ଗୋଟିଏ ଦିନର ପ୍ରେମ କାହାଣୀ
ଗୋଟିଏ ଦିନର ପ୍ରେମ କାହାଣୀ
ପୁରୀ ସମୁଦ୍ର ଉପକୂଳବର୍ତ୍ତୀ ନୋଳିଆ ବସ୍ତିର ଯୁବତୀଟିଏ ନୀଳିମା। ପୂର୍ଣ୍ଣିମାର ଅପରାହ୍ନରେ ସମୁଦ୍ରକୂଳରେ ଛିଡା ହୋଇ ସମୁଦ୍ର ଭିତରକୁ ଚାହିଁ ଭାଇର ନାଆ ଟିକୁ ଖୋଜୁଥାଏ। ଅନେକ ସମୟର ପ୍ରତୀକ୍ଷା ପରେ ଘାଟରୁ ଅଳ୍ପ ଦୂରକୁ ଚାଲି ଯାଇ ଏକାନ୍ତରେ ସେହି କୂଳରେ ବସିଗଲା। ଧୀରେ ଧୀରେ ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥାନ୍ତି। ଅସ୍ତଗାମୀ ସୂର୍ଯ୍ୟଙ୍କର ଲୋହିତ କିରଣ ଦୂର ଦିଗବଳୟକୁ ଆଚ୍ଛନ୍ନ କରି ରଖିଥାଏ। ନିଳିମାର ଆଖି ଦୁଇଟିରେ ଭରି ରହିଥାଏ ସେ ଦୂର ଆକାଶର ନୀଳିମା କିନ୍ତୁ ଶରୀରରେ ଭରି ରହିଥିଲା ଠିକ୍ ସାଗରର କଳା ଘୁମର ଜଳରାଶିର ରଙ୍ଗ। ଏହି ରଙ୍ଗ ତ ତା ଜୀବନରୁ ସବୁ ରଙ୍ଗ ଚୋରାଇ ନେଇଛି। ନୀଳ ଆଖି ଦୁଇଟିକୁ କରିଛି ସ୍ବପ୍ନହୀନା। ସବୁ ଝିଅମାନଙ୍କ ପରି ତା'ର ମଧ୍ୟ ଇଚ୍ଛା ହୋଇଥିଲା କାହା ସହ ଘରଟିଏ ବସାଇବ । କିନ୍ତୁ ସେସବୁ ବୃଥା ହୋଇଥିଲା ଦେହର ଶ୍ୟାମଳ ରଙ୍ଗ ପାଇଁ। ଘରକୁ ଆସିଥିବା ପ୍ରତିଟି ବିବାହ ପ୍ରସ୍ତାବରୁ ସେ ନାସ୍ତିବାଣୀ ଶୁଣିଥିଲା କେବଳ ଏହି ରଙ୍ଗ ପାଇଁ। ପିତୃମାତୃ ହରା ନୀଳିମା ଧୀରେ ଧୀରେ ଭାଉଜଙ୍କର କଟୁକ୍ତି ଶୁଣିବାରେ ଅଭ୍ୟସ୍ତ ହୋଇସାରିଛି। ବସ୍ତିରେ ନୀଳିମାକୁ ସମସ୍ତେ କାଳି ନାମରେ ଡାକନ୍ତି।
ଅଜାଣତରେ କେତେବେଳେ ନୀଳିମା ଆଖିରୁ ଲୁହ ଧାର ବହି ଆସିଛି।ଏହି ସମୟରେ ସାଗରର ଲହଡି ଆସି ତାକୁ ଅର୍ଦ୍ଧସିକ୍ତ କରିଦେଲା। ନୀଳିମା ପ୍ରକୃତିସ୍ଥ ହୋଇ ଦେଖିଲା ସଂଧ୍ୟା ହୋଇସାରିଛି।ମନେ ମନେ ଗୁଣୁଗୁଣୁ ହୋଇ କହିଲା ," ଜଣାନାହିଁ କେତେ ଜଣ ତୋ କୂଳରେ ଲୁହର ନଈ ଝରାଇଛନ୍ତି ଯେ ତୋ ଜଳ ଏତେ ଲୁଣିଆ। ତାହେଲେ ମୋତେ କାହିଁକି ସେ ଅନୁମତି ନାହିଁ। କ'ଣ ମୁଁ ଶ୍ୟାମଳି ବୋଲି ?"
ହଠାତ୍ ନିଜ ଭାଇ ମହିଆର ପାଟି ଶୁଣି ଏଣେତେଣେ ଚାହିଁଲା। ପଛକୁ ବୁଲି ଦେଖେତ ମହିଆ ତାକୁ ଡାକି ଡାକି ତା ପାଖକୁ ଆସୁଛି। ମହିଆକୁ ଦେଖି ନୀଳିମା ମନେ ମନେ ଭାବିଲା 'ମୁଁ କି କାମ ପାଇଁ ଆସିଥିଲି !!ଆଉ କରୁଛି କ'ଣ? ' ସଙ୍ଗେସଙ୍ଗେ ମହିଆକୁ ପଚାରିଲା ,"ଭାଇ ,ତୁ କେତେବେଳେ ଆସିଲୁ ? ତୋତେ ମୁଁ କେତେବେଳୁ ଅପେକ୍ଷା କରିଥିଲି ।" ମହିଆ କହିଲା ,"ମୁଁ ଏବେ ଘରେ ପହଞ୍ଚି ଶୁଣିଲି ତୁ ସମୁଦ୍ରକୂଳକୁ ଆସିଛୁ। ସଂଧ୍ୟାଟାରେ ଜଲଦି ଜଲଦି ଚାଲିଗଲି। ତୁ କିପରି ଜାଣିପାରିଲୁ ନାହିଁ ମୋ ନାଆ କୂଳ ଧରିଲାଣି ବୋଲି ?" ନୀଳିମାକୁ ନୀରବ ରହିବାର ଦେଖି ମହିଆ ତା ହାତ ଟାଣି କହିଲା ,"ଏତେ ବେଶୀ ଚିନ୍ତା କରନି। ତୁ ଜାଣିନୁ ପୂର୍ଣ୍ଣିମା ରାତି ଟା ଉଚ୍ଚା ଜୁଆର ଆସିବ। ଆସି କୂଳରେ ବସିଯାଇଛୁ। ଘରକୁ ଚାଲ୍ ଶୀଘ୍ର।"
ନୀଳିମା ବାଲୁକା ଶଯ୍ୟାରୁ ଉଠି ଯିବାକୁ ଉଦ୍ୟତ ହେବା ସମୟରେ ନଜର ପଡିଲା ସମୁଦ୍ରରୁ ଉଠିଥିବା ସେହି ଉଚ୍ଚ ଜୁଆରକୁ। କାହିଁ ଦୂରରୁ ଶେଷନାଗର ଫଣା ପ୍ରାୟ ମଥା ଟେକି କୂଳ ଲଙ୍ଘି ଯିବାକୁ ସେ ଆଗେଇ ଆସିଛି। ଦୁଇ ଭାଇ ଭଉଣୀ ଦଉଡି ଆସୁଥିଲେ କୂଳରୁ ଦୂରକୁ। ତଥାପି ଦୁହେଁ ଆଣ୍ଠୁ ପର୍ଯ୍ୟନ୍ତ ଭିଜିଗଲେ। ନୀଳିମା ହସି ହସି ପୁଣି ସାଗରକୁ ବୁଲି ଚାହିଁଲା। ମହିଆ କିଛି ଆଗକୁ ଚାଲି ଯାଉଥିବାର ଦେଖି ନୀଳିମା ବଡ଼ ପାଟି ରେ ଡାକି କହିଲା ,"ଭାଇ ,ସେ କୂଳରେ କେହି ଜଣେ ପଡିଛି।ଜଲଦି ଆସ ,ଦେଖିବା।" ନୀଳିମାର କଥା ଶୁଣି ମହିଆ ଦୌଡ଼ିଲା ସମୁଦ୍ରକୂଳକୁ। ଦୁହେଁ ଦେଖନ୍ତି ତ ଜଣେ ଯୁବକ ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗିଛି। ମହିଆ କହିଲା ,"ଏ ପିଲାଟି ତ ବଞ୍ଚିଛି। ନୀଳିମା ,ମୋତେ ସାହାଯ୍ୟ କର। ୟାକୁ ଘରକୁ ନେଇଯିବା।" ଦୁହେଁ ବହୁ କଷ୍ଟରେ ଯୁବକଟିକୁ ଘରକୁ ନେଇ ଆସିଲେ।
ନୀଳିମା ଓ ତା ଭାଉଜ ମିଶି ଯୁବକଟିର ସେବା ଶୁଶ୍ରୁଷା କରିବାରେ ଲାଗିଲେ । ନୋଳିଆ ବସ୍ତିର ମହିଆ ପାଖରେ ଏତେ ଟଙ୍କା କେଉଁଠୁ ଆସିବ ଯେ ସେ ଯୁବକକୁ ହସ୍ପିଟାଲରେ ରଖି ଚିକିତ୍ସା କରାଇ ପାରିବ ? ତେଣୁ ଡାକ୍ତରଙ୍କୁ ଅନେକ ଗୁହାରି କରି ନିଜର ଚାଳଛପର ଘରକୁ ନେଇ ଆସିଲା। ଡାକ୍ତର ଆସି ଯୁବକଟିକୁ କିଛି ପରୀକ୍ଷା କରି ଦେଖିବା ପରେ କହିଲେ ,"ଯୁବକର ବଞ୍ଚିବାର ସମ୍ଭାବନା ଅଛି। ଜଗନ୍ନାଥ ଏହାକୁ ରକ୍ଷା କରିଛନ୍ତି।" ଏହାପରେ ଉପଚାରର କିଛି ପଦ୍ଧତି ବତାଇ ଚାଲିଗଲେ।
