Shibashis Padhee

Classics

2  

Shibashis Padhee

Classics

ହଜି ଯାଇଥିବା ଠିକଣା

ହଜି ଯାଇଥିବା ଠିକଣା

7 mins
444


ଉପରୁ ବ୍ୟାଙ୍କ ର ବ୍ୟବସାୟ ବଢାଇବା ଚାପ ଯୋଗୁଁ ସବୁକାମ ଛାଡି କିଛି ଦିନ ହେବ କେବଳ ଋଣ ଉପରେ ଧ୍ୟାନ ଦେଉଥିଲେ ହରିହର ବାବୁ !ଏକ ପ୍ରତିଷ୍ଠିତ ବ୍ୟାଙ୍କ ର ଅଗ୍ରିମ ମ୍ୟାନେଜର ହିସାବ ରେ ଋଣ ଦାୟତ୍ୱ ତାଙ୍କର ଏଣୁ ଋଣ ପାଇଁ ଆସିଥିବା ସମସ୍ତ ଆବେଦନ ଗୁଡିକୁ ସବିଶେଷ ଯାଞ୍ଚ ଓ ଯଦି ଆବଶ୍ୟକ ପଡେ ତେବେ କ୍ଷେତ୍ର ପରିଦର୍ଶନ କରି ଋଣ ମଞ୍ଜୁରୀ ପାଇଁ ସୁପାରିଶ କରିବାରେ ଲାଗି ପଡ଼ିଥିଲେ !


ଆଜି ପାଇଁ ଥିବା ଦରଖାସ୍ତ ସବୁକୁ ଯାଞ୍ଚ କଲାବେଳେ କିଂନ୍ତୁ ଗୋଟିଏ ଦରଖାସ୍ତ ରେ ଅଟକି ଗଲେ ସେ !ଏକ ପାଉଁଶ ଇଟା କାରଖାନା ପାଇଁ ପଚାଶ ଲକ୍ଷ୍ ଋଣ ର ଆବେଦନ କରିଥିଲେ ସହର ର ବିଶିଷ୍ଟ ବ୍ୟବସାୟୀ ବିମଲ ବାବୁ !ସହ ଆବେଦକ ଥିଲେ ତାଙ୍କ ପତ୍ନୀ ସୁଜାତା !!ଦରଖାସ୍ତ ରେ ନା ଦେଖି ମନ ରେ ଟିକିଏ ହଲଚଲ ତ ହୋଇଥିଲା କାରଣ ""ସୁଜାତା ""ନା ଟି ସବୁବେଳେ ତାଙ୍କୁ ପଛ କୁ !ଟାଣେ ଫେରି ଯିବାକୁ ବାଧ୍ୟ୍ୟ କରେ ସେ ସୁନେଲି ଅତିତ କୁ !ସେ ସମୟ ର ସେ ଯୁବ ବୟସ କୁ !ନୂଆ ପତ୍ର ରେ ସଜେଇ ହୋଇଥିବା ଗଛ କୁ ଛୁଇଁ ଛୁଇଁ ଆସି ଦେହ ରେ ବାଜୁଥିବା ଫଗୁଣ ର ସେ ମିଠା ପବନ ପରି ମିଠା ମିଠା ସ୍ମୃତି ସତେଜ ହୋଇ ଯାଏ ଅଳ୍ପ ସମୟ ପାଇଁ !ଅତିତ ର ସେ ସ୍ବପ୍ନ ର ଜାଲ ଟିକିଏ କଷ୍ଟ ଦିଏ ମନକୁ କିଂନ୍ତୁ କିଛି ସମୟ ର ଭାବନା ପରେ ପୁଣି ଫେରି ଆସନ୍ତି ସେ ବାସ୍ତବତା କୁ !କିଂନ୍ତୁ ଆଜି ଫେରି ପାରୁ ନ ଥିଲେ ସେ କାରଣ ଥିଲା ପ୍ରଥମ ପୃଷ୍ଠା ରେ ଲାଗିଥିବା ସହ ଆବେଦକଙ୍କ ସେ ଫୋଟୋ !ନା ସହ ଫୋଟୋ ସମ୍ପୂର୍ଣ ମିଶି ଯାଉଥିଲା !.

