Bidyut lata Mishra

Abstract

2  

Bidyut lata Mishra

Abstract

ଗ୍ରୀଟିଙ୍ଗ୍ କାର୍ଡ଼

ଗ୍ରୀଟିଙ୍ଗ୍ କାର୍ଡ଼

3 mins
327


   ଆଉ ହାତ ଗଣତି କିଛି ଦିନ ଥିଲା ପୁରୁଣା ବର୍ଷ ର।ପାର୍ଟି, ପିକନିକ୍ ରେ ସବୁ ମସଗୁଲ୍ । ସୁବ୍ରତ କୁ ବି ସାଙ୍ଗ ମାନେ କହିଥିଲେ, ୨୦୦୫ସର୍ଭିସବ୍ୟାଚ୍ ର ଗେଟ୍ ଟୁଗେଦେର୍ କୁ ଯେମିତି ବି ହେଉ ଯିବା ପାଇଁ ,କିନ୍ତୁ ସୁବ୍ରତ ଯାଇ ପାରିନଥିଲା କାରଣ ସେମାନେ ଯେଉଁ ଦିନ ଫିକ୍ସ କରିଥିଲେ ସେଦିନ ଥିଲା ରିୟା ର ଫଁକ୍ସନ।

   ନୁଆଁ ବର୍ଷ ଆସିବା ପୂର୍ବରୁ ସୁବ୍ରତ ତାର ବହି ଆଲମାରୀ କୁ ସଫା କରିଦିଏ।ଯେମିତି ବି ହେଉ ଡିସେମ୍ବର ମାସରେ ତାର ବହି ଥାକ ସବୁ ସଫା ହେବ । ପୁରୁଣା ବହି ର ପୃଷ୍ଠା ସବୁ ରେ ଖୋଜିବ ସେ ,ଜୀବନ କୁ!!ନାନାଦି ବହିରେ ସଜ୍ଜିତ ତା ଆଲମାରୀ ପକେଟ ବୁକ ରୁ ଆରମ୍ଭ କରି ଉପନ୍ୟାସ,ଫକୀର ମୋହନ ଙ୍କ ଠାରୁ ଆରମ୍ଭ କରି ମନୋଜ ଦାସ,ଦେବଦାସ ଛୋଟରାୟ । ଅନେକ ପୁରୁଣା,ଆଧୁନିକ ଲେଖକଙ୍କ ବହିରେ ସୁସଜ୍ଜିତ ଥାକ ଗୁଡିକ । ବହି ଗୁଡିକୁ ବିଭିନ୍ନ ରୂପେ ସଜାଇ ଥାଏ ସେ,ଆଲମାରୀ ଟି ସଫା ହୁଏ କମ୍ ,ଆଉ ବହି ପଢା ହୁଏ ଅଧିକ। ଆଜି ରିୟା ନାଚ ଶିଖିବାକୁ ଯାଇଥାଏ,ସୁବ୍ରତ ତା କାମ ରେ ଲାଗି ପଡିଲା। କିଛି ବହି ପଢିବା ଭିତରେ ହଠାତ୍ ହାତରେ ଲାଗିଲା ଗୋଟେ ବହି ,


"ଗଳ୍ପ ଓ ଏକାଙ୍କିକା" ନବମ ଓ ଦଶମ ଶ୍ରେଣୀ। ଅତି ପୁରୁଣା ବହିଟି ରେ ୧୯୯୪ଡିସେମ୍ବର ମାସର ସମାଜ ଟିଏ ମଲାଟ ପଡିଥାଏ।

   ବହିଟିରୁ ପୃଷ୍ଠା ପରେ ପୃଷ୍ଠା ପଢୁ ପଢୁ ହଠାତ୍ ମଲାଟ ଭିତରେ କିଛି ଥିବା ପରି ଲାଗିଲା,ଖୋଲି ଦେଖେ ତ ଅତି ଯତ୍ନରେ ସାଇତି ରଖିଥିବା "ଗ୍ରୀଟିଙ୍ଗ୍ କାର୍ଡ଼" ଟିଏ। ମୁକ୍ତା ପରି ଅକ୍ଷରରେ ଲେଖାଥାଏ

   "ପ୍ରଭୁ ଜଗନ୍ନାଥ ତୁମ ଜୀବନରେ ସବୁ ଖୁସି ଆଗାମୀ ୧୯୯୬ ରେ ଭରିଦିଅନ୍ତୁ।"