ଦୁଇ ଦିନ ଧରି ମହିଆ ଓ ନୀଳିମା ମିଶି ଯୁବକଟିର ସେବାଯତ୍ନରେ ଲାଗିଛନ୍ତି। କୋଇରେ ନିଆଁ କରି ଯୁବକର ଶରୀରକୁ ଉଷ୍ମତା ଦେଉଥାନ୍ତି ତ କେବେ ଉଷୁମ ସୋରିଷ ତେଲ ନେଇ ତା ପାଦ ହାତରେ ଘଷୁଥାଆନ୍ତି। ଚାମଚ ସାହାଯ୍ୟରେ ଉଷୁମ କ୍ଷୀର ନେଇ ତା ପାଟିରେ ଦେଉଥାନ୍ତି। ତୃତୀୟ ଦିନ ଯୁବକଟି ଚେତନା ଶକ୍ତି ଫେରିପାଇବା ପରେ ବିଚଳିତ ହୋଇ ଚାରିଆଡେ ଚାହିଁଲା। ନିଜକୁ ସମୁଦ୍ର ବାହାରେ ପାଇ ତା ଆଖିରୁ ଭୟ ମିଶ୍ରିତ ଲୁହ ଝରିଗଲା। ଉଠିବାକୁ ଚେଷ୍ଟା କରି ଅସଫଳ ହୋଇଗଲା। ମହିଆ କହିଲା ,"ବାବୁ ,ତୁମେ ସୁରକ୍ଷିତ ଅଛ। ଭୟ କରନାହିଁ। ସେହି କାଳିଆକୁ ଧନ୍ୟବାଦ ଦିଅ।ଦେହରେ ବଳ ଆସିଲେ ଯାହା କଥା ହେବା । ଏବେ ନିଶ୍ଚିତ ହୋଇ ବିଶ୍ରାମ ନିଅ ।" ମହିଆର କଥା ଶୁଣି ଯୁବକଟି ଆଶ୍ୱସ୍ତ ହୋଇ ଶୋଇଗଲା।ଏହା ପରେ ସେ ମହିଆ ଓ ନୀଳିମାର ସେବା ଶୁଶ୍ରୁଷାକୁ ଅନୁଭବ କରିପାରିଲା।
ଯୁବକଟିର ହେତୁ ଆସିବା ଶୁଣି ନୀଳିମା ମନରେ ଏକ ଅଜଣା ଆନନ୍ଦ ଖେଳିଗଲା। ମହିଆ ,ନୀଳିମା ଓ ତା ଭାଉଜ ବାହାର ବାରଣ୍ଡାରେ ବସିଥାନ୍ତି। ନୀଳିମା କହିଲା ,"ଭାଇ ,ମୁଁ ପିଲାଟି ଦିନରୁ ଶୁଣିଛି ସମୁଦ୍ର କାହାର କିଛି ରଖେ ନାହିଁ। ସେ ପରା ରାଜା କେତେ ପ୍ରାଣୀଙ୍କୁ ପାଳନ କରୁଛି। ସେଥିପାଇଁ ଯିଏ ଯାହା ଦିଏ ତାକୁ ସେ କୂଳକୁ ଆଣି ଫେରାଇଦିଏ। ଏଈ ଦେଖ ସେ ବାବୁ ଙ୍କୁ କିପରି ଜୁଆରିଆ ଲହରୀରେ ଆଣି କୂଳରେ ଫିଙ୍ଗିଦେଇ ଗଲା। ମୁଁ ପ୍ରଥମ ଥର ଦେଖିଲି କେହି ଏ ବିଶାଳ ସମୁଦ୍ର କୋଳରୁ ବାହାରି ଆସିଛି। "
ନୀଳିମାର କଥା ଶୁଣି ତା ଭାଉଜ କହିଲା ,"ଯେତେ ଶୀଘ୍ର ସମ୍ଭବ ସେ ପିଲାକୁ ଘରୁ ବିଦା କର। ଘରେ ବଢିଲା ଝିଅ ସାଇତି ,ଏପରି ଅଜଣା ଅଶୁଣା ଯୁବକକୁ ଘରେ ଜାଗା ଦେବା ଠିକ୍ ନୁହେଁ।" ମହିଆ ରାଗିଯାଇ ତା ସ୍ତ୍ରୀକୁ କହିଲା ,"ତୁ କେଡେ ଅବିବେକୀ ଟାଏ !!ସେ ବାବୁ ଟି ମରିବା ମୁହଁରୁ ଫେରୁଛି।ଆଉ ତୋ ମନକୁ ଏସବୁ ମୂଲ୍ୟହୀନ କଥା ଆସୁଛି !!କିଛି ସାହାଯ୍ୟ ନକରିଲୁ ନାହିଁ ,ଏପରି କଥା କାହିଁକି କହୁଛୁ ?" ମହିଆ ଠାରୁ ଗାଳି ଶୁଣି ତା ସ୍ତ୍ରୀ ସେଠାରୁ ଚାଲିଗଲା । ମହିଆ ନୀଳିମାକୁ କହିଲା ,"ଗଲୁ ନୀଳିମା ସେ ବାବୁର ପାଦରେ ଟିକିଏ ତେଲ ମାଲିସ କରିଦେବୁ।
ନୀଳିମା ମୁଣ୍ଡ ହଲେଇ ସେଠାରୁ ଉଠିଆସିଲା। ଯୁବକ ଶୋଇଥିବା କୋଠରୀରେ ଧୀରେ ପାଦ ପକାଇ ଯାଇ ଯୁବକର ପାଦରେ ତେଲ ଘଷିବାକୁ ଲାଗିଲା। ନୀଳିମାର ହାତର ସ୍ପର୍ଶରେ ଯୁବକଟିର ନିଦ ଭାଙ୍ଗିଗଲା। ଅଳ୍ପ ଆଖି ଖୋଲି ଦେଖୁଥାନ୍ତି ପାଦ ପାଖେ ବସିଥିବା ଶ୍ୟାମାଙ୍ଗୀ ନୀଳିମାକୁ। ମନେମନେ ଭାବୁଥାନ୍ତି '' କେତେ ସରଳ ଝିଅଟିଏ। ଗୋଟିଏ ଅଜଣା ଅଶୁଣା ଯୁବକର ଜୀବନ ବଞ୍ଚାଇବାରେ ବ୍ୟସ୍ତ। ମନରେ 'କିନ୍ତୁ' ର ପ୍ରଶ୍ନ ସୁଦ୍ଧା ନୀରବ। '' ଏହି ସମୟରେ ନୀଳିମା ମଥା ଉଠାଇ ଦେଖେତ ଯୁବକ ଜଣକ ତାକୁ ଚାହିଁ କିଛି ଭାବୁଛନ୍ତି। ତେଣେ ଶଯ୍ୟାଶାୟୀ ଯୁବକଟି ନୀଳିମାର ନୀଳ ଆଖି ଦେଖି ନିଜକୁ ହଜାଇ ଦେଲେ। ନୀଳିମା ନାରୀ ସୁଲଭ ଲଜ୍ଜା ଗୁଣରେ ମଥାନତ କରି ସେଠାରୁ ବାହାରକୁ ଚାଲିଆସିଲା। ଆସିବା ସମୟରେ ମନରେ ପୁନଃ ସେହି ଆଶଙ୍କା ଆଚ୍ଛାଦିତ ହୋଇଗଲା ମୋର ଏହି ଶ୍ୟାମଳ ରଙ୍ଗକୁ ନେଇ ସେହି ଯୁବକ ଘୃଣା କରୁନାହାନ୍ତି ତ ? ବ୍ୟସ୍ତତାରେ ଭୁଲି ଯାଇଥିବା ଦୁଃଖଟି ପୁନର୍ବାର ତା ହୃଦୟକୁ ଆନ୍ଦୋଳିତ କରୁଥାଏ।
ମହିଆ ନୀଳିମାକୁ ପଚାରିଲା, " ତୁ ଚାଲି ଆସିଲୁ କାହିଁକି ?" ନୀଳିମା କହିଲା ," ସେ ବାବୁ ଉଠି ଗଲେଣି । ମୋର କିଛି କାମ ଅଛି ତୁ ଯାଇ କରିଦେ ଏବେ।" ମହିଆ କହିଲା ,"ଠିକ୍ ଅଛି ତୁ ଯାଆ ତୋ କାମ କର।" ମହିଆ ଯୁବକ ପାଖକୁ ଆସି ଦେଖେତ ସେ ଉଠି ବସିବାକୁ ଚେଷ୍ଟା କରୁଛନ୍ତି।ତେଣୁ ମହିଆ ତାଙ୍କୁ ବସାଇ ଦେଇ ଟିକିଏ ହସି ଦେଇ ପଚାରିଲା ,"ବାବୁ, ଏବେ ତୁମ ଦେହ କିପରି ଅଛି ?" ଯୁବକ ଜଣକ କହିଲେ ," ଆପଣଙ୍କୁ ମୁଁ କିପରି ଧନ୍ୟବାଦ ଜଣାଇବି ବୁଝିପାରୁ ନାହିଁ। ମୋତେ ମୃତ୍ୟୁ ମୁଖରୁ ଫେରାଇ ନୂଆ ଜୀବନ ଦାନ ଦେଲେ। ମୁଁ ଆଜୀବନ ଆପଣଙ୍କର ଋଣୀ ହୋଇଗଲି। " ମହିଆ କହିଲା ,"ନା ବାବୁ।ଆମେ ସିନା କୂଳରୁ ନେଇ ଆସିଲୁ। ବାସ୍ତବରେ ସେହି କାଳିଆ ରକ୍ଷା କଲା। ଏ ଅତଳ ସମୁଦ୍ରରୁ ଜୀଵିତ ଫେରିବା ଆଶ୍ଚର୍ଯ୍ୟ ନୁହେଁ ତ ,ଆଉ କ'ଣ ?" ଯୁବକ ଜଣକ କହିଲେ ,"ସେ ଯାହା ହେଉ ମୁଁ ଜାଣେ ଆପଣ ମୋତେ ବଞ୍ଚାଇଲେ ତା ସହ ହଜିଯାଇଥିବା ମାନବିକତା କୁ ମଧ୍ୟ। ବର୍ତ୍ତମାନ ସମୟରେ କିଏ ବିନା ସ୍ୱାର୍ଥରେ କିଛି କରୁଛି ! "
ମହିଆ କହିଲା ,"ଛାଡ଼ନ୍ତୁ ବାବୁ ସେ କଥା କହିଲେ ଆପଣଙ୍କର ନାଁ କ'ଣ ,ଘର କେଉଁଠି? ସମୁଦ୍ର ଭିତରକୁ ଗଲେ କିପରି ?"
