ଚାକର
ଚାକର
ଟେବୁଲ ଉପରେ ଫୋନ ଗର୍ଜି ଉଠିଲା ।ନିତିନ ଟେବୁଲ ଉପରୁ ଫୋନ ଉଠେଇ ଦେଖିଲା ,ପତ୍ନୀ ସବିତା ର ଫୋନ । ଏବେ ଏବେ ତ ଅଫିସ ଆସିଲି ,ଫୋନ ପୁଣି କଣ ପାଇଁ ?ଫୋନ ରିସିଭ କଲା ।
ସେପଟୁ ଶୁଭିଲା ହଁ ଶୁଣ ଆଜି ଏ ଘରେ ସେ ରହିବ ନଚେତ ମୁଁ । ଆରେ ଆମ ଘରେ ତ ଆମେ ଦୁଇ ଜଣ । ସେ ପୁଣି କିଏ ? କାହା ଉପରେ ଏମିତି ରାଗୁଛ ?
ସେହି ଚାକର ରଘୁ କଥା କହୁଛି ।
ଆରେ କଣ ହେଇଛି ? ରଘୁକାକା କୁ ଏମିତି କଣ କହୁଛ ? କାକା ଆମ ଘରେ ବାପା ଙ୍କ ସମୟରୁ କାମ କରିଆସୁଛନ୍ତି । ସେ ଆମ ଘରର ଜଣେ ପୁରୁଖା ସଦସ୍ୟ ।ଯଦି କଣ ଭୁଲ କରି ଦେଇଛନ୍ତି ତାଙ୍କୁ ବୁଝେଇ ଦେଲେ ହବନି ।
ନାଁ ମୁଁ କହିଲି ସେ ଚାକର ମୋ ଘରୁ ଆଜି ଯିବ ମାନେ ଯିବ ।ନଚେତ ମୁଁ ଏ ଘର ଛାଡି ଚାଲିଯିବି ।
ଦେଖ ସବିତା ପ୍ରଥମେ ନିଜ ରାଗ କୁ ଟିକେ କଣ୍ଟ୍ରୋଲ କର ।ନଚେତ ରଘୁକାକା ଚାଲିଗଲେ ଆମେ ହଇରାଣ ହେଇଯିବା ଯେ ।
ଓଃ କାକା କାକା କାକା ,
ତାକୁ ତୁମେ ମୁଣ୍ଡରେ ବସେଇ ଥାଅ ,ମୁଁ ମୋ ବାପ ଘରକୁ ଯାଉଛି ।
ଆରେ ବାବା ମୁଁ ଅଫିସରୁ ଗଲେ ସିନା କ'ଣ ହେଇଛି କ'ଣ ନାହିଁ ବୁଝିବି ।
ତୁମେ ଆସିବା ପୂର୍ବରୁ ଫୋନ କରି କହିଦିଅ ସେ ମୋ ଘର ଛାଡ଼ି ଚାଲିଯାଉ ।କାକା କାକା କହି ମୁଣ୍ଡରେ ବସେଇଛ ।ସେ ଆମ ବାପ ବୟସ ର , ଆଗରୁ ଯାହା କରିଥିଲା ସବୁ ଆଖିବୁଜି ସହିଥିଲି ।ଆଜି ଯାହା କଲା ତୁମେ ଜାଣିଲେ ସିଧା ଗୁଳି କରି ମାରିଦେଵ ।
କ'ଣ କରିଛନ୍ତି ସେ ?