ପ୍ରାୟ ପନ୍ଦର ବର୍ଷ ର ଅନୁସନ୍ଧାନ ଆଜି ଶେଷ ହୋଇଥିଲା !ଯେଉଁ ଅବସ୍ଥା ରେ ବି ହେଉ ଆଜି ମିଳିଥିଲା ସେ ହଜି ଯାଇ ଥିବା ଠିକଣା !ମନ ବ୍ୟାକୁଳ ହେଉଥିଲା ଜାଣିବା ପାଇଁ ତା ଅବସ୍ଥା?? ଇଛା ହେଉଥିଲା ଦଉଡି ଯାଇ ପହଞ୍ଚି ଯିବେ ତା ଠିକଣା ରେ !ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରିବେ !ହଟେଇ ଦେବେ ଆଜି ଯାଏ ତାଙ୍କ ମନ କୁ ବିଚଳିତ କରୁଥିବା ସେ ଅପରାଧବୋଧ !କିଂନ୍ତୁ ତା ବିଷୟ ରେ କିଛି ନ ଜାଣି ପହଂଚି ଯିବା କଣ ଠିକ ହେବ?? କଣ ହେବ ତା ପ୍ରତିକ୍ରିୟା?? 


ସାଙ୍ଗେ ସାଙ୍ଗ ଫୋନ ଡାଏଲ କଲେ ସୁଜାତା ର ସ୍ୱାମୀ ବିମଲ ବାବୁଙ୍କୁ !ଋଣ ବାବଦ କୁ ଜରୁରୀ ଆଲୋଚନା ଅଛି ଏଣୁ ବ୍ୟାଙ୍କ କୁ ଆସି ଆଲୋଚନା କରିବା ପାଇଁ ଜଣେଇ ଦେଲେ !

""ସାର ଅଳ୍ପ କାମ ଅଛି ଦୁଇଟା ପରେ ଯାଇ ନିଶ୍ଚୟ ଭେଟିବି ""କହିଥିଲେ ବିମଲ ବାବୁ !

ଆଉ କାମ ରେ ମନ ନ ଥିଲା ପିଅନ ନରେନ୍ଦ୍ର କୁ ଏକ କଫି କପ ପାଇଁ କହି ଭାବନା ରାଜ୍ୟ ରେ ବୁଡି ଗଲେ ସେ !


ସେତେବେଳେ ଯୁକ୍ତ ତିନି ପ୍ରଥମ ବର୍ଷ ଥିଲା ତାଙ୍କର !ଘରୁ ପ୍ରତିଦିନ ବସ ରେ ଯାଉ ଥିଲେ କଲେଜ !ଫେରୁଥିଲେ ଦୁଇଟା ପନ୍ଦର ର ବସ ରେ !ସାଙ୍ଗ ମାନଙ୍କ ସହ ଗପୁ ଗପୁ ସେଦିନ ଟିକିଏ ଡେରି ହୋଇ ଯାଇ ଥିଲା ୟା ଭିତରେ ଅଳ୍ପ ଅଳ୍ପ କୁଣ୍ଡାଝରା ବର୍ଷା ବି ଆରମ୍ଭ ହୋଇ ଯାଇଥିଲା ଏଣୁ ଶୀଘ୍ର ଶୀଘ୍ର ପାଦ ପକେଇ ବସ ଷ୍ଟାଣ୍ଡ କୁ ଆସୁଥିଲେ ସେ !କଲେଜ ଫାଟକ ରୁ ବସ ଷ୍ଟାଣ୍ଡ ପ୍ରାୟ ପାଞ୍ଚ ଶହ ମିଟର ଦୂର ମଝିରେ କିଛି ସରକାରୀ କ୍ୱାଟର ଯାହା ପ୍ରାୟ ବନ୍ଦ ଥାଏ ଓ କିଛି ବୁଦୁ ବୁଦୁକିଆ ଜଙ୍ଗଲ !ଭାରି ନିଛାଟିଆ ରାସ୍ତା !କଲେଜ ଛୁଟି ହେବାର ଅଧଘଣ୍ଟା ଉପରେ ହୋଇ ଯାଇଥିଲା ଏଣୁ ସମସ୍ତେ ଚାଲି ଯାଇଥିଲେ !କେବଳ ଆଗରେ ଝିଅ ଟିଏ ଚାଲିଥାଏ !ହରିହର ଲକ୍ଷ୍ୟ କଲେ ଥରେ ଥରେ ପଛ କୁ ଫେରି ଚାହୁଁଥିବା ଝିଅ ଟି ର ଗତି ତାଙ୍କ ସହ ସମାନୁପତିକ ରହୁଛି !ବୋଧେ ତାଙ୍କୁ ଭୟ କରୁଛି ଝିଅ ଟି !ଚେଷ୍ଟା କରୁଛି ଶୀଘ୍ର ଶୀଘ୍ର ଯିବା ପାଇଁ ଏଣୁ ନିଜ ଗତି କୁ ଧୀର କରିଦେଲେ ସେ !


