KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ଗଳ୍ପାୟନ-09 (Nine) ଭୁଲ କାହାର : କାହାଣୀ: ନାଟୁଆ ନରି -ଡକ୍ଟର କୃତ୍ତିବାସ ନାୟକ

ଗଳ୍ପାୟନ-09 (Nine) ଭୁଲ କାହାର : କାହାଣୀ: ନାଟୁଆ ନରି -ଡକ୍ଟର କୃତ୍ତିବାସ ନାୟକ

12 mins
279



ସମୁଦ୍ରକୁ ଲାଗି ସାତଭାୟା ଅଞ୍ଚଳର ଅଖ୍ୟାତ ପଲ୍ଲୀଟିଏ | ସେଇଠି ମକରନ୍ଦ ବେହେରା ଓରଫ ମକରାର ଘର | ବୈତରଣୀ ନଈର ମୁହାଣରେ ସେ ନାଆ ଚଳାଏ | ବଡ଼ ନାଆରେ ତାକୁ ସାହାଯ୍ୟ କରେ- ତା' ବଡ଼ଭାଇର ପୁଅ ମୁକୁନ୍ଦ ଓରଫ ମକୁ | ଭିତରକନିକାରୁ ସେ କେତେଥର ଚାନ୍ଦବାଲିକୁ ନାଆ ଚଳେଇ ଆସିଛି ପୁଣି ଫେରିଛି | ମକୁ ମଙ୍ଗ ଉପରେ ବସି ଆହୁଲାଟାକୁ ତେଡ଼େଇକରି ଧରେ | ମକରା ଲମ୍ବା ବାଉଁଶରେ ତିଆରି କାତଟାକୁ ଆଣ୍ଟକରି ନଈର ତଡ଼କୁ ଢିଅଟାଏ ମାରି ନାଆରେ ଏ'ପଟରୁ ସେପଟକୁ ଚାଲିଗଲେ, ନାଆଟା ଛାଏଁ ଛାଏଁ ଆଗକୁ ମାଡ଼ିଚାଲେ |

ଜୁଆରିଆ ନଈରେ ତ ନାଆ ଚଲେଇବା ଭାରି ସହଜ | ମକୁ ଆହୁଲାଟିକୁ ଠିକଭାବରେ ଧରିଥିଲେ ହେଲା | ମକରା ନାଆକୁ ମାତ୍ର କାତଟାକୁ ଧରି ଠିଆ ହେଇଥାଏ | ନାଆଟା ଆପେ ଆପେ ଭାସି ଆସି ଆଗକୁ ଚାଲିଯାଏ | ଜୁଆର ଛାଡ଼ିବାବେଳେ ପୁଣି ସେ ନାଆକୁ ଫିଟେଇ ଦିଏ | ପାଣି ସୁଅ ଆଉ ପବନ ମିଶି ନାଆକୁ ସେଇମିତି ତଳକୁ ନେଇଯାଏ | ଖୁବ କମ୍ ପରିଶ୍ରମରେ ତା' ନାଆ ବୈତରଣୀ ନଈକୁ ପାରି ହେଇଯାଏ | ଦେଖିବା ଲୋକଙ୍କୁ ସିନା ଡର, କିନ୍ତୁ ମକରା ଆଉ ମକୁକୁ ଲାଗେ ଏସବୁ ସାମାନ୍ୟ କଥା | ନାଆରେ ତଳେଇ ଲାଗିଛି | ପବନ ଦିଗକୁ ଦେଖେଇଦେଲେ ତ ହେଲା | ସେଇ ନାଆରେ ଗୋଟିଏ ପଟରେ ଚାଳ ଛପର କୁଡ଼ିଆଟିଏ ତ ଅଛି | ତା' ଭିତରେ ବେଞ୍ଚ ଭଳି କାଠପଟା ବିଛା ହେଇଛି, କାଠୁଆ ଥୁଆ ହେଇଛି | ନାଆ ଭିତରକୁ ପାଣି ଝରିଲେ, ସେଥିରେ ବୋହିଦେଇ ହୁଏ | ରୋଷେଇ ସରଞ୍ଜାମ କିରୋସିନ ଷ୍ଟୋଭ, ଦୁଇଟା ବାଲତି, ଥାଳି, ଗିନା, ଡେକିଚି, କଡ଼େଇ ଓ ଦିଆସିଲ ଲଣ୍ଠନ ବି ଅଛି | ସେଇଟା ହେଉଛି-ଦାଦି ପୁତୁରା ଦୁଇଜଣଙ୍କର ଘର ଆଉ ସଂସାର |

