shibaram dalai

Abstract

3.4  

shibaram dalai

Abstract

ଜୀବନ ଗପ

ଜୀବନ ଗପ

5 mins
175



    ହୁତୁ ହୁତୁ ହେଇ ଜଳି ଯାଉଥିଲା ବାସନ୍ତୀ ର କୋମଳ ଶରୀର ।କିନ୍ତୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ନଟିଆ ମହାନ୍ତି କୁ ଚାହିଁ ରହିଥିଲେ ।ସାଧାରଣ ଚାକରାଣୀ ଟେ ପାଇଁ ନଟିଆ ର କାହିଁକି ଏତେ ବିଳାପ ।

     ସମସ୍ତ ଙ୍କ ଆଖିରେ ବାସନ୍ତୀ ଚାକରାଣୀ ଟେ ହେଇପାରେ , ନଟିଆ ମହାନ୍ତି ଆଖିରେ ସେ କିନ୍ତୁ ଅଲଗା । ବାସନ୍ତୀ ର ଶରୀର ପରସ୍ତ ପରସ୍ତ ହେଇ ଯେତେ ଜଳିବାରେ ଲାଗିଥାଏ ,ନଟିଆ ମହାନ୍ତି ହୃଦୟ ରେ ଥିବା ବାସନ୍ତୀ ଜୀବନ ଗପ ବହିର ପୃଷ୍ଠା ଗୁଡିକ ସତେ ଯେମିତି ଫର୍ଦ୍ଦଫର୍ଦ୍ଦ ହେଇ ଜଳି ଯାଉଥିଲା । କିଛି ସମୟ ଭିତରେ ସେହି ଜୀବନ ଗପ ବହି ଟି ଜଳି ପୋଡି କେଇ ମୁଠା ପାଉଁଶ ପାଲଟି ଯିବ ।କିନ୍ତୁ ସେ ମାଲିକ କୁ ସ୍ମୃତି ରୂପକ ଦାନ ଜ୍ୱାଳାରେ ସବୁଦିନ ଜଳିବାକୁ ଛାଡି ଦେଇ ଗଲା । 

   ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ ଅବଦାନ ଭଳି ବାସନ୍ତୀ ର ଅବଦାନ ମହାନ୍ତି ପରିବାର ପାଇଁ କିଛି କମ ନ ଥିଲା ।

   ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଃଖ ର ପାହାଡ କୁ ଅତିକ୍ରାନ୍ତ କରିପାରିଲା ନାହିଁ ବାସନ୍ତୀ । ତା ଜୀବନର ପ୍ରତିଟି ମୁହୂର୍ତ୍ତ ଗୋଟାଏ ଗୋଟାଏ ଅସରନ୍ତି ଗପ ।ଜୀବନ ନଟେଇ ର ଅଡୁଆ ସୂତା ଖୋଲୁ ଖୋଲୁ ଗୁଡିଟା ମୁକ୍ତ ଆକାଶରେ ଉଡିବା ପରିବର୍ତ୍ତେ ଭୂମିରେ ମୁଣ୍ଡ ପିଟିଦେଲା ।

   

  ବାସନ୍ତୀ ଛୋଟ ହେଇଥିଲା ।ନୂଆ ବର୍ଷ ବୁଲିବାକୁ ବାପା ବୋଉ ସହିତ ନନ୍ଦନକାନନ ଯାଇଥିଲା ।ହଠାତ ସେହି ସୁଖ ପରିବାର ଉପରେ ଦୁଃଖର ଛାଇ ମାଡ଼ିଆସିଲା ।ଫେରିବା ସମୟରେ ଗୋଟେ ମାଲ ବୋଝେଇ ଟ୍ରକ ପଛ ପଟରୁ ଧକ୍କା ଦେଲା ।ଘଟଣା ସ୍ଥଳରେ ବାସନ୍ତୀ କୁ ଛାଡି ତା ପରିବାର ର ସମସ୍ତେ ପ୍ରାଣ ହରାଇଲେ ।