ସେ ଆସିବା ପର୍ଯ୍ୟନ୍ତ କିଂନ୍ତୁ କୌଣସି ବସ ପାଇଁ ନ ଥିଲା ଝିଅ ଟି ଏଣୁ ବସ ଷ୍ଟାଣ୍ଡ ର ଗୋଟିଏ କୋଣ କୁ ଛିଡା ହୋଇଥିଲା !ପାଖାପାଖି ଅଧା ଭିଜି ଯାଇଥିଲା ସେ !ବିଶେଷ ସୁନ୍ଦରୀ ନ ହେଲେ ବି ମୋଟେ ଅସୁନ୍ଦର କୁହା ଯାଇ ପାରିବ ନି !ନହନହକା ଦେହ କିଂନ୍ତୁ ଚେହେରା ରେ ଏକ ଅଦ୍ଭୁତ ଆକର୍ଷଣ ଥିଲା !ପ୍ରଥମେ ଆସିଥିବା ବସ ରେ ଉଠିଥିଲା ସେ !ଚୁମ୍ବକ ର ଆକର୍ଷଣ ଭଳି ଆକର୍ଷିତ ହୋଇ ତା ପଛେ ପଛେ ଉଠିଥିଲେ ହରିହର !ଯୋଗ କୁ ତାଙ୍କ ଛକ ରେ ହିଁ ରହିଥିଲା ଥିଲା ଝିଅ ଟି !ପୁଣି ଆଗପଛ ହୋଇ ଆସୁଥିଲେ ସେମାନେ !ବହୁତ ଖୁସି ଲାଗିଲା ଯେତେବେଳେ ସେ ଦେଖିଲେ ତାଙ୍କ ଘର କୁ ଲାଗି ବହୁତ ଦିନ ରୁ ଖାଲି ପଡ଼ିଥିବା ଅନିରୁଦ୍ଧ ମଉସା ଙ୍କ ଘରେ ପଶିଲା ଝିଅ ଟି !ଗତ କାଲି ମା କହୁଥିଲା କିଏ ନୂଆ ଲୋକ ଭଡା ରେ ନେଇ ଛନ୍ତି ଘର ଟା !


ସେଇ ଦିନଠୁ ପ୍ରାୟ ଏକାଠି ଯିବା ଆସିବା ହେଲେ ହରିହର ଲକ୍ଷ୍ୟ କରିଛନ୍ତି ଭାରି ଚୁପ ଚାପ ରହେ ଝିଅ ଟି !କିଛି କୁହେନି ସବୁବେଳେ ଲାଗେ ଯେମିତି ଘନ ବାଦଲ ସନ୍ଧି ରେ ଛପି ଯାଇଥିବା ଜନ୍ହ ପରି !ହରିହର ଚେଷ୍ଟା କରିଥିଲେ କଥା ହେବା ପାଇଁ ନିଜ ମନ ର ଭାବନା ଜଣାଇବା ପାଇଁ ତା ନିକଟରେ ନିଜ ହୃଦୟ ଖୋଲି ଦେବା ପାଇଁ ! ସୁଜାତା ର ଭଲ ମନ୍ଦ ବୁଝିବା ପାଇଁ କିଂନ୍ତୁ ସେଇ ସୁଯୋଗ ମିଳୁ ନ ଥିଲା !


