ଥରେ ଜଣେ ରାଜାଙ୍କ ମନରେ ଆସିଥିବା ତିନିଗୋଟି ପ୍ରଶ୍ନ ଭିତରୁ ଗୋଟିଏ ଥିଲା ଜୀବନର ପ୍ରକୃତ ସାଥି କିଏ!ସେହି ପ୍ରଶ୍ନ ଆଜି ସୁଲତାଙ୍କ ମନକୁ ଆନ୍ଦୋଳିତ କରୁଥିଲା!ସ୍ୱାମୀ ଥିଲେ ଧନାଢ୍ୟ ସେଇଥିପାଇଁ ତାଙ୍କ ପାଇଁ ସବୁ ରଖିଛନ୍ତି. କଣ ନାହିଁ ଏ ଘରେ!ତିନି ତିନିଟା ଦାମୀ ଗାଡି ସାଙ୍ଗକୁ ଦାମୀ ଦାମୀ ସୋଫା, ଡାନିଂ ଟେବୁଲ, ପଲଙ୍କ ତଥା ଡ୍ରେସିଂ ଟେବୁଲ. ଦିନେ ତାଙ୍କର ସୌନ୍ଦର୍ଯ୍ୟ ସହ ସବୁ ଥିଲା, ଦିନେ ଲୋକଙ୍କ ଯିବା ଆସିବା ମଧ୍ୟ ଲାଗି ରହିଥିଲା. ଏବେ କିନ୍ତୁ ସବୁଥାଇ ମଧ୍ୟ ସେ ନିଶ୍ୱ. ଦୁଇ ପୁଅ ବିଦେଶରେ. ତାଙ୍କ ପାଖକୁ ଯିବାକୁ ମନା କରିଦେବା ପରେ ସେ ଦୁହେଁ ଆଉ ଡାକୁନଥିଲେ ମାଆଙ୍କୁ. ବାପା ଛାଡିଯାଇଥିବା ଧନ ଦୌଲତରେ ମାଆ ଯଦି ଶାନ୍ତି ପାଉଛି ତେବେ ଭଲ ବୋଲି ଭାବି ନେଇଥିଲେ ଦୁହେଁ. ମାଆ ମଧ୍ୟ ପ୍ରଥମେ ପ୍ରଥମେ ଚଳିଯିବେ ଭାବିଥିଲେ କିନ୍ତୁ ଗୋଟେ ଵି ଲୋକ ନଦେଖି ବ୍ୟସ୍ତ ହୋଇପଡୁଥିଲେ ଏଣିକି ଏ ଶେଷ ସାୟାହ୍ନରେ .
ସେଦିନ ହକର ପେପେର ନେଇ ଆସି ଦେଖିଥିଲା ଘର ବାହାର ଚିଠି ବକ୍ସରେ ସ୍ଥାନ ନଥିଲା ତ ବାଧ୍ୟ ହୋଇ କଲିଂ ବେଲ ବଜାବାରୁ ସୁଲତା ଦେବୀ ଆସିଥିଲେ ଓ ଏମିତି ସବୁଦିନ କଲିଂ ବେଲ ମାରି ଖବରକାଗଜ ଦେଇଯିବାକୁ ହକର ଭାଇଙ୍କୁ ଅନୁନୟ ବିନୟ କରିବାରୁ ସମୟର ଅପଚୟ କରି ଜଣଙ୍କୁ ଏତେ ସମୟ ଦେଇହେବନି କହି ହକର ଭାଇ ଫେରିଗଲା ପରେ ସୁଲତା ଭାଙ୍ଗି ପଡ଼ିଥିଲେ ଖୁବ .
