STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଇମୋଜି

ଇମୋଜି

4 mins
1


,,,,,,,,,,,
ନଈ ଭଳି ବହିଯାଉଥିବା ବୋଉ କୁ ପିଲାଦିନୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହୁଏ ସେତିକି ଶିଖେ ମୁଁ. ଛ ଛଟା ପିଲାଙ୍କୁ ଜନ୍ମଦେଇ ମଣିଷ କରିବା କି କଷ୍ଟ ସତରେ, ବାପା ରୋଜଗାର କରନ୍ତି ସତ, ହେଲେ ଘର ର ଯାବତୀୟ ମଇଳା କୁ ସ୍ରୋତ ପରି ବାହିନେଇ ନଈ ରୂପକ ବୋଉ ମୋର ସଭିଙ୍କ ମନ ରେ ଖୁସି ଭରିଦେଉଥାଏ, କେମିତି ବୁଝିପାରେ ସମସ୍ତଙ୍କ ମନ କଥା, କାହାକୁ ପଖାଳ ସାଙ୍ଗକୁ ପୋଡ଼ାପୋଡ଼ି ସହ ବଡ଼ିଭଜା ତ କାହାକୁ ଛେନା କ୍ଷୀର ରୁଟି ତ କାହାକୁ ଚୂନ ଚୂନ ଆଳୁଭଜା ସହ ଅଣ୍ଡାଭଜା ଓ ପଖାଳ, ପୁଣି କିଏ ଘୋଡିହେବ, ଚାଦର, ତ କିଏ କମଳ ତ କିଏ ରେଜେଇ ପୁଣି କିଏ କନ୍ଥା, ବୋଉ ମୋର ସକାଳୁ ସଞ୍ଜ ଯାଏ କୁଳୁ  କୁଳୁ ବହୁଥାଏ ନଈ ଟିଏ ପରି, ନା ଥାଏ ପ୍ରତିବାଦ ନା ଥାଏ ବିରକ୍ତି !
          ସେଥିରେ ପୁଣି ଚଢେଇ ପେଟ ଚିହ୍ନେ, ଅତିଥି ଅଭ୍ୟାଗତ ସେବା ରେ ଲାଗିଥାଏ ନଈ ର ନାମ ଗଙ୍ଗା ପରି, ଆମେ ପାଠ ପଢୁ ବୋଉ ଜଗିବସେ ନଶୋଇ ନଈ ସରସ୍ବତୀଙ୍କ ପରି, ଦୀନ ଦୁଃଖି କେହି ଫେରିଯାନ୍ତି ନାହିଁ ଆମଘରୁ, କଥାରେ ଥାଏ ଅମୃତ, ଶିଖାଏ ନଈ କାବେରୀ ପରି, କେହି ମାଗୁଛି ତ ସାମର୍ଥ୍ୟ ଭିତରେ କିଛି ଦିଅ, ନଦେବାର କରନି, ମିଠା କଥାରେ ହୃଦୟ କିଣି ନିଅ ଅନ୍ୟର, ସତେ ଯେମିତି ତା ଉପଦେଶ ନଈ ର କୁଳୁ କୁଳୁ ଶବ୍ଦ ପରି ଭାରି ମନମୁଗ୍ଧକର ଆଉ ମାନିଗଲେ ଜୀବନ ଟା ନଈ କୁଳିଆ ସୁଲୁ ସୁଲୁ ବାଆ ପରି ମନେହୁଏ, ସତରେ ମୋ ବୋଉ ପରି କିଏ ହେବ, ଦୁଇକୂଳ ର ହିତ,  ହିତ ର ଉଦାହରଣ ଦେବା ବି ମୋ ଭାଷା ହୋଇ ରହିଲାନି ଯେବେ ବାପା ତାକୁ ଛାଡି ଆଗ ଚାଲିଗଲେ ଆଉ କୁଳୁକୁଳୁ ବହୁଥିବା ନଇଟା ହଠାତ ନିଥର ପାଲଟିଗଲା ସତେ ଯେମିତି ମଲାନଈ. 
