Shibashis Padhee

Tragedy Others

3  

Shibashis Padhee

Tragedy Others

ଆପଣା ହସ୍ତେ

ଆପଣା ହସ୍ତେ

5 mins
277


ରାତି ତିନି ଘଡି ହେଲାଣି ଏ ପର୍ଯନ୍ତ ବୁଧୁଆ ଆସି ନାହିଁ । ସେ ଆସିଲେ କବାଟ ଖୋଲିବା ପାଇଁ ଚେଇଁ ଚେଇଁ ଶୋଇଛି ଜୟନ୍ତୀ । ସାମାନ୍ୟ ଶବ୍ଦ ରେ ଧାଇଁ ଯାଉଛି ସେ କବାଟ ପାଖକୁ କିନ୍ତୁ କିଛି ସୋର ଶବ୍ଦ ନାହିଁ ବୁଧୁଆର । ଜୟନ୍ତୀକୁ ଡର ଲାଗେ ବୁଧୁଆର ରାଗକୁ । ଗତ ଥର ଏମିତି ଶୋଇ ପଡିଥିଲା ସେ । ଡାକି ଡାକି ଥକି ଯାଇଥିବା ବୁଧୁଆ ର ଗୋଟିଏ ଲାତ ରେ ତିନି ଖଣ୍ଡ ହୋଇଥିଲା କବାଟଟା । କିଛି ଦିନ ଏମିତି ବିନା କବାଟରେ ରହିବାକୁ ପଡିଥିଲା ତାକୁ । ଗାଁ ରୁ ଅଳ୍ପ ଦୂରରେ ତାଙ୍କ ଘର ବୁଦୁବୁଦୁକିଆ ଜଙ୍ଗଲ ଭିତରେ । ଅଳ୍ପ କେତୋଟି ଘର । ଗାଁ ରୁ ସରୁ ରାସ୍ତା ଟିଏ ଲମ୍ବି ଆସିଛି ଜଙ୍ଗଲ ଦେଇ । କିଛି ଦିନ ହେବ ଲାଇନ ଆସିଛି କିନ୍ତୁ ରହିବା ପାଇଁ ନୁହେଁ କେବେ କେମିତି ମୁହଁ ଦେଖାଇବା ପାଇଁ । ଏମିତି ପରିବେଶରେ ଦୁଇଟି ଛୁଆଙ୍କୁ ନେଇ ରାତି ରେ ଏକା ରହିବାଟା ଭାରି କଷ୍ଟ ଲାଗେ ତାକୁ । ଭୟ ଲାଗେ ଯିବ ଜନ୍ତୁଙ୍କୁ ସାପକୁ ।


ଲଣ୍ଠନ ଆଲୁଅକୁ ଆଉ ଟିକିଏ କମେଇ ଦେଇ ଶୋଇବାକୁ ଚେଷ୍ଟା କଲା ସେ । ଦୂରରୁ ଶୁଭିଲା ଗ୍ରାମ୍ୟ କୁକୁର ପଲଙ୍କ ସାମୁହିକ ଭୁକିବା ଶବ୍ଦ । ଜୟନ୍ତୀ ଜାଣି ଗଲା ଏଇଟା ବୁଧୁଆ ଆସିବାର ସୂଚନା । ଉଠିକି କବାଟ ଖୋଲି ଦେଲା ସେ । ମଦ ନିଶାରେ ଟଳି ଟଳି ଆସୁଥିଲା ସେ । କବାଟକୁ ଧରୁ ଧରୁ ଗୋଡ଼ ଖସି ଯାଉଥିଲା ତାର ହାତକୁ ଧରି ପକାଇଲା ଜୟନ୍ତୀ । ଖୁବ ଜୋରରେ ହାତକୁ ଝଟକି ଦେଇ ବହେ ଗାଳି ବର୍ଷା କରି ଗଲା ବୁଧୁଆ । ସିଧା ଯାଇ ତା ଖଟରେ ଗଡିପଡିଲା ।


