ଜେଜେଙ୍କ ଉପଦେଶ
ଜେଜେଙ୍କ ଉପଦେଶ
ଗ୍ରୀଷ୍ମ ଛୁଟି ହୋଇଥାଏ। ଅଙ୍କିତ ର ମନ ଛୁଟି ହେଲେ ଗାଁକୁ ଯିବ। ଛୁଟି ଘୋଷଣା ବିଦ୍ୟାଳୟରୁ ଆସିଲା କ୍ଷଣି ଅଙ୍କିତ ଓ ଅଙ୍କିତା ବାପାଙ୍କୁ ଗାଁକୁ ଯିବା ପାଇଁ ଅତି ଉତ୍କଣ୍ଠା ର ସହ କହିଲେ ବାପା ଏବେ ଅଫିରୁ ଛୁଟି ନେଇ ଗାଁକୁ ତାଙ୍କ ପରିବାର ସହ ଗଲେ। ଜେଜେ ବାପା ବହୁତ ଦିନ ପରେ ସେମାନଙ୍କୁ ଦେଖି ଖୁସି ହୋଇଗଲେ। ଏବଂ ଦେଖୁ ଦେଖୁ କୋଳେଇ ନେଲେ ଏବଂ ଖିଆ ପିଆ କରି ବିଶ୍ରାମ ନେଲେ। ଠିକ ୫ଟା ବାଜିଲା। ଏବେ ଅଙ୍କିତ କୁ ଜେଜେ ବାପା ଗାଁ ଆଡକୁ ବୁଲି ଯିବାକୁ କହିଲେ। ଅଙ୍କିତ ସଫା ସଫା ମନା କରି ଦେଲା। ସେ କହିଲା ମୁଁ ତମ ସହ ବୁଲିବାକୁ ଗଲେ ମମି ମୋତେ ଗାଳି କରିବେ। ଆମେ ଏବେ ପାଠ ପଢିବୁ। ଜେଜେ ବାପା କହିଲେ ପାଠ ପଢିବାକୁ ମନା ନାହିଁ। କିନ୍ତୁ ଆମେ ସମସ୍ତଙ୍କ ସହ ସଂପର୍କ ରଖିବା ଉଚିତ୍। ଜେଜେ ବାପା ପୁରୁଣା ସମୟର ଲୋକ। ତାଙ୍କୁ ଆଧୁନିକ ଇତିହାସ ଜଣା ନାହିଁ କିନ୍ତୁ ପୁରାଣରେ ସେ ନିପୁଣ ଥିଲେ।
ଆମେ ତ ଇଂରାଜୀ ମିଡିୟମରେ ପାଠ ପଢୁଅଛୁ। ଆମ ବିଦ୍ୟାଳୟଟି ବହୁତ ଉଚ୍ଚକୋଟିର। ଗ୍ରାମର ଏ ଅସଭ୍ୟ ପରିବେଶରେ ମିଶିଲେ ଆମର କି ଲାଭ ହେବ। ତେଣୁ ଜେଜେ ବାପା ସ୍ପଷ୍ଟ ଭାବରେ ଏକ ଗଳ୍ପ ମାଧ୍ୟମରେ ଅଙ୍କିତକୁ ବୁଝାଇଥିଲେ। ତେବେ ପୌରାଣିକ ଆଧାରିତ ଗୋଟିଏ ନୀତି କଥା ମହାଭାରତ ପୃଷ୍ଠାରୁ ତାକୁ ଶୁଣାଇଥିଲେ।
ଦ୍ରୋଣାଚାର୍ଯ୍ୟ କୁରୁ ଓ ପାଣ୍ଡବମାନଙ୍କ ଗୁରୁ ସେ ହସ୍ତିନାପୁରରେ ରହି ବିଦ୍ୟା ଶିକ୍ଷା ଦେଉଥିଲେ। ତାଙ୍କରି ସ୍ନେହ ଓ ନିଷ୍ଠାପର ଶିକ୍ଷାଦାନରେ ସମସ୍ତେ ଦକ୍ଷ ହେବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ କେତେକ ଅଭିମାନୀ ହୋଇଗଲେ। ଦୁର୍ଯ୍ୟୋଧନ ସେମାନଙ୍କ ଭିତରୁ ଅନ୍ୟତମ। ଦୁର୍ଯ୍ୟୋଧନ ନିଜକୁ ଭାରତବର୍ଷର ଶ୍ରେଷ୍ଠ ଯୋଦ୍ଧା ଓ ବିଦ୍ୱାନ ବୋଲି ଭାବିନେଇଥାଏ।ତେଣୁ ସମସ୍ତଙ୍କୁ ଉପେକ୍ଷା କରି ଏକାକୀ ସବୁଚିଛି କରି ପାରିବାର ଆଶା ବାନ୍ଧିଥାଏ।