    ମାମୁଁ ମାଇଁଙ୍କ କିଛି ପିଲା ଛୁଆ ନଥିବା ହେତୁ ବାସନ୍ତୀ କୁ ପାଖକୁ ନେଲେ ।ବିଧିର ବିଧାନ କିଏ ବା ବଦଳେଇ ପାରିବ ,"ବାସନ୍ତୀ ମାମୁଁ ଘରେ ରହିବାର ଦେଢ଼ ବର୍ଷ ପରେ ମାମୁଁ ମାଇଁ ଙ୍କର ଝିଅ ଟିଏ ଜନ୍ମ ହେଲା " ।ମାଇଁଙ୍କ ଆଙ୍ଗୁଠି ଇସାରା ରେ ଉଠବସ ହେଉଥିବା ମାମୁଁ ବାସନ୍ତୀ ର ପୈତୃକ ସମ୍ପତ୍ତି କୁ ବିକିକିଣି ପରିବାର ଭରଣ ପୋଷଣ କଲେ ।ଶେଷରେ ନିଜ ଝିଅକୁ ସ୍କୁଲ ପଠେଇ , ବାସନ୍ତୀ କୁ ଘର କାମରେ ଲଗାଇ ଦେଲେ ।


   ଏମିତି ରେ କିଛି ବର୍ଷ ବିତିଗଲା ।ଯୌବନ ରେ ପଦାର୍ପଣ କଲା ବାସନ୍ତୀ ।ରୂପ ଗୁଣ ଓ ଚାଲିଚଳଣ ରେ ଅନନ୍ୟ ଥିଲା ସେ । ସଫା ଆକାଶରେ ଖଣ୍ଡେ ମେଘ ଢାଙ୍କିଲା ପରି ବାସନ୍ତୀ ଗାଲରେ ମାଇଁ ଦେଇଥିବା ନିଆଁ ଗୋଜିଣା ର ଦାଗ ତାକୁ ଆହୁରି ସୁନ୍ଦରୀ କରିଦେଉଥିଲା । ଏତିକି ରେ ମାମୁଁ ମାଇଁଙ୍କ ମନ ଭରିଲା ନାହିଁ ଯେ ଶେଷରେ ଟଙ୍କା ପାଇଁ ଗୋଟେ ମଦ୍ୟପ ସହ ବାହା ଦେଲେ ।

      

     ମଦ୍ୟପ ସ୍ୱାମୀ ପାଇ ବାସନ୍ତୀ ଯେତେ ଦୁଃଖୀ ନ ଥିଲା ତା ଠୁ ବେସି ଦୁଃଖୀ ଥିଲା ପ୍ରତିଦିନ ସ୍ୱାମୀ ର ବେଲ୍ଟ ପାହାରକୁ ।ସେ ଚାଂହୁଥିଲା ସ୍ତ୍ରୀ ଯୌବନ କୁ ବିକି ସେହି ଟଙ୍କାରେ ମଦ ପିଇବା କୁ । ବିବାହ ର ମାସ କେଇଟା ଯାଇଛି କି ନାହିଁ ମଦ ପିଇ ଘରକୁ ଫେରିବା ବାଟରେ ଗୋଟେ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହାରିଲା ।ଆଗରୁ ତା ସ୍ବାମୀ ଘର ମଦର ଆଡ୍ଡାସ୍ଥଳୀ ଥିବାରୁ ତା ପାଇଁ ସେ ଘର ବି ବେଶି ଦିନ ସୁରକ୍ଷା ଦେଇ ପାରିଲା ନାହିଁ ।ପୁଣି ସେହି ମାମୁଁ ଘର ନର୍କ ଆଡ଼କୁ ମୁଁହାଇଲା ।ସେଠାରେ ବାସନ୍ତୀ କୁ ବା କେଉଁ ଶାନ୍ତି ମିଳିବ ।ପୂର୍ବ ଠୁ ଅଧିକ କଷଣ ପାଇଲା ସେ ।ଏଥର ଜୀବନ ହାରିବାକୁ ମନସ୍ଥ କଲା ।କିନ୍ତୁ ଜୀବନ ହାରିବା ତା ପକ୍ଷେ ସମ୍ଭବ ହେଲାନାହିଁ ।କେବଳ ପେଟର ଭୃଣ ପାଇଁ ବିବେକ ବାଧକ ସାଜିଲା ।