        ସେଦିନ ଗୋଟେ ବନ୍ଧୁ ମିଳନ  ଆସର ରେ ଏମିତି ସବୁ କଥାଭିତରେ ଆମ ସମାଜରେ, ନାରୀ,  ତୁଳନା ରେ ପୁରୁଷ  ଟିଏ, ଆଗ ଚାଲି ଯାଏ କାହିଁକି ର ଉତ୍ତରରେ କିଏ କହୁଥିଲା ଦୁହେଁ ସାତ ଜନ୍ମ ର ସାଙ୍ଗ ତ ମନ ଭରୁନଥିଲା, ପୁରୁଷ ବା ସ୍ୱାମୀ ଚାଲିଯିବାର ଢେର ସାରା ବର୍ଷ ଯାଏଁ ସ୍ତ୍ରୀ ଟି ତ ବଞ୍ଚିରହେ, ତ ଯଦି ପର ଜନ୍ମ ର ସାଥି ସ୍ୱାମୀ କଣ ସେତେଦିନ ଆଶରୀରୀ ହୋଇ ରହିଥାଏ ନା କଣ !ଏମିତି ଅନେକ ଅଛିଣ୍ଡା ପ୍ରଶ୍ନ ର ଉତ୍ତର ଭିତରେ ହଠାତ କେହି ଜଣେ କହିଲେ ଆରେ ନାରୀ ହୃଦୟ ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ ପଥର ହେଇଯାଇଥାଏ ତ ସେ ଦୁଃଖ ସହି ସହି ସଂସାର ରେ ନଈ ଭଳି ସେସବୁ ବାହି ଆଗକୁ ବହି ଚାଲେ ପରା, ମୋ ପାଟିରୁ ବାହାରି ପଡିଲା ଇଉରେକା ଇଉରେକା 
      ସତରେ ସେଦିନ ଦେଖିଲା ବେଳକୁ ବୋଉ ନାତୁଣୀ ର ଝିଅ କୁ ଗୋଡ଼ ଲମ୍ବେଇ ତେଲ ହଳଦୀ ଲଗେଇଦେଉଛି, ପୁଣି ଆଉଗୋଟିଏ ନାତୁଣୀ ର କଣ ହେବାକୁଥିବାରୁ ସାତମାସିଆ ପିଠା ପାଇଁ ଆରିଷା ପିଠା ଯୋଜନା ରେ ଅଛି, ମୋ ଆଖିରୁ ଗଡି ପଡିଲା ଦୁଇ ବୁନ୍ଦା ଅଶ୍ରୁ ଆଉ ବୋଉ ବାପାଙ୍କ ବେକରୁ ମଉଳା ଫୁଲ କାଢି ସଦ୍ୟ ମାଳା ପିନ୍ଧାଯାଉଥିଲା ତ, ନାରୀର ନଈ ଭଳି ଜୀବନ ଭିତରେ ମୁଁ ମୋ ବୋଉ କୁ କୁଣ୍ଢାଇ ମନ ଇଛା କାନ୍ଦିଥିଲି ଆଉ ବୋଉ ଶୁନ୍ୟ ମନ ଶୁନ୍ୟ ଆଖିରେ ମୋ ମୁଁହ ପୋଛୁ ଥିଲା ତା ମମତ୍ୱ ପୂର୍ଣ୍ଣ ପଣତରେ.