ଆଗରୁ ମୁଁ ରୋଷେଇ କଲାବେଳେ କେତେଥର ମୋ ପଛ ପଟରୁ ଧରିବାକୁ ଚେଷ୍ଟା କରିଛି ।ହେଲେ ମୁଁ ଚାହିଁଦେଲେ ସେ ମୁହଁ ବୁଲେଇ ପଳେଇ ଯାଏ ।ଆଉ କେତେଥର ମୁଁ ଗାଧେଇଲା ବେଳେ ସେ ମୋ ଗାଧୁଆ ଘର କବାଟ ପାଖରେ ଛିଡା ହେଇଥାଏ । ପଚାରିଲେ କଥାଟା ଇଆଡୁସିଆଡୁ କହି ଚାଲିଯାଏ ।ସେଦିନ ସେମିତି ମୋ ଅନ୍ତବସ୍ତ୍ର ଚୋରେଇ ନେବା ବେଳେ ମୋ ଆଖିରେ ଧରାପଡି ଖସି ପାରିଲା ନାହିଁ ।ଭୁଲ ମାଗି ବହୁତ କାକୁତି ମିନତୀ ହେଲା ପରେ ମୋ ରାଗ ଶାନ୍ତ ହେଲା । ଆଜି ମୋ ମୁଣ୍ଡ ବିନ୍ଧା ହେବାରୁ ମୁଁ ଖଟ ଉପରେ ଗଡ଼ି ପଡ଼ିଲି ।ମୋତେ ଛାଇ ନିଦ ଲାଗିଛି କି ନାହିଁ ସିଧା ମୋ ବେଡ଼ ପାଖରେ ପହଞ୍ଚିଥିଲା ।ଭଲ ହେଲା ସେତିକି ବେଳେ ମୋ ସାଙ୍ଗ ଫୋନ କରିବାରୁ ମୋ ନିଦ ଭାଙ୍ଗିଗଲା ।ନଚେତ ମୋ ଅବସ୍ଥା ଆଜି ଭେଁ ଭେଁ କରି ସବିତା କାନ୍ଦିବାକୁ ଲାଗିଲା ।
ଘରର ଫୋନ ବାଜିବାକୁ ଲାଗିଲା ।ପ୍ରତିଦିନ ପରି ରଘୁ ଫୋନ ରିସିଭ କଲା ।ସେପଟୁ ଶୁଭିଲା ରଘୁକାକା (ଉଚ ସ୍ୱରରେ) ବହୁତ ହେଇଗଲା ତୁମର ପାଗଳାମି ।କଣ ହେଇଛି କି ସାନବାବୁ , ଫୋନ ରେ ଏମିତି ମୋ ଉପରେ ରାଗୁଛ ?
ନମକ ହାରାମ ,ବାପ ବୟସ ର ବୋଲି ମୁଣ୍ଡରେ ବସେଇ ଥିଲି ।ତାହାର ପରିଣାମ କ'ଣ ଏଇଆ ଦେଲୁ ।ମୁଁ ଯିବା ଭିତରେ ତୁମକୁ ଯେମିତି ମୋ ଘରେ ନ ଦେଖେ କହି ଫୋନ କଟିଦେଲା ନିତିନ ।
ସେଦିନ ଅଫିସ କାମରେ ନୀତିନ ର ମନ ଲାଗିଲା ନାହିଁ ।ଦେହ ଖରାପ ଲାଗୁଛି କହି ଅଧା କାମରୁ ସେ ଘରକୁ ଫେରିଲା ।ସବୁଦିନ ପରି ଆଜି ବି ଦୁଆର ଖୋଲିଲା ରଘୁକାକା ।ନୀତିଦିନ ପରି ଅଫିସ ବ୍ୟାଗ ନୀତିନ ହାତରୁ ନେବା ବେଳକୁ ଶକ୍ତ ଚାପୁଡ଼ା ଦୁଇଟା ବସିଗଲା ତା ଗାଲରେ । ରଘୁ ଆଖିରୁ କେଇବୁନ୍ଦା ଲୁହ ନିଗିଡି ଆସିଲା ।
ସେପଟେ ସବିତା କବାଟ କିଳି ତା ବେଡ଼ରୁମରେ ପଶି ରହିଥାଏ । ନୀତିନ ଆସି ଡାକିବାରୁ ସବିତା କବାଟ ଖୋଲିଲା ।ସ୍ୱାମୀକୁ ଦେଖି କୁଣ୍ଢେଇ ଧରି କଇଁ କଇଁ ହୋଇ ସେ କାନ୍ଦିବାକୁ ଲାଗିଲା ।ଆରେ ବ୍ୟସ୍ତ ହୁଅନି ,ଏ ହାରାମ ଜାଦା ନମକ ହାରାମ ଆଜି ଘରୁ ନ ବାହାରିବା ଯାଏ ମୁଁ ଶାନ୍ତିରେ ଶୋଇ ପାରିବି ନାହିଁ । ରଘୁ ରଘୁ ଉଚ୍ଚ ସ୍ୱରରେ ଡାକିଲା ନୀତିନ ।
ରଘୁ ଭାବିଲା ଯେଉଁ ସ୍ୱର ପିଲାଟି ଦିନରୁ ରଘୁକାକା ଡାକୁଥିଲା ।ଆଜି ରଘୁ ରଘୁ ଡାକୁଛି ।ହଠାତ ଆଜି ତା ସାନବାବୁ ବଦଳି ଯିବାର କାରଣ ଖୋଜି ପାଉନଥିଲା ରଘୁ ।ତଥାପି ଛଳ ଛଳ ଆଖିରେ ସାନବାବୁ ସାମ୍ନାରେ ପହଞ୍ଚିଲା ରଘୁ । କ'ଣ ହେଇଛି ସାନବାବୁ ? କ'ଣ ହେଇଛି ବୋହୂମାଆ ?
ଦେଖ କିଛି ନ ଜାଣିଲା ପରି କେମିତି ପଚାରୁଛି ଯେମିତି କିଛି ଜାଣିନାହିଁ ! ଆଜିକାଲି ଚାକର ଗୁଡ଼ାକୁ ମୁଣ୍ଡରେ ବସେଇଲେ ଏମିତି ସବୁ ଘଟେ ସବିତା କହିଲା ।
ରଘୁ ସବିତା ଯାହା ସବୁ କହୁଛି କ'ଣ ସତ ?
ବୋହୂମାଆ କ'ଣ କହୁଛନ୍ତି ସାନବାବୁ ?
ସବିତା କହୁଛି ସେ ଗାଧେଇଲା ବେଳେ ତୁ ତାଙ୍କ ଗାଧୁଆ ଘର କବାଟ ଫାଙ୍କରେ ଗଳି ଚାଂହୁ ?
ନାହିଁ ସାନବାବୁ, ସେ ହେଲେ ମୋ ଝିଅ ବୟସର ,ସେ ମୋ ଅର୍ଣ୍ଣଦାତା, ପୁଣି ମୋର ଆସି ଲେଉଟାଣି ବୟସ ।ଏ ବୟସରେ ମୁଁ କ'ଣ ଏପରି ପାପ କର୍ମ କରିପାରିବି ସାନବାବୁ !ଢୋ କିନା ଚାପୁଡ଼ା ଟେ ବାଜିଲା ରଘୁ ଗାଲରେ ।ମୁଁ ଯାହା ପଚାରୁଛି ସିଧା ସଳଖ ଉତ୍ତର ଦେ ।
ରଘୁ ଭାବିଲା ସାନବାବୁ ଛୋଟ ବେଳେ କେତେ ଯେ ମାରିଛନ୍ତି ତାହାର ହିସାବ ନାହିଁ ।କାହିଁ ସେ ମାଡ଼ ତ କାଟି ନଥିଲା ।ଆଜି ର ମାଡ଼ କିନ୍ତୁ ଶୁଖିଲା ଚମଡା ଫୁଟି ସିଧା ହୃତପିଣ୍ଡରେ ବାଜୁଥିଲା, ସେତେ ଯେମିତି ତା ହୃତପିଣ୍ଡ କାମ କରୁନଥିଲା ।
ରଘୁ ତୁ ସବିତା ର ଅନ୍ତବସ୍ତ୍ର ନେଲା ବେଳେ ସେ ଦେଖି ତୋ ହାତରୁ ଛଡ଼େଇ ନେଇଥିଲା ।
ହଁ ସାନବାବୁ
ଢୋ କିନା ଆଉ ଗୋଟେ ଚାପୁଡା ବସିଲା ରଘୁ ଗାଲରେ ।ଶଳା ଚାକର ଯୋଉ ପତ୍ରରେ ଖାଇଲୁ ସେହି ପତ୍ରରେ ହଗିଲୁ ।ଆଜି ପୁଣି ସବିତା ର ଶୋଇବା ଘରେ ଉଠିଥିଲୁ ।ବାହାରି ପଳା ମୋ ଆଖି ସାମ୍ନାରୁ ।ଆଜିଠୁ ଏ ଘରେ ତୋର କୌଣସି ସ୍ଥାନ ନାହିଁ ।ନୀତିନ ତଣ୍ଟିଆ ମାରି ମାରି ରଘୁକୁ ଗେଟ ପାଖକୁ ନେଇଗଲା
ମୋ କଥା ଟିକେ ଶୁଣନ୍ତୁ ସାନବାବୁ ,ବହୁତ କାକୁତିମିନତି ହେଲା ରଘୁ । ସେ ନୀତିନ ର ଗୋଡ଼ ଧରି ଲୋଟି ପଡୁଥାଏ ।ଯାହା ହେଇଛି ସବୁ ଭୁଲ ହେଇଛି ସାନବାବୁ ।ମୋତେ କ୍ଷମା କର ସାନବାବୁ ।ମୋତେ କ୍ଷମା କର ବୋହୂମାଆ ।ଏ ପ୍ରାପ୍ତ ବୟସରେ କୁଆଡେ ଯିବି ବୋହୂମାଆ ।ଶେଷରେ ଏକ ଶକ୍ତ ଧକ୍କା ରେ ଗେଟ ପାର ହେଲା ରଘୁ । ସେହିଦିନୁ ତାପାଇଁ ଗେଟରେ ତାଲା ଟେ ଝୁଲିଗଲା ।
