Bibhu Samanta

Abstract Tragedy Fantasy

4  

Bibhu Samanta

Abstract Tragedy Fantasy

ଜଗବନ୍ଧୁ ହେ....ଗୋସାଇଁ

ଜଗବନ୍ଧୁ ହେ....ଗୋସାଇଁ

5 mins
269



ଝିଅ ବାହାଘର ବ୍ୟସ୍ତତା ଭିତରେ ହାତରେ ନିମନ୍ତ୍ରଣ ପତ୍ର , ଗୁଆ, ନଡ଼ିଆ , ଜୋଡ, ଆଉ ଭୋଗ ରାଗ ନେଇ ପହଞ୍ଚିଲେ ଦେଉଳ ଦୁଆରେ। ଦିଅଁ ଙ୍କ ଅଣସର, ଦୁଆର ବନ୍ଦ। ମନ୍ଦିର ପାହାଚ ଉପରେ ବସି ପଡିଲେ ସେ,ମଥା ନୁଆଇଁ ପ୍ରଣାମ କଲେ। ଜୀବନର ତମାମ ସୁଖ ଦୁଃଖ ସମର୍ପି ଦେଇଛନ୍ତି ସେଇ କଳା ଗୋସେଇଁଙ୍କ ପାଖରେ। କେବେ କିଛି ମାଗିନାହାନ୍ତି। ମାଗିବାକୁ ଭୁଲି ଯାଇଛନ୍ତି। ଜଗନ୍ନାଥଙ୍କୁ ନିଜ ପ୍ରଥମ ବନ୍ଧୁ ମାନି ଆଜି ଆସିଛନ୍ତି, ନିମନ୍ତ୍ରଣ କରିବାକୁ।