   ସେଦିନ  ବୋଉ ଆଇନା ଆଡକୁ ଚାହିଁ ଡାକ ପକେଇଥିଲା ଦଉଡି ଆସେ ଝିଅ ଭୂତ.ଭୂତର ଇମୋଜି. ସତକୁ ସତ ଦଉଡି ଆସି ଲିନା ଦେଖିଲା ବୋଉ  ନିଜ ଛବର ପ୍ରତିବିମ୍ବକୁ ଦର୍ପଣରେ ଦେଖି କହୁଥିଲା ଭୂତ ଭୂତ ଭୁତର ଇମୋଜି.ତା ପରଠୁ ବୋଉ ଏମିତି ଅନେକ ଅପ୍ରସାଙ୍ଗିକ କଥା କହୁଥିଲା ଯେମିତିକି ସକାଳୁ ଉଠି ପଚାରୁଥିଲା ଆଜି ପରା ସାବିତ୍ରୀ, ମୁଗ ବତୁରେଇନୁ କି ଝିଅ. କେତେ କାଳେ ଆସିଛୁ ମୋ ପାଖକୁ ଏତିକି ତ ଅନ୍ତତଃ କରିଦେ. ଲିନା ଆଶ୍ଚର୍ଯ୍ୟରେ ବୋଉକୁ ଚାହିଁ କହୁଥିଲା ସାବିତ୍ରୀ ଆଜି!ଯଦି ଆଜି ତ ବଡ଼ମନ୍ଦିରର ଅବଢ଼ା ଖାଇ ସାତପୁରୁଷି ପୁରୀବାସୀଙ୍କ ଅଭ୍ୟାସ ଢଙ୍ଗରେ ଖାଇନେବା ଶାନ୍ତିରେ ଆଉ ମୁଗ ବତୁରେଇବା ଚିନ୍ତା ବୋଉର ଆସିଲା କୁଆଡୁ? ବୋଉର ଏମିତି ଏମିତି ଅନେକ କଥାରେ ଲାଗୁଥିଲା ବୋଉ ଅନ୍ୟ ଦୁନିଆଁରେ ଅଛି ଯୋଉଠି ଅନେକ ଢଙ୍ଗ ଓ ରଙ୍ଗର ଇମୋଜି ତାକୁ ଓ ତାର ଭାବନାକୁ କାୟା ବିସ୍ତାର କରି ରଖିଛି. ବ୍ୟସ୍ତ ହୋଇପଡ଼ିଲୁ ଆମେ ଭାଇଭଉଣୀମାନେ. ସ୍ଥିର କଲୁ ଛଅ ଜଣ ଯାକ ମିଶି ବୋଉକୁ ନେଇଯିବା ପାଖକୁ. କିଛିନହେଲେ ଅନ୍ତତଃ ବାପାଙ୍କ ଆବର୍ତ୍ତମାନର ଦୁଃଖ ଭୁଲିଯିବ ତ ବୋଉ. ସେୟା ହେଲା ଓ ପ୍ରଥମ ପାଳି ବଡ଼ଝିଅ ଲିନା ଉପରେ ହିଁ ନ୍ୟସ୍ତ ଥିଲା. ଯା ହେଉ ବୋଉ ତା ପ୍ରିୟ ନାତି ନାତୁଣୀଙ୍କୁ ଦେଖି ଏମିତି ଭିର୍ନ୍ନ ଭିର୍ନ୍ନ ଚିନ୍ତାଧାରାର ଇମୋଜି ଅନ୍ତତଃ ପ୍ରକାଶ କରିବ ନାହିଁ କିନ୍ତୁ ଫଳ ଓଲଟା ହେଲା. ପ୍ରିୟ ନାତି ନାତୁଣୀ ଏଇଥି ପାଇଁକି ଯେ ବଡ଼ଝିଅର ପ୍ରଥମ ନାତି ଓ ନାତୁଣୀ ଦୁହେଁ ତାର ପ୍ରଥମ ଆଈ ହେବାର ଅନୁଭବ ହୋଇଥିବାରୁ ସେମାନଙ୍କୁ ଖୁବ ଭଲ ପାଉ ପାଉ ଅନ୍ୟମାନେ ଯିଏ ଯେତେ ଆସିଥିଲେ ବି ପ୍ରଥମ ପ୍ରେମକୁ ନଭୂଲି ହେଲାପରି ପ୍ରଥମ ନାତି ନାତୁଣୀ ନିଶ୍ଚୟ ନିଆରା ଭାବି ବୋଉ ଏଣିକି ଠିକ ହୋଇଯିବ ଭାବୁଥିବା ଝିଅ ଲିନା କିନ୍ତୁ ଭୁଲ ପ୍ରମାଣିତ ହୋଇସାରିଥିଲେ କାରଣ ବଡ଼ ନାତି ଭିତରେ ସେ ଭଣଜା ଇମୋଜି ଦେଖୁଥିଲା ତ ବଡ଼ନାତୁଣୀ ଭିତରେ ଆଉ କାହା ଇମୋଜି ଦେଖି କେତେବେଳେ କଣ ବୋଲି ଭାବୁଥିଲା ତାକୁ.
