ଖରାଦିନର ତାଳ ଭୋଜି
ଖରାଦିନର ତାଳ ଭୋଜି
"ଗ୍ରୀଷ୍ମ ଋତୁର ପ୍ରଖର ରୌଦ୍ରତା ଯୋଗୁଁ ବାହାରକୁ ବାହାରିବା ପ୍ରାୟ ଅସମ୍ଭବ ହୋଇପଡ଼େ। କିନ୍ତୁ ଆମେ ତିନି ଚାରି ସାଙ୍ଗ ବୁଲାବୁଲିରେ କେବେ ହେଳା କରିନଥାଉ। ବାପା ମାଆ ବାରଣ କଲେ ମଧ୍ୟ ସେତେବେଳେ ଆମେ କାହା କଥା ଶୁଣୁ? ବିଦ୍ୟାଳୟ ଯିବା କଥା ତ ପଚାର ନାହିଁ! ଯେଉଁଦିନ ମଧ୍ୟାହ୍ନ ଭୋଜନରେ ଅଣ୍ଡା ମିଳେ, କେବଳ ସେହିଦିନ ଆମକୁ ସ୍କୁଲରେ ଦେଖିବାକୁ ପାଇବ। ଆଗରୁ ସପ୍ତାହରେ ମାତ୍ର ଥରେ ଅଣ୍ଡା ମିଳୁଥିଲା, କିନ୍ତୁ ଏବେ ସରକାରଙ୍କ ନିୟମ ଅନୁସାରେ ପ୍ରାୟ ସବୁଦିନ ମିଳୁଛି।
ଖରାଛୁଟିରେ ଅଧିକାଂଶ ପିଲା ମାମୁଁଘର କିମ୍ବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବାକୁ ଯାଆନ୍ତି। କିନ୍ତୁ ଆମେ ଗରିବ ପିଲା, ଆମ ପାଇଁ ଭଲ ପୋଷାକ କିମ୍ବା ସୁଖାଦ୍ୟ ମିଳିବା କଷ୍ଟକର ଥିଲା। ଦିନେ ଆମେ ଚାରି ସାଙ୍ଗ ହାତରେ କଟୁରି, ଗାମୁଛା ଓ ପାଣି ବୋତଲ ଧରି ତାଳ ଖାଇବାକୁ ବାହାରିଲୁ। ଆମର ମୁଖ୍ୟ ଅସ୍ତ୍ର ଥିଲା ସେହି କଟୁରି, ଯାହା ସାହାଯ୍ୟରେ ତାଳ ହାଣି ଆମେ ତାଳସଜ ଖାଉ। ତା' ସାଙ୍ଗକୁ ବାଟରେ ଆମ୍ବ, ଚାର, କେନ୍ଦୁ ଯାହା ମିଳେ ତାହା ହିଁ ଆମର ଅମୃତ।
ଗୋଟିଏ ତାଳ ଗଛରେ ଅନେକ ଫଳ ହୋଇଥିଲା। ଜଣେ ସାଙ୍ଗ ଗଛକୁ ଚଢ଼ି ଖପାଖପ୍ ତାଳ ହାଣି ତଳକୁ ପକାଇଲା। ତା'ପରେ ଗଛ ମୂଳେ ବସି ଆମର ତାଳ ଭୋଜି ଆରମ୍ଭ ହେଲା। ଆମ ଖାଇବା ଶୈଳୀ ଦେଖିଲେ ବୋଧହୁଏ ଅସୁର ବି ଡରିଯିବ! ଠିକ୍ ସେତିକି ବେଳେ ପଛପଟୁ କିଏ ଜଣେ ଆମକୁ ଧରି ପକାଇଲା। ଆମେ ଭାବିଲୁ ବୋଧହୁଏ ଗଛ ମାଲିକ ଆସିଗଲେ। କିନ୍ତୁ ସେ ଲୋକଟି ହସି କରି କହିଲା, 'ଡରନି ରେ ପିଲାଏ! ମତେ ବି ଟିକେ ତାଳ ଦିଅ।' ଆମେ ତାଙ୍କୁ ତାଳ ଦେଲୁ ଏବଂ ସମସ୍ତେ ମିଶି ପେଟଭରି ଖାଇଲୁ। ଖାଇ ସାରିବା ପରେ କିଏ ଜଣେ ତ ପେଟ ଭାରରେ ସେଇଠି ଶୋଇପଡ଼ିଲା।
ଯିବା ବେଳେ ସେହି ଭଦ୍ରଲୋକ ଜଣକ ଆମକୁ ଖରାରେ ଗଛ ନ ଚଢ଼ିବାକୁ ଉପଦେଶ ଦେଲେ। ସତରେ ସେବର୍ଷ ପ୍ରବଳ ଖରା ଯୋଗୁଁ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥିଲେ। ଫେରିବା ବାଟରେ ଏକ ଆମ୍ବ ତୋଟାରେ ଘଣ୍ଟାଏ ବିଶ୍ରାମ ନେଇ ଆମେ ଘରକୁ ଫେରିଲୁ। ଘରେ ଯାହା ମିଳିଲା ଖାଇଦେଇ ପୁଣି ଖେଳିବାକୁ ଦୌଡ଼ିଲୁ। ଗାଁର ସେହି ବୋହୂ ଚୋରି, କବାଡି, କିତିକିତି, ଚକି, ନଟୁ ଓ ବାଡ଼ିଡିଆ ଖେଳର ମଜା କେବଳ ଗାଁ ପିଲା ହିଁ ଜାଣନ୍ତି।
ଏବେ ସେସବୁ ମନେ ପଡ଼ିଲେ ହୃଦୟ ଆନ୍ଦୋଳିତ ହୋଇଉଠେ। ଆଜିକାଲିର ପିଲାମାନେ ଆଉ ସେମିତି ଖେଳୁନାହାନ୍ତି। ପୁରୁଣା ଫଟୋ ଦେଖିଲେ ନିଜ ଉପରେ ହସ ଲାଗେ— ସେତେବେଳେ ଦେହରେ ହଳେ ଭଲ ପୋଷାକ ନଥିଲା, କିନ୍ତୁ ମନରେ ଅମାପ ଆନନ୍ଦ ଥିଲା। ଏହି ଛୋଟ ଗଳ୍ପ ମାଧ୍ୟମରେ ମୁଁ ମୋ ପିଲାଦିନର ଜୀବନକୁ ସାଉଁଟି ରଖିବାକୁ ଚେଷ୍ଟା କରିଛି।"