ଶେଷରେ ସେ ଦୂର ଏକ ଅଲଗା ରାଇଜ କୁ ଚାଲିଗଲା ।

      

     କଣ୍ଡକ୍ଟର ଡାକରେ ବାସନ୍ତୀ ର ନିଦ ଭାଙ୍ଗିଗଲା । ବାସନ୍ତୀ ଚାହିଁଲା ବେଳକୁ ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ନିଜ ନିଜ ବାଟରେ ଚାଲିଗଲେଣି । ଗାଡ଼ିରୁ ଓଲ୍ହାଇ ଚାରି ଦିଗକୁ ଚାହିଁଲା ବାସନ୍ତୀ ।ସିଧା ସିଧା ଲମ୍ବି ଯାଇଥିଲା ଚତୁର୍ଦିଗକୁ କଳା ମୁଚୁମୁଚୁ ପିଚୁ ରାସ୍ତା ।ଗାଡି ମୋଟର ପେଁ ପେଁ ହେଇ ଚାଲି ଯାଉଥିଲେ ନିଜ ନିଜର ରାସ୍ତା ବାଛି ।ବାସନ୍ତୀ ଟିକିଏ ଦ୍ଵନ୍ଦରେ ପଡ଼ିଗଲା । ସେ କେଉଁ ଦିଗର ରାସ୍ତାକୁ ଆପଣେଇବ ତା ଜୀବନର ରାସ୍ତା ।ତଥାପି ତା ସମ୍ମୁଖରେ ପଡିଥିବା ରାସ୍ତାଟିକୁ ତା ଜୀବନର ଉଚିତ ରାସ୍ତା ବାଛିନେଇ ଆଗକୁ ଆଗକୁ ବଢ଼ିବାରେ ଲାଗିଲା । ବାସନ୍ତୀ ର ପାଦ ଯେତେଯେତେ ଆଗକୁ ବଢ଼ିବାରେ ଲାଗିଥାଏ ତା ମନକୁ କେଇଟା ପ୍ରଶ୍ନ ବିଚଳିତ କରୁଥାଏ । ଏ ଅଜଣା ରାଇଜେ କିଏ ବା ତାକୁ ସହାୟ ହେବ ? କିଏ ତାକୁ ଆଶ୍ରୟ ଦେବ ? ଗାଡି ମୋଟର ପେଁ ପେଁ ଶବ୍ଦ ରେ ତା ମୁଣ୍ଡଟା ବୁଲେଇ କଚାଡି ହେଇ ତଳେ ପଡ଼ିଲା । 

    

   ବାସନ୍ତୀ ର ଚେତା ଫେରିଲା ବେଳକୁ ସେ ବାସୁଦେବପୁର ମେଡିକାଲ ଖଟିଆ ଉପରେ ଶୋଇଥାଏ ।ତା ପାଖରେ ଠିଆ ହୋଇଥିଲା ଗୋଟେ ଅଜଣା ପୁରୁଷ ଆଉ ଡାକ୍ତର ଆଶୁତୋଷ । ଡାକ୍ତର ଆଶୁତୋଷ ସେ ପୁରୁଷ ଜଣକୁ କହିଗଲେ ଏବେ ମାଆ ଆଉ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ । ତାଙ୍କୁ କିଛି ଦିନ ବେଡ଼ରେଷ୍ଟ ନିହାତି ଦରକାର । ତୁମେ ତାଙ୍କୁ ଏବେ ନେଇ ପାର ।ଘରକୁ ନେବାକଥା ଶୁଣି ମହାନ୍ତି ବାବୁ ଭାବୁଥିଲେ ରାସ୍ତାରୁ ଆଣି ମେଡିକାଲ ରେ ପହଞ୍ଚାଇବା ମୋର କଣ ଭୁଲ ।ଏବେ ଦ୍ଵନ୍ଦରେ ପଡି ମହାନ୍ତି ବାବୁ କିଛି ସମୟ ପାଖ ବେଡ଼ ଉପରେ ଥପ କିନା ବସି ପଡିଲେ ।ଭାବୁଥିଲେ ଏ ଅଜଣା ସ୍ତ୍ରୀ ଲୋକ ଟି କିଏ ? କଣ ତାଙ୍କ ପରିଚୟ ? ପୁଣି ତା ପେଟ ରେ .........? ଆଉ ଆକୁ ନେବି କୋଉଠିକି ? ମନରେଅନେକ ପ୍ରଶ୍ନ ବିଚଳିତ କଲେ ବି ଛାତିରେ ମୁଠାଏ ସାହାସ ବାନ୍ଧି ମହାନ୍ତି ବାବୁ ବାସନ୍ତୀ କୁ ଘରକୁ ନେଇ ଆସିଲେ । 