ଚାହିଁଲେ ଦିଶୁଛି ମନ୍ଦିରର ନେତ, ତା ଉପରେ ଚନ୍ଦ୍ର ବିନ୍ଦୁ ଟି ଦିଶୁଛି ଠିକ ସେ ଜଗାର ହସ ପରି। ବନ୍ଦ ଦୁଆରକୁ ଦେଖି କାନ୍ଦକାନ୍ଦ ହୋଇଗଲେ ସେ। କହିଲେ ଜଗାରେ!ଅଭାବୀ ସଂସାର ଭିତରେ କେବେ କିଛି ତ ଦେଇ ପାରିନି ତୋତେ। ସେଥିପାଇଁ ଆଜି ଦୁଆର ବନ୍ଦ କରିଦେଇଛୁ ନା? କହ , ତୋତେ କଣ ମୁଁ ଖୋଜିନି ମୋ ଭଲମନ୍ଦରେ। ମୋ ସଂସାର କଥା ତୋତେ କଣ ବା ଅଛପା? ଝିଅ ବାହାଘର କରିବି ବୋଲି ଯାହା ପଇସା ପତ୍ର ରଖିଥିଲି, ସେ ସବୁ ସ୍ତ୍ରୀ ଦେହ ଖରାପରେ ଗଲା। ଭଲା, ତାକୁ କୋଉ ବଞ୍ଚେଇପାରିଲି ଯେ। ଅଭାଗିନୀ ଟା ଚାଲିଗଲା, ଏକା କରି। ଏଇ ରିଟାଏର୍ମେଣ୍ଟ ପଇସା କିଛି ବାହାଘର କରିଦେଲେ ଯାଏ। ସ୍ତ୍ରୀ ଗଲା ପରେ ଝିଅ ବୁଝେ ଘର କଥା। ତୁ କହୁନୁ, କେତେ ଦିନ ଆଉ ବାହା ନ କରି ରଖିଥାନ୍ତି। ଗଲା ମଗୁସୁରକୁ ତାକୁ ଛବିଶି ପୁରିଲା। ରଥଯାତ୍ରା ଭିତରେ ବାହାଘର, ମୁଁ ମନା କରୁଥିଲି। ଏକୁଟିଆ ଲୋକ, ଆଷାଢ଼ ମାସ ମେଘ ପାଣି କଥା। ପୁଅଘର ବାଲାଙ୍କ ଜିଦ, ଆଗକୁ ଆଉ କୁଆଡେ ତିଥି ନାହିଁ। ଅନେକ କଥା, କହିଲେ ସରିବନି। ତୋ ଛଡା ଆଉ କିଏ ବନ୍ଧୁ ଅଛି କହିଲୁ, ତୁ ପରା ଜଗବନ୍ଧୁ, ସାରା ଜଗତର ବନ୍ଧୁ। ବନ୍ଧୁପଣରେ ଟେକି ଦେଇଥିଲୁ ରତ୍ନଥାଳି, ବନ୍ଧୁ ମହାନ୍ତିଙ୍କୁ। ମୋ ଜ୍ଞାତି ପରିଜନ ସିନା ମଶାଣି ଯାଏ ଯିବେ, ମୁଁ ତ ତୋ ପାଖେ ରହିବି ଜୁଇ ମୋର ଜଳିଲା ପରେ ବି। ହେଇ ଦେଖ, ମୁଁ କେଡେ ମୁର୍ଖଟାଏ । ଯୋଉ କାମ ପାଇଁ ଆସିଛି , ସେକଥା ନ କହି ଇଆଡୁ ସିଆଡ଼ୁ ଗପୁଛି। ତୋ ଦେହରେ ଏବେ ଖଇ ଫୁଟା ତାତି, ଶୋଇଥିବୁ। ମୁଁ ଆସିି ତୋତେ ହଇରାଣ କରୁଛି। ଜଲଦି ଭଲ ହେଇ ରଥରେ ଚଢ଼। ନିମନ୍ତ୍ରଣ ରହିଲା ତୋତେ, ଯିବୁ ନିଶ୍ଚୟ, ତୋ ପାଇଁ ଅପେକ୍ଷାରେ ରହିଲି। ତୁ ନ ଆସିଲେ ମୁଁ ଖାଇବିନି କହୁଛି। ଯଦି ସତରେ ମୋ କଥା ଶୁଣୁଥିବୁ ଆସିବୁ ତୁ। ଜୀବନ ଥରେ ତ ଆସେ ମୋ ଗରିବ କୁଡ଼ିଆକୁ। ତୋ ପାଇଁ ଦୁନିଆରେ କୋଉ ଦରବ ଅପୂର୍ବ ଯେ। ମାଉସୀମା ର ସ୍ନେହ ପାଇ ମୋତେ ଭୁଲିଯିବୁନି। ମୋ ରାଣ ରହିଲା ତୋତେ। " ଚଷମା ଖୋଲି ଲୁହ ପୋଛିଲେ ପ୍ରକାଶ ବାବୁ। ଇଚ୍ଛା ହେଉ ଥିଲା, ଭିତରକୁ ଯାଇ ତାକୁ କୁଣ୍ଢେଇ ଧରି କାନ୍ଦିବାକୁ ମନ ଭରି। ନିମନ୍ତ୍ରଣ ଥାଳି ରଖି ମଥା ଲଗେଇ ପ୍ରଣାମ କଲା ବେଳେ ଦୁଇ ଟୋପା ଲୁହ ପଡିଗଲା ପାହାଚ ଉପରେ। ବତୁରା ମନ ଆଉ କୋହ ନେଇ ଚାଲିଆସିଲେ ଘରକୁ।

