ଗଞ୍ଜେଇ ଓ ମଦ।
ଗଞ୍ଜେଇ ଓ ମଦ।


(ଏହା ଏକ ରମ୍ୟରଚନା, କାହାକୁ ଆକ୍ଷେପ ବା ଆକ୍ରୋଶ ମୂଳକ ଭାବେ ଏହି ଗଳ୍ପ ରଚନା କରାଯାଇ ନାହିଁ। ସମାଜ ସଚେତନ ଏହି ଗଳ୍ପର ମୂଳ ଉଦ୍ଦେଶ୍ୟ।)
ଏଡେବଡ ମନ୍ତ୍ରୀ, ସିଏ କଣ ଏମିତି ଆଣ୍ଡୁ ପାଣ୍ଡୁ ଲୋକଙ୍କ କଥା ଶୁଣିବେ.. ନା' ଶୁଣି ଗୁରୁତ୍ୱ ଦେବେ।
ବ୍ୟକ୍ତିଗତ ସଚିବ ଅଛନ୍ତି, ପୁରୁଖା ମନ୍ତ୍ରୀ ଅଛନ୍ତି, ଆଖିଆ ପାଖିଆ କୁଜିନେତା ଅଛନ୍ତି, ସେମାନେ ଏମିତି କିଛି ହେଲେନି?
ଏଇ ଛୋଟ ଲୋକମାନେ ଉପଦେଶ ଦେବେ
ବିରୋଧୀ ମାନେ ଉପଦେଶ ଦେବେ
ମିଡିଆ, ସୋସିଆଲ ମିଡିଆ, ପ୍ରିଣ୍ଟ ମିଡିଆ କୁକୁର ଭୁକିଲା ଭଳି ଭୁକିଲେ, ଦୁନିଆଁ ଆକ୍ଷେପ କଲେ ତାଙ୍କର କଣ ହେଇଯିବ?
ହାତୀ ଯାଉଛି ମଜ୍ଜାରେ, କୁକୁର ଭୁକୁଛି ହଜାରେ
ଆଜ୍ଞା, ବୁଝି ପାରୁନାହାନ୍ତିକି?
ମୁଁ ଏଇ ପୂଜାରୀ ଆଜ୍ଞା କଥା କହୁଥିଲି। ସିଏ ନିଷ୍ପତ୍ତି ନେଇଛନ୍ତି ମାନେ ଓଡ଼ିଶାରେ ମଦ ବୃଦ୍ଧି ହବ ହିଁ ହବ।
କିହୋ, ଜଣେ ମଦୁଆ ସାଙ୍ଗେ ସାଙ୍ଗେ ମଦ ଛାଡିଦେଲେ ମାନସିକ ବିକୃତି ହେଇଯିବନି?
ସାଇଡ଼ ଇଫେକ୍ଟ ପଡି ତା'ଅବସ୍ଥା ଢିଲା ହେଇଯିବନି?
ମଦ ଦୋକାନ ଟିଏ ଖୋଲିଲେ ଏମିତି କଣ ଢୋ ହେଇଯାଉଛି କି?
ମଦ ଦୋକାନ ପାଖରେ ଚିକେନ୍ ପକୋଡା ବିକି ଲୋକ ଗୁଜୁରାଣ ମେଣ୍ଟାଉଛନ୍ତି,
ଚଣା, ଚାଖଣା ବିକି ଲୋକ ଗୁଜୁରାଣ ମେଣ୍ଟାଉଛନ୍ତି, ୟୁଜ ଆଣ୍ଡ ଥ୍ରୋ ଗ୍ଲାସ ଵାଲା, ମିଶ୍ଚର, ସିଗାରେଟ, ପାଣିପାଉଚ୍ଚ ଵାଲା ସମସ୍ତେ ନିଜ ନିଜ ପେଟପାଟଣା ଚଳେଇ ନେଉଛନ୍ତି।
ଯୋଉମାନେ ମଦ ବୃଦ୍ଧିକୁ ବିରୋଧ କରୁଛନ୍ତି, ସେମାନେ କଣ ଉପରୋକ୍ତ ଶ୍ରେଣୀର ଲୋକମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବେ?
ଖାଲି ତୁଚ୍ଛାରେ ଫଡ ଫଡ ହେଉଛନ୍ତି ନାଉଁ ମଦ ବୃଦ୍ଧି ହେବ ହେବ ହେବ
ରେଳ ଗାଡ଼ିରେ ଯାତ୍ରା କରୁଥିବା ସୋନପୁରର ଜଣେ ଯାତ୍ରୀଙ୍କର ପୂଜାରୀ ଆଜ୍ଞାଙ୍କ ସପକ୍ଷରେ ଏସବୁ ଯୁକ୍ତି ଥିଲା।
ଯାତ୍ରୀ ଜଣକ ମୋତେ ପଚାରିଲେ ଭାଇ ତମର ଘର କୋଉଠି?