    

   ଘରେ ପହଂଚୁ ପହଞ୍ଚୁ ପାହାଡ ପରି ପ୍ରଶ୍ନ  ବାଣ ମହାନ୍ତି ବାବୁ ଙ୍କ ଉପରେ ଅଜାଡ଼ି ହେଲା ।ସବୁ ପ୍ରଶ୍ନ ଧର୍ଯ୍ୟର ସହ ସାମ୍ନା କଲେ ।କାଳେ ପୁଣି ସେହି ନର୍କ କୁ ଫେରିବାକୁ ହେବ ଭାବି ବାସନ୍ତୀ ବି ନିଜର ପରିଚୟ ଭୁଲିଗଲା ।


   ସେହି ସମୟରେ ମହାନ୍ତି ବାବୁଙ୍କ ପତ୍ନୀ ସବିତା ତିନି ମାସ ର ଗର୍ଭବତୀ । ଘର କାମ ପାଇଁ ମହାନ୍ତି ବାବୁ ଗୋଟେ ସାଧାସିଧା ଚାକରାଣୀ ଟେ ଖୋଜୁଥିଲେ । ବିଲେଇ କପାଳକୁ ଶିକା ଛିଡିଲା ଭଳି ମହାନ୍ତି ବାବୁଙ୍କୁ ସିନା ବାସନ୍ତୀ ମିଳିଗଲା ,ହେଲେ କେବଳ ସମସ୍ୟା ଥିଲା ତା ପେଟରେ ବଢୁଥିବା ଭୃଣ ।


    ଚାଂହୁ ଚାଂହୁ ମାସ କେଇଟା ଗଡ଼ିଗଲା । ସବିତା ଆଉ ବାସନ୍ତୀ ପ୍ରସବ ପାଇଁ ମେଡିକାଲ ରେ ଭର୍ତ୍ତି ହେଲେ ଦୁହିଁଙ୍କ ର ପୁତ୍ର ଜାତ ହେଲା । ବାସନ୍ତୀ ପୁତ୍ର ପାଇ ଯେତିକି ଖୁସି ଥିଲା ତା ଠୁ ଅଧିକ ଦୁଃଖୀ ମଧ୍ୟ ଥିଲା ।ନିଜର ଭବିଷ୍ୟତ ଯଦି ଅନ୍ୟ ହାତରେ ତେବେ ଏ ଛୁଆଟାର ଭବିଷ୍ୟତ କାହା ହାତରେ ? ତେଣୁ ସେ ନିଜର ପୁଅକୁ କାହାରିକୁ ଅଥବା ଅନାଥାଶ୍ରମ ରେ ଦେଇ ଦେବାକୁ ଚିନ୍ତା କଲା । 

    ଏତିକି ବେଳେ ମହାନ୍ତି ବାବୁ ବାସନ୍ତି କୁ "ପତ୍ନୀ ସବିତା ର ଜୀବନ ଭିକ୍ଷା" ମାଗିଲେ ।ବାସନ୍ତି କିନ୍ତୁ ମହାନ୍ତି ବାବୁଙ୍କ କଥା ବୁଝି ପାରିଲା ନାହିଁ । ମହାନ୍ତି ବାବୁ ସିଧା ସଳଖ କହିଗଲେ ସବିତା ମଲା ପୁଅଟି ପ୍ରସବ ପରଠାରୁ ଚେତା ଶୂନ୍ୟ ।ଡାକ୍ତର କହୁଛନ୍ତି ଚେତା ଫେରିବା କୁ ସମୟ ଲାଗିବ ।ତା ପିଲା ପାଇଁ ଦରକାର ପଡ଼ିଲେ ସେ ପାଗଳ ହେଇଯାଇପାରନ୍ତି ।ତେଣୁ ଭଗବାନ ହିଁ ଭରଷା। 

