ଗରମାଗରମ ଗପ
ଗରମାଗରମ ଗପ
ଦାମ୍ପତ୍ୟ ଋତୁ
ପାକଳ ହୁଅନ୍ତେ ପ୍ରେମର ପ୍ରକୋପ ଦିନକୁ ଦିନ ଅସହ୍ୟ ହେଲା । ପ୍ରଥମେ ପ୍ରଥମେ ପ୍ରେମିକା ଓ ପରେ ପରେ ପ୍ରେମିକାର ଲୋକେ ଗରମ ହୋଇ କହିଲେ - ତମେ ଯଦି ବାହା ନହେବ ତେବେ ସଫାକରି କହିଦିଅ, ଆମେ ଅନ୍ୟ ଆଡେ ପ୍ରସ୍ତାବ ଦେଖିବୁ!
ସେମାନଙ୍କଠାରୁ ଗରମ ସଂଗ୍ରହ କରି ପୁଅ ନିଜ ଘରେ ଗରମ ହେଲା ଏବଂ ଧମକ ଦେଲା - ସେଠାରେ ବାହା ନହେଲେ ମୁଁ ପୋଡିହୋଇ ମରିବି!
ଅତଏବ ଖରାଦିନେ ବାହାଘର ହେଲା । ବେଦୀରେ ନିଆଁ ଜଳିଲା । ନବବଧୁର ଚେହେରା ଜଳିଲା । ପ୍ରଥମେ ମନ ଓ ପରେ ମଧୁସଜ୍ଜାରେ ଦେହ ଜଳିଲା ।
ଶାଶୁଘରେ ପ୍ରବେଶ କରିବା ଦିନ ନବବଧୁ ସଦ୍ୟ ଉଦିତ ସୂର୍ଯ୍ୟ ପରି ଦୃଶ୍ୟମାନ ହେଉଥିଲେ । ଏହା ପରେ କିଛିଦିନ ସକାଳର କଅଁଳ ଖରା ପରି ଉପଭୋଗ୍ୟ ଓ ହିତକାରୀ ଲାଗିଲେ । କିଛିକାଳ ପରେ ସେ ଗ୍ରୀଷ୍ମକାଳର ସୂର୍ଯ୍ୟପରି ଜ୍ବାଳାମୁଖି ପାଲଟିଗଲେ । ପ୍ରେମିକରୁ ସ୍ବାମୀ ପାଲଟିଥିବା ମଣିଷଟି ମନେମନେ ଭାବିଲା - ଏ ଦାମ୍ପତ୍ୟର ଦୁନିଆରେ କେବଳ ଗୋଟାଏ ଋତୁ; ଏଠି ଖାଲି ଦହନ ହି ଦହନ!
କୁଆଗପ ୨୦୨୧
ଖରାଦିନ ଆସିବାରୁ ବୁଢାକୁଆ ନିଜର ବୁନିଆଦି ପରମ୍ପରା ରକ୍ଷା କରିବା ପାଇଁ ଶୋଷରେ ଆଉଟୁ ପାଉଟୁ ହୋଇ ପାଣି ଟୋପାଏ ଆଶାରେ ଉଡି ବୁଲିଲା । ବହୁବାଟ ଗଲାପରେ ଦେଖିଲା ମାଠିଆଟିଏ ଅଛି । ହେଲେ ଯୁଗ ବଦଳୁଥିବାରୁ ଆଉ ମାଟିର ନୁହେଁ ଏଥର କାଚର ସୁନ୍ଦର ମାଠିଆଟିଏ ଅଛି । ହେଲେ ପାଣି ସେମିତି ଚକିରେ, ଅବଶ୍ୟ ପୂର୍ବାପେକ୍ଷା ସାମାନ୍ୟ ଅଧିକ ଅଛି ।
ବିଧି ମୁତାବକ ବୁଢାକୁଆ ପାଣିମୁନ୍ଦାକ ପିଇବା ପାଇଁ ମାଠିଆ ଫଙ୍ଗରେ ଥଣ୍ଟ ଗଳେଇଲା । ପାଣିକୁ ଥଣ୍ଟ ନପାଇବାରୁ ପୂର୍ବପୁରୁଷ ଶିଖାଇଥିବା ନୀତି ଅବଲମ୍ବନ କରି ଗୋଡି ଖୋଜିବା ପାଇଁ ଉଡିଗଲା । ଏବେ ତ ଚାରିଆଡେ ପକ୍କା ସଡକ, ଗୋଡି କାହୁଁ ମିଳନ୍ତା! ସିଏ ଗୋଡିପରି କିଛି ଛୋଟମୋଟ ମାଟି ଓ