ବାହାଘରର ପ୍ରସ୍ତୁତି ଭିତରେ ଆଉ ସମୟ ପାଇ ନାହାନ୍ତି ଦେଉଳ ଆଡେ ଯିବାକୁ। ମନରେ କିନ୍ତୁ ପ୍ରଶ୍ନଟିଏ ଥାଏ। ସତରେ କଣ ଶୁଣୁଛି ସେ ମୋ କଥା। କାହିଁ ଉତ୍ତରଟେ ଦେଲା ନାହିଁ। ହଁ ,ସେ କଣ ଉତ୍ତର ଦିଏ? ତା କଳା ମୁହଁ ଦେଖିଲେ ବୁଝି ହେଇଯାଏ ସବୁ କିଛି। ହେଲେ ସେତିକି ବି ହୋଇ ପାରିଲା ନାହିଁ। ଆସିଲା ବାହାଘର ଦିନ, ଅତିଥି କୁଣିଆ ରେ ଘର ଭର୍ତ୍ତି। ସବୁ କିଛି କେମିତି ସୁରୁଖୁରୁରେ ହୋଇ ଯାଉଛି। ଗାଁ ଲୋକ,ବରଯାତ୍ରୀ ବନ୍ଧୁବାନ୍ଧବ ଖୁସିରେ ଖାଇଲେ। ଝିଅ ବିଦା ହେଲା, କାନ୍ଦି କାନ୍ଦି ପ୍ରକାଶ ବାବୁଙ୍କ ମୁହଁ ଫୁଲି ଯାଇଛି। ଲୁହର ଦାଗ ଆଖି ତଳେ ସ୍ପଷ୍ଟ ଦେଖା ଯାଉଛି। ଝିଅ ଗଲା ପରେ ଘର ଟି କେମିତି ଖାଁ ଖାଁ ଲାଗୁଛି। ବାହାରେ ଚେୟାର ଖଣ୍ଡେ ପକେଇ ବସିଛନ୍ତି ପ୍ରକାଶ ବାବୁ ଅନ୍ୟମନସ୍କ ହୋଇ। ଭଣଜା ରହିଯାଇଛି ଖାଲି ବାକି ସମସ୍ତେ ଗଲେଣି। ଝିଅ କଥା ଭାବି ଗୁମସୁମ ମନ ମାରି ଭାବୁଛନ୍ତି ସବୁ କଥା। ଏତେ ଆଦର ଗେଲ୍ହା ରେ ଝିଅ ଏମିତି ଚାଲିଗଲା ଶାଶୂଘରକୁ। ଦୁନିଆର ଇଏ କି ନିଷ୍ଠୁର ନିୟମ। ଗଲା ବେଳେ ତା କାନ୍ଦ କାନ୍ଦ ମୁହଁଟା ଭାରି ମନେ ପଡୁଥିଲା। ପାଗେଳି ଟା, ଭାରି ଅଳି କରେ ଛୋଟ କଥାରେ, ସେଠି କିଏ ବୁଝିବ ତା କଥା। ମା ଗଲା ପର ଠୁ ବାପା ମା ସ୍ନେହ ଦେଇ ପାଳିଛନ୍ତି ତାକୁ। ଖୁବ ମନେ ପଡ଼ୁଥିଲା ସ୍ୱର୍ଗବାସୀ କଲ୍ୟାଣୀ ଙ୍କ କଥା। ସବୁ ତ ସରିଲା ଜୀବନରେ , ଆଉ କେତେଟା ଦିନ କାଟିଦେଲେ ସେ ଚାଲି ଯାଆନ୍ତେ ତାଙ୍କ ପାଖକୁ। ଆଣ୍ଠୁ ରେ ମୁହଁ ଜାକି କଇଁ କଇଁ କାନ୍ଦିବାକୁ ଲାଗିଲେ ପ୍ରକାଶ ବାବୁ। 