     ଯୋଗକୁ ସାବିତ୍ରୀ ଆସିଗଲା. ଏଇ ବୋଉ ଯିଏ ସାବିତ୍ରୀ ଆସିବା ପୂର୍ବରୁ କେତେ ଚଳଚଞ୍ଚଳ ଥିଲା. ବାପାଙ୍କ ହାତରେ ସାବିତ୍ରୀ ଉପକରଣ ସହ ଅଭଡ଼ା ପଠେଇ ଦେଉଥିଲା ଝିଅ ବୋହୁମାନଙ୍କ ପାଇଁ. ପୁଣି ଝିଅ ବୋହୁମାନେ ତା ପାଇଁ ପଠେଇଥିବା ଶାଢ଼ୀ ଚୁଡ଼ି ଦେଖେଇ ହେଉଥିଲା ପଡୋଶୀ ସ୍ତ୍ରୀଲୋକମାନଙ୍କ ଆଗେ କହିକି ଯେ ମୋ ବୋଉ(ଆମ ଆଈ )ସିନା ଚାଲିଗଲା ହେଲେ ଝିଅ ବୋହୁ ମୋ ପାଇଁ ପଠେଇଛନ୍ତି. କେତେବେଳେ କେମିତି ବାପାଙ୍କୁ ଲୁଚି ଲୁଚି ପାଦ ଛୁଇଁବା ବେଳର ଫୋଟୋ ମଧ୍ୟ ଉଠେଇ ତାକୁ ବନ୍ଧେଇ କରି ଦେଇଯାଇଥାନ୍ତି ଝିଅ ବୋହୁମାନେ ଯେ ପଣତରେ ଝଡା ପୋଚ୍ଛା କରୁଥାଏ ଧୂଳି ସେହି ଫଟୋସବୁରୁ. ସତରେ କେଡେ ଚଞ୍ଚଳ ଖୁସିର ଦିନ ତାର ସରିଗଲା!ତା ସହିତ ଆମଠୁ ଭାଗ୍ୟ ଛଡେଇ ନେଲା ବାପା ଡାକ.ଏଇ ସମୟରେ ବୋଉର ବଡ଼ ପାଟି ଶୁଣି ଭାବନା ରାଜ୍ୟରୁ ଫେରି ଲିନା ଧାଇଁଯାଇଥିଲେ ତା ରୁମକୁ ତ ଡ୍ରେସିଂ ଟେବୁଲ ପାଖେ ଠିଆ ହୋଇ ଆଇନା ଦେଖି ବୋଉ ସେହିଭଳି କହୁଥାଏ ଦେଖ ଦେଖ ଝିଅ ସେ କିଏ? ଭୂତ. ନିଶ୍ଚୟ ଭୂତ. ଭୂତ ଇମୋଜି ତା ମୁଣ୍ଡରୁ ବାହାର କରିବାକୁ ଯାଇ ଲିନା କହିଲେ ଏ ପରା ତୁ. ତୋରି ଛବି. ଭୂତ କାହିଁ!ବୋଉ କହୁଥିଲା ନା ନା ଏ ମୋ ଛବି ନୁହେଁ. ହାତରେ ଚୁଡ଼ି ନାହିଁ, ମୁଣ୍ଡରେ କି ସିନ୍ଥିରେ ସିନ୍ଦୁର ନାହିଁ ପୁଣି ଗୋଡ଼ରେ ଝୁଣ୍ଟିଆ ନାହିଁ.ଇଏ କାହିଁକି ମୁଁ ହେବି ମ!ଏହା ପରେ ବୋଉକୁ ଡାକ୍ତର ପାଖକୁ ନେବାକୁ ଆମେ ବାଧ୍ୟ ହୋଇଥିଲୁ. ନିଜେ ନିଜର ପୂର୍ବ ଇମୋଜି ବଦଳରେ ନୂତନ ସଂସ୍କରଣର ଇମୋଜିକୁ ତାକୁ ମାନିନେବାକୁ ହେବ. ଏହି ତ ଏ ସଂସାରର ନିୟମ କହି ଲିନା ସେଦିନ କଇଁ କଇଁ କାନ୍ଦିଲା ବେଳେ ଅନ୍ୟମାନେ ପ୍ରବୋଧନା ଦେଉଥିଲେ.
,,,,,,,,,,,,,,,,,,,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy