STORYMIRROR

Bijaya Digi

Drama Action Children

4  

Bijaya Digi

Drama Action Children

ଜାଦୁଇ ପଥର

ଜାଦୁଇ ପଥର

3 mins
2

ଅନେକ ଦିନ ତଳର କଥା, ହରି ନାମକ ଜଣେ ଗରିବ ଲୋକ ଥିଲା। ତାଙ୍କ ବିବାହକୁ ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ସେ ନିଃସନ୍ତାନ ଥିଲେ। ଏହି ଚିନ୍ତାରେ ସେ ସବୁବେଳେ ମ୍ରିୟମାଣ ରହୁଥିଲେ। ଦିନେ ସେ ଏହାର ସମାଧାନ ପାଇଁ ଜଣେ ସିଦ୍ଧ ଋଷିଙ୍କ ଶରଣାପନ୍ନ ହେଲେ। ଋଷି ଏକ ମନ୍ତ୍ର ପଢ଼ି ଏକ ପବିତ୍ର ପତ୍ର ଦେଲେ ଏବଂ ତାହାକୁ ହରିଙ୍କ ସ୍ତ୍ରୀଙ୍କୁ ଖାଇବାକୁ କହିଲେ। ଋଷିଙ୍କ ଆଶୀର୍ବାଦ ନେଇ ସେମାନେ ଘରକୁ ଫେରିଲେ। ଋଷିଙ୍କ ନିର୍ଦ୍ଦେଶ ଅନୁଯାୟୀ ହରିଙ୍କ ସ୍ତ୍ରୀ ସେହି ଔଷଧ ସେବନ କଲେ।
‎କିଛି ଦିନ ପରେ ହରିଙ୍କର ଏକ ପୁତ୍ର ସନ୍ତାନ ହେଲା। ହରି ଖୁସିରେ ଆତ୍ମହରା ହୋଇ ଗାଁ ଲୋକଙ୍କୁ ମିଠା ବାଣ୍ଟିଲେ। ଧୀରେ ଧୀରେ ପିଲାଟି ବଡ଼ ହେବାକୁ ଲାଗିଲା ଏବଂ ତାର ନାମ ରଖାଗଲା 'ବୁଲୁ'।
ଦିନେ ବୁଲୁ ତା ସାଙ୍ଗମାନଙ୍କ ସହ ବୁଲିବା ପାଇଁ ଜଙ୍ଗଲ ଆଡ଼କୁ ଗଲା। ବୁଲୁ ବୁଲୁ ସେମାନେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲେ। ଠିକ୍ ଜଙ୍ଗଲ ମଝିରେ ପହଞ୍ଚିବା ବେଳକୁ ହଠାତ୍ କଳାହାଣ୍ଡିଆ ମେଘ ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିବାକୁ ଲାଗିଲା। ସମସ୍ତେ ଭୟରେ ଥରିବାକୁ ଲାଗିଲେ, କିନ୍ତୁ ବୁଲୁ ସାହସ ବାନ୍ଧି କହିଲା, 'କେହି ଡରନି, ମୁଁ ଅଛି ପରା!'
‎ହଠାତ୍ ବୁଲୁ ଆଖିରେ ଏକ ଚକ୍ ଚକ୍ କରୁଥିବା ପଥର ପଡ଼ିଲା। ସେ ସାହସ ସହକାରେ ପଥରଟିକୁ ଉଠାଇ ଆଣିଲା। ସାଙ୍ଗମାନେ ପରଖିଲେ ମଧ୍ୟ କେହି କିଛି ବୁଝିପାରିଲେ ନାହିଁ। ବୁଲୁ ସେହି ପଥରଟିକୁ ନିଜ ସାଙ୍ଗରେ ଘରକୁ ନେଇ ଆସିଲା।
‎ଅନ୍ୟପଟେ ହରି ବିଲରେ ହଳ କରୁଥିବା ସମୟରେ ତାଙ୍କ ଗୋଡ଼ରେ ଏକ କାଚ ବୋତଲ ପଶିଗଲା। ପ୍ରବଳ ରକ୍ତସ୍ରାବ ହେଲା। ହରି କଷ୍ଟରେ ଘରକୁ ଫେରିଲେ ଏବଂ ବୁଲୁ ତୁରନ୍ତ ତାଙ୍କ ଗୋଡ଼ରେ ପଟି ବାନ୍ଧିଦେଲା। ଠିକ୍ ସେତିକି ବେଳେ ବୁଲୁ ସେହି ପଥରଟି ବାପାଙ୍କୁ ଦେଖାଇଲା। ହରି ପଥରଟିକୁ ହାତରେ ଧରିବା ମାତ୍ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ତାଙ୍କର ସବୁ ଯନ୍ତ୍ରଣା ଦୂର ହୋଇଗଲା ଏବଂ ଘା'ଟି ସମ୍ପୂର୍ଣ୍ଣ ଭଲ ହୋଇଗଲା। ହରି ବାବୁଙ୍କର ମନେ ପଡ଼ିଗଲା ଯେ ଏହି ପଥରଟିକୁ ଦିନେ ବଡ଼ ବଡ଼ ଦାର୍ଶନିକମାନେ ଖୋଜୁଥିଲେ, ଯାହାକୁ ଏକ 'ଜାଦୁଇ ପଥର' ବୋଲି କୁହାଯାଏ। ହରି ନିଜ ପୁଅକୁ ଖୁସିରେ କୁଣ୍ଢେଇ ପକାଇଲେ। ସେହି ଦିନଠାରୁ ହରିଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା।"
