କର୍ମଫଳ
କର୍ମଫଳ
ଭଦ୍ରବ୍ୟକ୍ତି ଜଣଙ୍କ ବୁଢ଼ାଟିର ହାତଧରି ଗେଟ ଭିତରକୁ ଟାଣିଟାଣି ଆଣୁଥିବାର ଦେଖି ଚମକି ପଡିଲା ମମତା । ଲୋଚାକଚା ଚମ, କୋରଡ଼ିଆ ଆଖି ସାଙ୍ଗକୁ ଧୋବ ଫରଫର ଚୁଟି ଦୂରରୁ ନୀରିହ ଲାଗୁଥିଲା ସେ ।
ପତ୍ରଟି ହଳଦିଆ ପଡିଗଲେ ଗଛ ପାଇଁ ଅଦରକାରୀ ,ଫୁଲ ଟି ଡେମ୍ଫରୁ ଛିଡ଼ିଗଲେ ବାସୀ ହେଇଯାଏ ଆଉ ପୁଣି ମାଟିହାଣ୍ଡି ଟିକିଏ ଫାଟି ଗଲେ ସମ୍ପୂର୍ଣ୍ଣ ଅଦରକାରୀ ପାଲଟିଯିବା ଭଳି ବାପା ମାଆ ମାନେ ବୁଢ଼ାବୁଢ଼ୀ ହେଇଗଲେ ପୁଅ ଝିଅ ପାଇଁ ନିହାତି ଅଦରକାରୀ ପାଲଟିଯିବା ଆଜି କାଲି ବିଧିର ବିଧାନ ବୋଧେ ।ଏ ବୃଦ୍ଧ ସେଥିରୁ ବାଦ ପଡିବ କେମିତି ?
ପାଖରୁ ବୁଢ଼ାଟିର ମୁଁହ ଦେଖି ଚୌକି ରୁ ଧଡ଼ କିନା ଉଠିପଡ଼ିଲା ମମତା ।ମନେପଡ଼ିଲା ତା ପିଲାବେଳ କଥା ।
ଇଏ ସେହି ନଟିଆ ସାଆନ୍ତେ ।ଯାହାର ପାଞ୍ଚ ଖଣ୍ଡି ଗାଁ ରେ ନାଁ ଡାକ ଥିଲା ।ଲୋକେ ତାଙ୍କୁ ଡରୁଥିଲେ ।ମୁଣ୍ଡ ନୁଆଁଇ ପ୍ରଣିପାତ କରୁଥିଲେ ।ଗାଁ ର ପ୍ରଗତି କହିଲେ ନଟିଆ ସାଆନ୍ତ କୁ ବୁଝାଏ ।ଭୋଜି , ବାହାଘର ହେଉ କିମ୍ବା ଜନ୍ମ ଦିନ ପାଳନ କଲେ ତାଙ୍କ ବିନା ଅନୁମତି ରେ ହେଉ ନ ଥିଲା ।କେତେ ଘର ଗଢ଼ିଦେଇଛି କେତେ ଘର ଭାଂଗି ଦେଇଛି ତାହାର ହିସାବ ନାହିଁ ।କେତେ ଝିଅ ବୋହୁ ଙ୍କୁ ଥଇଥାନ କରିଛି ତ କେତେ ଝିଅ ବୋହୁଙ୍କ ଜୀଵନ ମାରିଛି ।
ବାପା ଯବାନ ବୟସରେ ଚାଲିଗଲେ ।ତା ପରେ ମୋ ମାଆ ଉପରେ ତାର ଲୋଲୁପ ଦୃଷ୍ଟି ।ଖାଲି ମାଆ ନୁହେଁ ଆମ ଘରଢ଼ିହ ଖଣ୍ଡିକ ଉପରେ ବେଶି ନଜର ଥିଲା ତାର ।
କଳେବଳେ ସବୁ କରାୟତ କଲା ।ମୋତେ ବାଟରୁ କାଢ଼ିବା ପାଇଁ ମୋ ପିଠିର ଧଳା ଦାଗଟି ତା ପାଇଁ ବେଶ ସହାୟତା କଲା ।ବଇଦକୁ ଡ଼ାକି ସେହି ଧଳା ଦାଗକୁ କୁଷ୍ଠ ରୋଗର ଆଖ୍ୟା ଦେଇ ଗାଁ ରୁ ତଢ଼ିଦେଲେ ମୋତେ ।
ସମୟ ଚକରେ ମୁଁ ଆଜି ଏଇଠି ପହଞ୍ଚିଯାଇଛି ।ଦେଖ ସେହି ସମୟ ଚକରେ ତାକୁ କଲା କର୍ମର ଫଳ ଭୋଗିବାକୁ ତା ପୁଅ ଟାଣି ଆଣୁଛି ।