ଗୁରୁ ନୀଳମଣି
ଗୁରୁ ନୀଳମଣି


ସେଦିନ ମଧ୍ୟାହ୍ନରେ କୋରାପୁଟ ପାଖ ରାଣୀଡୁଡୁମା ଜଳପ୍ରାପତକୁ ଲାଗିଥିବା ପାର୍କରେ ଗାଡି ଦୁଇ ଚାରୋଟି ଲାଗିଲା. ଗେଟ ପାଖରେ ଥିବା ଦରୱାନ ଚମକି ପଡିଲା ଯେବେ ସେ ଦୁଇ ପରିବାରର ସଦସ୍ୟ ମାନଙ୍କୁ ନୀଳ ପୋଷାକରେ ଦେଖିଲା. ଥରେ ଚାହିଁଲା ଆକାଶର ନୀଳ ନୀଳିମାକୁ ଆଉ ଥରେ ଛାଡ଼ି ଛାଡ଼ି ଆସୁଥିବା ବର୍ଷା ଋତୁରେ ଧରାରେ ନୀଳ ସବୁଜିମା ବିସ୍ତିର୍ଣ୍ଣ ନୀଳ ଆଉ ଖାଲି ନୀଳରାଶିକୁ. ତପରେ ଗେଟ ଖୋଲି ଦେଇଥିଲେ ମଧ୍ୟ ବୁଲି ବୁଲି ନୀଳ ବାଟାଲିଆନମାନଙ୍କୁ ଚାଁହୁଥିଲା ବେଳେ ପ୍ରଥମ ପରିବାରର ଛୋଟ ସଦସ୍ୟ କାଢ଼ୁଥିଲା ବ୍ୟାଟ ଓ ବଲ, ତା ମଧ୍ୟ ଥିଲା ନୀଳ ରଙ୍ଗର. କିଛି ବାଟ ଯାଇ ଦକ୍ଷିଣକୁ ବସିଥିବା ଜଣେ ବାବାଙ୍କୁ କିଛି ପଇସା ଦେଇ, ସେଇ ଦିଗରେ ଆଗେଇ ଯାଇ ଛୋଟୁ ଆରମ୍ଭ କରିଦେଇଥିଲା ତାର ବ୍ୟାଟିଙ୍ଗ ଚଉକା ଓ ଛକା. ହଠାତ ଗୋଟେ ବଡ଼ ଛକାରେ ବଲ ଉଡ଼ିଗଲା କାହିଁ କେତେବାଟ ନୀଳ ସବୁଜିମା ଭିତରକୁ ତ ସେଇ ଦିଗରେ ଆଗେଇ ଯାଉ ଯାଉ, ବିପରୀତ ଦିଗରୁ ନୀଳ ଶାଢ଼ୀ ପରିହିତା ସୁନ୍ଦର ଯୁବତୀ ଜଣେ ବଲଟି ଧରି ଆସି ଦେଖିଲେ ନୀଳ ସୁଟ ପରିହିତ ଯୁବକ ଜଣେ ବ୍ୟାଟ ଧରି ଠିଆ ହୋଇଛନ୍ତି. ଯୁବତୀ କିଛି କହିବା ପୂର୍ବରୁ, ଛୋଟୁ ଆସିଯାଇ କହିଥିଲା ଦାଦା ମୋ ବଲ ଖୋଜିଦିଅନା. ଦେଖିଲା ଝିଅଟିଏ ହାତରେ ତା ବଲ ଧରି ଉପସ୍ଥିତ. ମୋ ବଲ ମୋ ବଲ କହି ବଲ ନେଇ ସାରିଥିଲା ଛୋଟୁ. ହସିଦେଇ ଝିଅଟି ଫେରି ପଡୁ ପଡୁ ଛୋଟୁ କହୁଥିଲା ଏ ନୀଳପରି କିଏ ଦାଦା. ଝିଅଟି କିଛି ଶୁଣିଥିଲା କି