ସବୁଦିନ ପରି ସେଦିନ ସନ୍ଧ୍ୟା ରେ ତାଙ୍କ ଘରେ ସାହି ମହିଳା ଙ୍କ ଆସର ଜମିଥିଲା !ଏଇଟା ନିତିଦିନିଆ କଥା ଥିଲା !ସାହି ର ମହିଳା ଙ୍କ ଭିତରେ ମା ମୁରବି ଭଳିଆ ଥିଲା ସେଥିପାଇଁ ମା ନିକଟ ରେ ଭିଡ଼ କରୁଥିଲେ ସମସ୍ତେ !ହରିହର ନିଜ କୋଠରୀ ରେ ପଢୁଥିଲେ ବି ତାଙ୍କ ଆଲୋଚନା ଶୁଣି ପାରୁଥିଲେ 

ପଡିଶା ଘର କନକ ମାଉସୀ କହୁଥିଲେ 

""ଏ ମା କଣ କହିବି ସେ ନୂଆ ପଡୋଶୀ ଙ୍କ କଥା କାନ୍ଥ ତ ଲାଗିଛି ଏଣୁ ନ ଚାହିଁଲେ ବି ସବୁ ଶୁଣୁଛି !ଯାହାର ସବୁ ସମ୍ପତ୍ତି ଖାଇଲ ତାକୁ ପୁଣି ଚାକରାଣୀ କରି ଖଟେଇବ !ଧର୍ମ ସହିବ ଟି, ମୋତେ ତ ଭାରି ବିକଳ ଲାଗେ କଣ ହେଲେ କରିବୁ କ?? ""ସମସ୍ତେ ନିଜ ନିଜ ମତାମତ ଦେଉଥିଲେ ସେଥିରୁ ହରିହର ବୁଝି ନେଇଥିଲେ ସେ ଝିଅ ର ଅବସ୍ଥା !


ଏତେ ଦିନ ଭିତରେ ଟିକିଏ ହରିହର ଙ୍କ ଉପରେ ଭରଷା ପାଇ ଯାଇଥିଲା ତାର !ସେଦିନ କଲେଜ ଦଶ ଟାରୁ ବାତିଲ ହେଲା ପରେ ଘର କୁ ଫେରୁଥିଲେ ସେମାନେ !ଭାରି ଦୁଃଖିତ ଥିଲା ସୁଜାତା !ତା ଗାଲ ରେ ମାଡ ଦାଗ କୁ ପାଉଡର ରେ ଲୁଚାଇ ବାକୁ ଚେଷ୍ଟା କରିଥିଲା ତଥାପି ଲୁଚି ନ ଥିଲା ସେ ଦାଗ ! କଲେଜ ରୁ ବସ ଷ୍ଟାଣ୍ଡ ରାସ୍ତା ରେ ଚାଲି ଚାଲି ଆସିବା ବେଳେ ହରିହର କହିଥିଲେ 

ସୁଜାତା ମୁଁ ତୋ ସବୁ କଥା ଜାଣିଛି

ପ୍ରଥମେ ଚମକି ଯାଇ ଥିଲା ସେ କିନ୍ତୁ ତାଙ୍କ କଥା ଶୁଣି ଭାଙ୍ଗି ପଡିଥିଲା ସୁଜାତା !ସାମ୍ନା ଗଛ ମୂଳେ ବସି ପଡିଥିଲେ ସେମାନେ !ଖୋଲି ଦେଇଥିଲା ତା ଦୁଃଖ ର ପରସ୍ତ ପରସ୍ତ


ତାକୁ ଜନ୍ମ କଲାବେଳେ ମା ଚାଲି ଯାଇଥିଲା ଆର ପାରି କି !ବାପା ମା ସାଜି ତାକୁ ବଢା଼ଉ ଥିଲେ ବାପା ହେଲେ କିଡ଼ନୀ ରୋଗ ରେ ଦୁଇ ବର୍ଷ ତଳେ ପ୍ରାଣ ଚାଲି ଗଲା ତାଙ୍କ ର !ମରିବା ଆଗରୁ ନିଜ ସମ୍ପର୍କୀୟ ପୁତୁରା କୁ ତାର ଦାୟିତ୍ୱ ଅର୍ପଣ କରି ଯାଇଥିଲେ ସେ ¡ସେଇ ଦିନ ରୁ ଭାଇ ଭାଉଜ ଙ୍କ ଘରେ ରହୁଛି ସେ !ତାଙ୍କ ଜମିବାଡ଼ି କୁ ଭାଗ ରେ ଦେଇ ସେଇ ପଇସା ରେ ଆରାମ ରେ ଚଲୁ ଥିଲେ ବି ତା ପ୍ରତି ମୋଟେ ଦୃଷ୍ଟି ଦିଅନ୍ତି ନାହିଁ ସେମାନେ !ଓଲଟା ଏଇଟା ଗୋଟିଏ ଅଯଥା ବୋଝ ବୋଲି ଛିଗୁଲେଇ କହନ୍ତି ଭାଉଜ !