ଜୟନ୍ତୀ ଆସି ବସି ପଡିଲା ଖଜୁରୀ ପଟିରେ ନିଘୋଡ଼ ନିଦରେ ଶୋଇ ଯାଇଥିବା ଛୁଆଙ୍କ ଗୋଡ଼ ପଟେ । ନିଦ ତ ତାକୁ କେବେ ଠୁ ପର କରି ଦେଇଛି । ବୁଧୁଆର ଘୁଙ୍ଗୁଡ଼ି ଶବ୍ଦକୁ ଚାପି ଦେଉଥିଲା ପାଖ ଗଛରୁ ଭାସି ଆସୁଥିଲା ଝିଙ୍କାରିର ସଁ ସଁ ଶବ୍ଦ ।


ଭାବୁଥିଲା ବୁଧୁଆ କଥା । ନିଶ୍ଚୟ ସେ ଚେମିଣି ଲତା କିଛି ଯାଦୁ କରିଛି ନ ହେଲେ ଏମିତି ତା ପଛରେ କାହିଁକି ପାଗଳ ହୋଇଛି ଲୋକ ଟା । ତାକୁ ଲାଜ ବି ମାଡୁନି ଦୁଇ ଦୁଇଟା ଛୁଆର ବାପ ସଂଗେ ଲୀଳା କରୁଛି । ବୟସ ହୋଇନି କଣ ବା ଜାଣିବ । ଅବଶ୍ୟ ତାକୁ ବି ଖାଲି ଦୋଷ ଦେଲେ ହେବନି । ଆପଣା ସୁନା ତ ଭେଣ୍ଡି । ଏ ଲୋକଟା ବି ତ ଭଲ ଲୋକ ନୁହେଁ । ମିଠା ମିଠା କଥା କହି ତାକୁ ଫସାଉ ଥିବ ଯେମିତି ତାକୁ ଫସାଇ ଥିଲା ।


ମନେ ପଡୁଥିଲା ସେ ସମୟ ଅଂଚଳର ନାମୀ ରାଜମିସ୍ତ୍ରୀ ଥିଲା ବୁଧୁଆ । ତା ସହ ରେଜା କାମ କରୁଥିଲା ସେ । କଳା ମଚ ମଚ ବଳିଷ୍ଠ ଦେହ । ଚଉଡା ଛାତି ତା ସହ ଅତି ମିଠା କଥା । ଭାରି ଭଲ ଲାଗିଥିଲା ଜୟନ୍ତୀକୁ । ଜୟନ୍ତୀକୁ ବାହା ହେବାର ପ୍ରସ୍ତାବ ଦେଇଥିଲା ବୁଧୁଆ । କାମ କରୁ କରୁ କେବେଠୁ ମନ ଦେଇଦେଇଥିଲା ଜୟନ୍ତୀ ବି ଜାଣି ପାରି ନ ଥିଲା । ମନା କରିବାର ପ୍ରଶ୍ନ ଉଠୁ ନ ଥିଲା କିନ୍ତୁ ପ୍ରତିବନ୍ଧକ ଥିଲା ଜାତି । ଉଭୟ ଭିନ୍ନ ଭିନ୍ନ ଅନୁସୂଚିତ ଜାତିର, ଉଭୟ ଜାତି ଭାରି ରକ୍ଷଣଶୀଳ । ସରକାରୀ ଆଇନ କାନୁନ ବାହାରେ ଉଭୟଙ୍କ ନିଜସ୍ୱ ଆଇନ କାନୁନ । ଅନ୍ୟ ଜାତିରେ ବାହା ହେଲେ ଅତି କଠିନ ଦଣ୍ଡ । ପରିବାରକୁ ସାମାଜିକ ବାସନ୍ଦ ସହ ଆର୍ଥିକ ଦଣ୍ଡ । କିନ୍ତୁ ପ୍ରେମ ତ ପ୍ରେମ ସେ ଆଉ ଏତେଗୁଡାଏ କଥା ଚିନ୍ତା କରି ହୁଏନା । ଜୟନ୍ତୀ ପଛରେ ପାଗଳ ଥିଲା ବୁଧୁଆ । ବିବାହ ପାଇଁ ଯେ କୌଣସି ଆହ୍ୱାନକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିଲା ଏଣୁ ପ୍ରସ୍ତାବ ଦେଇଥିଲା ଉଦୁଲିଆ (ଲୁଚିକି ଘରୁ ଯାଇ )ବିବାହ ପାଇଁ ।


ନିଜ ବା, ମା ତଥା ସାନଭାଇର ମୋହ ଅଟକାଇ ପାରି ନ ଥିଲା ଜୟନ୍ତୀକୁ ଉଦୁଲିଆ ବିବାହ କରି ଏଇ ଗାଁ ରେ ଆସି ରହିଥିଲେ ସେମାନେ । କାମ ଛାଡି ଘର ସଂସାର କରିଥିଲାଜୟନ୍ତୀ । ଭାରି ଭଲ ପାଉଥିଲା ବୁଧୁଆ । ନିଜ ରାଜମିସ୍ତ୍ରୀ କାମ ପାଇଁ ପାଖ ସହରକୁ ଯାଉଥିଲା । ତା ସହ ଗାଁ ରୁ ଯାଉଥିଲେ ଦଳେ କୁଲି ରେଜା । ସେ ପାଞ୍ଚ ବର୍ଷରେ ଦୁଇଟି ଛୁଆ ତା ସହ ଘରର ସବୁ କାମରେ ପୁରା ଝଡି ଯାଇଥିଲା ଜୟନ୍ତୀ । ଆଉ ଆଗର ଆକର୍ଷଣ ନ ଥିଲା ବୁଧୁଆକୁ ବାନ୍ଧି ରଖିବା ପାଇଁ । ପ୍ରଜାପତି ଉଡି ବୁଲୁଥିଲା ନୂଆ ନୂଆ ଫୁଳ ସନ୍ଧାନରେ । ଏ କଥା ଜାଣି ପାରୁଥିଲା ଜୟନ୍ତୀ ।


ବୁଧୁଆର ବ୍ୟବହାର କ୍ରମାଗତ ବଦଳି ଚାଲିଥିଲା ଓ ତାର କାରଣ ବି ଜାଣି ଯାଇଥିଲା ସେ । ଆର ସାହିର ଲତା ପଛରେ ଗୋଡାଉ ଥିଲା ବୁଧୁଆ । କିନ୍ତୁ ତାକୁ ରୋକିବାର କିଛି ଉପାୟ ପାଉ ନଥିଲା ସେ । ବୁଧୁଆକୁ କିଛି କହିଲେ ତାର ହାତ ଗୋଡ଼ କଥା କହୁଥିଲା । ଝିଅ ଉଦୁଲିଆ ଯିବା ଯୋଗୁଁ ଗାଁ ରେ ତାଙ୍କ ପରିବାରକୁ ସେ ବଞ୍ଚି ଥାଉ ଥାଉ ତାର ଶୁଦ୍ଧିକ୍ରିୟା କରି ସମାଜକୁ ଖାସି କାଟି ଭୋଜି ଦେବାକୁ ପଡିଥିଲା । ଘର ମନେ ପଡିବାରୁ ଥରେ ଯାଇଥିଲା ସେ । କିନ୍ତୁ କେହି ପାଖ ପୁରାଇ ନ ଥିଲେ । ଘର ବାହାରେ ବସି ଚାଲି ଆସିଥିଲା । ଏବେ ଯିବ କୁଆଡେ ? ଛୁଆ ଦୁଇଟାକୁ ବି ଲୋଭ ନାହିଁ ବୁଧୁଆର ଲତା ପ୍ରେମରେ ପାଗଳ ବୁଧୁଆ, ତାକୁ ଖାଲି ଲତା ହିଁ ଦିଶୁଚି । କିଛି ବାଟ ଦିଶେନି ତାକୁ । ସବୁଆଡୁ ନିରାଶ ହିଁ ହୁଏ । କାହାରି କଥା ନ ଶୁଣି ଯେଉଁ ଭୁଲ ସେ କରିଛି ସେ ଭୁଲ ତାକୁ କେଉଁଠି ନେଇ ରଖିବ କିଏ ଜାଣିଛି । ତଥାପି ଆଶା ଛାଡେନି ସେ ।