ଯୁବକ ଜଣକ କହିଲେ ,'' ମୁଁ ଆକାଶ ପଟ୍ଟନାୟକ। ଏହି ପୁରୀ ସହରରେ ଘର। ପରିବାର କହିଲେ ବାପା ,ମାଆ ଆଉ ମୁଁ। ନିଜସ୍ୱ ଗହଣା ବ୍ୟବସାୟ ରହିଛି। ପୂର୍ଣ୍ଣିମା ରେ ବୁଡ଼ ପକାଇ ଜଗନ୍ନାଥଙ୍କର ଦର୍ଶନ ପାଇଁ ମାଆକୁ ନେଇ ଆସିଥିଲି। ଗାଧୋଇବା ବେଳେ ବଡ଼ ଏକ ଲହରୀରେ ସମୁଦ୍ର ଭିତରକୁ ଚାଲିଗଲି। ଚେଷ୍ଟା କରି କୂଳକୁ ଫେରିପାରିଲି ନାହିଁ। ଚାରିଆଡେ ପାଣି ,ସମୁଦ୍ରର ଗର୍ଜ୍ଜନ। ପ୍ରଥମ କରି ଦେଖୁଥିଲି ବାହାରକୁ ସୁନ୍ଦର ଦିଶୁଥିବା ସମୁଦ୍ର ଏତେ ଭୟଙ୍କର ହୋଇପାରେ। ଏତେ ବଡ ବିପତ୍ତି ଦେଖି ନିଜକୁ ନିୟନ୍ତ୍ରଣ କରିପାରିଲି ନାହିଁ। ଚେତାଶୂନ୍ୟ ହୋଇଗଲି। ତା'ପରେ କ'ଣ ହୋଇଛି ମୁଁ ଜାଣେ ନାହିଁ। ଆପଣ ହୁଏତ କହିପାରିବେ ।" ଏତିକି କହି ସାରିବା ବେଳକୁ ତାଙ୍କର ରୋମ ଟାଙ୍କୁରି ହୋଇଉଠିଲା।
ଆକାଶର ଏହି ଅବସ୍ଥା ଦେଖି ମହିଆ କହିଲା ,"ଥାଉ ବାବୁ , ସେ କାଳ ଅତୀତକୁ ମନେ ପକାଇବା କିଛି ଦରକାର ନାହିଁ। ଆପଣଙ୍କୁ ସେଦିନ ଅନେକ ଖୋଜାଖୋଜି କରାଯାଇଥିଲା ବୋଲି ମୁଁ ପରେ ଜାଣିଲି। କିନ୍ତୁ ସେ ପୋଲିସ ଝାମେଲା ଭୟରେ କିଛି ଜଣାଇ ନାହିଁ। ଆପଣଙ୍କର ଘର ଠିକଣା ଦେଲେ ମୁଁ ଖବର ପଠାଇ ଦିଅନ୍ତି। ଆମେ ସିନା ଏହି ମାଛ ଗନ୍ଧରେ ଅଭ୍ୟସ୍ତ ଆପଣ କାହିଁ କଷ୍ଟ କରିବେ। ତା'ଛଡା ଆପଣଙ୍କ ଘରେ ଅଧିକ ଯତ୍ନରେ ରହିବେ। ଶୀଘ୍ର ସୁସ୍ଥ ହୋଇଯିବେ।"
ଆକାଶ କହିଲା ,"ଆପଣ ଏପରି କହି ମୋତେ ଲଜ୍ଜିତ କରାନ୍ତୁ ନାହିଁ। କିଛି ଆପତ୍ତି ନଥିଲେ ମୁଁ ଏଠାରେ ଆଉ ଦୁଇ ତିନି ଦିନ ରୁହନ୍ତି।" ମହିଆ କହିଲା ,"ଠିକ୍ ଅଛି ବାବୁ ,ଆପଣ ରୁହନ୍ତୁ।ଆପତ୍ତି କାହିଁକି ହେବ ? କିନ୍ତୁ ମୋ ମତରେ ଆପଣଙ୍କର ଘରେ ଏ ଖବର ଜଣାଇଦେବା ଉଚିତ ହେବ। ତେଣେ ବାପା ମାଆ କେତେ ଚିନ୍ତାରେ ଥିବେ !"