ଘର ର ସବୁ କାମ ସହ ଛୁଆ ଙ୍କ ଯତ୍ନ ବି ନେବାକୁ ପଡେ !ସାମାନ୍ୟ ଭୁଲ ପାଇଁ ଅପେକ୍ଷା କରିଥାଏ ଭାଉଜ ଙ୍କ ବାଡ଼ି !


ସେ କହିଥିଲା 

""ମୁଁ ଜାଣିଛି ତୁମେ ମୋତେ ଭଲ ପାଉଛ ମୁଁ ବି ତମକୁ ଭଲ ପାଉଛି କାରଣ ମୁଁ ତୁମ ଆଖି ପଢି ପାରୁଛି !ସେଥିରେ ଭରି ରହିଥିବା ସଚୋଟ ପଣ କୁ ଦେଖି ପାରୁଛି କିଂନ୍ତୁ କେବେ ଚିନ୍ତା କରିଛ ଯଦି ଭାଇ ଭାଉଜ ଜାଣିବେ ମୋ ଅବସ୍ଥା କଣ ହେବ? ଲୋକେ କଣ କହିବେ ବୋଲି ମୋତେ କଲେଜ ଆସିବାର ସୁଯୋଗ ଦେଇଛନ୍ତି ସେମାନେ ! ଯେଉଁ କିଛି ଘଣ୍ଟା ମୁଁ ବାହାରକୁ ଆସୁଛି ମୋତେ ବଞ୍ଚି ଥିବାର ଅନୁଭୂତି ମିଳୁଛି ସେ ମହାର୍ଘ ମୁହୂର୍ତ୍ତ ସବୁ ମୁଁ ଆଉ ପାଇବି କି ସାଙ୍ଗ ରେ ନ ହେଲେ ବି ତୁମ ସହ ଆଗ ପଛ ଚାଲିଲା ବେଳେ ମୋ ଛାତି ରେ ଯେଉଁ ଅପୂର୍ଵ ବିଶ୍ୱାସ ସୃଷ୍ଟି ହୁଏ !ମୋତେ ଲାଗେ କିଏ ଯେମିତି ମୋ ସୁଖ ଦୁଃଖ ବୁଝିବା ପାଇଁ ମୋ ପାଶେ ପାଶେ ଅଛି ମୋର ଅତି ନିଜର ଲୋକ ପରି ତାକୁ ମୁଁ ହରାଇ ବି କାହିଁକି?


ମୁଁ ତୁମକୁ ଏ ପ୍ରେମ ବ୍ୟାପାର ରେ ପକାଇ ତୁମ ଭବିଷ୍ୟତ କୁ ଖରାପ କରିବାକୁ ଚାହୁଁନି !ଏବେ ତ ତୁମେ ଚାହିଁଲେ ବି ମୋତେ ବାହା ହୋଇ ପାରିବନି !ମୁଁ ସହିଛି ସହିବି ଆଉ କିଛି ବର୍ଷ ! ମୁଁ ତୁମର ମୁଁ ତୁମ ଭରଷା ରେ ଅଛି ଅଛି ତୁମେ ପ୍ରଥମେ ନିଜକୁ ତିଆରି କର ତୁମେ ପଢ଼ !ମୋର ଯେତିକି ଦୁଃଖ ଅଛି ତାକୁ ତ ମୁଁ କଷ୍ଟେ ମଷ୍ଟେ ସହୁଛି ଆଉ କଷ୍ଟ ସହି ପାରିବିନି ମୁଁ


ଛାତି ରେ ମୁଣ୍ଡ ଗୁଂଜି କଇଁ କଇଁ କାନ୍ଦୁଥିଲା ସୁଜାତା !ନିଜ ଉପରେ ସୁଜାତା ର ଏତେ ବିଶ୍ୱାସ ଦେଖି ଅଭିଭୂତ ହୋଇଯାଇଥିଲା ହରିହର !ସେଇ ଦିନଠୁ ଯେମିତି ଏକାକାର ହୋଇ ଯାଇଥିଲେ ସେମାନେ ମନେ ମନେ !ଯୁକ୍ତ ତିନି ପରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ରେ ଉଚ୍ଚ ଶିକ୍ଷା ପାଇଁ ସ୍ଥାନ ମିଳିଯାଇଥିଲା ହରିହର ଙ୍କୁ !


