ଜେଜେଙ୍କ ଚଉକି
ଜେଜେଙ୍କ ଚଉକି
ଜେଜେ ଯେତେବେଳେ ତାଙ୍କ ଚଉକିରେ ବସି ଝୁଲି ଝୁଲି ଆକାଶକୁ ଦେଖୁଥାନ୍ତି ମିନୁ କହେ ଆକାଶରେ କାହାକୁ ଦେଖୁଛ ଜେଜେ ତ ଜେଜେ ସଜାଡି ହୋଇ ବସନ୍ତି ଆଉ କହନ୍ତି ଏଇ ଦେଖ ସେଇ ଜହ୍ନକୁ ଦେଖୁଛି। ତା ଭିତରେ ଥିବା କଲାଜାଇଟା ପରା ତୋ ଜେଜେମା। ମିନୁ ଫିକ କରି ହସିଦିଏ କହେ ତମର ଯୋଉ କଥାନା ଜେଜେ!ଜହ୍ନ ଭିତରେ ଥିବା ସେଇ ଚିହ୍ନକୁ ନେଇ କେତେ କଣ ଗବେଷଣା ଚାଲିଛି। କିଏ କହୁଛି ଠେକୁଆ ଚିତ୍ର ତ କିଏ କହୁଛି ଜହ୍ନର କଳାଜାଇ ସେଇଟା। ଜହ୍ନରେ ଏ ମଣିଷ ଘର କରିବାକୁ ବସିଲାଣି ସୁଦ୍ଧା ଜାଣିପାରୁନି ସେ ଚିହ୍ନଟାର ରହସ୍ୟ ଆଉ ତୁମେ କଣ କହୁଛ କଣ ନା ସେ ଜେଜେମା। ଜେଜେ ବୁଝିଗଲେ ନାତୁଣୀ ମିନୁ ଆଉ ପିଲା ହୋଇ ରହିନାହିଁ। ବଡ଼ ହେଇଯାଇଛି ଏ ଭିତରେ ତ କହିଲେ ବୁଝିଲୁ ମାଆ ମିନୁ ଜହ୍ନର ସେ ଚିହ୍ନଟା କାହାପାଇଁ କଣ ହୋଇପାରେ ହେଲେ ମୋ ପାଇଁ ତୋ ଜେଜେମା ସିଏ। ଆଲୋ ଜେଜେମା ତୋର ସିନା ଟିକେ ଶ୍ୟାମାଳୀ ଥିଲା ହେଲେ ଗଢ଼ଣ ଏଡ଼େ ସୁନ୍ଦର ସମସ୍ତେ କହନ୍ତି ଜହ୍ନ ବରକୁ ନୀଳକଇଁ କନିଆଁ। ଦେଖୁନୁ ଏଠି ସିନା ମତେ ଏକୁଟିଆ କରି ଚାଲିଗଲା କିନ୍ତୁ ଜହ୍ନରେ ରହି ମତେ ଉଙ୍କିମାରି କେତେ କଥା ପଚାରେ ଯେମିତିକି ଖାଇଛ କି ନାହିଁ, ଔଷଧ ଠିକ ସମୟରେ ନେଉଛ କି ନାହିଁ? ମିନୁ ଆମର କେତେ ବଡ଼ ହେଲାଣି? ଇତ୍ୟାଦି କେତେ ଯେ ପ୍ରଶ୍ନ ପଚାରେ ମତେ! ଜାଣିଛୁ ମିନୁ ତୋ ଜେଜେମାର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପରା ଦିନ ସାରା ମୁଁ ଅନେଇଥାଏ କେମିତି ସନ୍ଧ୍ୟା ଗଡି ରାତି ଆସିବ ମୁଁ ତୋ ଜହ୍ନମାମୁଁ ଭିତରେ ତୋ ଜେଜେମା ନୀଳକଇଁକୁ ମୋର ଦେଖିବି ଟିକେ।
