Dr Kulangar

Others

3  

Dr Kulangar

Others

ବିଚରା ଜେବା

ବିଚରା ଜେବା

2 mins
7.3K


ତା ମନରେ ପୂଜନୀୟ ଜେଜେବାପାଙ୍କ ପ୍ରତି ଯେତିକି ଦୟାଭାବ ଜାତ ହେଲା ଅତି ସ୍ନେହର ଜେଜେମାଆଙ୍କ ପ୍ରତି ସେତିକି ଘୃଣା ସୃଷ୍ଟି ହେଲା! ଉଭୟେ ଆଉ ଇହଧାମରେ ନାହାନ୍ତି!!

ସିଏ ସେତେବେଳେ ସର୍ଟକଟ୍ ଫର୍ମୂଲାରେ ଜେଜେମାଆଙ୍କୁ ଜେମା ଓ ଜେଜେବାପାଙ୍କୁ ଜେବା ଡାକୁଥିଲା! ବଡ ହେବାରୁ ଜାଣିଲା କି ତାଆର ଅଜ୍ଞାନତାରୁ ସୃଷ୍ଟ ଏମନ୍ତ ବ୍ୟତିକ୍ରମ ଡାକ ଗୁଡିକ ବେଶ୍ ଅତ୍ୟାଧୁନିକ ଚଳଣିର ଅଂଶବିଶେଷ!

ଜେବା ବେଶ୍ ରୋମାଂଟିକ୍ ଥିଲେ । ମଲାଯାଏଁ କ୍ବଚିତ୍ ଲୋକ ତାଙ୍କର ଧଳାଚୁଟି ଦେଖିବାର ସୈାଭାଗ୍ୟଲାଭ କରିଥିଲେ । ସିଏ କଲେଜ ଯିବାବେଳେ ଅଜା କହୁଥିଲେ- ହୈରେ ମାଇଚିଆ ଗାଡି ପଛଟା ଫାଙ୍କା ରଖି ବୁଲୁଛୁ କଣ? ଆମ ଜମାନାରେ ମୁଁ ରାଲେ ସାଇକଲର ଆଗପଛରେ ଝିଅଙ୍କୁ ବସେଇ କଲେଜ ଯାଉଥିଲି!

ସଞ୍ଜହେଲେ ଜେବା ଇସ୍ତ୍ରୀକରା ପୋଷାକରେ ମୋଗଲ ଅତର ମାରି ବଜାର ବୁଲି ଯାଉଥିଲେ ଆଉ ଟେଳାଏ ଗଞ୍ଜେଇବଟା ସହିତ ଛେନାରାବିଡି ଖାଇ ଦୋଳାୟମାନ ଅବସ୍ଥାରେ ଘରକୁ ଫେରୁଥିଲେ! ତା ପରେ ହିଁ ବଖାଣୁଥିଲେ ନିଜର ରୋମିଓ ପଣର ପୃଷ୍ଠା ଖୋଲୁଥିଲେ ।

କେମିତି ଝିଅଙ୍କ ସାଥୀରେ ଚାଲିକି ଆସିବେ ବୋଲି ସିଏ ନିଜର ସାଇକେଲ ଚକାକୁ ପମ୍ପଚର କରି ଦେଉଥିଲେ!

କେମିତି ଗୋଟେ ଝିଅ ସାହିତ୍ୟ ପରୀକ୍ଷା ଖାତାରେ ଜେବା ଉଦ୍ଦେଶ୍ୟରେ ରଖିଥିବା ପ୍ରେମଚିଠିକୁ ଛାଡିଦେଲା ଆଉ ସେଇଟା ସାହିତ୍ୟ ଅଧ୍ୟାପକଙ୍କୁ ଝିଅଟି ଦେଇଛି ଭାବି ଅଧ୍ୟାପକେ ତାକୁ ଶହେରୁ ଶହେ ମାର୍କ ଦେଇଦେଲେ!

ଆଉ କେମିତି ସେ ବେଳରେ ମଧ୍ୟ ଝିଅମାନେ ନିଜ ଖର୍ଚ୍ଚରେ ଟିକେଟ କାଟି ତାଙ୍କୁ ସିନେମା ଦେଖେଇ ନେଇ ଚେନାଚୁର୍ ସହିତ ଚୁମା ଖାଇବାକୁ ଦେଉଥିଲେ!