ମୁଁ ଉତ୍ତର ଦେଲି, ଆମଘର ନୟାଗଡ଼
ହଁ ହଁ ହଁ, ସାହୁ ବାବୁଟି ସାହୁବାବୁ ଭାରି ଭଲ ଲୋକ।
ତାଙ୍କ କଥା ଶୁଣି ମୋ ଛାତି ଚଉଡା ହୋଇଗଲା। ମନେ ମନେ ଭାବିଲି ବାବୁ, ଏଥର ମୋ ପାଳି।
ମୁଁ ପୁରାଣରୁ, ଇତିହାସରୁ ଆରମ୍ଭ କଲି। ହନୁମାନ ସମୁଦ୍ର ଡେଇଁ କେମିତି ଲଙ୍କା ଗଡ଼ ଯାଇଥିଲେ ଜାଣିଛ?
ଉତ୍ତର ମିଳିଲା - ନାହିଁ
ମହାତ୍ମା ଗାନ୍ଧୀଙ୍କ ଶ୍ୱାସ ରୋଗ ଥିଲା, ସେ କେମିତି କଣ୍ଟ୍ରୋଲ କରୁଥିଲେ ଜାଣିଛ?
ଯାତ୍ରୀ ଜଣକର ଏଥର ବି ଉତ୍ତର ଥିଲା ନା
ଶୁଣ, ସବୁ ସେଇ ଗଞ୍ଜେଇର କରାମତି।
ଗଂଜେଇରେ ଗଞ୍ଜେଇ,
ମନକୁ ଦେଉ ରଂଜେଇ।
ତୋତେ ଖାଇ ହନୁମନ୍ତ
ସାଗର ଲଙ୍ଘିଲେ
ଗଞ୍ଜେଇ ଟିକିଏ ନ ଟାଣିଥିଲେ ହନୁମାନ ଏଡେବଡ କାର୍ଯ୍ୟ ସଫଳ କରିପାରି ନଥାନ୍ତେ। ସେ ପରା ଶିବଙ୍କ ଗୋଟିଏ କଳା।
ଆଉ ଗାନ୍ଧୀ ବୁଢା ଗୋଟିଏ ଛେଳି କାହିଁକି ରଖିଥିଲେ? ଶ୍ୱାସ ରୋଗ ପାଇଁ ସେ ଛେଳି କ୍ଷୀର ସାଙ୍ଗକୁ ଗଞ୍ଜେଇ ସେବନ କରନ୍ତି। ଏ ଦ୍ୱୟର ସମିଶ୍ରଣ ଶ୍ୱାସ ରୋଗ ପାଇଁ ମହୈଷୋଧି ଅଟେ।
ଗାଁରେ ତ୍ରିନାଥ ମେଳା ହେଉଛି?
ପ୍ରମୁଖ ପ୍ରସାଦ ହେଲା ଗଞ୍ଜେଇ,
ଶ୍ରାବଣ ମାସର ସୋମବାର
କାଉଡ଼ିଆ ମାନଙ୍କର ମୁଖ୍ୟ ପ୍ରସାଦ ହେଲା ଗଞ୍ଜେଇ।
ଦେବ ଦେବ ମହାଦେବଙ୍କ ପ୍ରମୁଖ ପ୍ରସାଦ ହେଲା, "ଗଞ୍ଜେଇ"
ଦୁଇଶ ଟଙ୍କାର ମଦ ପିଇଲେ, 3/4 ଘଣ୍ଟାରେ ଛାଡି ଯିବ। ଟଙ୍କା ଦଶୁଟାର ବଟା ଭଙ୍ଗ ଟିକିଏ ସାଙ୍ଗକୁ ଛେନା ଅଳ୍ପ ହେଲେ ନିଶା ଘାରୁଥିବ ଯେ ଘାରୁଥିବ.. ଫୁଲ 24ଘଣ୍ଟା।
ଏଇ ଆମ ଜାଗା ଘର କଥା ଜାଣିଛ?