ସୁଜାତା କୁ ହଜାର ପ୍ରତିଶୃତି ଦେଇ ସେ ଚାଲି ଯାଇଥିଲେ ସେଠାକୁ !

""ମୁଁ ନିଶ୍ଚିତ ମୋର କ୍ୟାମ୍ପସ ହେବ !ଅପେକ୍ଷା କରିବୁ ମୁଁ ଫେରିଲେ ତୋ ଦୁଃଖ ରେ ପୁର୍ଣ ଛେଦ ପଡିବ ନିୟମିତ ଚିଠି ଲେଖିବୁ ""

ସବୁ କଥା ରେ ହଁ ମାରିଥିଲା ସୁଜାତା !ଚିଠି ଆସୁଥିଲା ନିୟମିତ ଭଲ ପଢିବା ପାଇଁ !ଦେହ ର ଯତ୍ନ ନେବା ପାଇଁ !ଏକ ଅଭିଭାବକ ପରି ଅନେକ ଉପଦେଶ ସବୁ ସାଙ୍ଗରେ ନେଇ !

ଏମ ବିଏ ର ଶେଷ ବର୍ଷ ରେ କିଂନ୍ତୁ ଆଉ ଚିଠି ଆସିଲାନି !କ୍ୟାମ୍ପସ ପାଇଁ କଠିନ ପରିଶ୍ରମ କରୁଥିଲେ ହରିହର ଏଣୁ ଘର କୁ ଯାଇ ପାରି ନ ଥିଲେ ପ୍ରାୟ ଛଅ ମାସ ହେଲା !ସତ କହିଲେ ସୁଜାତା କୁ ନିଜର କରିବାର ଆଶା ହିଁ ତାଙ୍କୁ ପଢିବାକୁ ପ୍ରେରିତ କରୁଥିଲା ଦୃଢ଼ ନିଶ୍ଚିତ ଥିଲେ ସୁଜାତା କୁ ନେଇ କିଛି ଅସୁବିଧା ତ ହୋଇ ଥିବ କିଂନ୍ତୁ ସେ ସମୟ ରେ ବୁଝାବୁଝୀ କରିବାର ଅନ୍ୟ କିଛି ସାଧନ ହି ନ ଥିଲା !ମନ କୁ ବୁଝାଇ ଘର କୁ ଯିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସେ !


ଏକ ପ୍ରତିଷ୍ଠିତ ବ୍ୟାଙ୍କ ପାଇଁ ମନୋନୀତ ହେବା ପରେ ଯେତେବେଳେ ଘର କୁ ଫେରିଥିଲେ ସେତେବେଳେ ସେମାନେ ଆଉ ସେଠି ରହୁ ନ ଥିଲେ ମା କୁ ପଚାରି ବାରୁ କହିଲା 

""ତାଙ୍କ ଖବର କିଏ ରଖିଛି ଏତେ ଦିନ ଏଠି ରହିଲେ ଯେ କାହା ସହ ବି କଥା ପଦେ ହେଲେନି !କୁଆଡେ ବଦଳି ହେଲା ତ କହୁଥିଲେ !"

ଥମ କରି ବସି ଯାଇଥିଲେ ହରିହର ଆଖି ସାମ୍ନା ରେ ଝୁଲି ଯାଉଥିଲା ସୁଜାତା ର ମୁହଁ !କୁଆଡେ ଗଲେ ସେମାନେ? !ସୁଜାତା ତ ନିଶ୍ଚୟ ଅପେକ୍ଷା କରିଥିବ ତାକୁ? 


ସୁଜାତା ର ଭାଇ ଙ୍କ ଅଫିସ ରୁ ଠିକଣା ନେଇ ଜୟପୁର ଯାଇଥିଲେ ହରିହର କିଂନ୍ତୁ ସୁଜାତା ର ଠିକଣା ହଜି ସାରିଥିଲା !ସେଇଠି ଶୁଣିଲେ ସୁଜାତା ର ବାହା ଘର କଥା !ତା ବିଷୟ ରେ ବେଶୀ କିଛି କହି ନ ଥିଲେ ଭାଇ !ଅଧିକ ପଚାରି ବାର ସୁଯୋଗ ବି ଦେଇ ନ ଥିଲେ !ପରାସ୍ତ ସୈନିକ ପରି ଫେରି ଆସିଥିଲେ ହରିହର !