ଅଳିଆ ବୋହିଆଣି ସେ ମାଠିଆରେ ପକାଇଲା । କିନ୍ତୁ ହାୟ ପାଣିର ସ୍ତର ଉପରକୁ ଉଠିଲାନି ।
ବୁଢାକୁଆ ନିରାଶାରେ ଚର୍ତୃଦିଗକୁ ଚାହିଁଲା । ବୁଢାକୁଆର କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁଥିଲା ଟୋକା କୁଆଟିଏ । ସିଏ ସାହାଯ୍ୟ କରିବା ପାଇଁ ଉଡିଆସି ମାଠିଆ ଫଙ୍ଗରେ ବସି କାଚମାଠିଆଟିକୁ ହଲାଇଦିଅନ୍ତେ ଭିତରର ଜଳସ୍ତର ଭସଭସ ଫେମ୍ପଣ ହୋଇ ଉପରକୁ ଉଠି ଆସିଲା । କାରଣ ସେ ମାଠିଆରେ ପାଣି ନୁହେଁ ବିଅର ଥିଲା ।
ତାକୁ ପିଇ ଉଭୟ କୁଆ ଖୁସି ମନରେ ଉଡିଗଲେ ।
ଜଙ୍ଗଲରେ ନିଆଁ
ଖାଇ ଲୋକଟିଏ ଶେଷ ଅଂଶକୁ ଫୋପାଡି ଦେବାରୁ ବଣରେ ଭୀଷଣ ନିଆଁ ଲାଗିଲା । ମାଓବାଦୀ ଓ ପଶୁପକ୍ଷୀମାନେ ଗରମରେ ଡହକ ବିକଳ ହେଲେ । ଏ କଷ୍ଟକର ସମୟରେ ମଧ୍ୟ ଅନେକ ପଶୁପକ୍ଷୀ ଖୁସି ପ୍ରକଟ କଲେ ।
ହାତୀ କହିଲା - ଯାହା ହେଉ ନିଆଁ ଲାଗିଲା ବୋଲି ସିନା ଏହାକୁ ଲିଭାଇବା ପାଇଁ ବହୁଦିନ ପରେ ଜଙ୍ଗଲ କର୍ମଚାରୀଏ ଟିକେ କାମ ଦାମ କଲେ ଏବଂ ମୋର ବିରାଦରୀ ଶୀକାର ହେବାରୁ ବଞ୍ଚିଗଲେ!
ଟୋକା ଠେକୁଆ ଗୋଟେ କହିଲା - ଉଃହୁ.... ଆମ୍ ଫିଲିଂ ସୋ ହଟ୍!
ଯୁବତୀ ସିଂହି କହିଲା - ବହୁଦିନ ପରେ ତନ୍ଦୁର୍ ଡିସ୍ ଖାଇବାକୁ ମିଳିବ!!
ଫୁଲଗଛଟି ମରିଲା
ମୋ କଥାଟି ସରିଲା, ଫୁଲଗଛଟି ମରିଲା ।
ହୈରେ ଫୁଲଗଛ କାହିଁକି ମଲୁ? -ଖରାଦିନ, ମୋତେ ମାଳି ପାଣି ଦେଲାନି!
ହୈରେ ମାଳି ତୁ କାହିଁକି ପାଣି ଦେଲୁନି? - ମୋତେ ବାବୁଆଣି ଦରମା ଦେଲାନି!
ହୈଲୋ ବାବୁଆଣୀ ତୁ କାହିଁକି ଦରମା ଦେଲୁନି? - ମୋ ସ୍ବାମୀ କାନ୍ଦିଲା!
ହୈରେ ସ୍ବାମୀ ତୁ କାହିଁକି କାନ୍ଦିଲୁ? - ମୋତେ କରୋନା ଘାଣ୍ଟିଦେଲା!
ହୈରେ କରୋନା ତୁ କାହିଁକି ଘାଣ୍ଟିଲୁ? - ମୁଁ ଚାରିଆଡେ ବୁଲୁଥାଏ; ସାନିଟାଇଜର, ମାସ୍କ ନଥିଲେ ଜୀବନକୁ ଘାଣ୍ଟିଦିଏ!