ମନରେ ଅହଙ୍କାର ଓ ସ୍ୱାର୍ଥ ଜାଗିଉଠିଲେ ଧର୍ମ ଓ ନୈତିକତା ଲୋପପାଏ। ତେଣୁ ଗୁରୁ ଦ୍ରୋଣାଚାର୍ଯ୍ୟ ଦୁର୍ଯ୍ୟୋଧନର ସ୍ୱଭାବରେ ଚିନ୍ତିତ ହୋଇଗଲେ। ତେଣୁ ଗୁର ଦ୍ରୋଣାଚାର୍ଯ୍ୟ ଦୁର୍ଯ୍ୟୋଧନ ସ୍ୱଭାବରେ ଚିନ୍ତିତ ହୋଇଗଲେ।
ଗୋଟିଏ ଶୀତ ରାତ୍ରିରେ ଦ୍ରୋଣାଚାର୍ଯ୍ୟ ଶିଷ୍ୟମାନଙ୍କୁ ନେଇ ଖୋଲା ପଡିଆରେ ନିଆଁ ଲଗାଇ ଚାରି ପାଖରେ ଘେରି ବସିଥାନ୍ତି। ଶରୀରକୁ ଉଷୁମ କରିବା ଅବସରରେ ମନ ଭିତରେ ଥିବା ଜଟିଳତାକୁ ଆଲୋଚନା ମାଧ୍ୟମରେ ଶିଥିଳ କରୁଥାନ୍ତି। ମଝିରେ ମଝିରେ ନିଆଁକୁ ଓଲଟ ପାଲଟ କରୁଥାନ୍ତି ଇମିତି ଓଲଟ ପାଲଟ କରୁ କରୁ ଦ୍ରୋଣାଚାର୍ଯ୍ୟ କହିଲେ, “ସମସ୍ତେ ଦେଖିପାରୁଥିବ ନିଆଁ ଭିତରେ କେତେକ ଛୋଟ ବଡ ନିଆଁ ପିଣ୍ଡୁଳା। ସେଗୁଡିକ ନିଜେ ଜଳି ଆମକୁ ଉତ୍ତାପ ଓ ଆଲୋକ ଦେଉଛନ୍ତି ଏହି ନିଆଁଖଣ୍ଡମାନଙ୍କ ଭିତରେ ଗୋଟିଏ ବଡ ନିଆଁ ମୁଣ୍ଡା ଅଛି, ଯେ କି ତେଜୀୟାନ୍ ହୋଇ ଜଳୁଛି ଜଣାଅଛି, ସମଗ୍ର ନିଆଁ ଶିଖା ତାରି ଯୋଗୁ ସମ୍ଭବପର ”।
ତୁମେ ଦୁର୍ଯ୍ୟୋଧନ ସେହି ନିଆଁମୁଣ୍ଡାକୁ ବାହାର କରି ଆଣି ଗୋଟିଏ ସ୍ଥାନରେ ରଖ।
ଗୁରୁଙ୍କର ଆଦେଶରେ ଦୁର୍ଯ୍ୟୋଧନ ବଡ ଜଳନ୍ତା ଅଗ୍ନିପିଣ୍ଡକୁ ବାହାର କରି ଆଣି ଖୋଲା ସ୍ଥାନରେ ରଖିଲେ କିଛି ସମୟ ପରେ ଦେଖାଗଲା ତାହା ମଳିନ ହୋଇ ତା’ପରେ ଧଳାବର୍ଣ୍ଣର ପାଉଁଶ ପଲସ୍ତରା ପଡି ରହିଛି। ସେ ଆଲୋକ କି ଉତ୍ତାପ ଦେଇପାରୁନାହିଁ ରଡ ନିଆଁଟି ବଡ ଅଙ୍ଗାରରେ ପରିଣତ ହୋଇଯାଇଛି।
ଅଙ୍ଗାରକୁ ଦେଖାଇ ଗୁରୁଦ୍ରୋଣ ପଚାରିଲେ, “ବତ୍ସ ଦୁର୍ଯ୍ୟୋଧନ ତୁମ ଆଗରେ ଥିବା ବଡ ଅଙ୍ଗାରଟି ଏଥି ପୂର୍ବରୁ କ’ଣ ଥିଲା? ” ଦୁର୍ଯ୍ୟୋଧନ କହିଲେ,“ଗୁରୁଦେବ, ଏହା ଏକ ଜଳନ୍ତା ଅଗ୍ନି ପିଣ୍ଡୁଳା ଥିଲା ”।
“ତେବେ ବର୍ତ୍ତମାନ କାହିଁକି ମଳିନ ହୋଇ ଅଙ୍ଗାରରେ ପରିଣିତ ହୋଇଗଲା ?”