ଏମିତି ବହୁ କାହାଣୀ ଜେବା ଗପୁଥିଲେ ! କିନ୍ତୁ ଗପିବା ସମୟଟି ଗଞ୍ଜେଇ ସେବନର ପରକାଳ ସମୟରେ ହେଉଥିବାରୁ ଏହାର ସତ୍ୟତା ନେଇ ସିଏ ବାରମ୍ବାର ସନ୍ଦେହ ପ୍ରକଟ କରୁଥିଲା!

ତେବେ ଏହାକୁ ଦୃଢ କରୁଥିଲା ଆଦରର ଜେମାଙ୍କର ସ୍ବୀକାରୋକ୍ତି: ଆମର ସେତେବେଳର ପ୍ରେମ ବିବାହ!

ଜେବାଙ୍କ ପରି ଗଞ୍ଜେଇ ଖାଉ ନଥିଲେ ବୋଲି ନା କଣ କେଜାଣି ଜେମାଙ୍କ ମୁହଁରୁ ଜେବା-ଜେମାଙ୍କର ପ୍ରେମକାହାଣୀକୁ ବାରମ୍ବାର ଶୁଣିବା ପାଇଁ ତା ସମେତ ଅନ୍ୟ ନାତି ନାତୁଣୀଏ ସବୁବେଳେ ଅାଗ୍ରହୀ ଥିଲେ!

ସବୁଠୁ ଜମାଣିଆ ଲାଗେ କ୍ଲାଇମାକ୍ସ! ଜେମା କହିବେ- ତମ ଜେବାଙ୍କୁ ତ ଅନେକ ଝିଅ ପ୍ରପୋଜ କରିଥିଲେ । ସିଏ କିନ୍ତୁ କେବଳ ମୋତେ ହିଁ ପ୍ରପୋଜ କରିଥିଲେ!

ପିଲାମାନେ ସବୁଥର ପରି ପଚାରୁଥିଲେ- କେମିତି ପ୍ରପୋଜ କରିଥିଲେ କୁହ ନା ଜେମା......!

ସୁନ୍ଦର ସରୁ ଓଠକୁ ସାମନ୍ୟ ଚାପି ଜେମା କହୁଥିଲେ "ସେତେବେଳେ ତ କଲେଜରେ ପରିସ୍ରାଗାର ନଥିଲା! ଆମେ ସବୁ କଲେଜ ପଛକୁ ଯାଉଥିଲୁ! ସେପଟେ ତମ ଜେବା ସବୁବେଳେ ମୋତେ ଚାହିଁ କାନ୍ଥରେ ପାନପତ୍ର ଆଙ୍କୁଥିଲେ। ଏମିତି କେତେଦିନ ଚାଲିଲା ପରେ ମୁଁ ଯାଇ ତାଙ୍କୁ ପଚାରିଲି- ତମେ କଣ ଚିତ୍ରକର?

ସିଏ କହିଲେ- ହୁଁ

ମୁଁ ପଚାରିଲି- ଏ ଚିତ୍ରର ନାଆଁ କଣ?

ସିଏ କହିଲେ- ଆଇ ଲଭ୍ ୟୁ...!

ମୁଁ ତତକ୍ଷଣାତ ମି ଠୁ.... କହି ସେଠାରୁ ଧାଇଁ ପଳେଇଲି!"

ସେତେବେଳେ ଜେମାଠାରୁ ଏହା ଶୁଣି ସିଏ ଯେତିକି ଖୁସି ହେଉଥିଲା ଆଜି ସୋସିଆଲ ମିଡିଆରୁ ମିଠୁ କ୍ୟାମ୍ପେନ କଥା ପଢି ସେତିକି ଦୁଃଖ କଲା! ମନେମନେ ଭାବିଲା- ବିଚରା ଜେବା....! ଜେମା କଣ କହିଲେ ଆଉ ସିଏ କଣ ବୁଝିଲେ...!!

ସିଏ ପୁଣି ଭାବିଲା; ଜେବା ମହା ଚାଲାଖ ଯେ! ସବୁକଥା ଜାଣିଥିଲେ ବୋଧେ..., ସେଥିପାଇଁ ବଦନାମ ହେବାର ଭୟରେ ବହୁ ଅନୁରୋଧ ପରେ ମଧ୍ୟ ନିଜର ଆତ୍ମଜୀବନୀ ଲେଖିବାର ନାଆଁ ଧରିଲେନି!

ଡ.କୁଳାଙ୍ଗାର


Rate this content
Log in