ମାଆ କୋଳ ରେ ଶିଶୁ ଯେଉଁ ଅନ୍ତର ଶାନ୍ତି ପାଏ, ସେ ଶାନ୍ତି ଆଉ କେଉଁଠି କାହିଁ!ଅର୍ପିତା ଯେବେ ବିଭୁ ସହ ଘର ଛାଡିଥିଲା, ସେ ଭାବିଥିଲା ତା ବାହାଘର ପାଇଁ ରଖାଯାଇଥିବା ବାପାଙ୍କ ଜି. ପି. ଏଫ ଟଙ୍କା ଓ ବୋଉର ଗହଣା ସବୁ ନେଇ ଆସି ବିଭୁ ସହ ସେ ଶାନ୍ତିରେ ଜୀବନ କାଟି ପାରିବ କାରଣ ସେ ଭାବୁଥିଲା ଏସବୁ ତ ତା ପାଇଁ ବାପା ଓ ମାଆ ହିସାବରେ ସେ ଦୁହେଁ ଯୋଗାଡ଼ କରିଥିଲେ. ଏସବୁ ଖର୍ଚ୍ଚ କରିବାରେ ଯେଉଁ ଦୌଡ଼ା ଦଉଡି ଓ କିଣା ବିକା, ଵହିନା ଦେବା ନଦେବା ସବୁ ଜଞ୍ଜାଳରୁ ସେ ବାପା ମାଆ ଙ୍କୁ ଦାଇତ୍ୱ ମୁକ୍ତ କରିଛି. ଆଉ ରହିଲା ଘର ବର କଥା. ପିତା ମାତା ହିସାବରେ ଭଲ ଘର ଓ ଝିଅ ପାଇଁ ଉପଯୁକ୍ତ ସାଥି ଚୟନ କରିବା ତ ତାଙ୍କର କର୍ତ୍ତବ୍ୟ କିନ୍ତୁ ସେଠି କଣ ସେ ଶାନ୍ତି ପାଇଥାନ୍ତା!ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିବା ଭିତରେ ଅବଶ୍ୟ ଜଣେ ସାଧୁ ତାକୁ ଚେତାବନୀ ଦେଇ କହିଥିଲେ ଏତେ ରାତି ଟ୍ରେନରେ ଯିବାକୁ ଘରୁ କାହାକୁ ନଆଣି ଏକୁଟିଆ ଯୋଉ ପ୍ରେମିକକୁ ଏଠି ଅପେକ୍ଷା କରିଛ ସେ ଧୋକା କି ଧକ୍କା ଦେବନି ତ ଝିଅ!ସାଧୁ ଏତେ କଥା କେମିତି ଜାଣିଲେ, ଅନୁଭୂତି ନା ଅଲୌକିକ ଶକ୍ତି ବଳରେ ବୋଲି ସେତେବେଳେ ଭାବିବାକୁ ବା ଚିନ୍ତା କରିବାକୁ ସମୟ ନଥିଲା ଅର୍ପିତା ପାଖରେ. ଠିକ ଟ୍ରେନ ଆସିବା ବେଳକୁ ବିଭୁ ମଧ୍ୟ ଆସିଯାଇଥିଲା ତ ଆଶା, ବିଶ୍ୱାସ, ଭରଷା ଦ୍ବିଗୁଣିତ ହେଉଥିଲା ଅର୍ପିତାର ତ ସେ ଭାବୁଥିଲା ସାଧୁ ସନ୍ଥ ନାମରେ ଭଣ୍ଡ ବାବାମାନେ ଆଜିକାଲି ଉପରେ ପଡି ଅଧିକା ଉପଦେଶ ଦିଅନ୍ତି
ବିଭୁ ସଙ୍ଗେ ଅଳ୍ପ କେଇଟା ଦିନ ରହିବା ଭିତରେ ଅର୍ପିତା ବୁଝି ସାରିଥିଲା ମଦ୍ୟପ, ପରନାରୀ ଆସକ୍ତ ବେରୋଜଗାର ବିଭୁ ତାକୁ ନୁହେଁ କି ତାର ଭଲ ପାଇବାକୁ ନୁହେଁ ବରଂ ତା ପାଖରେ ଥିବା ଧନ ଉପରେ ତାର ଆଖି. ସତର୍କ ହେଇଗଲା ଅର୍ପିତା. ବଳିପଡିଥିବା କିଛି ଟଙ୍କା ଓ ଗହଣା ସହ ସେ ପୁଣି ଫେରିଆସିଲା ବେଳେ ସେଇ ସାଧୁଙ୍କ କଥା ଭାବୁଥିଲା. ଡରି ଡରି ତଥା ଥରି ଥରି ଓ ଥିରି ଥିରି ପାହାନ୍ତି ସକାଳେ ଘରେ ପହଁଚିଲା ବେଳକୁ ବାପା ଦାଣ୍ଡଦୁଆରେ ଚା ପିଉଥିଲେ ତ ତାକୁ ଦେଖି କହୁଥିଲେ ଆରେ ମୋ ଝିଅ ଆସିଲାଣି ଆଉ ବୋଉ ତାକୁ ଧରି ବହୁନା ପକେଇ ଥିଲା. ତୋ ମନରେ ଯାହା ଥିଲା କହିଥିଲେ ସେସବୁ ଆଣି ତୋ ହାତରେ ଧରାଇ ଦେଇଥାଆନ୍ତୁ ଝିଅ,ତତେ ଦଶମାସ ଦଶଦିନ ପେଟରେ ରଖି ଜନ୍ମ ଦେଇଛି ସିନା କର୍ମ ତ ଉପରବାଲା ଲେଖେ ନା କହି ବୋଉ କୋଳକୁ ନେଇଥିଲା ଅର୍ପିତାକୁ ଓ ମୁଣ୍ଡ ସାଉଁଳି ଦେଇ କହୁଥିଲା ସବୁ ଠିକ ହୋଇଯିବ, ବ୍ୟସ୍ତ ହୁଅନା. ତ ଶାନ୍ତିରେ ପରମ ନିଦ୍ରା ଯାଇଥିଲା ଅର୍ପିତା.ଅଳ୍ପ ଦିନ ପରେ ତାର ଚାକିରୀ ହୋଇଯିବା ସହ ପୁଅଟିଏ ହେବା ଖବର ବିଭୁକୁ ଫେରାଇ ଆଣିଥିଲା ଅର୍ପିତା ପାଖକୁ ତ ଅର୍ପିତା ଅପେକ୍ଷା ତା ନିଜ ପିତାମାତା ଓ ସେଇ ଗାଁରେ ରହୁଥିବା ବିଭୁର ପିତା ଓ ମାତା ଦୁହେଁ ଅନ୍ତରରେ ପରମ ଶାନ୍ତି ଅନୁଭବ କରିଥିଲେ.