ପ୍ରଥମେ ପ୍ରଥମେ ଜେଜେଙ୍କ କଥା ଶୁଣି ମିନୁ କାନ୍ଦିପକାଉ ଥିଲା। ଆଜିକାଲି ଲାଜେଇ ଯାଏ। ଏବେ ପା ସେଇ ପିଲାଦିନର ଜହ୍ନମାମୁଁ ତା ପାଇଁ ଖାଲି ଜହ୍ନ ତ ନୁହେଁ ପ୍ରେମିକ ଜହ୍ନ ହୋଇଯାଇଛି। ଅମାବାଶ୍ୟା ଆସିଲେ ଜେଜେଙ୍କ ପରି ମିନୁ ବି ଛଟପଟ ହୁଏ। ରାକେଶ ଠିକ ଜହ୍ନ ପରି। ତୋଫା ଗୋରା ଠିକ ତା ଜେଜେଙ୍କ ଭଳି ଆଉ ସେ ବି ଠିକ ତା ଜେଜେମା ଭଳି ହୋଇଛି ବୋଲି ସମସ୍ତେ କହୁଥିଲା ବେଳେ ଜେଜେ ହସିଦିଅନ୍ତି କିଛି କହନ୍ତି ନାହିଁ। ଆଜି ଅମାବାସ୍ୟା ଆକାଶକୁ ଦେଖିଲେ ଖାଲି ଅନ୍ଧାର। ତଥାପି ଜେଜେ ନିଜ ଚଉକି ପକାଇ ବାରଣ୍ଡା ଉପରେ ଆକାଶକୁ ଚାହିଁଥାନ୍ତି। ସେଇ ସୁଯୋଗରେ ମିନୁ ପଚାରେ ମୁଁ ଜେଜେମା ଭଳି ସୁନ୍ଦର କି ନୁହଁ କହିଲ ଜେଜେ? ଆରେ ତୁ ଜେଜେମା ଠାରୁ ଢେର ଗୁଣ ଅଧିକା ସୁନ୍ଦର କିନ୍ତୁ ତୋ ଜେଜେମାଟା ଭାରି ଅଭିମାନିନୀ, ନାକକାନ୍ଦୁରୀ ପୁଣି ଜାଣିଛୁ ମିନୁ ପକ୍ଷେ ହସିଲେ ପକ୍ଷେ ରୁଷେ ତୋ ଜେଜେମା । ତୁ ଆମର ରାକେଶକୁ ଏମିତି ହଇରାଣ କରିବୁନି ମିନୁ। କିଛି ବୁଝେ କିଛି ବୁଝେନା ମିନୁ କିନ୍ତୁ ଜେଜେଙ୍କୁ ହଁ କି ନାହିଁ କରିବାକୁ ସେଦିନକୁ ଅପେକ୍ଷା କଲା ବେଳକୁ ଜେଜେ ନଥିଲେ ତା ବାହାଘରକୁ। ଜେଜେଙ୍କ ଶୁନ୍ୟ ଚଉକିଟା ମିନୁକୁ ହାତ ଠାରି ଡାକେ। ସତେ ଯେମିତି ଜେଜେ କହୁଥାନ୍ତି,କହ ମିନୁ ରାକେଶ ପାଇଁ ନୀଳକଇଁ ହୋଇ କେତେ ଜହ୍ନରାତିରେ ବେତେ ସୁନାଝରା କଇଁଫୁଲିଆତାତି ଆଣିଦେବୁନା ସବୁଦିନ? କେବେ ରୁଷି ଯିବୁନି ତ ଜେଜେମା ଭଳି? କେବେ ହଜିଯିବୁନି ମା ଜହ୍ନ ଭିତରେ। ରାକେଶ ହୃଦୟ ଖଣ୍ଡ ଖଣ୍ଡ ହେଇଯିବ ମାଆ କେବେ ଏ ଦୂର ଜହ୍ନଟାକୁ ଚାହିଁବୁନି। ତୁ ସୁଖରେ ରହ ଝିଅ। ଅହିସୁଲକ୍ଷଣୀ ସୌଭାଗ୍ୟବତୀ ହୋଇଥା। ରାକେଶଙ୍କ ଘର ଲୋକଙ୍କର କିଛି ଯୌତୁକ ଦାବୀ ନଥିଲା ବରଂ ଶାଶୁ ଶଶୁର କହୁଥିଲେ ଯୌତୁକ ଯଦି ଦେବାକୁ ଚାହୁଁଛନ୍ତି ତେବେ ମିନୁର ପସନ୍ଦ ଅପସନ୍ଦର ଲିଷ୍ଟ ପାଇଲେ ବରଂ କୁତାର୍ଥ ମଣିବୁ ନିଜକୁ କାରଣ ଏଣିକି ଆପଣଙ୍କ ଝିଅ ଆମ ଘରର ଗୃହଲଷ୍ମୀ ହେବ। ତା ପସନ୍ଦ ଅପସନ୍ଦ ନଜାଣିଲେ ଆମ ଘରକୁ ସ୍ୱର୍ଗ କରିବୁ କିପରି? ମିନୁ କିନ୍ତୁ ମାଗିଥିଲା ମାଆ ବାପାଙ୍କୁ ମତେ ଜେଜେଙ୍କ ଚଉକିଟି ଦିଅ ବାପା କହି ଲୋଟି ଯାଉଥିଲା ବାପା ମାଆଙ୍କ ଛାତିରେ। ମୌସୁମୀ ଆସି ଧରା ପୃଷ୍ଠରେ ପାଦ ଥୋଇବା ପୂର୍ବରୁ ମିନୁ ଆଖିରେ ଆଷାଢ଼ ଶ୍ରାବଣ ପାଲଟି ମିନୁର ବିଦାୟୀ ମେଘ ଜେଜେଙ୍କ ଚଉକି ସହ ଘର ଅଗଣା ଧୋଇଦେଉଥିଲା।
