Shibashis Padhee

Others

3  

Shibashis Padhee

Others

ଉପଯୁକ୍ତ ଉତ୍ତର

ଉପଯୁକ୍ତ ଉତ୍ତର

3 mins
406



ପବିତ୍ର ଗୟାପୀଠରେ ପିଣ୍ଡଦାନ ପୂର୍ବକ ନିଜର ପୂର୍ବଜ ସାତ ପିଢ଼ିକୁ ମୋକ୍ଷ ପ୍ରଦାନ ପାଇଁ ବାପାଙ୍କ ବହୁତ ଦିନର ଇଛାକୁ ସାକାର କରିବା ପାଇଁ ଆମେ ବାରଣାସୀରୁ ଗୟା ଯିବା ପାଇଁ ସ୍ଥିର କରିଥିଲୁ ସପରିବାର । ବାରଣାସୀରେ ଦୁଇ ଦିନର ରହଣି ପରେ ସକାଳ ଆଠ ଟାରେ ଟ୍ରେନ । ବିଭିନ୍ନ ସମ୍ୱାଦ ପତ୍ର ତଥା ଟିଭି ଚ୍ୟାନେଲରୁ ପଢ଼ୁଥିବା ତଥା ଶୁଣୁଥିବା ଖବର ସବୁରୁ ବିହାରର ଅବସ୍ଥା ପ୍ରତି ଏକ ନକାରାତ୍ମକ ମନୋଭାବ ମୋ ମନରେ ଘର କରି ରହିଥିଲା । ଏଣୁ ଦିନ ବେଳା ଟ୍ରେନ ହିଁ ବାଛି ଥିଲି ମୁଁ ।


ଦୂରତା ପ୍ରାୟ ଦୁଇ ଶହ କୋଡିଏ କିଲୋମିଟର ତିନି ଚାରି ଘଣ୍ଟାର ବାଟ ଏଣୁ ସିଟ ସଂରକ୍ଷିତ ନ କରି ସାଧାରଣ ବଗିରେ ଚାଲିଯିବା ପାଇଁ ବାପାଙ୍କ ପରାମର୍ଶକୁ ମୁଁ ମାନି ନଥିଲି । କାରଣ ମୁଁ ଭାବିଥିଲି ବାପାଙ୍କ ପୃଥୁଳ ଶରୀର ସହ ମଧୁମେହ ଯୋଗୁଁ ଏତେଗୁଡାଏ ସମୟ ଠିଆ ହେବା ନିଶ୍ଚୟ କଷ୍ଟ କର ହେବ । ସେପ୍ଟେମ୍ବର ମାସ ହେତୁ ଗରମ ନ ଥିଲା କି ଶୀତ ବି ନ ଥିଲା ଏଣୁ ସ୍ଲିପରରେ ଆଗରୁ ଟିକେଟ କରି ନେଇଥିଲି ।


ବିରାଟ ବାରଣାସୀ ଷ୍ଟେସନ, ଶହ ଶହ ଗାଡି ଆସୁଛି ଯାଉଛି । ଆମ ଟ୍ରେନ ନିଶ୍ଚିତ ଡେରିରେ ଆସିବ ବୋଲି ମୋର ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ନିଜ ନିର୍ଧାରିତ ସମୟରେ ଆସିଗଲା ଦିଲ୍ଲୀରୁ ଆସୁଥିବା ହାୱଡା ଏକ୍ସପ୍ରେସ ।