‎ଗାଁଟିରେ ସବୁକିଛି ହସଖୁସିରେ ଚାଲିଥିଲା। ଗାଁ ଲୋକଙ୍କ ମଧ୍ୟରେ ଥିବା ଏକତା ଓ ସ୍ନେହ ଅତୁଳନୀୟ ଥିଲା; କେହି ବିପଦରେ ପଡ଼ିଲେ ସମସ୍ତେ ତୁରନ୍ତ ସାହାଯ୍ୟର ହାତ ବଢ଼ାଉଥିଲେ। କିନ୍ତୁ ଏହି ଶାନ୍ତି ବେଶି ଦିନ ରହିଲା ନାହିଁ। ଜଣେ ଲୋଭୀ ଓ ନିଷ୍ଠୁର ଦାର୍ଶନିକ ସେହି ଗାଁରେ ଥିବା ଏକ ଅଲୌକିକ "ଜାଦୁଇ ପଥର" ବିଷୟରେ ଜାଣିବାକୁ ପାଇଲା। ସେ ଜାଣିଥିଲା ଯେ ଏହି ପଥର ମଧ୍ୟରେ ଜୀବନ ଦେବା ଓ ନେବାର ଅସୀମ ଶକ୍ତି ରହିଛି।
‎ସେହି ଦାର୍ଶନିକ ଜଣକ ଗାଁକୁ ଆସି ହରିବାବୁ ଓ ଗ୍ରାମବାସୀଙ୍କୁ ସେହି ପଥରଟି ମାଗିଲା। କିନ୍ତୁ ହରିବାବୁ ଜାଣିଥିଲେ ଯେ ଏହି ପଥର ଯଦି କୌଣସି ଭୁଲ୍ ହାତରେ ପଡ଼େ, ତେବେ ସଂସାର ଛାରଖାର ହୋଇଯିବ। ତେଣୁ ସେମାନେ ପଥରଟି ଦେବାକୁ ସାଫ୍ ମନା କରିଦେଲେ। ପଥର ପାଇବା ପାଇଁ ପାଗଳ ସେହି ଦାର୍ଶନିକ ନିଜର ଆଧୁନିକ ଅସ୍ତ୍ରଶସ୍ତ୍ର ଓ ବନ୍ଧୁକଧାରୀ ସୈନ୍ୟମାନଙ୍କୁ ଧରି ଗାଁ ଭିତରକୁ ପଶିଆସିଲା।
‎ସେମାନେ ପୋକମାଛି ପରି ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରି ଚାଲିଲେ। ଚାରିଆଡ଼େ ଚିତ୍କାର ଓ ରକ୍ତର ନଦୀ ବହିଲା। ବିପଦର ଗୁରୁତରତାକୁ ବୁଝି ହରିବାବୁ ତୁରନ୍ତ ବୁଲୁକୁ ପଥରଟି ଦେଇ କହିଲେ, "ପୁଅ ବୁଲୁ! ଦୌଡ଼ି ପଳା। ଜଙ୍ଗଲ ଭିତରେ ଜଣେ ସିଦ୍ଧ ସାଧୁ ଅଛନ୍ତି, ତାଙ୍କୁ ଏହି ପଥରଟି ଦେଇ ସବୁକଥା କହିବୁ। ସେ ହିଁ ଏହାର ରକ୍ଷା କରିପାରିବେ।"
‎ବୁଲୁ ପ୍ରାଣ ବିକଳରେ ଦୌଡ଼ି ଦୌଡ଼ି ଜଙ୍ଗଲ ଭିତରକୁ ଗଲା ଏବଂ ଋଷିଙ୍କ ପାଦତଳେ ପଡ଼ି ସବୁକଥା କହିଲା। ଋଷି ଗଭୀର ମନ୍ତ୍ର ଜପ କରି ପଥରଟିକୁ ଜାଗ୍ରତ କଲେ। ସେହି ପଥରରୁ ଏକ ଦିବ୍ୟ ଶକ୍ତି ବାହାରିଲା। ଋଷି ବୁଲୁ ସହ ଗାଁକୁ ଫେରିଲେ ଏବଂ ନିଜର ତପସ୍ୟା ଓ ପଥରର ଶକ୍ତି ବଳରେ ମୃତ ଗ୍ରାମବାସୀଙ୍କୁ ପୁଣିଥରେ ଜୀବନଦାନ ଦେଲେ।
‎ଅନ୍ୟପଟେ, ସେହି ପଥରର ଶକ୍ତି ସାହାଯ୍ୟରେ ଦୁଷ୍ଟ ଦାର୍ଶନିକ ଓ ତା’ର ପାପୀ ସହଯୋଗୀମାନଙ୍କୁ ସମୂଳେ ବିନାଶ କରାଗଲା। ପାପର ଅନ୍ତ ହେଲା। ଶେଷରେ ଋଷି ସେହି ଜାଦୁଇ ପଥରଟିକୁ ନେଇ ଏକ ସୁରକ୍ଷିତ ଓ ଗୁପ୍ତ ସ୍ଥାନରେ ସ୍ଥାପନ କଲେ, ଯେପରି କେହି ଲୋଭୀ ବ୍ୟକ୍ତି ତାହା ପାଇପାରିବ ନାହିଁ। ଗାଁ ଲୋକେ ପୁଣିଥରେ ନିଜର ପୁରୁଣା ହସଖୁସିର ଜୀବନ ଫେରିପାଇଲେ।


Rate this content
Log in

Similar oriya story from Drama