ଗେଟ ର ଆରପଟେ ଭୋ ଭୋ ହେଇ କାନ୍ଦୁଥିଲା ରଘୁ ।ଯେତେ ଭୁଲ ସ୍ୱୀକାର କଲେ ବି ସେ ଗେଟ ର ତା ପାଇଁ ତାଲା ଖୋଲିଲା ନାହିଁ ।
ଶଳା ନେ ତୋ ଗଣ୍ଠିଲି ଚାଲି ଯାଆ ମୋ ଘର ସାମ୍ନାରୁ । ଦୁଲ କିନା ଗେଟ ଉପର ଦେଇ ଗଣ୍ଠିଲି ରଘୁ ପାଖରେ ପଡ଼ିଲା ।
ମୋର ଭୁଲ ହେଇଛି ସାନବାବୁ ।
ମୋର ଭୁଲ ହେଇଛି ବୋହୂମାଆ,ମୋତେ କ୍ଷମା କରିଦିଅ ।ମୋତେ ଏ ଘରୁ ତଢ଼ି ଦିଅନି ।
ଯାଉଛୁ ନା ଦେଖିବୁ ,ପୋଲିସ ଡାକିବି ଦମ୍ଭେ ଛେଚିବ ।
ଅନ୍ଧାର ମାଡି ମାଡି ଆସିଲା ସେହି ଅନ୍ଧାର ଭିତରେ ରଘୁ କୁଆଡ଼େ ହଜିଗଲା ।
ଏମିତି ରେ ଆଠ ଦଶ ମାସ ବିତି ଯାଇଛି ।
ନୀତିନ ର ସ୍ତ୍ରୀ ସବିତା ଛଅ ସାତ ଦିନ ହେବ ନିଖୋଜ ।ଘରୁ ଟଙ୍କା ଗହଣାଗାଣ୍ଠି ଘରର ଦରକାରି କାଗଜପତ୍ର ଚୋରୀ ଯାଇଛି ଯେ କିଛି ପତା ମିଳୁନି ।ନୀତିନ ପୋଲିସ ରେ ଅଭିଯୋଗ କରିଛି ।ପୋଲିସ ନୀତିନ କୁ ପୂର୍ବରୁ କାହା ସହ ଝଗଡା ଝାଟି ହେବା ପଚାରିବାରୁ ନୀତିନ ର ମନେ ପଡିଛି ରଘୁକଥା ।ସେ ସବୁକଥା ପୋଲିସ କୁ ଜଣେଇଛି ।
ପୋଲିସ ଏବେ ଦୁଇ ଜଣଙ୍କୁ ଖୋଜୁଛି ।
୧. ରଘୁ ଚାକର
୨.ନୀତିନ ର ପତ୍ନୀ ସବିତା
କିଛି ଦିନ ପରେ ରଘୁ ଧରାପଡ଼େ ଗୋଟେ ଜଳଖିଆ ଦୋକାନରୁ। ପୋଲିସ ଦୋକାନିକୁ ପଚାରିବାରୁ ଦୋକାନୀ କହେ ପାଞ୍ଚ ଛଅ ମାସ ହେବ ସେ ମୋ ଦୋକାନରେ କାମ କରେ । କାମ ବାବଦରେ ଟଙ୍କାଟିଏ ମାଗେନି ।ଦେଲେ ବି ମନା କରେ ।ସେ ଯାହା ପେଟକୁ ଗଣ୍ଡା ଖାଏ ।ସବୁଦିନ ଦୋକାନ ବନ୍ଦ ହେଲେ ସେ ତା ଘରକୁ ଚାଲିଯାଏ ।ହଉ ଦରକାର ପଡ଼ିଲେ ମୁଁ ତୁମକୁ ଥାନାକୁ ଡାକିପାରେ ପୋଲିସ ଦୋକାନିକୁ କହି ରଘୁକୁ ନେଇ ଥାନାକୁ ଚାଲିଗଲେ ।
