ସ୍ୱାଧୀନତାର ସାତଟା ସାଇଡ୍ ଇଫେକ୍ଟ୍
ସ୍ୱାଧୀନତାର ସାତଟା ସାଇଡ୍ ଇଫେକ୍ଟ୍
ପାରିବାରିକ ସ୍ୱାଧୀନତା
ଡାଡି କହିଲେ- ମୁ୍ଁ ଚାଲିଲି, ଆଜି ସ୍ୱାଧୀନତା ଦିବସ; ସାଙ୍ଗମାନେ ମିଶିକି ପାର୍ଟି ଆୟୋଜନ କରିଚୁ, ସ୍ୱାଧିନରେ ଟିକେ ମଉଜ ମସ୍ତି କରିବୁ! ଫେରିଲା ବେଳକୁ ଡେରି ରାତି ହେବ!!
ମମି କହିଲେ ମୁ୍ଁ ବି ଚାଲିଲି ଆମ ମହିଳା କ୍ଲବକୁ । ଦିନରେ ସଭା, ପତାକା ଉତ୍ତୋଳନ, ସନ୍ଧ୍ୟାରେ ଫଙ୍କ୍ସନ!
ଝିଅ ସାଙ୍ଗମାନଙ୍କ ସହ ପ୍ୟାରେଡ ଓ ସିନେମା ଯାଉଛି କହି ବୟଫ୍ରେଣ୍ଡର ରୁମ୍ କୁ ପଳେଇଲା।
ପୁଅ ବାଇକ୍ ଧରି ସାଙ୍ଗମାନଙ୍କ ସହ ଭୋଜି କରିବାକୁ ବାହାରିଗଲା ।
ଘରେ ବଳକା ବୁଢାବୁଢି ଦୁଇଜଣ ବହୁଦିନ ପରେ ସ୍ୱାଧୀନତାର ସ୍ୱାଦ ଚାଖିଲେ ।
ହଷ୍ଟେଲରେ ସ୍ବାଧୀନତା ଦିବସ
ପ୍ରେମିକା କହିଲା- ଅାମ ଲେଡିଜ୍ ହଷ୍ଟେଲରେ ମିଡ୍ ନାଇଟ୍ ସ୍ୱାଧୀନତା ଦିବସ ପାଳନ ବେଶି ମଜାଦାର୍!
ପ୍ରେମିକ କହିଲା - ନା ମ... ଯାହେଲେ ବି ଆମ ହଷ୍ଟେଲଠୁ କମ୍!!
ଆମର ନାଇଁ ଆମର ବୋଲି ଦିହେଁ ବହୁ ସମୟ ଯୁକ୍ତି କଲା ପରେ ପ୍ରେମିକା କହିଲା- ଠିକ୍ଅଛି ମୋତେ ଟିକେ ଭିଡିଓ କଲ୍ କରି ଦେଖେଇଲେ ମୁ୍ଁ ମାନିବି !
ପ୍ରେମିକ କହିଲା- ମୁ୍ଁ ଭିଡିଓ କଲ୍ କରିବି ଯଦି ତମେ ତମ ସେଲିବ୍ରେସନକୁ ଫେସବୁକ୍ ଲାଇଭ୍ କରିବ!
ପ୍ରେମିକା ଜିଭ କାମୁଡ଼ି କହିଲା- ଥାଉ!!
କ୍ୟାସଲେସ୍ ସ୍ୱାଧୀନତା
ସ୍ୱାଧୀନତା ଦିବସ ପାଖେଇ ଆସନ୍ତେ ବିଦ୍ୟାଳୟରେ ପାଠପଢା ଛାଡି ଶିକ୍ଷକ ଶିକ୍ଷୟିତ୍ରୀଗଣ ଆଲୋଚନାରେ ମାତିଲେ । ଆଲୋଚନାର ପ୍ରସଙ୍ଗ- ଏଥର କଣ ଖାଇବାକୁ କରିବା?
ଜଣେ ଦିଦି କହିଲେ- ହେଡସାର୍ ଏଥର ଆଉ ସ୍କୁଲ୍ ଅଣ୍ଡାରେ କାମ ଚଳେଇ ନଦେଇ ପିଲାଙ୍କୁ ଚକୋଲେଟ୍ ବାଣ୍ଟି ସାରିବା ପରେ ବଳକା ପଇସାରେ ଗୋଟେ ମଟନ ଭୋଜି ଦିଅନ୍ତୁ !
ବୟସ୍କ ଶିକ୍ଷକ ଜଣେ କହିଲେ- ମୋର ହାର୍ଟ ପ୍ରୋବ୍ଲେମ । ରେଡମିଟ୍ ମନା!
ଅନ୍ୟ ଜଣେ ଦିଦି କହିଲେ- ନାଇଁମ ଏଥର ମଙ୍ଗଳବାରେ ପଡୁଛି ତେଣୁ ସାଦା ହେଉ !
ଏତେ ମତ ଦେଖି କମ୍ ଦରମାପ୍ରାପ୍ତ ଶିକ୍ଷା ସହାୟକ କହିଲେ- ଏବେ ତ କ୍ୟାସଲେସ୍ ଯୁଗ ତେଣୁ ହଇରାଣ କାହିଁକି ହେବେ ସମସ୍ତଙ୍କ ଖାତାକୁ ଟଙ୍କା ପଠେଇ ଦିଅନ୍ତୁ!
ନେତାଙ୍କ ଭାଷଣ
ନେତା ମହୋଦୟ ପ୍ରଥମ କରି ମନ୍ତ୍ରୀ ହୋଇଛନ୍ତି । ପତାକା ଉତ୍ତୋଳନ କରି ପ୍ୟାରେଡରେ ଉଦବୋଧନ ଦେବେ ଭାବି କୁତୁକୁତୁ ହେଲେ । କିନ୍ତୁ ଭାଷଣ ଘୋଷିବା କଥା ଶୁଣି ବ୍ୟସ୍ତ ହୋଇ ପଡିଲେ!
