାବେରୀ। ନିଜର ଦୁଃଖ ଆଉ ଚାପି ପାରିଲାନି, ଭୋ ଭୋ କାନ୍ଦିବାରେ ଲାଗିଲା ନିରିହ ପିଲାଟି।ମା ଝିଅକୁ ଛାତିରେ ଟାଣି ଧରିଲେ ନିଜର ସବୁ ବଳ ଉପଯୋଗ କରି। କିଛି ସମୟ ପରେ ମାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ଅଫେରା ରାଇଜକୁ। କାବେରୀ ବସିଥିଲା ତୁଠ ପଥର ଭଳି।

ଘରଟିକୁ ନିଜ ପାଖରେ ବନ୍ଧା ରଖି ସାନ ବାପା ବୋଉ ର ଦଶାହ କର୍ମ ସମାପନ କଲେ ଆଉ କାବେରୀକୁ ନିଜ ଘରେ ଆଶ୍ରୟ ଦେଲେ। ଏବେ ସାନ ବାପା କାବେରୀ ପ୍ରତି ଟିକେ ଉଦାରତା ଦେଖାଉଛନ୍ତି କିନ୍ତୁ ସାନ ବୋଉ ଠୁ ମିଳୁଛି ଅକଥନୀୟ ଅତ୍ୟାଚାର। ଘରର ଜାବତୀୟ କାମ କାବେରୀକୁ କରିବାକୁ ପଡେ। ତା ସାଙ୍ଗକୁ ମାଡ ଗାଳି। ଦିନେ ସାନ ବୋଉ ଯାଇଛନ୍ତି ବାପଘର। କାବେରୀ ଘର ଅଗଣାରେ ଶୋଇଥାଏ, ରାତିର ଶେଷ ପହର। କାବେରୀ ନିଜକୁ ଅଣନିଶ୍ଵାସୀ ଅନୁଭବ କଲା।ପର ମୁହୂର୍ତ୍ତରେ ଅନୁଭବ କଲା କେହି ଜଣେ ତାକୁ ଖୁବ ଜୋରରେ ଭିଡି ଧରିଛି। ଘର ଭିତରକୁ ବାହାର ଲୋକ କେହି ତ ଆସି ପାରିବେନି। କାବେରୀ ସବୁ ବଳ ଲଗାଇ ପ୍ରଥମେ ନିଜକୁ ଅଲଗା କଲା ପଶୁ ପାଲଟି ଯାଇଥିବା ମଣିଷ ପାଖରୁ। ତାପରେ ଏକ ଶକ୍ତ ଗୋଇଠା ମାରିଲା ସାନ ବାପର ପେଟକୁ। ସେଇଠି ଟଳି ପଡିଲେ ସାନ ବାପା। କବାଟ ଖୋଲି କାବେରୀ ହଜିଗଲା ରାତିର ଅନ୍ଧକାରରେ। ଅନେକ ଦୂର ଗଲାପରେ ଦେଖିଲା ଗୋଟେ ଛୋଟ ବଜାରରେ ବସ ଟିଏ ଛିଡା ହୋଇଥାଏ। କାବେରୀ ଆଗ ପଛ ଚିନ୍ତା ନ କରି ବସି ପଡ଼ିଲା ବସରେ। ବଞ୍ଚିବାର ଇଚ୍ଛା ମରି ଯାଇଥିଲା। ମା ଚାଲିଗଲା ପରେ କାବେରୀର ବଞ୍ଚିବାର ନା ଥିଲା ଶକ୍ତି ନା ସାହାସ। ଏତେ ବଡ଼ ଦୁନିଆରେ ନା ଥିଲା ମୁଣ୍ଡ ଗୁଞ୍ଜିବାକୁ ଟିକେ ଜାଗା, ନା ଥିଲା ଆଶ୍ରୟ ଦେବାକୁ କେହିଜଣେ ଆତ୍ମୀୟ। ଅଧା ରାସ୍ତାରେ ସରିଗଲା ଜୀବନ।କିଛି ଘଣ୍ଟା ପରେ ବସଟି ରହିଲା ପୁରୀ ବଡ ଦାଣ୍ଡରେ। ତା ପରେ...

ଥାନାରେ ସମସ୍ତଙ୍କ ଆଖିରେ ଲୁହ, କାବେରୀ କଥା ଶୁଣି। ମହିଳା ଅଧିକାରୀ ରୁମାଲରେ ଲୁହ ପୋଛି କାବେରୀକୁ ନିଜ ସାଥିରେ ନିଜ ଘରକୁ ନେଇଗଲେ। ଦୁଇ ଦିନ ପରେ କାବେରୀ କୁ ପଠାଗଲା "ପ୍ରଗତି" ନାମକ ମହିଳା ସଶକ୍ତିକରଣ ସଂସ୍ଥାକୁ। ସେଠାରେ ପାଠ ପଢ଼ିବା ସହ ଛୋଟ ଛୋଟ ପିକାମାନଙ୍କର ଯତ୍ନ ନେବାକୁ ଲାଗିଲା କାବେରୀ।ନିଷ୍ଠାର ସହ ଯେ କୌଣସି କାର୍ଯ୍ୟ କଲେ ସଫଳତା ସୁନିଶ୍ଚିତ। କଠୋର ସାଧନା ବଳରେ ହାର ମାନିଲା ଦାରିଦ୍ର୍ୟ। ନିଜର ପରିଶ୍ରମ ବଳରେ କାବେରୀ ସଫଳତାର ଗୋଟିଏ ଗୋଟିଏ ପାହାଚ ଚଢ଼ିବାକୁ ଲାଗିଲା।

କାବେରୀ ଆଜି "ପ୍ରଗତି ଅନ୍ଧ ମୁକ ବଧିର ସ୍କୁଲ" ରେ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନେକ କୁନି କୁନି ବେସାହାରା ପିଲାମାନଙ୍କର ପ୍ରେରଣା ର ଉତ୍ସ।

ସୀତାରାମ ଦାଶ

ସାନମୂଳାଇ, କଟକ।


Rate this content
Log in

Similar oriya story from Inspirational