ଆକାଶ ନିଜ ଠିକଣା ଦେବାରୁ ମହିଆ ଆକାଶକୁ ଶୁଆଇ ଦେଇ ନିଜେ ବାହାରି ଗଲା ଆକାଶର କୁଶଳ ଖବର ଦେବାପାଇଁ ଏବଂ ଯାଉଯାଉ ନୀଳିମାକୁ କହିଗଲା ''ମୁଁ ବାବୁଙ୍କର ଘରକୁ ଯାଉଛି।ତୁ ତାଙ୍କର ଖାଇବା ପିଇବା କଥା ଠିକ୍ ରେ ବୁଝିବୁ।"
ଘର ଭିତରେ ଆକାଶ ଏସବୁ ସ୍ପଷ୍ଟ ଶୁଣି ପାରୁଥିଲା।ନୀଳିମା ନାଁ ଶୁଣି ଓଠରେ ହସଟିଏ ଖେଳିଗଲା। ମନେମନେ ଭାବୁଥିଲା "ଏମାନେ କେତେ ସରଳ ମଣିଷ ! ଧନ ନଥିଲେ କ'ଣ ହେଲା , ବିଶାଳ ହୃଦୟ ତ ଅଛି।ନୀଳିମା ଯଦି ମୋତେ ସେ ହୃଦୟରେ ଜାଗା ଦିଅନ୍ତା, ବୋଧହୁଏ ମୁଁ ହିଁ ସବୁଠାରୁ ଧନୀ ମଣିଷ ହୋଇଯାଆନ୍ତି। କିନ୍ତୁ ନୀଳିମା ଯଦି ଭୁଲ୍ ବୁଝି ବସେ ତାହେଲେ କ'ଣ ହେବ? ସଭିଙ୍କ ନଜରରେ ମୁଁ ତଳକୁ ଚାଲିଯିବି। " ଏହିପରି ନିଜ ପ୍ରଶ୍ନର ନିଜେ ଉତ୍ତର କରି ଶେଷରେ ସ୍ଥିର କଲା ଯେ ମନର କଥା ଜଣାଇବାରେ ଅପରାଧ କ'ଣ ! ବାଧ୍ୟ ବାଧକତା ତ ନୁହେଁ।
କିଛି ସମୟ ପରେ ନୀଳିମା ଖାଇବା ଥାଳିରେ ଭାତ,ଡାଲି ,ଶାଗ ଭଜା,ମାଛ ବେସର ସଜାଡି ଆକାଶର କୋଠରୀ ଆଡକୁ ଯାଉଥାଏ।ଯେତେଯେତେ କୋଠରୀର ନିକଟବର୍ତ୍ତୀ ହେଉଥାଏ ,ସେତେସେତେ ତା'ର ହୃତ୍ ସ୍ପନ୍ଦନ ତୀବ୍ର ହେଉଥାଏ। ଆଗକୁ ବଢୁଥିବା ପାଦ ଦୁଇଟି ଅଟକି ଗଲା। ଗୁଣୁଗୁଣୁ ହୋଇ ଭାଇକୁ ଗାଳି କରି କହିଲା ,"ଦିନ କେଇଟା ସମ୍ଭାଳି ନେଇଥିଲେ ହୋଇନଥାନ୍ତା ମୋତେ ଅଠାକାଠିରେ ପକାଇ ଦେଇଛି। ଯାଏ ଭାଉଜକୁ କୁହେ।" ତେଣେ ଭାଉଜକୁ ଆସି କହିବାରୁ ତା ଭାଉଜ ବିରକ୍ତିରେ କହିଲା ,"ତୁମେ ଦୁଇ ଭାଇ ଭଉଣୀ ତାକୁ ଘରକୁ ଆଣିଛ। ତୁମେ ହିଁ ବୁଝ। ମୋର ସେସବୁରେ ମୁଣ୍ଡ ଖେଳାଇବାର ନାହିଁ।"
ଭାଉଜର ନାସ୍ତିବାଣୀ ଶୁଣି ନୀଳିମା ବାଧ୍ୟ ଛୁଆଟି ପରି ଆକାଶ ପାଖକୁ ଗଲା। ନିଜେ ମଧ୍ୟ ବୁଝିପାରୁନଥାଏ ସେ କାହିଁକି ଏପରି ଅସହଜ ଅନୁଭବ କରୁଛି। ସେହି ବାବୁ ପ୍ରତି ଆକର୍ଷଣ ନୁହେଁ ତ , କି ନାରୀ ସୁଲଭ ଲଜ୍ଜା ଗୁଣ ନୁହେଁ ତ ? ନିଜେ ଦ୍ୱନ୍ଦରେ ଛନ୍ଦି ହୋଇଯାଉଥାଏ। ଅନ୍ୟମନସ୍କ ହୋଇ ସେ ଯେ ଆସି ଆକାଶ ପାଖରେ ଛିଡା ହୋଇଛି ,ସେଥିପ୍ରତି ତା'ର ଧ୍ୟାନ ନଥାଏ।
ଆକାଶ ନୀଳିମାକୁ ଦେଖି ଧୀରେ ଧୀରେ ଉଠି ବସିଲା। ନୀଳିମାର ଅନ୍ୟମନସ୍କତା ଦେଖି ଥଟ୍ଟାରେ ହସି ହସି କହିଲା , "କ'ଣ ଭାବୁଛ ଏ ଖାଇବା ମୋତେ ଦେବ ନା ନିଜେ ଖାଇଦେଵ ?" ଆକାଶର କଥାଶୁଣି ନୀଳିମା ପ୍ରକୃତିସ୍ଥ ହୋଇଗଲା। ମନେମନେ ଲଜ୍ଜା ଅନୁଭବ କରୁଥାଏ।ତେଣୁ ମୁହଁ ପୋତି ଖାଇବା ଥାଳିଟିକୁ ଆକାଶକୁ ବଢ଼ାଇଦେଲା। ଆକାଶ ଖାଇବା ଥାଳିକୁ ଦେଖି କହିଲା ,"ଆରେ ବାଃ ! ମୋ ଅତି ପ୍ରିୟ ମାଛ ବେସର। ଧନ୍ୟବାଦ। ମୋ ପାଇଁ ଆଉ ବେଶୀ ଦିନ ହଇରାଣ ହେବାକୁ ପଡ଼ିବ ନାହିଁ। ଆଉ ଦିନେ ଦୁଇଦିନରେ ମୁଁ ଚାଲିଯିବି।"
ଆକାଶର ଚାଲିଯିବା କଥା ଶୁଣି ନୀଳିମାର ନୀଳ ଆଖି ଦୁଇଟିରେ ଲୁହ ଭରି ଆସିଲା। ଯଥା ସମ୍ଭବ ନିୟନ୍ତ୍ରଣ କରୁଥାଏ ନିଜକୁ କିନ୍ତୁ ସେ ନିଜେ ମଧ୍ୟ ନିଜର ଏହି ଅନୁଭବ ପ୍ରତି ଅବୁଝା ହେଉଥାଏ। ଆକାଶ କିନ୍ତୁ ନୀଳିମାକୁ ସ୍ପଷ୍ଟ ବୁଝିପାରୁଥାଏ। ତେଣୁ ନୀଳିମାର ହାତ ଦୁଇଟିକୁ ଧରି କହିଲା ,"ତୁମେ ଅନୁମତି ଦେବ ଯଦି ,ମୋ ବାପା ମୋ ପାଇଁ ତୁମ ହାତ ମାଗିବାକୁ ଆସିବେ।"
ଏହି ମୁହୂର୍ତ୍ତଟି ନୀଳିମା ପାଇଁ ସମ୍ପୂର୍ଣ୍ଣ ଅପରିକଳ୍ପନୀୟ ଓ ଅପ୍ରତ୍ୟାଶିତ ଥିଲା। ଜୀବନରେ ପୁରୁଷର ପ୍ରଥମ ସ୍ପର୍ଶରେ ନିଜର ବସ୍ତବତାକୁ ଗ୍ରହଣ କରିପାରୁ ନଥିଲା। ନିଜର ସ୍ଥିତିକୁ ବୁଝିବା ତା ପକ୍ଷରେ ଅସମ୍ଭବ ଲାଗୁଥିଲା। ଆଖିରେ ଜମାଟ ବାନ୍ଧିଥିବା ଲୁହ ବୁନ୍ଦା ବୁନ୍ଦା ହୋଇ ଆକାଶର ହାତକୁ ଭିଜାଇ ଦେଲା। ନୀଳିମା ଆଶା ଆଶଙ୍କାର ଦ୍ଵନ୍ଦରେ ଆକାଶଠାରୁ ହାତ ଛଡାଇ ଆଣି ନିଜ ଶୋଇବାଘରକୁ ଚାଲିଗଲା। କାନ୍ଥରେ ଝୁଲିଥିବା ଆଇନାରେ ନିଜକୁ ଦେଖୁଥିଲା। କାହିଁ ନିଜର ରଙ୍ଗରେ କୌଣସି ପରିବର୍ତ୍ତନକୁ ଖୋଜି ପାଉନଥିଲା ! ଏହି ଶ୍ୟାମଳ ବର୍ଣ୍ଣ ପାଇଁ ସେ କେତେ ତିରସ୍କାର ନପାଇଛି ! କେତେ କୁତ୍ସାରଟନା ନସହିଛି! ଆଜି ପୁଣି ଏପରି କେହି ତାକୁ ପ୍ରେମ ନିବେଦନ କରିବ , କୌଣସି ସ୍ୱପ୍ନ ଠାରୁ କମ୍ ନଥିଲା। ତା ଜୀବନରେ କଦାପି ହାରି ଯିବାର କି ହରାଇ ଦେବାର ଭୟ ନଥିଲା ; ନିଜର ବର୍ଣ୍ଣକୁ ନେଇ ପରିହାସର ପାତ୍ରୀ ହେଉଥିବା ନୀଳିମା କେବଳ ନିଶ୍ୱାସକୁ ନେଇ ବଞ୍ଚୁଥିଲା। କିନ୍ତୁ ଆଜି ଜୀବନଟିକୁ ମନ ଭରି ଜୀଇବାକୁ ଇଚ୍ଛା ହେଉଥିଲା। କିଛି ହରାଇ ଦେବାର ଭୟ ଗ୍ରାସ କରୁଥିଲା ତା ହୃଦୟକୁ ।
ସେଦିନ ନିଜକୁ ଖୁବ୍ ସଜାଇଲା ନୀଳିମା। ପିନ୍ଧିଥିବା ଶସ୍ତା ସୂତାଶାଢ଼ୀକୁ ସଜାଡି ନେଲା। ତଥାପି ତା ମନ ଏସବୁକୁ ସହଜରେ ଗ୍ରହଣ କରି ପାରୁନଥାଏ। ମନରେ ପ୍ରଶ୍ନ ଉଠୁଥାଏ ଯେଉଁ ରଙ୍ଗକୁ ଏତେ ଘୃଣା ମିଳିଛି ,ସେହି ରଙ୍ଗ ଏ ବଡ ଘରର ସୁନ୍ଦର ଯୁବକଟିକୁ କାହିଁକି ଭଲ ଲାଗିଲା? ମୁଁ ଠକି ଯିବି ନାହିଁ ତ ?ପୁଣି ଥରେ ଉପହାସର ପାତ୍ରୀ ହୋଇଯିବି ନାହିଁ ତ? କାହିଁ କାଲି ପର୍ଯ୍ୟନ୍ତ ସବୁକିଛି ସ୍ୱାଭାବିକ ଥିଲା , କିନ୍ତୁ ଆଜି ଏହି ଗୋଟିଏ ଦିନରେ ଏପରି କ'ଣ ଘଟିଯାଉଛି ? ସେ ସୁସ୍ଥ ହେବା ଦରକାର ଥିଲା ,କିନ୍ତୁ ସେ ଫେରିଯିବା ସମୟରେ ଏ କି ଅନୁଭବ ? ଏହି ଗୋଟିଏ ଦିନର କାହାଣୀ ମୋ ଜୀବନର ମୋଡ଼ ବଦଳାଇ ଦେବ ନାହିଁ ତ ?