  

   ବାସନ୍ତି ତୁ ଚାହିଁଲେ ସବିତା ର ଜୀବନ ପାଇଁ ତୋ ପୁଅକୁ କିଛି ଦିନ ମୋତେ ଦେଇ ପାରିବୁ । ବାସନ୍ତି ଭାବିଲା ସୁଖ ଯାହା ଭାଗ୍ୟରେ ନାହିଁ, ସେ ସୁଖ ସପନ ଦେଖିବାକୁ ଇଛା କରିବ କାହିଁ । ବରଂ ବାସନ୍ତି ର ଅସୁବିଧା ଆହୁରି ସୁବିଧା ର ରୂପ ନେଲା ।ତେଣୁ ସେ ନିଜର ପୁଅକୁ ନିଜ ଜୀବନ ର ଦେବତା ରୂପୀ ମଣିଷ ମହାନ୍ତି ବାବୁ ହାତକୁ ଟେକିଦେଲା ।ପ୍ରତି ବଦଳରେ ଗୋଟିଏ ସର୍ତ୍ତ ରଖିଲା । ସର୍ତ୍ତ ଥିଲା କି ଜୀବନରେ କେବେ ସବିତା ମା ଜାଣିବେ ନାହିଁ ଏ ପିଲା ମୋର ବୋଲି ,ଏ କଥା କେବଳ ଆମ ଦୁହିଁଙ୍କ ଭିତରେ ଗୁପ୍ତ ରଖିବାକୁ ଅନୁରୋଧ କଲା । ନଟିଆ ମହାନ୍ତି ବି କଥା ଦେଇ ବାସନ୍ତି ର ପୁଅକୁ ନେଇ ଗଲା ।


   ଏମିତି ରେ ପୁଅକୁ ୨୭ ବର୍ଷ ଅତିକ୍ରମ କଲା । ପୁଅ ପାଇଁ ବୋହୂଟିଏ ଆସିଲା । ବାହାଘର ଖୁବ ଧୁମଧାମରେ ହେଲା । ବାହାଘର ର ଦୁଇ ମାସ ବିତି ଯାଇଛି କି ନାହିଁ ହଠାତ ପୁଅର ଦେହ ଖରାପ ହେବାରୁ ବଡ଼ ମେଡ଼ିକାଲ ରେ ଭର୍ତ୍ତି ହେଲା ।ଡାକ୍ତର ଙ୍କ ସବୁ ପରୀକ୍ଷା ନିରୀକ୍ଷା ପରେ କହିଲେ ପୁଅର କିଡିନ ଦୁଇଟା ଖରାପ ।ତୁମ ପୁଅ ବଂଚିବାକୁ ହେଲେ କିଡିନ ନିହାତି ଦରକାର ।ବାସନ୍ତି ଆଖି ସାମ୍ନାରେ ନିଜ ପୁଅର ଏତେବଡ କ୍ଷତି କେମିତି ବା ଦେଖିପାରିଥାନ୍ତା ।ତେଣୁ ବାସନ୍ତି କିଡିନ ଗୋଟେ ଦାନ କଲା ।ପୁଅ କିଡିନ ପାଇ ନୂଆ ଜୀବନ ପାଇଲା ସତ , ଡାକ୍ତର ଙ୍କ ଅସ୍ତ୍ରୋପଚାର ତୃଟି ପାଇଁ ବାସନ୍ତି ଜୀଵନ ର ପୂର୍ଣ୍ଣଛେଦ ପଡିଗଲା ।

  

  

 ଶେଷରେ ବାସନ୍ତି ର ଜୀବନ ଗପ ଜଳିପୋଡି କେଇମୁଠା ପାଉଁଶ ପାଲଟି ଗଲା ।


Rate this content
Log in

Similar oriya story from Abstract