ନାହିଁ କେଜାଣି ଦାଦା କିନ୍ତୁ କାନମୋଡି ଛୋଟୁକୁ କହିଥିଲେ ବଡ଼ମାସ. କାନ ଧରି ଛୋଟୁ ଭୁଲ ମାଗୁଥିଲା ଦାଦାଙ୍କୁ ତ ଦାଦା କହିଲେ ଦେଖିଚାହିଁ ଖେଳିବା ଦରକାର. କାହା ଦେହରେ ବାଜିବ. ଛୋଟୁ କହିଲା ନିଶ୍ଚୟ ଦାଦା. ଆଉ ଦାଦାଙ୍କ ଆଖି ପହଁରି ଯାଉଥିଲା ନୀଳ ନୀଳିମା ବିସ୍ତାରି ଧରାରୁ ଆକାଶ ଯାଏଁ. ସତରେ ପ୍ରକୃତି କେଡେ ସୁନ୍ଦର.ଯୁବକ ନିର୍ଲିପ୍ତ, ଛୋଟୁର ଦାଦା ଅଟକି ଯାଇଥିଲେ ସେଇ ନୀଳନୟନା ପାଖରେ. କହିଲେ ମନକଥା ମାଆ ଓ ଭାଉଜଙ୍କୁ ତ ମାଆ ଆଗେଇ ଗଲେ ଦ୍ୱିତୀୟ ପରିବାର ସହ ସଂଶ୍ଲିଷ୍ଟ ହୋଇ ଆଗେଇବାକୁ ଆଉ ଦୁଇ ପାଦ. ଅପୂର୍ବ ସଂଯୋଗ ଥିଲା. ନୀଳନୟନା, ନିର୍ଲିପ୍ତାର ମଧ୍ୟ ସେଦିନ ଜନ୍ମଦିନ ଥିଲା ଆଉ ସେଇଥିପାଇଁ ସେମାନେ ସେଦିନ ସେମିତି ନୀଳ ଡ୍ରେସ ଓ ଶାଢୀରେ ସଜେଇ ହୋଇ ଆସିଥିଲେ ଠିକ ଯେମିତି, ନିର୍ଲିପ୍ତଙ୍କ ପରିବାର ଲୋକେ ତାଙ୍କ ଜନ୍ମ ଦିନ ପାଳିବାକୁ ସାଜିଥିଲେ ନୀଳଚନ୍ଦ୍ର ଓ ନୀଳମୟୂରୀ. ହେଲେ ପ୍ରକୃତ ନୀଳମୟୂରୀ ନିର୍ଲିପ୍ତା ଦାସ ପାଇଁ ନିର୍ଲିପ୍ତ ଏକଦମ ଫିଟ. ତ ସାହାନାଇବାଜିଥିଲା, ଶୁଭ ଶଙ୍ଖ ଧ୍ୱନିରେ ଦୁଇପରିବାର ଏକ ହୋଇ, ନିର୍ବନ୍ଧ, ରିଙ୍ଗ ସେରିମନି ରୁ ବିବାହ ପକ୍କା କଣ ବରଯାତ୍ରୀ ସମସ୍ତେ ନୀଳ ପୋଷାକରେ ଆସିଥିଲେ ନିର୍ଲିପ୍ତାଙ୍କୁ ନେବାକୁ ତ ନିର୍ଲିପ୍ତା ବି ଘେନି ଯାଇଥିଲା ସମସ୍ତଙ୍କ ପାଇଁ ନୀଳ ପୋଷାକ,ଶାଢ଼ୀ ସହ ଛୋଟୁ ପାଇଁ ସ୍ୱତନ୍ତ୍ର ନୀଳ ବଲ ଓ ବ୍ୟାଟ. ଛୋଟୁର ସାଙ୍ଗ ମାନେ କହୁଥିଲେ ତୋ ନୀଳ ଦାଦା ସାଙ୍ଗକୁ ନୀଳପରୀ ଖୁଡିଙ୍କ ଯୋଡି ଖୁବ ସୁନ୍ଦର.