    ସନ୍ଧ୍ୟା


   ୨୫ ବର୍ଷ ତଳର ଲେଖା ଭିତରୁ ସୁବ୍ରତ ସ୍ପଷ୍ଟ ଦେଖିପାରୁଥିଲା ସନ୍ଧ୍ୟା ର ମୁଁହ। କେତେ ସଜ୍ଜଳ ଆଉ ନିରୀମାଖୀ ଥିଲା ସେ ,ଏକା ଗାଁ ,ଏକା ସାହି ହୋଇଥିଲେ ବି ଦିନୁ ଟିଏ କଥା ହୁଏନି ସୁବ୍ରତ ତା ସହ,କାରଣ ସନ୍ଧ୍ୟା ତା ମାମୁଁ ଘରେ ରହି ପଢୁଥିଲା । ନିଜେ ସନ୍ଧ୍ୟା ବହୁତ ସତର୍କ ଥିଲା ସେ ପ୍ରତି। ଅଷ୍ଟମ ଶ୍ରେଣୀ ରେ ଯେବେ ସେ ପ୍ରଥମ କରି ବେଗୁନିଆ ହାଇସ୍କୁଲ ଆସିଲା ସବୁ ପୁଅ ହୁଏତ ତାରି ଆଡକୁ ଲୁଚି ଲୁଚି ଦେଖୁଥିଲେ।ସନ୍ଧ୍ୟା କେବେ କେଉଁ ପୁଅକୁ ଆଖି ଉଠେଇ ନଦେଖିଲେ ବି ହୁଏତ ଜାଣି ଦେଉଥିଲା ଯେ ଅନେକ ଦୃଷ୍ଟି ତା ଉପରେ ନିବଦ୍ଧ।

 ସେଦିନ ଥିଲା ଦଶମ ଶ୍ରେଣୀ ର ପିଲାଙ୍କୁ ଆମ ନବମ ଶ୍ରେଣୀ ପିଲାଙ୍କ ବିଦାୟ ବେଳା। ସନ୍ଧ୍ୟା ଗୀତ ଗାଇ ଫେରୁ ଫେରୁ ହଠାତ ଝୁଣ୍ଟି ପଡେ ଆଉ ତା ହାତର ଚୁଡି ବାଜି ମୋ ପାଦ ରୁ ରକ୍ତ ବହୁଥାଏ।ତାର ଧଳା ଓଢଣୀ ରେ ମୋ ପାଦ ରୁ ରକ୍ତ କୁ ଚିପି ଧରିଥିଲା ସେ ,କିଛି ସମୟ ପାଇଁ ହୁଏତ କଷ୍ଟ ହେଲା କିନ୍ତୁ ପରେ ଯେତେଥର ସେଇ କ୍ଷତ କୁ ଦେଖୁଥିଲି ଏକ ଅଜଣା ଶିହରଣ ସୃଷ୍ଟି ହେଉଥିଲା ମନରେ।

  ସେହି ବର୍ଷ ଡିସେମ୍ବର ଶେଷ ରେ ସନ୍ଧ୍ୟା ଦେଇଥିଲା ଏହି" ଗ୍ରୀଟିଙ୍ଗ୍ କାର୍ଡ଼" ।ତା ପାଇଁ ହୁଏତ ସେଇଟା କେବଳ ଗ୍ରୀଟିଙ୍ଗ୍ କାର୍ଡ଼ ଥିଲା କିନ୍ତୁ ମୋ ପାଇଁ ସତରେ ମୋ ଜୀବନ ର ପ୍ରଥମ ପ୍ରେମ ପତ୍ର। କେବେ ହଜି ନଯାଉ ସେଥିପାଇଁ ସାଇତିଥିଲି ବହି ର ମଲାଟ ଭିତରେ।


ପାଖରେ କେହି ନଥିଲା ବେଳେ ଚୁପଚାପ ଗ୍ରୀଟିଙ୍ଗ୍ ଟି ଦେଖି ରଖି ଦେଉଥିଲି ପୁଣି ଯଥାସ୍ଥାନ ରେ। ଗ୍ରୀଟିଙ୍ଗ୍ ର ଉପରେ ଥିବା ଦୁଇଟି ପାରା ଓ ଦିଲ୍ ଚିତ୍ର ଦେଖି ଭାବୁଥିଲି ହୁଏତ ସନ୍ଧ୍ୟା ବି ମୋ ପାଇଁ ଏମିତି ଛଟପଟ ହେଉଥିବ ,କିନ୍ତୁ ଜାଣିବାର ଉପାୟ ନଥିଲା। ନବମ ଯାଇ ଦଶମ ହେଲା।ବାପା ଙ୍କ ଡର ରେ ପୁସ୍ତକ ମନସ୍ଥ ହୋଉଥିଲି ମୁଁ। ଦଶମ ରେ ସର୍ବାଧିକ ୮୭ ପ୍ରତିଶତ ରଖି ପାସ କରିବାରେ ମୁଁ ଥିଲି ପ୍ରଥମ। ଏହା ପରେ ବାବାଙ୍କ ଇଚ୍ଛାରେ ସହର ଆସିଥିଲି ମୁଁ ଉଚ ଶିକ୍ଷା ପାଇଁ। ସହର ରେ କଲେଜ ପଢିବା ବେଳେ ମୋର ସାଙ୍ଗ ସାଥି ଙ୍କ ଠାରୁ ଭିନ୍ନ ଥିଲି ମୁଁ।