ମିନୁ ଶାଶୁ ଘରେ କୌଣସି ଜିଣିଷର ଅଭାବ ନଥିଲେ ମଧ୍ୟ, ମିନୁ ଆଣିଥିବା ଜେଜେଙ୍କ ଚଉକି ପାଇଁ ସ୍ଥାନ ଅଭାବ ଥିଲା ନିଶ୍ଚୟ। ଦିନ ଗଡି ଚାଲିଲା ପରେ ମଣିଷ କମିଲେ। ଶାଶୁ ଶଶୁର ସ୍ୱର୍ଗାରୋହଣ କଲେ। ମିନୁ ଓ ରାକେଶଙ୍କର ଦୁଇ ପୁଅ ପାଠ ଶାଠ ପଢି ବଡ଼ ହେଲେ ଓ ତାପରେ ଚାକିରୀ ଓ ବିବାହ କରି ସୁଦୂର ଦିଲ୍ଲୀ ଓ ବମ୍ବେରେ ରହିଲେ। ସ୍ୱାମୀ ରାକେଶ ମଧ୍ୟ ଅବସର ନେଲେ। ମିନୁ ଲକ୍ଷ କଲେ ସେ ଜୀଵନ ସାରା ଯୋଉ ଜେଜେଙ୍କ ଚଉକିଟିର ସାହାରା କରି ବଞ୍ଚିଯାଉଥିଲେ ଯେମିତି କି ରାକେଶ ସବୁବେଳେ ବ୍ୟସ୍ତ ରହୁଥିଲେ ତାଙ୍କ ଅଫିସ କାମରେ ତ ଖୁବ ମନ ଥିଲେ ମଧ୍ୟ କୋଉଦିନ ବି ମିନୁ ଚାହିଁକି ମଧ୍ୟ ପ୍ରଗଳ୍ଭ ହୋଇପାରୁନଥିଲେ ସ୍ୱାମୀଙ୍କ ସହିତ। ପିଲାଦୁହେଁ ଦୂର ଜାଗାରେ ପାଠ ପଢ଼ୁଥିବା ବେଳେ ଅନେକ ଥର ଜହ୍ନକୁ ଦେଖି ସମୟ କାଟନ୍ତି ମିନୁ କିନ୍ତୁ ଏକା ଏକା। ରାକେଶ କେବେ ଅଫିସ କାମରେ ଟୁରରେ ତ କେବେ କୋଉ କାମରେ। ମିନୁ ଅଭିମାନ କଲେ ବୋଲି ଗାଁରେ ଘର ସଜାଡି ଛାତ ପକେଇଲେ। ଛାତ ଉପରେ ଘରଟେ କଲେ ଯେମିତି ଝରକା ଦେଇ ମିନୁ ଜହ୍ନଙ୍କୁ ଦେଖିପାରିବେ। ତାଙ୍କ ସାମୟିକ ଅନୁପସ୍ଥିତି ଓ ପିଲାଙ୍କ ସାମାୟିକ ଅନୁପସ୍ଥିତକୁ ଭୁଲିଯିବେ କିନ୍ତୁ ଜହ୍ନକୁ ଦେଖିଲେ ମିନୁ କାନ୍ଦୁ କାନ୍ଦୁ କବିତା ଲେଖନ୍ତି। କବିତା ସବୁ ବିରହର ତ କେବେ କେବେ ରାକେଶ ଯଦି କୁହନ୍ତି ମୁଁ ତ ତୁମ ପାଖେ ପାଖେ ଅଛି ଏ ବିରହ କାହିଁକି? ସତରେ ମିନୁଙ୍କ ଅଭିମାନ ବୁଝିବା ରାକେଶଙ୍କ ଦୁରୂହ ବ୍ୟାପାର ଥିଲା କିନ୍ତୁ ମିନୁ ତାଙ୍କ ଜେଜେଙ୍କ ଚଉକି ଉପରେ ବସି ଜହ୍ନଙ୍କୁ ଦେଖି ବିଭୋର ହୋଇଯିବାକୁ ଚାହିଁଥିଲେ ବି ରାକେଶ ଏବେ ସେହି ନିର୍ଦିଷ୍ଟ ଚଉକିଟିରେ ଛାତ ଉପରେ ବସି ଜହ୍ନକୁ ଚାହିଁ କଣ ଭାବନ୍ତି କେଜାଣି?