କିଛି ଦିନ ଗତେ ଆଉଦିନେ ମଧ୍ୟ ଚିଠି ବାକ୍ସ ପୂର୍ଣ୍ଣ ଥିଲା. ମନ ମଧ୍ୟରେ ବିରକ୍ତି ପ୍ରକାଶ କଲେ ମଧ୍ୟ କଲିଂ ବେଲ ମାରି କାହାକୁ ଦୁଆର ନଫିଟାଇବାର ଦେଖି ଆସ୍ତେ ଆସ୍ତେ ଘର ଭିତରକୁ ପ୍ରବେଶ କରି ହକର ଭାଇ ଦେଖିଲେ ସୁଲତା ଦେବୀ ରତ୍ନଖଟ ପରି ପଲଙ୍କରେ ଶୋଇଛନ୍ତି କିନ୍ତୁ ହକର ଭାଇ ଯେତେ ଡାକିଲେ ମଧ୍ୟ ଶୁଣୁ ନାଁହାଁନ୍ତି. ହାତରେ ଥିବା କାଗଜଟିକୁ ଭିଡିଆଣି ହକର ଭାଇ ଭାବିଥିଲେ ଉଠେଇଦେବେ ସୁଲତା ଦେବୀଙ୍କୁ କିନ୍ତୁ ଯିଏ ଆଜି ଚିରନିଦ୍ରାରେ ସେ ବା ଉଠିବ କାଁହୁଁ!ପେପର ଟି ଚିଠିଟିଏ ଥିଲା ଏବଂ ତାହା ହକର ଭାଇଙ୍କ ଉଦେଶ୍ୟରେ ଲେଖା ଥିଲା. ତୁମେ ବର୍ତ୍ତମାନ ମୋ ଜୀବନର ଏକାନ୍ତ ସାଥି ପୁଅ କାରଣ ସ୍ୱାମୀଙ୍କ ଅନ୍ତେ ଆଜି ସବୁ ଥାଇ ମଧ୍ୟ ଏକାକିତ୍ୱ ମୋର ସାଥି. ଧନ ଜନ ଗୋପ ଲଷ୍ମୀ ବୋଲି ଯିଏ କହିଛନ୍ତି ସେ କେତେ ଅନୁଶୀଳନ କରି ଏକଥା କହିବାର ସିଦ୍ଧି ପ୍ରାପ୍ତ କରିଛନ୍ତି. ଧନ ସାଙ୍ଗକୁ ଜନ ସହଯୋଗ ମଧ୍ୟ ଏକାନ୍ତ ଜରୁରୀ ବୋଲି ବୁଝିବା ବେଳକୁ ମୋ ଶରୀର ରୁଗ୍ଣ ଓ ମନ କ୍ଷୀଣ ହୋଇସାରିଛି. ବାହୁବଳ ବିହୁନେ ଧନର ଉପଯୋଗ ନହେବାରୁ ଜନେ ଆଜି ମତେ ପରିତ୍ୟାଗ କରିଛନ୍ତି. ସମୟ ବଡ଼ ବଳବାନ ହୋଇ ସବୁକିଛି ମୋ ଠାରୁ ଦୂରେଇ ଯିବା ପରେ ତୁମେ ଟିକେ କଲିଂ ବେଲ ମାରି ପେପେର ଦେଉଥିଲେ ଅନ୍ତତଃ ମୋ ମୃତ୍ୟୁ ଖବର ମୋ ପୁଅ ଦୁହିଁଙ୍କୁ ଜଣାଇ ପାରିବ. ଏତିକି କରିଦେବା ପାଇଁ ଏଘରର ସମସ୍ତ ସମ୍ପତ୍ତିର ମାଲିକାନା ଉଇଲ ମୁଁ ତୁମ ନାମରେ କରିଦେଇ ଯାଉଛି. ଭୁଲ ବୁଝିବନି ପୁଅ, ଏ ହତଭାଗୀ ମାଆଟିକୁ କ୍ଷମା କରିଦେବ . ହକର ଭାଇଙ୍କ ଲୁହରେ ସବୁ ଖବର କାଗଜ ଭିତରେ ଯେମିତି ଗୋଟେ ତୁଷାର ଝଡର କିଛି କିଛି ଅଂଶ ବିଶେଷ ଆଜି ସ୍ପଷ୍ଟ ନହେଲେ ମଧ୍ୟ ଉଜ୍ଜୀବିତ ରହି ଥିଲା.