ମାତ୍ର ପାଞ୍ଚ ମିନିଟର ରହଣି ଏଣୁ ସମସ୍ତ ବ୍ୟାଗ ପତ୍ର ଧରି ଆମ ନିର୍ଧାରିତ ବଗିରେ ଉଠିଗଲୁ ଆମେ । ଟ୍ରେନକୁ ଉଠି ମୁଁ କିନ୍ତୁ ଟିକିଏ ଦ୍ୱନ୍ଦ୍ୱରେ ପଡ଼ିଗଲି । ବଗି ନମ୍ବର ଦେଖାରେ କିଛି ଭୁଲ ହୋଇଗଲା କି ? କାରଣ ସଂରକ୍ଷିତ ଶୟନଯାନ ହେଲେ ବି ସେଥିରେ ସାଧାରଣ ବଗି ଅପେକ୍ଷା ବେଶୀ ଭିଡ଼ । ଠେଲି ପେଲି କି ଆମ ସିଟ ପାଖକୁ ଗଲି । ଭାରି ଆରାମରେ ଆମର ସାତଟି ଯାକ ସିଟରେ ବସିଥିଲେ କିଛି ଦିଲ୍ଲୀ ଫେରନ୍ତା ଯୁବ ଗୋଷ୍ଠୀ । ଜଣେ ଦୁଇ ଜଣ ଅର୍ଦ୍ଧବୟସ୍କ ଲୋକ ବି ଥାଆନ୍ତି । ଭାରି ନମ୍ରତାର ସହ ମୁଁ କହିଲି, ସାର ଏଇ ସବୁ ଆମ ସିଟ ଆପଣ ମାନେ ଦୟାକରି ଛାଡ଼ନ୍ତୁ । କିନ୍ତୁ ଛାଡିବା ତ ଦୂର ର କଥା ମୋ କଥାକୁ ଶୁଣିଲେ ବି ନାହିଁ ସେମାନେ । ପୁଣି ସମାନ କଥା କହିଲି କିନ୍ତୁ ମୋତେ ଆଶ୍ଚର୍ଯ୍ୟ କରି ସେମାନଙ୍କ ମଧ୍ୟରୁ ଜଣେ ଟିକେଟଟିଏ ବାହାର କଲେ । ଦୂରରୁ ମୋତେ ଦେଖାଇ କହିଲେ ନା ଏଇଟା ତ ଆମ ସିଟ, ନମ୍ବର ଦେଖ ! ତାଙ୍କ କାଉଣ୍ଟର ଟିକେଟରୁ ନମ୍ବର ପଢ଼ିଲି ମୁଁ ପୁରା ସମାନ ଆମ ନମ୍ବର ସହ ।


ସେ କହିଲେ କେଉଁଠୁ ଟିକେଟ ନେଲ- ମୁଁ କହିଲି ଅନ୍ ଲାଇନ ?

କିଛି ଭୁଲ ହୋଇଥିବ ଚେକ କର କହି ନିଜ ସାଙ୍ଗ ସାଥିଙ୍କ ସହ ଗପରେ ନିମଜ୍ଜିତ ହୋଇଗଲେ ସେ । ଟ୍ରେନ ଛାଡି ସାରିଥିଲା । ସମସ୍ତ ପ୍ରକାର ଚେକ କରି କିନ୍ତୁ ନିଶ୍ଚିତ ହୋଇଥିଲି ମୁଁ ଯେ ସେସବୁ ଆମର ହିଁ ସିଟ କିନ୍ତୁ ତାଙ୍କ ପାଖରେ ବି ସମାନ ନମ୍ବରର ଟିକେଟ ପାଇଁ କିଛି କହି ପାରୁ ନ ଥାଏ । ତିନି ଚାରି ଘଣ୍ଟାର ଯାତ୍ରା ପୁଣି ବାହାର ଜାଗା ଓ ବିହାରୀ ଲୋକ ଏଣୁ ଚୁପ ଚାପ ରହିବା ପାଇଁ ପରାମର୍ଶ ଦେଉଥିଲେ ବାପା । ମୋ ମନ କିନ୍ତୁ ମାନୁ ନ ଥାଏ ରେଳ ବିଭାଗ ଏମିତି ଭୁଲ କେମିତି କଲା ସେ ଚିନ୍ତାରେ ମୁଁ ଥାଏ । ଠିକ ସେ ସମୟରେ ମୋତେ ଚିନ୍ତାମୁକ୍ତ କରିବା ପାଇଁ ଆସିଥିଲେ ଟି ଟି ଇ । ଭାରି ଆଶ୍ବସ୍ତି ଲାଗିଲା ମୋତେ । ତାଙ୍କୁ ମୋ ଟିକେଟ ଦେଖେଇଲି ଓ ବିଭାଗର ଭୁଲ କଥା କହିଲି ।

ବସିଥିବା ଲୋକ ମାନଙ୍କ ଉପରେ ଥରେ ଦୃଷ୍ଟି ଘୁରାଇ ସେ କହିଲେ ,ଏଇ ସିଟ ସବୁ ଆପଣଙ୍କ ସେମାନଙ୍କ ଟିକେଟ ଦିଲ୍ଲୀରୁ ବାରଣାସୀ ଯାଏ ଥିଲା ବିଭାଗ ଭୁଲ କରେନି କେବେ ? ତା ହେଲେ ତାଙ୍କୁ ଉଠାନ୍ତୁ ଆପଣ, କହିଲି ମୁଁ ।


