ଇନ୍ଦିରା ଆବାସ
ଇନ୍ଦିରା ଆବାସ
ଦି ବଖରା ଛାତ ଘର କରିବାର ଖୁସିରେ ମସଗୁଲ ଥିବା ଶୁକୃର ମନଟା ଥରେ ଥରେ ଦୁଃଖି ହୋଇ ଯାଉଥିଲା ଗଂଜାଟା ପାଇଁ !ନିଜ ଭାଡ଼ିର ସବୁଠୁ ବଡ଼ ତାର ପ୍ରିୟ କଳା ଗଂଜାକୁ କପଡା ମୁଣିରେ ଭର୍ତି କରି ଗାଁ ଛକରେ ସରପଞ୍ଚଙ୍କ ଅପେକ୍ଷା କରିଥିଲା ସେ !
ସେପଟୁ ନୂଆ ବାଇକରେ ଆସିଥିବା ସରପଞ୍ଚ ପ୍ରଥମେ ବ୍ୟାଗ ଭିତରେ ଥିବା କୁକୁଡ଼ାକୁ ମନଭରି ଦେଖିନେଲେ !ବ୍ୟାଗକୁ ହାତରେ ଧରି ଓଜନକୁ ଅନୁମାନ କରି ଭାରି ଖୁସି ହୋଇ କହିଲେ
""ଠିକ ଅଛି ତୁ ମୋ ପଛେ ପଛେ ବ୍ଲକକୁ ଆ ମୁଁ କାଲି କଥା ହୋଇ ଯାଇଛି ଆଜି ତୋ ସାମ୍ନାରେ କହିଦେବି ତା ପରେ ଏଇଟାକୁ ଆମ ଘରେ ଛାଡିଦେବୁ ""
ସମସ୍ତ ଯୋଗ୍ୟତା ଥାଇ ବି ଆଜି ପର୍ଯ୍ୟନ୍ତ ଇନ୍ଦିରା ଆବାସରୁ ବଂଚିତ ଥିବା ଶୁକୃ ପାଇଁ ଏଥର ସରପଞ୍ଚ ଲାଗି ପଡ଼ିଥିଲେ !କେତେ ଭଲ ଲୋକଟା, ଦୁଇ ଦୁଇ ଥର ପଂଚାୟତ ରୁ ତାର ନା ବ୍ଲକକୁ ପଠାଇଲେଣି ସେ !ଅବଶ୍ୟ ସେ ବାବଦକୁ ନିଜ କୁକୁଡ଼ା ଭାଡ଼ିରୁ ଭିଡ଼ କମେଇ ଦେଇଛି ଶୁକୃ !ତଥାପି ଖୁସି ହୁଏ ସେ ଲୋକଟା ତ ଚେଷ୍ଟା କରୁଛି ଉପରୁ କଟି ଗଲେ କଣ ବା କରିବ !
""ଏଥର କିନ୍ତୁ ଆଉ କଟିବାର ନାଇଁ ମୁଁ ପୁରା ଅଫିସର ସହ କଥା ହୋଇଛି କାଲି ମୋ ସହ ଯିବୁ ତୁ ନିଜେ କଥା ହେବୁ "" ଓ ଘରକୁ
କୁଣିଆ ଆସୁଥିବାରୁ ଭଲ ଗଂଜାଟାଏ ବି ଆଣିକି ଆସିବା ପାଇଁ କହିଥିଲେ ସରପଞ୍ଚ ବ୍ଲକରେ ଅଫିସରଙ୍କ ସାମ୍ନାରେ ବସି ଶୁକୃର ଦୟନୀୟ ସ୍ଥିତି ଓ ଘରର ନିତାନ୍ତ ଆବଶ୍ୟକତା ବିଷୟରେ ପ୍ରାଞ୍ଜଳ ଭାବେ ଜଣାଇ ଥିଲେ ସେ !ଭାରି ଖୁସିରେ ଉଭୟଙ୍କୁ ନମସ୍କାର ଜଣାଇ ବାହାରି ଆସିଥିଲା ସୁକୃ !ଗଂଜାକୁ ସରପଞ୍ଚଙ୍କ ଘରେ ଛାଡିବା ପାଇଁ ସାଇକେଲ ପାଖକୁ ଆସୁ ଆସୁ ମନେ ପଡିଲା ଦରଖାସ୍ତଟା ତ ହାତରେରହିଗଲା ପୁଣି ଫେରିଲା ସେ !
ଅଫିସରଙ୍କ ପ୍ରକୋଷ୍ଠ ପରଦାକୁ ହଟେଇବା ପାଇଁ ହାତ ବଢା଼ଉ ବଢା଼ଉ ହାତରହିଗଲା ତାର !ଭିତରୁ ଶୁଭୁଥିଲା ସରପଞ୍ଚଙ୍କ ସ୍ୱର
""ୟାକୁ ମୁଁ ଜାଣି ଜାଣି ଝୁଲେଇରଖିଛି ସାର ୟେ ଆମ ଲୋକ ନୁହେଁ !ଆମକୁ ଭୋଟ ଦିଏନି !ବାରମ୍ବାର ମୋତେ ବିରକ୍ତ କରିବାରୁ ମୁଁ ଆଣି ଆସିଥିଲି ସିନା ନ ହେଲେ ଲୋକଟା ପକ୍କା ବଦମାସ !""
ଆଉ ଶୁଣିବାର ଧୈର୍ଯ୍ୟ ନ ଥିଲା ଶୁକୃର ସେ ଜାଣିଥିଲା ଏଇ ଲୋକ ଥିବା ପର୍ଯ୍ୟନ୍ତ ତାକୁ ଘର ଫର ମିଳିବାର ନାଇଁ ଏ ସବୁ କେବଳ ତାର କୁକୁଡ଼ା ଭାଡ଼ି ସାରିବାର ଫନ୍ଦି ଫିକର !
ମନେ ମନେ ଖୁବ ଗାଳି ଦେଇ ସିଧା ଘରକୁ ସାଇକେଲ ଛୁଟାଇଲା ସେ !ବ୍ୟାଗ ଭିତରୁ ଗଂଜାଟା କଁଅ କଁଅ କରୁଥିଲା ସତେ ଯେମିତି ସବୁ ବୁଝି ହଁ ହଁ କହୁଥିଲା !!!!!!!!!