ସେ ଜାଣିଥିଲେ ସୁଜାତା ଶତ ଚେଷ୍ଟା କରିଥିବ କିନ୍ତୁ ବେଳେ ବେଳେ ପରିସ୍ଥିତି ଚାପ ରେ ମଣିଷ ବୁଝାମଣା କରିବାକୁ ବାଧ୍ୟ୍ୟ ହୁଏ !ଆଉ ତାଙ୍କ ଭାବନା ବି ସତ ହୋଇଥିଲା ଯେଉଁ ଦିନ ସେ ଭେଟି ଥିଲେ ସୁଜାତା ର ସାଙ୍ଗ ବନିତା କୁ !


ଠିକ ତିନିଟା ରେ ଆସିଥିଲେ ସୁଜାତା ର ସ୍ୱାମୀ ବିମଲ ବାବୁ !ଭାରି ଭଦ୍ର ଲୋକ ସିଏ !ସବୁ କାଗଜ ପତ୍ର ଠିକ ଥିଲା ଏଣୁ କିଛି ସମୟ କେବଳ ଏଣୁ ତେଣୁ ଆଲୋଚନା କରି ହଟାତ ସୁଜାତା ବିଷୟରେ ପଚାରି ଦେଲେ ସେ !

କହିଲେ ""ଆପଣ ଙ୍କ ଲୋନ ପନ୍ଦର ଦିନ ରେ ମିଳିଯିବ !ବ୍ୟାଙ୍କ ର ପଇସା ବୁଡିବ ନାହିଁ ଏହା ଆପଣ ଙ୍କୁ ଦେଖି ମୋର ତିଳେ ମାତ୍ର ସନ୍ଦେହ ନାହିଁ ଆଉ ଆପଣ ଙ୍କ ପତ୍ନୀ ଙ୍କୁ ତ ମୁଁ  ଜାଣିଛି କଲେଜ ରେ ମୋ ଜୁନିଅର ଥିଲେ !""


""ଆପଣ ନିଶ୍ଚିନ୍ତ ରୁହନ୍ତୁ ସାର ଜାଣି ଖୁସି ହେଲି ଯେ ଆପଣ ସୁଜାତା କୁ ଜାଣିଛନ୍ତି !ସେ ତ ଆମ ଘର ର ଲଷ୍ମୀ, ମୁଁ ଛୋଟ ଦୋକାନୀ ରୁ ଏତେବଡ ବ୍ୟବସାୟୀ ହେବାରେ ତାଙ୍କ ହାତ ବେଶୀ, ସେ ହି ମୋ ବ୍ୟବସାୟ ର ମୁଖ୍ୟ ପରିଚାଲିକା !ଦିନେ ଘର କୁ ଆସନ୍ତୁ ସାର ସେ ବି ଖୁସି ହେବେ ""


ନିମନ୍ତ୍ରଣ ଜଣାଇ ଫେରି ଯାଇଥିଲେ ବିମଲ ବାବୁ !ଗଭୀର ଶାନ୍ତି ରେ ନିଶ୍ୱାସ ନେଉଥିଲେ ହରିହର ବାବୁ !ସୁଜାତା ର ଉନ୍ନତି ଓ ବିମଲ ବାବୁ ଙ୍କ ତା ପ୍ରତି ଥିବା ସମ୍ମାନ ଦେଖି ଭାରି ଖୁସି ହୋଇ ଯାଇଥିବା ହରିହର ବାବୁ କମ୍ପୁଟର ଖୋଲି ନିଜ ସହର କୁ ବଦଳି ପାଇଁ ଦରଖାସ୍ତ ଲେଖି ବାରେ ଲାଗି ପଡି ଥିଲେ !


ହଜି ଯାଇଥିବା ଠିକଣା ମିଳି ଯାଇଥିଲା କିନ୍ତୁ ପୁଣି ତାକୁ ହଜାଇ ଦେବାକୁ ଚାହୁଁଥିଲେ ସେ


Rate this content
Log in

Similar oriya story from Classics