ନା ନା ଆପଣ କୁହନ୍ତୁ କହି ମୋର ବାରମ୍ବାର ଅନୁରୋଧକୁ ଅଶୁଣା କରି ଆଗକୁ ଚାଲି ଗଲେ ସେ । ମୁଁ ଦେଖିଲି ଅନଧିକାର ଭାବେ ଯାଉଥିବା ଏତେଗୁଡାଏ ଲୋକଙ୍କୁ ଦେଖି କି ବି ଦେଖି ପାରୁ ନ ଥିଲେ ସେ । ଆମ କଥୋପକଥନ ଶୁଣି ଆମ ସିଟରେ ବସିଥିବା ଲୋକ ସବୁ ହସୁଥିଲେ । ମୁଁ ଜାଣି ଯାଇଥିଲି ଯେଉଁ ନକାରାତ୍ମକ ମନୋଭାବ ମୁଁ ଘରୁ ନେଇକି ଆସିଥିଲି ସେଇଟା ଭୁଲ ନ ଥିଲା ଓ ଏ ଘଟଣା ପରେ ତାହା ଆହୁରି ମଜବୁତ ହେଉଥିଲା । ସେ ଲୋକ ମାନେ ଅଧବାଟ ପାଇଁ ଟିକେଟ କରିଥିଲେ ଓ ଆଉ ଅଧବାଟକୁ ଏମିତି ଦାଦାଗିରିରେ ଯାଉଥିଲେ ।

ଭିଡ଼ ଓ ସେଥିପାଇଁ ଗରମ ଯୋଗୁଁ ବ୍ୟତିବ୍ୟସ୍ତ ହୋଇ ଯାଉଥିଲେ ବାପା ଓ ମୋ ଛୋଟ ଛୁଆ । କୌଣସି ପ୍ରକାରେ ବାପାଙ୍କ ପାଇଁ ଗୋଟିଏ ସିଟ ପାଇଁ ଅନୁରୋଧ କଲି ମୁଁ । କିନ୍ତୁ ଶୁଣୁ ନ ଥିଲେ ସେମାନେ । ବିରକ୍ତ ହୋଇ ଯାଇଥିଲି ମୁଁ । ବାପା ମନା କରୁଥିଲେ କିନ୍ତୁ ଟିକିଏ ଜୋରରେ କହିଲି ? ମୁଁ ଜାଣିଛି ଏଇ ସାତ ଟି ଯାକ ଆମର ସିଟ ମୁଁ ତ ସବୁ ମାଗୁନି କେବଳ ବାପାଙ୍କ ଦେହ ଭଲ ନାହିଁ ବୋଲି ଟିକିଏ ଜାଗା ମାଗୁଛି । ଆପଣ ମାନେ କଣ ଏଇଟା ଭଲ କାମ କରୁଛନ୍ତି କି ?


ସେମାନେ ବି ଟିକିଏ ରାଗି ଯାଇଥିଲେ । ସେ ଭିତରୁ ଜଣେ ପ୍ରଶ୍ନ କଲେ- ଜାଗା ଦେବୁନି ଯା, ନ ଦେଲେ କଣ କରିବ ?

ଉତ୍ତର ଦେବା ପାଇଁ ଟିକିଏ ଚିନ୍ତା କଲି ମୁଁ କାରଣ ଭୁଲ ଉତ୍ତର ବହୁତ ସମସ୍ୟା ବି ସୃଷ୍ଟି କରି ପାରେ । ବାହାର ଜାଗା ଏଣୁ ବହୁତ ଶାନ୍ତ ଭାବରେ ଉତ୍ତର ଦେଲି ମୁଁ । କିଛି କରିବି ନି ଭାଇ,ଆପଣ ମାନଙ୍କୁ କଣ ବି କରି ପାରିବି କେବଳ ଓଡିଶା ଗଲେ କହିବି ବିହାରରେ ଏମିତି ଲୋକ ଥାଆନ୍ତି ।


ମୋ ଉତ୍ତରରେ ଗଭୀର ଚିନ୍ତାମଗ୍ନ ହୋଇ ଗଲେ ସେମାନେ କିଛି ସମୟ ମୁହଁ ଦେଖା ଦେଖି ହେଲେ ପରେ ପରେ ଗୋଟିଏ ଲମ୍ବ ସିଟ ଛାଡିଦେଲେ ସେମାନେ । ଆରାମରେ ବସି ପଡିଲେ ବାପା ଓ ବାକି ମାନେ ।


ମୁଁ ଚିନ୍ତା କରୁଥିଲି ଠିକ ନାଡୀ କୁ ଧରିଦେଲି । ଯିଏ ଯେମିତି ହେଲେ ବି ମନେ ମନେ ନିଜ ରାଜ୍ୟକୁ ଭଲ ପାଆନ୍ତି । ତାର ବଦନାମ ହେବାକୁ ଦିଅନ୍ତି ନାହିଁ । ଝରକା ଡେଇଁ ଆସୁଥିବା ଥଣ୍ଡା ପବନ ସବୁ ଗରମକୁ ପୋଛି ନେଉଥିଲା .... । 



Rate this content
Log in