ଏଇ ସମୟରେ ଗେଟ ପାଖେ କେହି ଜଣେ ଡାକିଲା। ସେ ଡାକଟି ଭେଦିଗଲା ଆତ୍ମା ଯାଏ। ସେ ଚମକି ଉଠି ଦେଖିଲେ। ଗେଟ ଆର ପଟେ ଠିଆ ହେଇଛନ୍ତି ଜଣେ ଲୋକ। ତାଙ୍କରି ବୟସ ହେବ ବୋଧେ, କୁଂଚୁକୁଞ୍ଚିଆ ଚୁଟି, ଆଉ ମଥାରେ ଚନ୍ଦନ ତିଳକ।ଅଧା ପାଚିଲା ଦାଢ଼ି ନିଶ ଭିତରେ ଦୁଇଟା ଗୋଲ ଗୋଲ ଆଖି। ମାଧ୍ୟମ ସ୍ୱାସ୍ଥ୍ୟ। ରଙ୍ଗ କଳା। ପିନ୍ଧିଛନ୍ତି ଖଣ୍ଡେ ଧୋତି। ଦେହରେ ଚାଦର ଖଣ୍ଡେ।ପାଦରେ ଚପଲ ନାହିଁ। ଭଣଜା ଯାଇ ପଚାରିଲା, " କାହାକୁ ଖୋଜୁଥିଲେ?" ଲୁହ ପୋଛି ପଛେପଛେ ଆସିଲେ ପ୍ରକାଶ ବାବୁ। ତାଙ୍କ ବେଶ ଦେଖି ପ୍ରକାଶ ବାବୁ କାନ୍ଦିବା ଭୁଲିଗଲେ। ଅସ୍ତଗାମୀ ସୂର୍ଯ୍ୟର କିରଣରେ ସେ ଦିଶୁଥିଲେ ଖୁବ ତେଜିୟାନ। ଅପୂର୍ବ ଜ୍ୟୋତି ଟିଏ ତାଙ୍କ ମୁହଁରେ। ଆଗନ୍ତୁକ ଜଣକ କହିଲେ, "ଆଜ୍ଞା, କିଛି ଖାଇବାକୁ ମିଳିବ। ଦିନ ସାରା କିଛି ଖାଇନି। ତାଙ୍କ କଥାରେ ଥିଲା ମୋହିନୀ ଶକ୍ତି। ପ୍ରକାଶ ବାବୁ ଗେଟ ଖୋଲି ତାଙ୍କୁ ପାଛୋଟି ଆଣିଲେ ଭିତରକୁ। ଧୀରେ ଧୀରେ ପାଦ ଥାପି ସେ ଆସି ବସିଲେ ପିଣ୍ଡା ଉପରେ। ପାଣି ଢାଳଟେ ଦେଇ ସେ ବସିଲେ ତାଙ୍କ ପାଖେ, ପଚାରିଲେ କୋଉଠି "ଆପଣଙ୍କ ଘର, ଏପଟେ କୁଆଡେ ଯାଉଥିଲେ?" ସେ ହସି କହିଲେ, "ମୋ ଘର ସେମିତି କିଛି ନାହିଁ। ମୁଁ ବାଟଭୁଲା ବାଟୋଇ ଟିଏ। ଯେତେବେଳେ ଭୋକ ଲାଗେ ମାଗି ଦିଏ।" ଏତିକି ବେଳେ ରୋଷେଇ ଶାଳା ରୁ ଭଣଜାର ପାଟି ଶୁଭିଲା। ପ୍ରକାଶ ବାବୁ ଯାଇ ଦେଖିଲେ, ବଳକା ଖାଇବା ସବୁ ଢାଳି ଟେଣ୍ଟ ବାଲା ମଜ୍ଜାମଜ୍ଜି କଲାଣି। ସେଥିପାଇଁ ଭଣଜା ତାଙ୍କୁ ପାଟି କରୁଛି। ଭାରି କଷ୍ଟରେ, ଡିସ ପୋଛା ପୋଛି କରି ଗୋଟିଏ ଥାଳିରେ ଆଣି ଆସିଲେ କିଛି ଅନ୍ନ,ଡାଲି, ତରକାରୀ ଆଉ ଚୌପତିରେ ଖୀରି। ଥାଳିଟି ଆଗନ୍ତୁକଙ୍କ ଆଗରେ ରଖି କହିଲେ, "ଆଜ୍ଞା, ସଞ୍ଜ ହେଇ ଗଲାଣି, ସମସ୍ତେ ଖାଇ ସାରିଲେଣି ଏତିକି ହୋଇପାରିଲା।" ନିଜର ଚିରାଚରିତ ହସହସ ଭଙ୍ଗୀରେ କହିଲେ, "ଏତିକି ଯଥେଷ୍ଟ ମୋ ପାଇଁ। ଖାଇ ବସିଲେ ସେ। ଅନ୍ନରେ ଡାଲି ଗୋଳେଇ ପଚାରିଲେ, ତମେ ଖାଇଛ?" ଆରେ! ସତେ ତ, ବାହାଘର ଭିତରେ ଖାଇବା ଭୁଲିଯାଇଛନ୍ତି ପ୍ରକାଶ ବାବୁ। ଟିକେ ଚୁପ ରହି କହିଲେ, "ଆପଣ ଖାଆନ୍ତୁ, ମୁଁ ପରେ ଖାଇବି।" ଆଗନ୍ତୁକ କହିଲେ, ଆସ ସାଙ୍ଗ ହୋଇ ଖାଇବା, ଦୁଇ ଜଣଙ୍କ ପାଇଁ ହୋଇ ଯିବ।ପ୍ରକାଶ ବାବୁ ମନା କଲେ। ସେ କହିଲେ, "ତମେ ନ ଖାଇଲେ ମୁଁ ଖାଇବିନି।" ଚମକି ପଡିଲେ ପ୍ରକାଶ ବାବୁ। ମନେ ପଡିଗଲା ମନ୍ଦିରରେ ସେଦିନର କଥା। ଜାଣିଗଲେ ଜଗା ଆସିଛି , ଆଖି ଲୁହରେ ଭର୍ତ୍ତି ହୋଇଗଲା। ପଚାରିଲେ, କଣ ଆପଣଙ୍କ ନାଁ? ଆଖିରେ ଆଖି ମିଶେଇ ସେ କହିଲେ, "ଜଗବନ୍ଧୁ, ଲୋକେ ମୋତେ ଜଗା ବୋଲି ଡାକନ୍ତି।" ପାଦ ତଳେ ପଡି ଭୋ ଭୋ କାନ୍ଦି ଉଠିଲେ। କେହି ତ ନଥିଲେ ସେଠି। ଭଣଜା ଯାଇଥିଲା, ବାହାରକୁ କାମରେ।ପିଠି ଆଉଁସି ଉଠେଇ ଦେଲେ, ଲୁହ ପୋଛି ଖୋଇ ଦେଲେ ଖୀରି ରୁ ଟିକେ। ଆଉ କହିଲେ , "ବଢିଆ ହେଇଛି ସବୁ ଖାଇବା।" ତାଙ୍କ ଛୁଆଁ ରେ ସବୁ ଦୁଃଖ ଯନ୍ତ୍ରଣା ଉଭେଇ ଯାଉଥିଲା କୁଆଡେ।ଆହୁରି ଜୋରରେ କାନ୍ଦି ଉଠିଲେ, ପ୍ରକାଶ ବାବୁ। ଅନେକ ଦିନର ସାଇତା କୋହକୁ ଆଜି ଲୁହ ହୋଇ ଝରୁଥିଲା ଆଖିରୁ। ସେ କହିଲେ, " ସତରେ ତମେ ଆସିଛ ମୋ କଥା ରଖି, ମୋ ଘରକୁ। ମୁଁ ତୁମକୁ ଚିହ୍ନି ପାରୁନି। କଣ ବା ଦେଇ ପାରିବି ତମକୁ ମୁଁ। ତମେ କରୁଣାର ସାଗର,କୃପାସିନ୍ଧୁ। ନିଜ ନାଁ ରଖିଛ ତୁମେ ଜଗବନ୍ଧୁ। ମୋ ଜଗା।" ସବୁ ବୁଝି ସେ ଖାଲି ହସୁଥିଲେ, ପ୍ରକାଶବାବୁ ତାଙ୍କ ଭିତରେ ଦେଖୁଥିଲେ ମନ୍ଦିରର ସେଇ ଦାରୁ ବିଗ୍ରହ, ଯେ ବାହୁ ମେଲେଇ ବସିଥାନ୍ତି ପ୍ରସନ୍ନ ମୁଦ୍ରାରେ। ଖୁବ ଜୋରରେ ଛାତିରେ ଚାପି ଧରିଲେ ତାଙ୍କ ଜଗାକୁ। ଆଉ ଛାତିରେ ମୁହଁ ଗୁଞ୍ଜି କଇଁକଇଁ ହୋଇ କାନ୍ଦିଲେ ଛୋଟ ପିଲା ପରି। କେହି କିଛି ବୁଝିବା ଆଗରୁ ସେମାନେ ଚାଲିଗଲେ ଦୂରକୁ ବହୁ ଦୂରକୁ।



Rate this content
Log in

Similar oriya story from Abstract