ପିଏ କହିଲା- ଆଜ୍ଞା, କାଗଜ ଭାଷ
ଣ ତ ପ୍ରସ୍ତୁତ ଥିବ କିନ୍ତୁ ଏବେ ଯେହେତୁ ବର୍ଷା ଋତୁ । ମେଘପବନ ଆସିଲେ ସିଏ ତ ନଷ୍ଟ ହୋଇଯିବ!
ନେତା କହିଲେ- ତାହେଲେ ଆଗୁଆ ରେକର୍ଡିଂ କରିଦେବା । ରେକର୍ଡ ବାଜୁଥିବ, ମୁଁ ଖାଲି ପାଟି ପାକୁପାକୁ କରିବି!!
ପିଏ କହିଲେ- ଅାଜ୍ଞା, ବର୍ଷାରେ ବିଜୁଳି ଯିବ ଆସିବ । ଆପଣ ପାଟି ପାକୁପାକୁ କରୁଥିବେ...ରହୁଥିବେ...! ଏକଥା ଧରାପଡିଲେ ମିଡିଆ ଘାଣ୍ଟିଦେବେ!!
ନେତା କହିଲେ- ହଉ ମେଘ ଅାସିବା ମାତ୍ରେ ମୁଁ କହିବି କି ଏତିକି କହି ମୁଁ ଶେଷ ନିଃଶ୍ୱାସ ତ୍ୟାଗ କରୁଚି!!
ଗାନ୍ଧିଙ୍କ ମାଙ୍କଡ
ସ୍ୱାଧୀନତା ଦିବସ ପୂର୍ବଦିନ ବାପା ଘରକୁ ତିନିଟା ମାଙ୍କଡ ମୂର୍ତ୍ତି ଆଣିଲେ ।
କୁନି ଝିଅ ଅଝଟ ହେଲା କି ମୋତେ ସେଇଟା ଦିଅ ମୁଁ ଖେଳିବି!
ବାପା କହିଲେ- ଏଇଟା ତୋର ନୁହଁ ଗାନ୍ଧିଙ୍କ ମାଙ୍କଡ଼!
ତା ପରେ ବାପା ତାକୁ ପ୍ରତିଟି ମାଙ୍କଡ଼ର ମର୍ମ ବୁଝେଇଲେ । ବାପାଙ୍କ କଥାଶୁଣି ଝିଅ କହିଲା- ବୁଝିଗଲି, କାନରେ ହାତ ଦେଇଥିବା ମାଙ୍କଡଟା ମମି, ଆଖିରେ ହାତ ଦେଇଥିବାଟା ତମେ ଆଉ ପାଟିରେ ହାତ ଦେଇଥିବା ମାଙ୍କଡ଼ଟା ଜେଜେ!!!
ବିଚରା ପଶୁମାନେ
ବଜାରରେ ତ୍ରିରଙ୍ଗା ପତାକା ବିକ୍ରୀ ଦେଖି କୁକୁଡା ଛେଳିକୁ ଡାକି କହିଲା- ମାଇଁ ଡିଅର୍, ଚାଲ୍ ଯଥାଶୀଘ୍ର ଫେରାର୍ ହୋଇଯିବା।
ଛେଳି କହିଲା- ଦେଖ୍ , ତୋର ମୋର ଅଲଗା ଜାତି!
କୁକୁଡ଼ା କହିଲା- ଜାତି ଭେଦ କରନା, ଆମେ କଣ ମଣିଷ ହୋଇଛେ?
ଛେଳି ପଚାରିଲା- ତାହେଲେ ଫେରାର ହେବା କାହିଁକି?
କୁକୁଡ଼ା କହିଲା- ମଣିଷଙ୍କ ସ୍ୱାଧୀନତା ଦିବସ ଆସୁଛି, ସେଦିନ ସେମାନେ ଆମର ଜବରଦସ୍ତ ମିଳନ, ତାଙ୍କ ପେଟ ଭିତରେ କରିଦେବେ !
ପ୍ରେମ ଓ ପ୍ରତିଶୋଧ
ପ୍ରେମିକ ଭାରତୀୟ, ପ୍ରେମିକାର ଘର ଲଣ୍ଡନ !
କିଛିବର୍ଷ ଏକାଠି ରହିବା ପରେ ପ୍ରେମିକା ବାହା ହେବାକୁ ଜିଦି ଧରିଲା ।
ପ୍ରେମିକ ସର୍ତ୍ତ ବାଢିଲା- ଆମ ଗାଁକୁ ଯିବାକୁ ପଡିବ, ସେଠାରେ ବାହାଘର, ତା ପରେ ଗାଁରେ ବର୍ଷଟେ ବୋହୁ ହୋଇ ଚଳିବାକୁ ପଡିବ !
ଇଂରେଜି ପ୍ରେମିକା ରାଜି ହୋଇ ବର୍ଷେ ପରେ ଲଣ୍ଡନ ଫେରି ଏମିତି ସର୍ତ୍ତର କାରଣ ପଚାରିଲା।
ପ୍ରେମିକ କହିଲା- ତୁମ ପୂର୍ବପୁରୁଷଠୁ ପ୍ରତିଶୋଧ ପାଇଁ, ନହେଲେ ଆମ ବଡବଡୁଆ ରାଗିବେ!!
-ଡ.କୁଳାଙ୍ଗାର
୯୩୩୮୫୮୧୩୦୯
dr.kulangar@gmail.com