ଥରେ ଥରେ ଆତ୍ମହତ୍ୟାର ବିଚାର ମନକୁ ଜାବୋଡି ଧରେ କିନ୍ତୁ ଛୁଆ ଦୁଇଟାଙ୍କ ବିକଳ ମୁହଁ ତାକୁ ଅଟକାଇ ଦିଏ । ତା ଉପସ୍ଥିତିରେ ତ ବୁଧୁଆ କିଛି ହେଲେ ବୁଝୁଚି ସେ ନ ରହିଲେ କଣ କରିବ ? ଏଇ ଭାବନା ତାକୁ ସେ ବାଟରୁ ଫେରାଇ ଆଣେ । ଗାଁ ଠାକୁରାଣୀଙ୍କ ଠାରେ କଳା ଗଂଜା ମାନସିକ କରେ । ଆଶା କରେ, ଥରେ ଥରେ ସ୍ବପ୍ନ ଦେଖେ ବୁଧୁଆ ସୁଧୁରି ଯାଇଛି ବାଟ ହୁଡ଼ି ଥିବା ତାର ସୁଖ ପୁଣି ଫେରି ଆସିଛି । ବାଟ ଖୋଜି ଖୋଜି ଶୋଇ ପଡୁଥିଲା ଜୟନ୍ତୀ ।


ସକାଳୁ ଅନ୍ୟ ଦିନ ଭଳିଆ ସାମାନ୍ୟ ଥିଲା ବୁଧୁଆ । ସକାଳୁ ସକାଳୁ ଗରମ ପଖାଳ ଖାଇ କାମକୁ ବାହାରି ଯାଇଥିଲା । ସେ ଗଲାପରେ ଛୋଟ ଛୁଆର ଓଜନ ମାପ ପାଇଁ ଅଙ୍ଗନବାଡି ଦିଦି ଖବର କରିଥିଲେ ଏଣୁ ଗାଁ ପଟେ ଯାଇଥିଲା ଜୟନ୍ତୀ । ସେଇଠି ଶୁଣିଥିଲା ଲତାର ବାହାଘର ଠିକ ହେବା କଥା । ଭାରି ଖୁସି ଲାଗିଥିଲା ତାକୁ । ଯା ହେଉ ଶେଷକୁ ଠାକୁରାଣୀ ତା ରାସ୍ତାର କଣ୍ଟାକୁ ସବୁଦିନ ପାଇଁ ହଟେଇ ଦେବେ । ଫେରିଲା ବେଳେ ଗାଁ ଦେମୁଲ (ଗ୍ରାମ ଦେବତୀ ଙ୍କ ପୀଠ )ବାଟେ ଆସି ତାଙ୍କୁ ବାରମ୍ବାର ମୁଣ୍ଡିଆ ମାରିଥିଲା ସେ । ଅତି ଶୀଘ୍ର କଳା ଗଂଜା ଆଣି ଦେବାର ପ୍ରତିଶୃତି ବି ଦେଇଥିଲା ।