ନିଜର ପ୍ରଶ୍ନର ଜାଲରେ ଛନ୍ଦି ହୋଇ ନୀଳିମା ପାଟିରୁ ସ୍ୱତଃ ପ୍ରବୃତ୍ତ ଭାବେ ବାହାରି ଆସିଲା "ବାମନ ହାତରେ ଯଦି ଚାନ୍ଦ ଦେଖାଦିଏ, ତେବେ ତାହା ବାମନର ପାରଗତା ହୁଏ କି ଚାନ୍ଦର ବଦାନ୍ୟତା ହୁଏ ?" ଏହି ସମୟରେ କାନ୍ଧରେ କାହାର ହାତ ସ୍ପର୍ଶରେ ଚମକି ପଡି ଦେଖେତ ତା ଭାଉଜ ଛିଡା ହୋଇଛି। କିଛି କହିନପାରି ଚୁପଚାପ ଛିଡା ହୋଇଥାଏ। ତା ଭାଉଜ କହିଲେ ," ହୁଏତ ବାମନର ପାରଗତା ହିଁ ଚାନ୍ଦର ବଦାନ୍ୟତାର କାରଣ ହୋଇପାରେ।" ଏହି ପରିସ୍ଥିତିରେ ନୀଳିମା ଭାଉଜଠାରୁ ଏ ପ୍ରକାରର ଆସ୍ବସ୍ତିକର କଥା ଶୁଣି ଅସ୍ୱାଭିକ ଅନୁଭବ କରୁଥିଲା। ଯେଉଁ ଭାଉଜ ତାକୁ ଅନେକ ରୁକ୍ଷ ବ୍ୟବହାର ପ୍ରଦର୍ଶନ କରେ ସେ ଆଜି ଏପରି ଧୀର ବ୍ୟବହାର କରୁଛି କାହିଁକି ? ଅନେକ ପ୍ରଶ୍ନର ବୁଢିଆଣି ଜାଲରେ ଛନ୍ଦି ହୋଇ ସେ ଅଣନିଶ୍ୱାସୀ ହୋଇ ଯାଉଥାଏ।
ନୀଳିମାର ଏ ଅବସ୍ଥା ଦେଖି ତା ଭାଉଜ କହିଲା ,'' ନୀଳିମା ,ମୁଁ ମଧ୍ୟ ନାରୀଟିଏ। ଅନ୍ୟ ଏକ ନାରୀର ମନ କଥା ବୁଝିପାରେ। ଆଜି ସକାଳରେ ତୁମେ ଯେଉଁ କାମର ବାହାନା କରି ତୁମ ଭାଇଙ୍କୁ ଆକାଶ ବାବୁଙ୍କ ପାଖକୁ ପଠାଇଦେଲ ,ତାହା ମୋତେ କିଛି ଭିନ୍ନ ମନେ ହୋଇଥିଲା। ତେଣୁ ମୁଁ ତୁମ ଉପରେ ନଜର ରଖିଥିଲି। ମୋର ଅନୁଭବ ଯେ ସେ ବାବୁ ତୁମକୁ ସତରେ ଭଲ ପାଆନ୍ତି। ଆଉ ତୁମର ବ୍ୟବହାର ତାକୁ ମଧ୍ୟ ସମର୍ଥନ କରୁଛି।" ନୀଳିମା ବ୍ୟସ୍ତ ହୋଇ କହିଲା ,"ନା ,ନା ସେପରି କୁହ ନାହିଁ। ଏସବୁ ମିଛ କିନ୍ତୁ ସୁନ୍ଦର ସ୍ୱପ୍ନ ଭଳି ଲାଗୁଛି। ଏସବୁ ସତ ହୋଇଗଲେ ମୋର ଏହି ଶ୍ୟାମଳ ବର୍ଣ୍ଣରେ ମଧ୍ୟ କଳଙ୍କ ଲାଗିଯିବ। ଲୋକେ କହିବେ ଚେହେରା ଯେମିତି ଚରିତ୍ର ମଧ୍ୟ ସେମିତି। ବହୁତ ସହିଛି ଏହି ରଙ୍ଗ ପାଇଁ , ତା'ପରେ ଯଦି ଚରିତ୍ରକୁ ନେଇ ପ୍ରଶ୍ନ ଉଠେ ,ମୁଁ ବଞ୍ଚିପାରିବି ନାହିଁ। ମୋର ସମ୍ବଳ ଭାବେ ତ ଏହି ଚରିତ୍ରଟି କେବଳ ରହିଛି। ମୁଁ ନିସ୍ବ ହେବାକୁ ଚାହେଁ ନାହିଁ।"
ଏହି ସମୟରେ ଦାଣ୍ଡ ଦୁଆରେ ଗାଡିଟିଏ ରହିବାର ଶବ୍ଦ ଶୁଣି ନୀଳିମା ଦୁଆରକୁ ଗଲା। ନୋଳିଆ ବସ୍ତିରେ କାର୍ ଟିଏ ଦେଖି ଅନେକ ଲୋକ ଚାହିଁ ରହୁଥାନ୍ତି। ଗାଡିରୁ ମହିଆ ସହ ଆକାଶର ବୃଦ୍ଧ ପିତାମାତା ଓଲ୍ହାଇଲେ। ମହିଆ ସେମାନଙ୍କୁ ଆକାଶ ପାଖକୁ ନେଇଗଲା। ଆକାଶର ମାଆ ସରିତା ଦେବୀ ଦଉଡି ଯାଇ ଆକାଶକୁ ଖୁବ୍ ସ୍ନେହ ଅଜାଡି ଦେଲେ। ତାଙ୍କ ଆଖିର ଲୁହ ମାଆ ମନରେ ଥିବା ପୁତ୍ର ବିୟୋଗର ଦୁଃଖକୁ ଧୋଇ ଦେଉଥିଲା।ଆକାଶର ବାପା ବସନ୍ତ ବାବୁ ତା ଗୋଡ଼ ପାଖରେ ବସି ଗୋଡ଼ ଘଷି ଦେଉଥାନ୍ତି। ଆକାଶ ସେମାନଙ୍କୁ ସାନ୍ତ୍ବନା ଦେଇ କହିଲା ,"ମାଆ ,ଏହି ଭାଇ ଙ୍କ ପାଇଁ ମୁଁ ନୂଆ ଜୀବନ ପାଇଛି। ଭାଇ ଆଉ ନୀଳିମା ନଥିଲେ ମୁଁ ଆଜି ଦୁନିଆରେ ନଥାନ୍ତି।" ସରିତା ଦେବୀ କହିଲେ ,"ହଁ ରେ ମୁଁ ସବୁ ଶୁଣିଛି। ମୁଁ ସେମାନଙ୍କ ପାଖରେ ଋଣୀ ହୋଇଗଲି।"
ଏହି କଥୋପକଥନ ଭିତରେ ମହିଆ ତା ସ୍ତ୍ରୀକୁ ଡାକି ନେଇ କିଛି ଖାଇବା ପିଇବା ବନ୍ଦୋବସ୍ତ କରିବାକୁ କହିଲା। କିନ୍ତୁ ତା ସ୍ତ୍ରୀ ତାକୁ ଡ଼ାକିନେଇ ଆକାଶ ଓ ନୀଳିମା ବିଷୟରେ ଅବଗତ କରାଇ କହିଲା ,"କେତେ ଭଲ ହୁଅନ୍ତା। ମୁଣ୍ଡ ଉପରୁ ଗୋଟିଏ ବୋଝ ଓଲ୍ହାଇ ଯାଆନ୍ତା। ନୀଳିମା ଭଲ ଘରେ ବାହା ହେଲେ ଆମକୁ ମଧ୍ୟ କେତେ... ସାହାଯ୍ୟ ମିଳିଯିବ।" ମହିଆ ରାଗିଯାଇ ତାକୁ କହିଲା ,"ତୋ ମୁଣ୍ଡ ଖରାପ ହେଲାଣି ନା କ'ଣ ? ସେ କାହିଁକି ନୀଳିମାକୁ ପସନ୍ଦ କରିବେ। ଜାଣୁ ? ତାଙ୍କର ୪ମହଲା କୋଠା ଘର। ଦୁଆରେ ଉଚ୍ଚା ଲୁହା ଫାଟକ।ଭିତରେ ସୁନ୍ଦର ବଗିଚା। ଏ ଗାଡି ତାଙ୍କ ନିଜର ମଧ୍ୟ। ନୀଳିମା ସେଠାକୁ ଯିବା ଅସମ୍ଭବ। ମୋ ସାତ ଜନ୍ମ ଲାଗିଯିବ ସେ ଘରେ ବନ୍ଧୁତା କରିବାକୁ। ଏ ବେକାର କଥା ଛାଡ । ଅତିଥି ଚର୍ଚ୍ଚା ପାଇଁ କିଛି ଯୋଗାଡ଼ କର।"