ବାହାଘର ପରେ ନିର୍ଲିପ୍ତା ଏତେ ନୂଆ ନୂଆ ଲୋକଙ୍କ ଭିତରେ ନୀଳିମାଙ୍କୁ ଦେଖି ଶୁଣି ଚମତ୍କୃତ ହେଉଥିଲେ. ନୀଳିମାଙ୍କ ପାଇଁ ଆଣିଥିବା ମର୍ଯ୍ୟାଦା ନୀଳ ଶାଢ଼ୀ ଖଣ୍ଡିକ ପିନ୍ଧି ନୀଳିମା ଲାଜ ଲାଜ ହୋଇ ଯେବେ କହନ୍ତି ବୁଝିଲ ବୋହୁ ମାଆ ତୁମ ଶାଢ଼ୀ ପିନ୍ଧି ମୁଁ କୁଆଡେ ଏତେ ସୁନ୍ଦର ଦେଖାଯାଉଛି ଯେ ମୋ ନୀଳମଣି ମତେ ଆଖି ମାରୁଛି. ପ୍ରେମ ତାର ଉଛୁଳି ପଡୁଛି. ଏକଥା କହିବାରେ ନୀଳିମା ଯେତିକି ଲାଜ କରନ୍ତି, ଏକଥା ଶୁଣି ନିର୍ଲିପ୍ତା ଖୁବ ଭାବ ପ୍ରବଣ ହୋଇ ଲାଜେଇ ଯାଆନ୍ତି. ଭାବନ୍ତି ନୀଳିମା ମାଉସୀଙ୍କ ବର ନୀଳମଣି ଖୁବ ପ୍ରେମୀ ଲୋକ ନିଶ୍ଚୟ. ଶାଶୁ କହନ୍ତି ନୀଳିମା ଏଣିକି ଆସିଲୁ. ନୀଳ ଚୁଡ଼ି ଦୁଇମୁଠା ଝଣ ଝଣ କରି ବୁଲି ପଡି ନୀଳିମା ଚାଲିଯାଏ ତ ତା ଯିବା ବାଟକୁ ଚାହିଁ ନିର୍ଲିପ୍ତା ଭାବୁଥାଏ କେତେ ଖୁସି ଏ ନୀଳିମା ମାଉସୀଙ୍କର. ଥରେ ପଚାରି ଦେଇଥିଲେ ମାଉସୀ, ନୀଳମଣି ମଉସା ମତେ ଦେଖିବାକୁ ଆସୁନାହାଁନ୍ତି କାହିଁକି? ଥରେ ମଉସାଙ୍କୁ ଡାକି ଆଣନ୍ତ ନାହିଁ ମାଉସୀ? କାନ୍ଦ କାନ୍ଦ ହୋଇଯାଆନ୍ତି ନୀଳିମା କହନ୍ତି ହଁ ବୋହୁ ମାଆ ଥରେ ନିଶ୍ଚୟ ଆଣିବି ତାଙ୍କୁ. ସମୟ କାହିଁ ତାଙ୍କୁ. ଏତେ ଲୋକଙ୍କ ଦୁଃଖ ଶୁଣୁ ଶୁଣୁ ସେ କଣ ଟିକେ ନିଜ ପାଇଁ ସମୟ ବାହାର କରି କୁଆଡେ ଯାଇପାରୁଛନ୍ତି. ବୁଝି ପାରନ୍ତି ନାହିଁ ନିର୍ଲିପ୍ତା କୋଉ ଲୋକମାନେ କୋଉ ଦୁଃଖ ନେଇ ନୀଳମଣି ମଉସାଙ୍କ ପାଖକୁ କାହିଁକି ଆସନ୍ତି? ନୀଳମଣି ମଉସା ତ ସନ୍ୟାସୀ ନୁଁହଁନ୍ତି ନିଶ୍ଚୟ. ଯାହା ଆଖି ପ୍ରେମଭରା କଥା ପ୍ରୀତି ଭରା କାମ ମୈତ୍ରୀ ଭରା ସେହି ନୀଳମଣି ମଉସା କଣ କରନ୍ତି ବୋଲି ଥରେ ପଚାରି ଦେଇଥିଲେ ଶାଶୁଙ୍କୁ ତ ଶାଶୁ କହିଥିଲେ ନୀଳିମା କଥା ଶୁଣି ନୀଳମଣି କେମିତି ବୁଝିପାରୁନ ଥିବୁ, ଦେଖିଲେ ଜାଣିବୁ. କେବେ ଦେଖିବେ ସେ ନୀଳମଣି ମଉସାଙ୍କୁ ଅପେକ୍ଷାରେ ଥିଲା ବେଳେ ପରିବାର ସଦସ୍ୟମାନେ ସେ ବର୍ଷ ରଥ ଦେଖିବାକୁ ବାହାରିଲେ. ନୀଳିମା ମାଉସୀଙ୍କ ସଜବାଜ ଦେଖି ନିର୍ଲିପ୍ତା ଭାବୁଥିଲେ ବୋଧେ ନୀଳମଣି ମଉସା ସେମାନଙ୍କ ସଙ୍ଗେ ଯିବେ. କିନ୍ତୁ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ କିଛି ବାଟ ଗଡ଼ିଗଲା ପରେ ପରେ ମାଆ ସୁଭଦ୍ରା ଦେବୀଙ୍କ ଦେଵୀଦଳନ ରଥ ଘିଡ଼ିଘିଡ଼ି ହୋଇ, ଘଣ୍ଟ, କାହାଳୀ ହୁଳହୁଳି ଶବ୍ଦରେ ବାହାରି ଆସିବା ପରେ ପରେ ନନ୍ଦିଘୋଷ ରଥରେ ଜଗତର ଠାକୁର ଜଗନ୍ନାଥ ଯେମିତି ବଡଦାଣ୍ଡରେ ଗାଡିଛନ୍ତି, ଭାବ ଭକ୍ତି ଓ ପ୍ରୀତିରେ ଜଗନ୍ନାଥଙ୍କୁ ଦେଖୁ ଦେଖୁ ମୋ ନୀଳମଣି ମୋ ନୀଳମଣି କହୁ କହୁ ମୂର୍ଛା ଗଲେ ନୀଳିମା ମାଉସୀ. ପାଣି ଛାଟି ତାଙ୍କୁ ସାଷ୍ଟାଙ୍ଗ କରିବାରେ ସମ୍ପୂର୍ଣ୍ଣ ପରିବାର ଲାଗିପଡ଼ିଲା ବେଳେ ନିର୍ଲିପ୍ତା ଭାବୁଥିଲେ ଜଗତର ନାଥ ଜଗନ୍ନାଥଙ୍କୁ ଦେଖୁ ଦେଖୁ ମାଉସୀ ନୀଳମଣି ମଉସାଙ୍କୁ ମନେପକାଇବା କାରଣ କଣ ହୋଇପାରେ?? ଲାଜ ଜଡ଼ସଡ଼ ହୋଇଗଲେ ନିର୍ଲିପ୍ତା. କି ଅଳଜୁକି ଏ ମାଉସୀ. ବୟସ ହେଲାଣି ତଥାପି ଜଗନ୍ନାଥଙ୍କ ନାମ ନୀଳମଣି ବୋଲି ଜାଣି ଏମିତି ହେବା କଣ ଶୋଭାପାଏ? ରଥଯାତ୍ରା ପରେ ପରେ ବାହୁଡା଼ ଦର୍ଶନ ଯାଏଁ ନରହି ଫେରିଥିଲେ ସମସ୍ତେ ଘରକୁ.ରଥଯାତ୍ରା ପରେ ପରେ ବାହୁଡା଼ ଦର୍ଶନ ଯାଏଁ ନରହି ଫେରିଥିଲେ ସମସ୍ତେ ଘରକୁ.ଶାଶୁ କହୁଥିଲେ ନୀଳିମାଙ୍କୁ ଫେରାଇ ନନେଇଗଲେ ହୁଏତ ନୀଳିମା ଦେହ ଆହୁରି ଖାରାପ ହେଇଯିବ. ନିର୍ଲିପ୍ତା କିଛି ବୁଝି ପାରୁନଥିଲେ. ସ୍ୱାମୀଙ୍କୁ ଶେଷରେ ପଚାରୁ ପଚାରୁ ଛୋଟୁ ହସି ହସି ଗାଡିଯାଇ କହୁଥିଲା ନୀଳିମା ମାଉସୀ ପରା ତାଙ୍କ ଗୁରୁ,ନୀଳମଣି ବାୟାଣୀ, ତଥାପି ନିର୍ଲିପ୍ତା କିଛି ବୁଝି ପାରିନଥିଲେ. ଶାଶୁ ଇଂଗିତରେ ଚୁପ ରହିବାକୁ ନିର୍ଦେଶ ଦେଇଥିଲେ ନିର୍ଲିପ୍ତାଙ୍କୁ ତ ଛୋଟୁ ହସୁଥିଲା ଖିଲଖିଲ କହୁଥିଲା ଦାଦା ଥରେ ଖୁଡିଙ୍କୁ ନୀଳିମା ମାଉସୀଙ୍କ ଗୁରୁ,ନୀଳମଣିଙ୍କୁ ଦେଖାଇ ଆଣ. ସ୍ୱାମୀ ନିର୍ଲିପ୍ତ କହୁଥିଲେ ଦେଖିଲା ପରା ତୋ ଖୁଡି ରଥରେ. ନିର୍ଲିପ୍ତା ଭାବୁଥିଲା ତେବେ ନୀଳିମା ମାଉସୀଙ୍କ ନୀଳମଣି କଣ ଏକ ଭାବନା ମାତ୍ର. ପୁତୁରା ଛୋଟୁ ହସି ହସି କହୁଥିଲା ତୁମେ ଯାହା ଭାବୁଛ ଖୁଡି ଏକଦମ ଖାଣ୍ଟି ସତ. ଆଁ କରି ଚାହିଁଥିଲେ ନିର୍ଲିପ୍ତା କେବଳ ଛୋଟୁକୁ।