ସେଦିନ ମିନୁ ଯେବେ କଥାଟା ଖୋଲି ପଚାରି ଦେଇଥିଲେ ତ ରାକେଶ କହିଥିଲେ ଏ ଚଉକିରେ ଏତେ ଅନୁଭବ ଥାଏ ମୁଁ ତାକୁ ଟିକେ ଆପଣେଇବାକୁ ଚାହେଁ। କୋଉ ଅନୁଭବ? କାହାର ଅନୁଭବ? ତୁମ ଜେଜେଙ୍କର ମିନୁ। ତୁମେ ଜାଣ ତୁମକୁ ବିବାହ କରିବା ପାଇଁ ସେତେବେଳେ ଯେତେସବୁ ସାମାଜିକ ତଥା ଆର୍ଥିକ ବୈଷମ୍ୟ ଥିଲା ସେସବୁ ତୁମ ଜେଜେ ହିଁ ସମାଧାନ କରିଥିଲେ। ଜାତିଗତ ପ୍ରାଚୀର ତାଙ୍କ ଯୋଗୁଁ ଉଠିଯାଇଥିଲା। ତୁମ ଜେଜେମାଙ୍କୁ କୁଆଡେ ସେ ଭଲପାଇ ବିବାହ କରିଥିଲେ ଆଉ ଜେଜେମା ଅଳ୍ପ ଦିନ ପରେ ତୁମ ବାପାଙ୍କୁ ଜନ୍ମ ଦେବା ପରେ ପରେ ଚାଲିଗଲେ ଜେଜେଙ୍କୁ ଏକା କରି। ଏଇ ଚଉକି ଉପରେ ବସି ତୁମ ଅନୁପସ୍ଥିତିରେ ତୁମ ଘରକୁ ଡକାଇ ଜେଜେ ତୁମକୁ ପାଇ ନହରାଇ ଦେବାକୁ ମତେ କହିଥିଲେ ଗୋଟିଏ କିମ୍ବା ଦୁଇଟି ସନ୍ତାନରୁ କେବେ ଅଧିକା ସନ୍ତାନ କରିବାକୁ ଦେବ ନାହିଁ ମୋ ମିନୁକୁ। ତାର କାରଣ ଗର୍ଭ ବେଦନାକୁ ସହି ନପାରି ତା ଜେଜେମା ଯାଇଛି ଜହ୍ନ ଦେଶକୁ। ସେଇଥିପାଇଁ ମିନୁକୁ ଫାମିଲି ପ୍ଲାନିଂ ଅପରେସନ ମଧ୍ୟ କରାଇବ ନାହିଁ। ମିନୁ ଏସବୁ ଶୁଣି ହତବାକ ହୋଇଯାଇଥିଲା। ଆଜି ଜେଜେ ତାର ବହୁତ ମନେ ପଡୁଥିଲେ। ତାକୁ ଜହ୍ନ ଦେଶକୁ ନପଠାଇବାକୁ ଜେଜେଙ୍କ କଥା ମାନି ରାକେଶ ତାଙ୍କୁ ଓ ନିଜକୁ ବହୁ କଷ୍ଟ ଦେଇଆସିଛନ୍ତି କିନ୍ତୁ ଏବେ ଆଉ ସେ ଦୁହିଁଙ୍କୁ କେହି ଅଲଗା କରିପାରିବେ ନାହିଁ। ମିନୁ ବିଭୋର ହୁଅନ୍ତି ଜହ୍ନକୁ ଦେଖି। ଦୁହେଁ ଖୁବ ଗପ କରନ୍ତି ଏଣିକି। ଗପୁ ଗପୁ ରାକେଶଙ୍କ ଛାତିରେ ମୁହଁ ଗୁଞ୍ଜି ଜହ୍ନକୁ ଦେଖୁଥାନ୍ତି ମିନୁ। ଏଣିକି ତାଙ୍କ କବିତା ସବୁ ବିରହରୁ ପ୍ରେମକୁ ବଦଳି ଯାଉଥିବା ଭିତରେ ସେଦିନ ଦୁଇ ପୁଅ ଚାହିଁଥିଲେ ପିତା ମାତାଙ୍କୁ ନେଇଯିବାକୁ। ବଡ଼ପୁଅ ଅତନୁ କହିଥିଲା ବାପା ମୋ ସହ ମୁମ୍ବାଇ ଚାଲନ୍ତୁ ତୁ ସାନଭାଇ ପ୍ରିତମ ସହିତ ଦିଲ୍ଲୀ ଯାଇ କିଛି ଦିନ ରହି ବୁଲିଆ ମାଆ। କିଛି ଦିନ ବାହାରକୁ ଗଲେ ଟିକେ ଭଲ ଲାଗିବ। ତୁମେ ତ ଜାଣ ମୁମ୍ବାଇ ଓ ଦିଲ୍ଲୀରେ ଘର ଏତେ ଛୋଟ ଯେ ଦୁହେଁ ନୁହଁ ବରଂ ଜଣେ ହିଁ ଆଡ଼ଜଷ୍ଟ କରିପାରିବ।
ରାକେଶ ଦୁଇପୁଅଙ୍କୁ ଛାତ ଉପରକୁ ନେଇ କହୁଥିଲେ ଦେଖୁଛ ପିଲାମାନେ ଏ ଘର ଆଉ ଏ ଛାତ ଆଉ ଛାତରୁ ଏ ଜହ୍ନକୁ। ଏସବୁ ସମସ୍ତଙ୍କ ଭାଗ୍ୟରେ ମିଳେନି ପୁଅ। ତୋ ମାଆ ଏଇଥିପାଇଁ ନିଜକୁ ସ୍ୱୟସମ୍ପୂର୍ଣ୍ଣା ଭାବେ କି ଏମିତି ଗୋଟେ ଘର ସହିତ ଦୁଇ ପୁଅଙ୍କୁ ପାଠ ଶାଠ ପଢ଼େଇ ମଣିଷ କରି, ନିଜପସନ୍ଦର ଝିଅ ମାନଙ୍କ ସହ ପୁଅମାନଙ୍କୁ ବିବାହ ଦେଇ ଗୋଟେ ନାତି ଓ ନାତୁଣୀ ସେ ପାଇଯାଇଛି। ଆଉ କୋଉ ସୁଖ ସେ ଚାହୁଁନି ପୁଅ। ସେ ଜହ୍ନକୁ ନଦେଖିଲେ ବଞ୍ଚି ପାରିବନି। ବଡ଼ପୁଅ କହୁଥିଲା ମାଆର ଅବସ୍ଥା ଯାହା ହେଲାଣି ତାର ଟିକେ ସ୍ଥାନ ପରିବର୍ତ୍ତନ ଦରକାର ବୋଲି ମୁଁ କହୁଥିଲି। ତୁ ଠିକ କହୁଛୁ ହେଲେ ଏ ଘର, ମୋ ଠୁ ଦୂର ଆଉ ବିଶେଷ କରି ତା ଜେଜେଙ୍କ ଚଉକି ଛାଡି ସେ ଯଦି ଯିବ ଯାଉ। ମୋର କିନ୍ତୁ ଯିବାର ନାହିଁ. ମିନୁ ଠିକ ଜାଣିଥିଲେ ଦୁହେଁ ଦୁହିଁଙ୍କୁ ଛାଡି ଘଡିଏ ଅନ୍ତର ହେବା ଯାହା ଅଦିନେ ଅମାବାସ୍ୟା ଆସିବା ସେହିକଥା କିନ୍ତୁ କହିପାରୁନଥିଲେ କିଛି। ପୁଅମାନଙ୍କର ମନ ରଖିବାକୁ କହିଥିଲେ ସେ ବେଳ ଆସୁ ପୁଅ। ଏବେ ଆମେ ଆମ ଏଇ ହାତ ଗଢ଼ା ଘରେ ଯୋଉଠି ତୁମ ଦୁଇ ଭାଇଙ୍କର ପିଲାଦିନ ଅଛି, ସେଇଠି ଆଉ କିଛି ଦିନ ବଞ୍ଚିବାକୁ ଚାହୁଁ ପୁଅ। କଣ ବୁଝିଲା ବଡପୁଅ ଅତନୁ ସାନଭାଇକୁ ବୁଝାଇଦେଇଥିଲା। ପୁଅ ଦୁହେଁ ଫେରିଯିବା ପରେ ଜେଜେଙ୍କ ଚଉକିରେ ବସି ରାକେଶ କହନ୍ତି ଏମିତି ହୁଅନ୍ତାନି ମିନୁ, ଆମେ ଦୁହେଁ ଏକାଠି ଜହ୍ନ ଦେଶକୁ ଯାଆନ୍ତେ !