ଜଗନ୍ନାଥଙ୍କୁ ସୁରକ୍ଷା ଦେବାପାଇଁ ଏହି ଜାଗାଘର ନିର୍ମାଣ କରାଯାଇଥିଲା। ଏଥିର ମଲ୍ଲ ମନେ କି ଡେଣା କରିଛନ୍ତି ଦେଖିଛ କି ନାହିଁ? ସବୁ ସେଇ ବଟା ଭଙ୍ଗାର କରାମତି।
ଦୁଇ ପେଗ ମଦ ପିଇଲେ, ମଦୁଆ ଏମିତି ହଙ୍ଗାମା ମଚାନ୍ତି : ଘର, ସାହି, ଗାଁ ଦୁଲୁକି ଉଠେ। କୁକୁର ଆଗରେ ଯେମିତି ମାଂସ ରଖିଲେ, ମାଂସ ଥିବ କିନ୍ତୁ ମାଂସ ଛାଡି କୁକୁର ପରସ୍ପର କାମୁଡ଼ା କାମୁଡି ହେଉଥିବେ, ଖାଇବା କମ୍ ଆଉ ଭୁକିବା ବେସି। ଠିକ୍ ମଦୁଆଙ୍କ ଅବସ୍ଥା ସେଇଭଳି।
କିନ୍ତୁ
ଦଶ ଜଣ ଏକାଠି ବସି ଗଞ୍ଜେଇ ଟାଣିଲେ ବି ସୁର ଶବଦ କିଛି ଶୁଭେନି।
ଛେଳିକୁ ଡାଳ ଦେଲେ ଯେମିତି ଡାଳ ଖାଇ ସେମାନେ ପାକୁଳି କରିବାରେ ଲାଗନ୍ତି କିଛି ଉତ୍ପାତ ନାହିଁ, କିଛି ବ୍ୟୁତ୍ପାତ ନାହିଁ ଗଂଜୋଡଙ୍କ ଅବସ୍ଥା ସେଇୟା।
ପ୍ରକୃତ ପକ୍ଷେ କହିବାକୁ ଗଲେ ଗଞ୍ଜେଇ ଏକ ଔଷଧୀୟ ବୃକ୍ଷ। ଏଥିରେ ଔଷଧୀୟ ଗୁଣ ଭରି ରହିଛି।
ଏତକ ଶୁଣୁ ଶୁଣୁ ଭାଇ ଜଣକ ମୋତେ କୁଣ୍ଢେଇ ଧରିଲେ। ଆଖିରୁ ତାଙ୍କର ଆନନ୍ଦାଶ୍ରୁ ବହିଯାଉଥାଏ।।
ମଉକା ଦେଖି ଆଉ ଟିକିଏ ଛୁଙ୍କ ମାରିଦେଲି, ଭାଇ ସାହୁ ବାବୁ ହରିବା ଲୋକ ନୁହଁନ୍ତି। ପୂଜାରୀ ଆଜ୍ଞା ଯେମିତି ଘରେ ଘରେ ମଦ ଯୋଜନା କରିଛନ୍ତି, ସାହୁବାବୁ ସେମିତି ଗାଁ ଗାଁ ରେ ତ୍ରିନାଥ ମଣ୍ଡପ ଯୋଜନା କରିବେ।
ଗଞ୍ଜେଇ ଚାଷର ଉନ୍ନତି ପାଇଁ ଆୱାରନେସ କରିବେ।
ଚାଷୀକୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ।
ସବ୍ସିଡି ଘୋଷଣା କରିବେ।
"କୃଷି କଲେ ଉନ୍ନତ
ସକଳ ଉନ୍ନତ।" ର
ନାରା ଆହୁରି ଶାଣିତ କରିବେ।
କୃଷକର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ପର୍ଯ୍ୟନ୍ତ ଗଞ୍ଜେଇ ଚାଷ ପାଇଁ ଅବିରତ ଚେଷ୍ଟା କରିବେ।
ବ୍ରହ୍ମପୁର ଷ୍ଟେସନ ପାଇ ଆସୁଥାଏ। ସୋନପୁର ଭାଇଙ୍କୁ ବିଦାୟ ମାଗିବାର ବେଳ ଉପନୀତ। ଅଭିବାଦନ ଜଣାଇ ଟ୍ରେନରୁ ଓହ୍ଲାଉ ଓହ୍ଲାଉ ମୋ ମୋବାଇଲ ନମ୍ବର, ଘର ଠିକଣା ସବୁ ଲେଖି ରଖିଲେ। କହିଲେ ସାହୁବାବୁଙ୍କୁ ସୁପାରିଶ କରି ତୁମ ପାଇଁ ଗୋଟିଏ ମାନପତ୍ରର ବ୍ୟବସ୍ଥା କରିବି।
ମୁଁ ତ ପକ୍କା ନୟାଗଡିୟା,
ରୋକ ଠୋକ୍ କହିଦେଲି,
ଗଞ୍ଜେଇ ଚାଷ କି ଜୟ
କୃଷି କର୍ମଣୀ କି ଜୟ