ଦେଶବନ୍ଧୁ
ଦେଶବନ୍ଧୁ
ସୁଖ ଦୁଃଖ ଓ ହସ କାନ୍ଦ ଭରା ଜୀବନର ଆଉ ଅନେକ ଦିଗ ଥିଲା ବେଳେ ରୋଗର ଯୁଦ୍ଧ ଚାଲିଥାଏ ଓ ଔଷଧ ହିଁ ଏକମାତ୍ର ପଥ ଓ ପାଥେୟ ଜୀବନରେ . ଔଷଧ ଖାଇଲେ ସୁସ୍ଥ ଜୀବନ, ଔଷଧ ସରିଗଲେ ପ୍ରାଣ ବିକଳ ଆକୁଳ. ଔଷଧର ଜୀବନ ଯୁଦ୍ଧ ଚାଲିଥାଏ ଅହରହ. ସେମିତି ଗୋଟେ ଜୀବନ ବଞ୍ଚୁଥିଲେ ଦାସବାବୁ. ପଡିଥାନ୍ତି ଦାଣ୍ଡ ଘର ଖଟ ଉପରେ. ଖଟକୁ ଲାଗି ଟେବୁଲ ଉପରେ ଥାଏ ଜୀବନ ଯୁଦ୍ଧର ଏକମାତ୍ର ପଥ ଓ ପାଥେୟ ଔଷଧ ସବୁ. ରକ୍ତଗତ ରୋଗ ସବୁ ଅସ୍ଥିର କରିପକାଉ ଥାଏ ଦାସବାବୁଙ୍କୁ. ହାଇ ବ୍ଲଡ ପ୍ରେସର, କୋଲେଷ୍ଟ୍ରାଲ ଅଧିକ, ବହୁମୂତ୍ର ରୋଗ, ୟୁରିକ ଏସିଡ ବୃଦ୍ଧି ସାଙ୍ଗକୁ ଆଣ୍ଠୁ ଗଣ୍ଠି ଦରଜ ଓ ଭିଟାମିନ ବି ଟୁଏଲଭ କମି ସାଙ୍ଗକୁ ଭିଟାମିନ ଡି ର କମିରେ ଛଟପଟ ଦାସ ବାବୁ. ଔଷଧ ସରିବା ପୂର୍ବରୁ ଔଷଧ ପହଞ୍ଚିଯାଏ. ସେଥିରେ ପୁଅ କେବେ ହେଳା କରିନଥିବା ବେଳେ ଯୋଗ ଯେତେବେଳେ ଯାହା. ଓଡିଶା ବନ୍ଦ ଡାକରାରେ ସେଦିନ ରାସ୍ତା ଘାଟ, ବଜାର ତଥା ଔଷଧ ଦୋକାନ ବନ୍ଦ ହେଲା ବେଳକୁ ଦାସ ବାବୁଙ୍କର କିଛିଟା ଔଷଧ ସରିଯାଇଥାଏ. ପାଖ ପଡୋଶୀରେ ମଧ୍ୟ କେହି ସେପରି ରୋଗୀ ନଥିଲେ. ଥିଲେ ସିନା ଉଧାର ଆଣି ପାରିଥାନ୍ତେ କିନ୍ତୁ କୋଉଠୁ ଔଷଧ ନପାଇ ସେଦିନ ମନୋବଳ ସାଙ୍ଗକୁ ଦୈହିକ ବଳ ମଧ୍ୟ ଭାଙ୍ଗି ପଡିଥାଏ ଦାସବାବୁଙ୍କର.