ସନ୍ଧ୍ୟା ନଇଁ ଆସୁଥିଲା । ଆଜି ଲାଇଟ ମୁହଁ ଦେଖାଇବାକୁ ଆସି ବୋଧେ ଗାଁ ଲୋକଙ୍କ ମୋହରେ ପଡିଯାଇଥିଲା ଏଣୁ ରହିଯାଇଛି । ରସୋଈ ବାସରେ ବ୍ୟସ୍ତ ଥିଲା ଜୟନ୍ତୀ । ହଟାତ ପାଖ ଘରର ନଟିଆ ଆସି କବାଟ ଖଡ଼ ଖଡ଼ କଲା । ବୁଧୁଆ ଆସିଥିବ ବୋଲି କବାଟ ଖୋଲିଥିଲା ଜୟନ୍ତୀ କିନ୍ତୁ ନଟିଆ ଯାହା କହିଲା ସେ ଆଉ ଦମ୍ଭ ଧରି ରହି ପାରିଲାନି ।


ଛୁଆ ମାନଂକୁ ନଟିଆ ଘରେ ଛାଡି ନଟିଆ ସହ ଦୌଡିଲା ଆର ସାହିକୁ । ସେଇଠି ଯାଇ ସେଠାକାର ଅବସ୍ଥା ଦେଖି କାନ୍ଦି ପକାଇଲା ସେ । ସିଧା ଦୌଡିଲା ଖୁଣ୍ଟରେ ବନ୍ଧା ହୋଇଥିବା ବୁଧୁଆ ପାଖକୁ । ଲତା ବାହାଘର କରାଇ ଦେବ ନି କହି ତାର ବାପ ଭାଇ ସହ ପୁରା ପରିବାର ସହ ମାଡ଼ଗୋଲ କରୁଥିବା ବୁଧୁଆକୁ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଉଥିଲେ ସେମାନେ । ମଦ ନିଶାରେ ବୁଧୁଆ ବି ଅଶ୍ରବ୍ୟ ଭାଷାରେ ଲଢୁଥିଲା । କାକୁତି ମିନତି କରି ବୁଧୁଆକୁ ତାଙ୍କ ଠାରୁ ରକ୍ଷା କରି ଘରକୁ ଆଣିଥିଲା ଜୟନ୍ତୀ । ଆଜି ଠୁ ଗାଁ ର କାହାକୁ ବି ମନ୍ଦ ଉଦେଶ୍ୟରେ ନ ଦେଖିବାକୁ ବୁଧୁଆର ଲିଖିତ ପ୍ରତିଶୃତି ପରେ ।


ଜୟନ୍ତୀ ସହ ଆଖି ମିଶେଇ ପାରୁ ନଥିବା ବୁଧୁଆ ଚୁପ ଚାପ ଶୋଇଯାଇଥିଲା । ସକାଳୁ ଉଠି ବାରମ୍ବାର କ୍ଷମା ମାଗୁଥିଲା ସେ କିନ୍ତୁ ଅନ୍ତରରୁ କ୍ଷମା କରି ପାରୁ ନଥିଲା ଜୟନ୍ତୀ । ଯେ ଥରେ ବିଶ୍ୱାସ ଭାଙ୍ଗିଛି ସେ ଆଗକୁ ବି ଭାଙ୍ଗି ପାରେ କିନ୍ତୁ ଅନ୍ୟ କିଛି ଉପାୟ ବି ନଥିଲା । ଆଶା କରୁଥିଲା ଆଉ ଯେମିତି ତା ସଂସାରରେ କାହାରି ନଜର ନ ପଡ଼ୁ ।


ନିଜ ଯନ୍ତ୍ରପାତିକୁ ଛୁଇଁ ରାଣ ପକାଉ ଥିଲା ବୁଧୁଆ ଏପଟେ ଜୟନ୍ତୀ ଚିନ୍ତା କରିଥିଲା କାହାଘରେ ମିଳିବ କଳା ଗଂଜା ।



Rate this content
Log in

Similar oriya story from Tragedy