ଝୁମୁରି
ଝୁମୁରି
ପ୍ରକାଶ ଓ ସୁମି ଜୀଵନକୁ ନୂଆ ହୋଇ ଆସିଥିବା କନ୍ୟା ସନ୍ତାନ ଅତିଥିଟି ଲେଙ୍ଗଡ଼ା ଥିଲା. ଭଗବାନଙ୍କ ଆଶୀର୍ବାଦ ଅଭିଶାପ ପରି ମନେ ହେଲା ଯେତେବେଳେ କନ୍ୟାଟି ଚାରିବର୍ଷର ହେଲେ ମଧ୍ୟ ଖନେଇ ଖନେଇ କଥା କହୁଥିଲା ଓ ଲେଙ୍ଗେଡେଇ ଲେଙ୍ଗେଡେଇ ଚାଲୁଥିଲା. ବାପା ପ୍ରକାଶ ବ୍ୟସ୍ତ ହୁଏ.କର୍ମକୁ ନିନ୍ଦେ କିନ୍ତୁ ମାଆ ସୁମି ଝିଅର ହସରେ ଭୁଲିଯାଏ ସବୁକିଛି. ଡାକ୍ତରଖାନା ଓ ଡାକ୍ତରମାନଙ୍କ ପାଖକୁ ଦଉଡି ଦଉଡି ବାପା ଘରକୁ ଫେରିଲେ ଟିକି ଝିଅ ହସୁଥାଏ ବାପାକୁ ଚାହିଁ କିନ୍ତୁ ପ୍ରକାଶ ଭାବୁଥାଏ ଏ ଗଳଗ୍ରହକୁ କଣ କରିବି. ମାଆ ସୁମିର ଥମ ଥମ ମୁହଁ ଓ ଓଦା ଆଖିପତାକୁ ଚାହିଁ ପୁଣି ଦୌଡୁଥାଏ ହସ୍ପିଟାଲ. କାମ ବନ୍ଦ ତ ମଜୁରୀ ବନ୍ଦ. ଘରେ ନାହିଁ କଣିକାଏ ଖୁଦ ମଳୁଖ କି ନାହିଁ ଖଣ୍ଡେ ବାସନ କୁସନ ଯେ ବନ୍ଧା ଥୋଇ କିଛି ପଇସା ଆଣି ଝିଅ ପାଇଁ ଲଗେଇବାକୁ. ଦିନ ମଜୁରିଆ ଶ୍ରମିକକୁ ଆଗୁଆ ପଇସା ପତ୍ର ଦେବାକୁ କେହି ରାଜି ନୁହଁ. ଯିଏ ସବୁ ଦୟା କରି ଦେଇଥିଲେ ସେମାନେ ମୁହଁ ବୁଲେଇ ନେଲେଣି ତ ପ୍ରକାଶକୁ ବୁଦ୍ଧି ବାଟ ଦିଶୁନି.
ସେବର୍ଷ ମାଆ ଦଶଭୁଜାଙ୍କର ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଥାଏ. ଆଜି ସହରର କୋଣ ଅନୁକୋଣ ପୂଜା ମଣ୍ଡପ ଝଲସୁଛି. ରାତି ପ୍ରାୟ ଗୋଟାଏ ସାରିକି ଝିଅକୁ ବୁକୁ ଉପରକୁ ଭିଡି ସବୁଦିନ ପରି ଅଭାଗିଟାକୁ ମୋର ଭଲ କରିଦେ ମାଆ କହି ଚମକି ପଡିଲା ମାଆ ସୁମି. ପାଖରେ ଝିଅ ନଥିଲା କି ନଥିଲା ବାପା ପ୍ରକାଶ.ସେଇ ଘୋର ବର୍ଷା ରାତିରେ ପ୍ରକାଶକୁ ଏକୁଟିଆ ଫେରିବା ଦେଖି ଅନେକ ପ୍ରଶ୍ନ ପଚାରି ସୁମି ଜବାବ ପାଇନଥିଲା. ମମତା ତାର ମୂଲ ମାଗୁଥିଲା ତ ସେ ଏ ପୂଜା ମଣ୍ଡପରୁ ସେ ପୂଜା ମଣ୍ଡପ ବୁଲି ବୁଲି ଖୋଜୁଥିଲା ଝିଅକୁ ବର୍ଷାକୁ ଖାତିର ନକରି . ଏ ଭିତରେ ବର୍ଷେ ଯାଇଥିଲା. ସୁମି ଆଖିରୁ ଲୁହ ଶୁଖୁନଥିଲା କି ଦେବୀମାଆ ଦୁର୍ଗାଙ୍କୁ ଡାକିବା ମଧ୍ୟ ବନ୍ଦ ନଥିଲା. ଆଜି ବି ଢେର ରାତି ଯାଏଁ ଦୁର୍ଗାଦେବୀଙ୍କ ପୀଠରେ ଠିଆ ହୋଇ ରହିଥିବା ସୁମିର କାନି ଟାଣି ଝିଅଟିଏ କହୁଥିଲା ମାଆ.ତ କୋଳକୁ ଟେକି ନେଇ ନୂଆ ଅତିଥିକୁ ଗେଲ କରିଚାଲିଥିଲା ସୁମି. ଠିକ ତାରି ଝିଅ ବୟସର ହେବ ଝିଅଟି. ହେଲେ ଦେହ ମୁଣ୍ଡ ଅଣ୍ଡାଳି ଆଣିଲା ସୁମି. ପୁରା ଠିକ ଠାକ. କୋଳକୁ ନେଉ ନେଉ କାନ୍ଧରେ ଶୋଇପଡ଼ିଲା ଝିଅଟି ଆଉ ସୁମି ଖୋଜୁଥିଲା ଝିଅକୁ ହରେଇ ଖୋଜୁଥିବା ତା ବାପା ମାଆକୁ କିନ୍ତୁ କୋଉଠି କେହି ନଥିଲେ.
ବର୍ଷାରେ ମଧ୍ୟ ସକାଳେ ସନ୍ଧ୍ୟାରେ ଝିଅକୁ ନେଇ ଯାଏ ସୁମି.ଖୋଜେ ତା ବାପା ମାଆକୁ ତ କାହିଁ କୋଉଠି କିଏ? ଦୁର୍ଗା ମାଆଙ୍କୁ ଚାହେଁ ତ ହସୁଥାଆନ୍ତି ଦେବୀ ମାଆ ଆଉ ଝିଅ କହୁଥାଏ ମାଆ ଚକି କିଣିବି ତ ଦୌଡୁଥାଏ ପ୍ରକାଶ ଚକୋଲେଟ କିଣିବାକୁ. ଝିଅ କହୁଥାଏ ବେଲୁନ ତ ପ୍ରକାଶ ପସରା ଉଠେଇ ଆଣେ. ସୁମି କିନ୍ତୁ ପଚାରୁଥାଏ ତୋ ନାଁ କଣ ଝିଅ? ତୋ ବୋଉ କାହିଁ? ତୋ ବାପା କାହିଁ? ତୋ ଘର କୋଉଠି ଲୋ ମାଆ? ଝିଅଟି କିନ୍ତୁ ମାଆ ବୋଲି ଡାକି ସୁମି ଛାତିରେ ମୁଣ୍ଡ ଗୁଞ୍ଜି ଦେଲାବେଳେ ସୁମିକୁ ଲାଗେ ତା ହଜିଲା ଧନକୁ ସେ ଫେରିପାଇଛି. ନନ୍ଦ କୋଳେ ଗୋବିନ୍ଦ ପରି ଝିଅ ଝୁମୁରି ପାଉଁଜି ପିନ୍ଧି ଝୁମୁ ଝୁମୁ ଚାଲୁ ଚାଲୁ ହୋଇଗଲା ଝୁମା. ପଢିଲା, ବଢିଲା ଆଉ ବାପା ମାଆଙ୍କର ଅଳି ଅର୍ଦ୍ଦଳୀ ପାଇ ଅତି ଗେଲବସରରେ ବାପା ମାଆଙ୍କ ମୁହଁ ପାଇ ନୂଆ ଅତିଥିରୁ ପୁରୁଣା ହେଲା ବେଳକୁ ସୁମି ହସୁଥିଲା ଖିଲ ଖିଲ ଝିଅକୁ ପାଇ ।