ଜମିଜମା ତଥା ବାଡ଼ି ବଗିଚା କଥା ଏଣିକି ଦାସବାବୁଙ୍କ ପୁଅ ବିନୋଦ ବୁଝାବୁଝି କରୁଥାନ୍ତି. ସେଦିନ ଓଡିଶା ବନ୍ଦ ଯୋଗୁଁ ଗୁଜୁରାତି ଦୋକାନ ସବୁ ବନ୍ଦ ଥାଏ ତ ବିନୋଦ ବାଡ଼ି ବଗିଚାରେ ନଡିଆ ଓ କଦଳୀ ଗଛ ଲଗାଉଥାଆନ୍ତି ଓ ବାପାଙ୍କ କଥା ଭାବୁଥାଆନ୍ତି. ଏଇ ବାପା ନିଜେ ନଖାଇ ନପିଈ କି ଚପଲ ଖଣ୍ଡେ ଭଲ ନପିନ୍ଧି ତାଙ୍କୁ ପାଳି ପୋଷି ମଣିଷ କରିଛନ୍ତି. ନିଜେ ସାତସିଆଁ ଗାମୁଛା ପିନ୍ଧି ତାଙ୍କୁ ସବୁ ପର୍ବ ପର୍ବାଣୀରେ ନୂଆ ଜାମା ପ୍ୟାଣ୍ଟ ପିନ୍ଧାଇ ଆସିଛନ୍ତି. ସେ ଯଦିଓ ବାପାଙ୍କ ସବୁ ଆବଶ୍ୟକତା ପୁରଣ କରୁଛନ୍ତି ବୋଲି ଭାବୁଛନ୍ତି ତଥାପି ଆଜି ବାପାଙ୍କର କେତେଟା ଔଷଧ ନଥିବାରୁ ମାନସିକ ସ୍ତରରେ ଆଶାନ୍ତି ନିଜେ ପାଇବା ସହ ବାପାଙ୍କୁ ଦେଉଛନ୍ତି ଭାବି ଦୁଃଖୀ ହୋଇପଡୁଥାଆନ୍ତି ବିନୋଦ ବାବୁ. ଏତିକି ବେଳେ ଗଛଲଗା କାମ ସାରି ଘରକୁ ଫେରୁଥାଆନ୍ତି ବିନୋଦ. ଦେଖିଲେ ବାପା ଓ ପୋଷା କୁକୁର ଟମି ପରସ୍ପର ପରସ୍ପର ସହ ଔଷଧ ବିଷୟକୁ ନେଇ ଦୁଃଖ ସୁଖ ହେଉଛନ୍ତି ଓ ଟମି କୁଁ କୁଁ ଶବ୍ଦ କରି ସତେ ଯେମିତି କେବେ ସବୁ ବୁଝିଯାଉଛି ତ କେବେ କଣ କରିବା ଭଳି ଆଶ୍ୱାସନା ଦେଉଛି. ବିନୋଦ ବସିଗଲେ ବାପାଙ୍କ ଖଟରେ. ମୋର ଭୁଲ ହୋଇଯାଇଛି କହି ବାପାଙ୍କୁ କୁଣ୍ଢେଇ ଧରି ବହେ କାନ୍ଦି ପକେଇଲେ ତ ବାପା କହୁଥିଲେ ତୋ ସ୍ପର୍ଶରେ ମୋ ରୋଗ ଭଲ ହୋଇଗଲା ପୁଅ. ଆଜି କଣ ଆଉ କେବେବି ମୋର ଏ ଜରି ଖୋଳ ଔଷଧ ଦରକାର ପଡ଼ିବନି. ବିନୋଦ ବୁଝିଗଲେ ନିଜ ଅନ୍ତରଙ୍ଗ ଲୋକଙ୍କ ଟିକେ ଆନ୍ତରିକତା ପୂର୍ଣ୍ଣ ସ୍ପର୍ଶ, କଥା, ସମଦେଦନା ଔଷଧଠୁ ବଳି କାମ କରେ. ନିଜ ଲୋକଙ୍କ ଭଳି ଦୀନ ଦରିଦ୍ରନାରାୟଣଙ୍କ ସହ ଏମିତି ଆନ୍ତରିକତା ବାଣ୍ଟି ବାଣ୍ଟି ଗୋପବନ୍ଧୁ ପରା ଉତ୍କଳମଣି ଅଟନ୍ତି ଭାବି ବିନୋଦ ବାପାଙ୍କ ହସ୍ତ ଓ ପଦ ମଞ୍ଚାଳି ଚାଲିଥିଲେ ତ ବାପା ମଧ୍ୟ ପୁଅର ମୁଣ୍ଡ ସାଉଁଳି କହୁଥିଲେ ଯା ଯା ରେଷ୍ଟ ନେ.