କିଛି ଦୂରରେ ଥିବା ନୀଳିମା ଭାଇ ଭାଉଜଙ୍କର କଥା ଶୁଣି ପାରୁଥିଲା ଏବଂ ଭାଉଜଙ୍କର ଉଦ୍ଦେଶ୍ୟକୁ ଭଲ ଭାବେ ବୁଝିପାରୁଥିଲା। ନିଜର ଜୀବନ ପ୍ରତି ଘୃଣା ଭାଵ ସୃଷ୍ଟି ହେଉଥିଲା। ଅନାବନା ଭାବନାରେ ବୁଡିଥିବା ନୀଳିମାର ମୁଣ୍ଡକୁ ଆଉଁସି ଦେଇ ମହିଆ କହିଲା ,"ତୁ କାହିଁ ଏତେ ଭାବୁଛୁ? ମୁଁ ଥିବା ପର୍ଯ୍ୟନ୍ତ ତୋର କିଛି ହେବ ନାହିଁ। ତୁ ମୋ ଭଉଣୀ , ବୋଝ ନୁହେଁ। ତାଙ୍କର ଯଦି ପ୍ରକୃତରେ ଇଚ୍ଛା ଥାଏ ତାଙ୍କ ବାପମାଆଙ୍କୁ କହି ତୋ ହାତ ମାଗିବେ। ତୋ ଭାଗ୍ୟରେ ଥିଲେ ତୁ ସେଇଠି ଖୁସିରେ ଘର ବସାଇବୁ। ନହେଲେ ମୋର ଏଈ ଚାଳ ଘରେ ମୋ ପାଖରେ ରହିବୁ। ଏଣୁତେଣୁ କଥା ଚିନ୍ତା ନକରି ଆସେ ଅତିଥିଚର୍ଚ୍ଚାରେ ସାହାଯ୍ୟ କରେ। ଏପରି ବଡ଼ବଡ଼ିଆ ଲୋକ ଆମ ଭଳି ଲୋକଙ୍କ ଘରକୁ ଆଉ ଥରେ ପୁଣି ଆସିବେ କି ନାହିଁ ସନ୍ଦେହ। "
ମହିଆ କଥା ଶୁଣି ନୀଳିମା ସରବତ ତିଆରି କରି ଆକାଶର ବାପାମାଆଙ୍କ ପାଖକୁ ଗଲା। ସେମାନଙ୍କୁ ସରବତଟି ବଢ଼ାଇ ଦେଇ ଛିଡା ହୋଇରହିଲା। ଆକାଶର ମାଆ ,ସରିତା ଦେବୀ ଅତି ସ୍ନେହରେ ନୀଳିମାକୁ ନିଜ ପାଖରେ ବସାଇଲେ। ଏହି ସମୟରେ ମହିଆ ଓ ତା ସ୍ତ୍ରୀ କିଛି ଜଳଖିଆ ନେଇ ପହଞ୍ଚିଲେ। ସମସ୍ତଙ୍କୁ ଏକାଠି ପାଇ ଆକାଶ କହିଲା ,"ମୋର ସମସ୍ତଙ୍କୁ କିଛି କହିବାର ଅଛି , ଅନୁମତି ଦେଲେ କହିବି।"
ବସନ୍ତ ବାବୁ କହିଲେ ," ଅନୁମତି ନେବା କିଛି ଦରକାର ନାହିଁ।କ'ଣ କହିବାକୁ ଚାହୁଁ କହ।" ଆକାଶ କହିଲା ," ବାପା ,ମୁଁ ନୀଳିମାଙ୍କୁ ବିବାହ କରିବାକୁ ଚାହେଁ । ଆପଣଙ୍କର ମତାମତ କ'ଣ କୁହନ୍ତୁ?" ଆକାଶର ବାପା କିଛି ମନ୍ତବ୍ୟ ରଖିବା ପୂର୍ବରୁ ମହିଆ କହିଲା ,"କ୍ଷମା କରିବେ ଆଜ୍ଞା ମୁଁ ଏହି ପ୍ରସ୍ତାବରେ ସହମତି ଦେଇପାରିବି ନାହିଁ।" ଆକାଶର ବାପା କହିଲେ ,"କିନ୍ତୁ କାହିଁକି ?ମୋ ପୁଅ ପାଖରେ କ'ଣ କମ୍ ରହିଯାଇଛି?" ମହିଆ କହିଲା ,"ନାଇଁ ବାବୁ ମୋ ପାଖରେ ହିଁ କମି ରହିଛି। ମୁଁ ଆପଣଙ୍କର ସମକକ୍ଷ ନୁହେଁ।ମୋ ଭଉଣୀ ମଧ୍ୟ ନୁହେଁ। ବାହାଘର ପରେ ମୁଁ ତା ଦୁଆରକୁ ଗଲେ ହଳିଆ ମୂଲିଆ ଠାରୁ ମଧ୍ୟ କମ୍ ଦିଶିବି। ବାହାଭାରରେ ଯାହା ନେବି ଆପଣଙ୍କୁ ସମୁଦ୍ରରେ ଶଙ୍ଖେ ଭଳି ହେବ। ଗରିବ ହେଲେ ମଧ୍ୟ ଯେଉଁ ସମ୍ମାନ ଟିକକ ଅଛି ସେ ବି ଯିବ। ତା' ଛଡା ମୋ ସାହିଭାଇ ମୋତେ କ'ଣ କହିବେ? ସବୁ କହିବେ ଜୀବନ ବଞ୍ଚାଇଲେ ବୋଲି ବାବୁଙ୍କ ଗଳାରେ ଭଉଣୀକୁ ଛନ୍ଦି ଦେଲା।" ଏସବୁ ଶୁଣି ନୀଳିମା ନିଜକୁ ଅସହଜ ମନେକରି ସେଠାରୁ ଚାଲିଗଲା। ବସନ୍ତ ବାବୁ ଆକାଶର ମା, ସରିତା ଦେବୀଙ୍କୁ କହିଲେ ,"ତୁମେ ଗଲ ଯାଇ ସେ ପିଲାଟିକୁ ବୁଝାଅ।" ସରିତା ଦେବୀ କହିଲେ ,"କାହିଁକି ଯିବି? ତୁମ ପୁଅ ଯାହା କହିଲା ତୁମେ ସେଥିରେ ଚାଲିଗଲ। ଆରେ ଆକାଶ ,ତୋ ପାଇଁ କେତେ ଭଲ ଘରୁ କେତେ ଝିଅଙ୍କର ପ୍ରସ୍ତାବ ଆସିଛି। ତୁ ଶେଷରେ ଏଇଠି ଅଟକିଲୁ।" ଆକାଶ କହିଲା ,"ମାଆ ,ମୁଁ ଆଜି ଯଦି ତୁମ ଆଗରେ କଥା ହେଉଛି ତାହା କେବଳ ନୀଳିମା ପାଇଁ। ଯଦି ସେଦିନ ସେ ମୋତେ ଦେଖି ସେହି ବେଳାଭୂମିରେ ଛାଡି ଚାଲି ଆସିଥାନ୍ତା ,ତୁ ମୋତେ ଜୀବିତ ଦେଖିନଥାନ୍ତୁ। ତୁ ମୋତେ ଜନ୍ମ ଦେଇଛୁ ,ନୀଳିମା ମୋତେ ପୁନର୍ଜନ୍ମ ଦେଇଛି। ତୋ ପ୍ରତି ଯେତିକି କର୍ତ୍ତବ୍ୟ ରହିଛି ନୀଳିମା ପ୍ରତି ମଧ୍ୟ ସେତିକି କର୍ତ୍ତବ୍ୟ ରହିଛି। ମୃତବତ୍ ଶରୀରକୁ ସେ ଆଉ ଭାଇ ମିଶି ସଚଳ କରାଇଛନ୍ତି। ତେଣୁ ମୋର ଏହି ପ୍ରତିଟି ନିଶ୍ୱାସ ନୀଳିମାଙ୍କ ପ୍ରତି ଋଣୀ।" ଆକାଶର ପ୍ରତିଉତ୍ତରରେ ସରିତା ଦେବୀ କହିଲେ ,"ହଁ ,ମୁଁ ମଧ୍ୟ ସ୍ୱୀକାର କରୁଛି ଯେ ସେ ଆମର ବଡ଼ ଉପକାର କରିଛନ୍ତି। କିନ୍ତୁ ତା ଅର୍ଥ ନୁହେଁ ଯେ ତୋର ଯିଏ ଉପକାର କରିବ ,ତୁ ତାକୁ ବିବାହ କରିନେବୁ।"
ଆକାଶ ମାଆଙ୍କର ଏପରି ବ୍ୟବହାର ଦେଖି ବସନ୍ତ ବାବୁ ମହିଆକୁ କ୍ଷମା ପ୍ରାର୍ଥନା କଲେ ଓ ସରିତା ଦେବୀଙ୍କୁ କହିଲେ ,"ବୟସ ଯୋଗୁଁ ବୋଧେ ତୁମର ବୁଦ୍ଧିଭ୍ରଷ୍ଟ ହୋଇଗଲାଣି। ତା ନହେଲେ ତୁମେ ଏପରି କହୁନଥାନ୍ତ । ଗୋଟିଏ ବୋଲି ପୁଅ ଆମର। କାଳିଆର କୃପା ହେବାରୁ ଏ ଝିଅ ଆକାଶକୁ ମରଣ ମୁହଁରେ ଦେଖି ଘରକୁ ଆଣି ସେବା ଯତ୍ନ କରି ବଞ୍ଚାଇଲେ। କିନ୍ତୁ ତୁମେ ତାଙ୍କର ଘରେ ଛିଡା ହୋଉ ତାଙ୍କୁ ଅପମାନିତ କରିବା ଭଳି କଥା କହୁଛ । ଚିନ୍ତା କରି ଦେଖ ଆଜିକାଲି ରାସ୍ତାରେ ଦୁର୍ଘଟଣାଟିଏ ହେଲେ ଲୋକେ ଦେଖି ନଦେଖିବା ପରି ଚାଲିଯାଉଛନ୍ତି। ଏମାନେ ତ ବିନା କିଛି ସ୍ୱାର୍ଥରେ ଅଜଣା ଲୋକଟି ପାଇଁ କେତେ କଷ୍ଟ କରିଲେ। ଯିଏ ପର ପାଇଁ ଏତେ ଚିନ୍ତା କରେ, ନିଜ ପରିବାର ପାଇଁ ସେ କ'ଣ ନକରିବ ! ଆମ ଜୀବନ ଆଉ କେତେଟା ବର୍ଷ। ସେତିକି ଯଦି ଖୁସିରେ ରହିବାକୁ ଚାହଁ ,ତାହେଲେ ନୀଳିମାକୁ ବୋହୁ କରିନେବା ଉଚିତ ହେବ।"
ମହିଆ କିଛି କହିବାକୁ ଯାଉଥିବା ସମୟରେ ତା ସ୍ତ୍ରୀ ତାକୁ ବାହାରକୁ ଡାକି ଆଣି ଧୀରେ କହିଲା ,"ତୁମର ସୁଖ ଦିନ ଦେଖିବାକୁ ଇଚ୍ଛା ନାହିଁ କି ନୀଳିମାକୁ ସୁଖରେ ରଖିବାକୁ ଇଛା ନାହିଁ। ସରଗର ଚାନ୍ଦ ଧରା ଦେବାକୁ ପ୍ରସ୍ତୁତ କିନ୍ତୁ ତୁମେ ଯେ ଅଭାଗା ତାକୁ ଦୂରଦୂର କରୁଛ। ସେ ଏତେ ବଡ଼ ଲୋକ , ସେମାନେ କ'ଣ ତୁମ ଭାରକୁ ଅନାଇ ବସିବେ। ଆଉ ତୁମେ ଭଉଣୀକୁ କେତେ ଦିନ ସାଇତି ରଖିବ। ନା ସେ ସୁନ୍ଦର ନା ତୁମ ପାଖେ ଧନ ଅଛି ଯେ ଭଲ ଘର ଖୋଜିବ। ତୁମେ ଯେଉଁ ସମ୍ମାନ କଥା କହୁଛ ,ସେ ସବୁ କି କାମକୁ। ତୁମେ ନୀଳିମା ଦୁଆରକୁ ନଗଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ। ମୋ କଥା ମାନ। ସେମାନେ ତ ରାଜି ତୁମେ ମନା କରନା। ଅନ୍ତତଃ ନୀଳିମା କଥା ଟିକିଏ ଭାବ।"
ମହିଆ ଆଉ କିଛି ନକହି ଭିତରକୁ ଗଲା। ସେତେବେଳେ ବସନ୍ତ ବାବୁ ସରିତା ଦେବୀଙ୍କୁ ବୁଝାଇ ବୁଝାଇ ବିରକ୍ତ ହୋଇ ବସିଥାନ୍ତି।ସରିତା ଦେବୀ କାନ୍ଦୁଥାନ୍ତି। ଏସବୁ ଦୃଶ୍ୟ ଦେଖି ମହିଆ ଆକାଶକୁ କହିଲା ,"ବାବୁ ,ବାଧ୍ୟବାଧକତାରେ କୌଣସି ସମ୍ପର୍କ ଗଢି ହୁଏ ନାହିଁ। ଆପଣଙ୍କ ମାଆଙ୍କର କଥା ମାନନ୍ତୁ। ଆପଣ ମାନେ ଏପରି ଯୁକ୍ତିତର୍କ ନକରି ମୋ ଉପରେ ସନ୍ତୁଷ୍ଟ ହୋଇ ଫେରିଯାଆନ୍ତୁ।"
କିଛି ସମୟ ପରେ ବସନ୍ତ ବାବୁ ,ସରିତା ଦେବୀ ଆକାଶକୁ ନେଇ ନିଜ ଘରକୁ ଫେରିଗଲେ। ମହିଆର ଚାଳ ଘରଟିରେ ଅଖଣ୍ଡ ନୀରବତା ଚିରି ନୀଳିମାର କଇଁକଇଁ କାନ୍ଦ ଭାସି ଆସୁଥାଏ। ଆକାଶ ଯିବା ପରେ ବସ୍ତିର ଲୋକେ ନୀଳିମାକୁ ନେଇ ନାନା ପ୍ରକାର କଥା ହେଉଥାନ୍ତି।କେହି କହୁଥାଏ 'ଏତେ ଭଲ ଝିଅଟିଏ ଭାବୁଥିଲୁ ,ହେଲେ ଦେଖ ଗୋଟିଏ ଦିନରେ ବାବୁ ଘରେ ଝଗଡା କରେଇଦେଲା।' ଆଉ କେହି କହୁଥାଏ ' ଶେଷରେ ନୀଳିମା ର ରଙ୍ଗ ଯେମିତି ଗୁଣ ବି ସେମିତି ହେଲା।'
କିଛି ଦିନ ପରେ ବସନ୍ତ ବାବୁ ଓ ସରିତା ଦେବୀ ନୀଳିମା ଘରେ ପହଞ୍ଚିଲେ। ସରିତା ଦେବୀ ହାତରେ ନୀଳିମା ପାଇଁ ଗହଣା ଭରା ବ୍ୟାଗ୍ ସହ ପାଟ ଶାଢ଼ୀ ଓ ପାଟ ଓଢଣୀଟିଏ ଧରିଥାନ୍ତି। ମହିଆ ସେତେବେଳେ ସମୁଦ୍ର ଭିତରକୁ ଯିବାକୁ ବାହାରି ଥାଏ। ବସ୍ତି ଲୋକେ ଦୁଇଟି କାର୍ ଦେଖି , ଆସି ମହିଆ ଦୁଆରକୁ ଅନାଇ ରହୁଥାନ୍ତି। ମହିଆ ଖୁସିରେ ଆକାଶର ବାପାମାଆଙ୍କୁ ଘର ଭିତରକୁ ପାଛୋଟି ନେଲା। ସରିତା ଦେବୀ କହିଲେ ,"ଶୁଭବେଳା ପାଖେଇ ଆସିବ।ଆଜି ଆଉ ସମୟ ନାହିଁ।" ଡ୍ରାଇଭର କୁ ଚାହିଁ କହିଲେ ,"ତୁ ଭାଇଙ୍କୁ ସେ ପୋଷାକ ଦେଇଦେ।ସେମାନେ ଶୀଘ୍ର ପ୍ରସ୍ତୁତ ହୋଇ ମଣ୍ଡପକୁ ବାହରନ୍ତୁ।" ମହିଆ କିଛି ବୁଝି ନପାରି ବୋକା ଙ୍କ ଭଳି ଚାହିଁଥାଏ। ବସନ୍ତ ବାବୁ କହିଲେ ,"ବୁଝିଲ ପୁଅ ,ଆଉ କିଛି ବୁଝିବା ବୁଝାଇବା କୁ ସମୟ ନାହିଁ। ଆଜି ଦିନ ୧୨ଟା ୩୦ରୁ ୧.୪୫ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳା ଅଛି। ଆମେ ମଣ୍ଡପ ସାଜସଜା କରି ସାରିଛୁ। ଶୀଘ୍ରତା କାରଣରୁ ନିର୍ବନ୍ଧ ସେହି ବେଦୀ ରେ ହିଁ କରାଯିବ। ତୁମେମାନେ ଶୀଘ୍ର ପ୍ରସ୍ତୁତ ହୁଅ। ଆଉ ନୀଳିମାକୁ ସଜାଇବା ପାଇଁ ଝିଅଟିଏ ଆସିଛି।"