ମୋ ନିଃସଙ୍ଗ ଜିବନରେ ପ୍ରେମିକା ଏଇ ଗ୍ରୀଟିଙ୍ଗ୍ କାର୍ଡ ,ଏହି ଗ୍ରୀଟିଙ୍ଗ୍ କାର୍ଡ଼ ଭିତରେ ଥାଇ ହିଁ ସଂଧ୍ୟା ସତେ କି ମୋତେ ପ୍ରେରଣା ଦେଉଥିଲା ଅଧିକରୁ ଅଧିକ ପଢ଼ିବା ପାଇଁ। ସନ୍ଧ୍ୟା ବ୍ୟତିରେକ ଆଉ କେହି ଯେମିତି ମୋ ହୃଦୟରେ ସ୍ଥାନ ପାଇବାର ଯୋଗ୍ୟ ନଥିଲେ।


  ଜୁନିଅର ଇଂଜିନିୟର ଭାବେ ୨୦୦୬ରେ ଯୋଗଦେବା ପରେ ଭାବିଲି ଏବେ ସଂଧ୍ୟା କୁ ମୋ ମନ କଥା କହିବା ଠିକ୍ ହେବ କିନ୍ତୁ ସନ୍ଧ୍ୟା ର ପାଠ ପଢ଼ା ସରିବା ପରେ ସେ ତା ଗାଁ କୁ ଚାଲିଯାଇଥିଲା। ଆଉ ତାର ବିଷୟରେ କାହାକୁ ପଚାରି ପାରି ନଥିଲି ....ମୋର ଲଜ୍ଜା ସ୍ଵଭାଵ ଯୋଗୁଁ ମୁ ହରେଇ ବସିଥିଲି ମୋ ପ୍ରଥମ ପ୍ରେମ କୁ। ବାବା ଙ୍କ ଇଛା ରେ ବିବାହ ଓ ବିବାହ ର ୭ ବର୍ଷ ରେ ସ୍ତ୍ରୀ ର ଦେହାନ୍ତ ପରେ ଏବେ ସମ୍ପୂର୍ଣ୍ଣ ଏକା । ୧୫ ବର୍ଷ ର ଝିଅ ରିୟା,ବୁଢୀ ମାଆ କୁ ନେଇ ମୋର ପରିବାର। ହୁଏତ ବହୁତ ସମୟ ମୁ ସେମିତି ଗ୍ରୀଟିଙ୍ଗ୍ ଟିକୁ ଧରି ବସିଯାଇଥିଲି।

ଏହା ପରେ ବିତି ଯାଇଥିଲେ କିଛି ଦିନ


ବାହାରେ ବେଲ୍ ବାଜୁଥିଲା ,ଝିଅ ରିୟା ଆସିଥିଲା ।


   ଭାରି ଖୁସି ଜଣା ପଡ଼ୁଥିଲା, ମୋ ଝିଅଟି ଠିକ୍ ମୋ ଭଳି ,ତା ମନରେ କଣ ଚାଲୁଥାଏ ମୁଁ ବି ଅନେକ ସମୟରେ ଜାଣି ପାରେ ନାହିଁ।

ପାପା ତୁମର ସାଙ୍ଗ ହିଁ ଆମକୁ ଡ୍ୟାନ୍ସ ଶିଖାନ୍ତି ଆଉ ସେ ଜଣେ ଭଲ ଲେଖିକା ମଧ୍ୟ ତୁମ ପାଇଁ ନୂଆ ବର୍ଷ ର ଗିଫ୍ଟ ପଠାଇଛନ୍ତି।


 କିଏ ମୋର ସାଙ୍ଗ ପୁଣି ଡ୍ୟାନ୍ସ ଟିଚର୍ ,ଲେଖିକା ?? ଗିଫ୍ଟ ଟି ଖୋଲୁ ଖୋଲୁ ଖସିପଡ଼ିଲା ଗ୍ରୀଟିଙ୍ଗ୍ କାର୍ଡ଼ ଟିଏ ଆଉ ଗୋଟିଏ ବହି।


ବହିଟିର ନାଁ " ସୁବ୍ରତ ର ସନ୍ଧ୍ୟା" ଲେଖିକା "ସୁଶ୍ରୀ ସନ୍ଧ୍ୟାରାଣୀ ପଟନାୟକ।"ବହିଟି ଖୋଲିବା ପୂର୍ବରୁ ଗ୍ରୀଟିଙ୍ଗ୍ ଟି ଖୋଲି ଦେଖେ ତ ଲେଖା ଥିଲା,

   "ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ତୁମକୁ ସବୁ ଖୁସି ମିଳୁ, ୨୦୨୦ ଇଂରାଜୀ ନବବର୍ଷ ର ଅନେକ ଶୁଭେଚ୍ଛା ।"

   


Rate this content
Log in

Similar oriya story from Abstract