ଥାନାରେ ବହୁତ ବାଡ଼ିଆ ଖାଇଲା ରଘୁ ।ହେଲେ ପୋଲିସ ରଘୁ ଠୁ କିଛି କଥା ଆଦାୟ କରି ପାରିଲା ନାହିଁ ।ଶେଷରେ ନୀତିନ ବାବୁଙ୍କୁ ଫୋନ କଲେ ।ନୀତିନ ଶୀଘ୍ର ଆସି ଥାନାରେ ପହଞ୍ଚିଲା ।ରଘୁ କୁ ଦେଖା କରିବାକୁ ପୋଲିସ ଠୁ ଅନୁମତି ନେଲା ।
ରଘୁ ଗୋଟେ କଣରେ ପଡିରହିଥାଏ ।ନୀତିନ କହିଲା ରଘୁକାକା ଏବେ ତ ମାନିଯାଅ ମୋ ସବିତା କୁ କୋଉଠି ରଖିଛ ।କହିଦିଅ ରଘୁକାକା, କହିଦିଅ ନାଁ ।ତୁମେ କହିଦେଲେ ମୁଁ ସତ କହୁଛି ତୁମକୁ ଥାନରୁ ବାହାର କରି ନେଇଯିବି ।
ରଘୁ ଏବେ ହାତ ଯୋଡି କହିବାକୁ ଲାଗିଲା ନାହିଁ ସାନବାବୁ ମୋ ବୋହୂମାଆ କୁ ମୁଁ କୁଆଡେ ନେଇ ନାହିଁ କି କେଉଁଠି ସେ ଅଛନ୍ତି ମୁଁ ଜାଣିନାହିଁ ।ତୁମେ ସିନା ସେଦିନ ମୋତେ ଭୁଲ ବୁଝିଲ ଅସଲ କଥା ହେଲା ତୁମେ ଯାହାକୁ ହୀରା ଭାବୁଛ ସେ ତୁଛ କୋଇଲା ଟେ ।ସେ ସୁନା ନୁହେଁ ବେଙ୍ଗୀ ପିତଳ ।
ମାନେ ?
ସବୁଦିନେ ତୁମେ ଅଫିସ ଗଲାପରେ ବୋହୂମାଆ ର ସାଙ୍ଗଟେ ତୁମ ଘରକୁ ଆସୁଥିଲା ।କଣ ତା ନାଁ ମୋହନ ,ହଁ ମୋହନ ବାବୁ ।ଗୋଟେ ଘରେ ଦୁଂହେ ପଶନ୍ତି ।ବହୁତ ହସନ୍ତି ମୋତେ ସର୍ବତ ଥଣ୍ଡା ମାଗନ୍ତି ।ମୁଁ ସେ ସବୁ ନେଇକି ଗଲେ ମୋ ହାତରୁ ଗ୍ଲାସ ନେବା ପରେ ମୋତେ ତୁମ ଆଗରେ ନ କହିବାକୁ ଧମକ ଦିଅନ୍ତି ।ବେଳେ ବେଳେ ମୋତେ ବହୁତ ପିଟନ୍ତି । ସେଦିନ ମୁଁ ବଗିଚା କାମ କରୁଥିବା ବେଳେ ସେ ଦୁହେଁ ତୁମ କୋଠରୀ ରେ ଥିଲେ ।ଝରକା ଦେଇ ମୋ ପାଖରେ ବୋହୂମାଆ ଙ୍କ ଅନ୍ତବସ୍ତ୍ର ପଡିବାରୁ ମୁଁ ତାକୁ ଘରେ ରଖିବାକୁ ନେଉଥିଲି ।ତା ପରେ ବୋହୂମାଆ ତାକୁ ମୋ ହାତରୁ ଛଡ଼େଇ ନେଲେ ।
ଏତକ ତଥ୍ୟ ପାଇ ପୋଲିସ ଏବଂ ନୀତିନ ବାବୁ ମୋହନ ଘର ସନ୍ଧାନ ରେ ବାହାରିଲେ ।ମୋହନ ଘର ମିଳିଲା ସତ, ଘର ର କବାଟରେ ବିରାଟ ତାଲା ଝୁଲୁଥାଏ । ସେଠାକାର ଲୋକଙ୍କୁ ପଚାରିବାରୁ ସେମାନେ କହିଲେ ପ୍ରାୟ ପନ୍ଦର ସତର ଦିନ ହେବ ମୋହନ ଏଠାକୁ ଆସିନାହିଁ ।