ମହିଆ ନିଜ କାନକୁ ବିଶ୍ୱାସ କରି ପାରୁନଥାଏ। ସ୍ୱପ୍ନ ଟିଏ ଆସି ଛିଡା ହୋଇଗଲା କି ? ସତରେ ତା ଭଉଣୀ ଆଜି ବୋହୁ ବେଶରେ ଏତେ ବଡ଼ ଘରେ ବୋହୁ ହେବାକୁ ଯାଉଛି। ଆଖିରୁ ଖୁସିରେ ଲୁହ ବହିଯାଉଥାଏ। ହାତରେ ନିଜ ପାଇଁ ,ସ୍ତ୍ରୀ ପାଇଁ ଦାମୀ ପୋଷାକ ଧରିଥାଏ। ଜୀବନରେ ପ୍ରଥମ ଥର ପାଇଁ ହାତରେ ଏସବୁ ଧରିଥାଏ।
ଶେଷରେ ସମସ୍ତେ ମିଶି ବିବାହ ମଣ୍ଡପ ଅଭିମୁଖେ ବାହାରିଗଲେ। କାର୍ ଦୁଇଟି ଯାଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲା।ପାଟ ଓଢଣା ଫାଙ୍କରୁ ନୀଳିମା ଦେଖୁଥାଏ ସେହି ସୁସଜ୍ଜିତ ମଣ୍ଡପଟିକୁ। ଖୁସି ଓ ଭୟ ର ମିଶ୍ରଣରେ ଏକ ଭିନ୍ନ ଅନୁଭୂତି ସାଉଣ୍ଟି ରଖୁଥାଏ। ଆଖି ଦୁଇଟି ଖୋଜି ବୁଲୁଥାଏ ସେହି ଦେବସମ ପୁରୁଷଟିକୁ ,ଯେ ସମୁଦ୍ର କୂଳିଆ ନୀଳିମାକୁ ନେଇ ଆସି ଆକାଶର ନୀଳିମା ରେ ସଜାଡି ଦେଲେ। ହାତରେ ଧରାଇ ଦେଲେ ଅଜସ୍ର ଖୁସି। ସରିତା ଦେବୀ ନିଜେ ନୀଳିମାକୁ ନେଇ ଏକ କକ୍ଷରେ ବସାଇ ଦେଲେ। କକ୍ଷରେ ଥିବା ବଡ଼ ଆଇନାରେ ନୀଳିମା ନିଜକୁ ଦେଖି ବିଶ୍ୱାସ କରିପାରୁ ନଥାଏ। ପ୍ରତିବିମ୍ବକୁ ଦେଖି ଭାବୁଥାଏ ସତରେ କ'ଣ ମୁଁ ଏତେ ସୁନ୍ଦର !! ଅଜାଣତରେ ଓଠରେ ହସଟିଏ ଖେଳିଗଲା।ସରିତା ଦେବୀ ହସି ଦେଇ ଅତି ସ୍ନେହରେ ତାକୁ ସେଠାରେ ବସାଇ ଉପସ୍ଥିତ ଅତିଥିମାନଙ୍କ ଅଭ୍ୟର୍ଥନା ପାଇଁ ବାହାରକୁ ଚାଲିଗଲେ।
କିଛି ସମୟ ପରେ ଆକାଶ ଅଜାଣତରେ ସେହି କକ୍ଷକୁ ଚାଲିଆସିଲା। ନୀଳିମାକୁ ଦେଖି ଫେରି ଯାଉଯାଉ ଅଟକି ଗଲା।ନୀଳିମା ଏକ ସୁନ୍ଦର ଚିତ୍ର ପ୍ରତିମା କିମ୍ବା ପଥର ଦେହରେ ଖୋଦେଇ ଦେବୀ ମୂର୍ତ୍ତି ପରି ମନେ ହେଉଥାଏ। ଫେରିଯାଉଥିବା ଆକାଶ ନୀଳିମାକୁ ପ୍ରେମ ଭରା ଆଖିରେ ଦେଖୁଥାଏ। ଆକାଶକୁ ଦେଖି ନୀଳିମା କୃତଜ୍ଞତାରେ ଧନ୍ୟବାଦ ଜଣାଇବାକୁ ଯାଇ କହିଲା ,"ବାବୁ ,ଆପଣଙ୍କୁ ଅଶେଷ ଧନ୍ୟବାଦ।" ଆଉ କିଛି କହିବାକୁ ଯାଉଥାଏ ଆକାଶ ତା ଗୋଲାପୀ ଓଠରେ ଧୀର ଚୁମ୍ବନଟିଏ ଆଙ୍କିଦେଇ କହିଲା ,"ଆଉ କିଛି ସମୟରେ ତୁମେ ସବୁଦିନ ପାଇଁ ଆକାଶର ନୀଳିମା ହୋଇଯିବ। ବାବୁ ଡାକିବାର ଆବଶ୍ୟକ ନାହିଁ। ମୋ ଉପରେ ତୁମର ସମ୍ପୂର୍ଣ୍ଣ ଅଧିକାର ରହିବ।"ଏତିକି କହି ଆକାଶ ବାହାରକୁ ଚାଲିଗଲା ଓ ନୀଳିମା ମନରେ ଛାଡି ଦେଇଗଲା ଏକ ମିଠା ଅଲିଭା ଛାପ।
ନୀଳିମା ମନରୁ ପୁରୁଷ ଜାତି ପ୍ରତି ଥିବା ଭ୍ରାନ୍ତ ଧାରଣା ଟିଏ ଦୁରେଇ ଯାଇଥିଲା। ପୁଲକିତ ମନରେ ନୀଳିମା ଭାବୁଥିଲା ସବୁ ପୁରୁଷ ଦେହ ଲୋଭୀ,ଅର୍ଥଲୋଭୀ ନୁହଁନ୍ତି। ଏଇତ କିଛି କ୍ଷଣ ପୂର୍ବରୁ ସେ ଦେଖୁଥିଲା ପୁରୁଷଟିଏ ,ଯେ ଗୋଟିଏ ଦିନର ହୃଦୟର ସମ୍ପର୍କକୁ ନାମ ଦେବା ପାଇଁ ତତ୍ପର ଥିଲେ ।ସେ ଥିଲା ସେହି ପୁରୁଷ ନିକଟରେ ସମ୍ପୂର୍ଣ୍ଣ ସୁରକ୍ଷିତ।
ନୀଳିମାର ଭାଉଜ ଓ ସରିତା ଦେବୀ ଆସି ନୀଳିମାକୁ ବିବାହ ମଣ୍ଡପକୁ ନେଇ ଅତିଥିମାନଙ୍କ ସହ ପରିଚିତ କରାଇଲେ। ଧାର୍ଯ୍ୟ ସମୟରେ ବୈଦିକ ରୀତିନୀତିରେ ଆକାଶ ଓ ନୀଳିମା ସାତ ଜନ୍ମର ସାଥି ରୂପେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ।ବିବାହ ସମାପନ ହେବା ପରେ ନୀଳିମା ବିଦାୟ ନେଇ ଆକାଶ ଘରକୁ ଯାଉଥାଏ। ଅତି ଆପଣାର ଭାଇ ଠାରୁ ଦୂରେଇ ଯାଉଥିବାରୁ ଆଖିରେ ଅଜସ୍ର ଲୁହର ଲହରୀ ଖେଳୁଥାଏ। ଆକାଶ ନୀଳିମାକୁ ନିଜର ରୁମାଲଟି ବଢ଼ାଇ ଦେଲା।ନୀଳିମା ଲୁହ ପୋଛି ଦେଖେତ ଆକାଶର ସଫେଦ୍ ରୁମାଲରେ ତା ଆଖିର କଜଳ ଲାଗିଗଲା। ମନ ବ୍ୟସ୍ତରେ ତା କାନ୍ଦ ମଧ୍ୟ ବନ୍ଦ ହୋଇଗଲା। ଆକାଶ ନୀଳିମାର ଏ ଅବସ୍ଥା ଦେଖି ମନେମନେ ଖୁବ୍ ହସୁଥାଏ। ନୀଳିମା କହିଲା ,"ଏତେ ସୁନ୍ଦର ରୁମାଲରେ କଜଳ ଲାଗିଗଲା। ମୁଁ ସଫା କରି ଦେବି।" ଆକାଶ ନୀଳିମା ହାତରୁ ସଙ୍ଗେ ସଙ୍ଗେ ରୁମଲ୍ ଟିକୁ ଛଡାଇ ନେଇ ଅତି ଯତ୍ନରେ ନିଜ ପକେଟରେ ରଖିନେଲା।
ଆକାଶର ଏହି ବ୍ୟବହାର ଦେଖି ନୀଳିମା ତା କାନ ପାଖେ କହିଲା ,"ସବୁଦିନ ପାଇଁ ମନେ ରହିବ ଏ ଗୋଟିଏ ଦିନର ପ୍ରେମ କାହାଣୀ ।"