ଦୁର୍ଯ୍ୟୋଧନ ନମ୍ର ଭାବରେ କହିଲେ,“ଗୁରୁଦେବ, ଜଳନ୍ତା ନିଆଁ ଭିତରେ ରହି ନିଜର ଶକ୍ତି ଦେଖାଇ ପାରୁଥିଲା, କିନ୍ତୁ ଯେତେବେଳେ ସେ ପୃଥକ ହୋଇଗଲା, ବାହାର ଶୀତଳ ପବନର ଜଳୀୟକଣା ଓ ଆର୍ଦ୍ର ମାଟି ତା’ର ତେଜ ହରଣ କରି ନେଲେ ଯା’ ଫଳରେ ନିଆଁ ହେଲା ଅଙ୍ଗାର ”।
ଦୁର୍ଯ୍ୟୋଧନର କଥା ଶେଷ ନ ହେଉଣୁ ଗୁରୁ ଦ୍ରୋଣାଚାର୍ଯ୍ୟ କହିଲେ,“ଶୀତଳ ପବନ ଓ ଆର୍ଦ୍ରମୃତ୍ତିକା ଯଦିଚ ଆଗରୁ ଥିଲା, ତଥାପି ଅନେକ ଛୋଟ ଛୋଟ ନିଆଁଖଣ୍ଡ ସାଙ୍ଗରେ ଥିବା ସମୟରେ ତେଜୀୟାନ ହୋଇ ଜଳୁଥିଲା ତାକୁ ବାହ୍ୟଶତ୍ରୁ କେହି କିଛି କରିପାରୁନଥିଲା, ଅଥଚ ସେ ବାହ୍ୟ ଜଗତରେ ନିଜ ପ୍ରଭାବ ବିସ୍ତାର କରିପାରିଥିଲା ଯେହେତୁ ସେ ସମାଜ ବା ଗୋଷ୍ଠୀ ଭିତରେ ଥିଲା, ଛୋଟ ବଡ ନିଆଁଖଣ୍ଡମାନଙ୍କ ସହତି ସେ ଏକାକାର ହୋଇଯାଇଥିଲା ବାସ୍ତବରେ ଯେ କେହି ହେଉନା କାହିଁକି ସମସ୍ତଙ୍କ ସାଙ୍ଗରେ ଜଣେ ହୋଇଥିବା ଯାଏ।
ନିଶ୍ଚିତ ଭାବେ ତା’ର ଗୁଣ, ଶକ୍ତି ପ୍ରାଧାନ୍ୟ ବିକଶିତ ହେଉଥିବ, କିନ୍ତୁ ଯେତେବେଳେ ସେ ସମସ୍ତଙ୍କୁ ଛାଡି ଚାଲିଆସେ, ସେ ଯେତେ ତେଜସ୍ୱୀ, ଶକ୍ତିଶାଳୀ ହେଇଥାଉନା କାହିଁକି, ଏହି ଅଙ୍ଗାର ପରି ହେବାକୁ ହିଁ ହେବ ଏଣୁ ମୋର ପ୍ରିୟ ଶିଷ୍ୟମାନେ, ତୁମ୍ଭେମାନେ କେବେ ହେଲେ ସମାଜ, ଗୋଷ୍ଠୀକୁ ପରିତ୍ୟାଗ କରିବ ନାହିଁ ଯଦି ଅହଙ୍କାର ମନରେ ସମାଜ, ପରିଜନଙ୍କୁ ଛାଡି ପୃଥକ୍ ହୋଇଯାଅ, ତେବେ ଅଙ୍ଗାରର ଦଶା ଭୋଗିବାକୁ ପଡିବ ଅତି ସରୁ ଦୁର୍ବଳ ସୂତାଗୁଡିକ ଏକତାବଦ୍ଧ ହୋଇ ଶକ୍ତିଶାଳୀ ହାତୀକୁ ବାନ୍ଧି ରଖିପାରୁଛି, କିନ୍ତୁ ସେହି ସୂତା ସମୂହରୁ ଗୋଟିଏ ଶକ୍ତ ସୂତା ହାତୀକୁ ବାନ୍ଧି ରଖିବାକୁ ଚେଷ୍ଟା କରେ, ତା’ର ଦଶା ଯାହାହେବ, ପୃଥକ୍ ହୋଇ ପ୍ରତିଷ୍ଠିତ ହେବାକୁ ଚେଷ୍ଟା କରିବା ସେହିପରି ହାସ୍ୟାସ୍ପଦ ”।
ଗୁରୁଙ୍କ କଥାର ମର୍ମ ଉପଲବ୍ଧି କରି ଦୁର୍ଯ୍ୟୋଧନ ସମେତ ଅନେକ ଲଜ୍ଜିତ ହୋଇ ମୁଣ୍ଡ ନୁଆଁଇ ଦେଲେ।
ଅଙ୍କିତ ଜେଜେ ବାପାଙ୍କ ଗଳ୍ପ ଶୁଣି ସାରିଲା ପରେ ତା' ନିଜର ଭୁଲ ବୁଝିପାରିଥିଲା ଓ ତାଙ୍କ ସହ ଗ୍ରାମ ଆଡକୁ ପାଦ ପକାଇଲା। ଜେଜେ ବାପା ଭାରି ଖୁସି ହେଲେ।