ମକରାର ନିଜଘରେ ପିଲାଛୁଆଙ୍କୁ ତ ଶୋଇବାକୁ କି ବସିବାକୁ ଜାଗା ହେଉନାହିଁ, ସେଇଥିପାଇଁ ସେ କେବେଠାରୁ ଏଇ ନାଆରେ ଶୋଇବା ଅଭ୍ୟାସ କରି ଦେଇଛି | ଘରୁ ଆସିବାବେଳେ ମକରା ଗଉଣିଏ ଚାଉଳ, ସାରୁ, ଦେଶୀଆଳୁ, ପୋଇନାଡ଼ି କି ବାଇଗଣ ଦିଇଟା ଧରି ଆସିଥାଏ | ମକୁ ତାକୁ ବାଗେଇକି ରାନ୍ଧେ | ଦି'ଜଣ ମିଶି ପେଟେଲେଖା ଖାଇ ସେଇ ନାଆରେ ଶୋଇପଡ଼ନ୍ତି | ପୁତୁରା ମକୁ ଟିକେ ଆଇଁଷ ପ୍ରିୟ | ସେ ଖଣ୍ଡେ ଖେପାଜାଲ ଆଣି ନାଆରେ ରଖିଛି | ତା' ମନହେଲେ, ନଈରେ ସେ ଖେପାଜାଲ ପକେଇ କରାଣ୍ଡି, କଣ୍ଟିଆ, ଚିଙ୍ଗୁଡ଼ି ଧରି ପକାଏ | ଲଙ୍କାଗୁଣ୍ଡ ପକେଇ ତାକୁ ରାଗଝୋଳ କରେ | ସେଦିନ ତାକୁ ଭାତ ଅଣ୍ଟେନାହିଁ |

ବର୍ଷଯାକ ତ ସେ ଚାନ୍ଦବାଲିରୁ ବେପାରିଙ୍କ ସଉଦାପତ୍ର ବୋହି ଆଣେ | ଯାହା ମିଳେ, ସେଥିରେ ତା'ବଡ଼ ପରିବାର ଭାରି କଷ୍ଟରେ ଚଳନ୍ତି | ବାହାଘରିଆ ଲଗ୍ନ ଫିଟିଲେ, ଯାହା ଭଲ ଦି'ପଇସା ଆସେ | ସେଥିରେ ପିଲାଙ୍କର ଲୁଗାପଟା କିଣାଯାଏ | ଝିଅ, ଝିଆଣି ବିଦା କି ପୂନେଇଁ ପର୍ବରେ ସେ ଅଳି କରି ଅଧିକ ଦି'ପଇସା ପାଏ | ବର ଯିବା କଥା ହେଲେ, ସେ କାହାରି ପ୍ରତି ଦୟା-ମାୟା ଦେଖାଏ ନାହିଁ | ଦୁଇ ହଜାର କି ତିନି ହଜାର ଟଙ୍କା ଝାଙ୍କେ | ତା'ର ଯୁକ୍ତିହେଲା -ତମେ କ'ଣ ଆଉଥରେ ବାହା ହବ କି ? ଯାହା ମୁଁ ଏଇଥରକ ନେବି | ତମର ଆମର ଆଉ କେବେ ଦେଖାହେବ, ଠିକନାହିଁ |

ଦିନେ ଏଇମିତି ଗୋଟାଏ ଭଲ ବାହାଘରିଆ ପାର୍ଟି ସେ ପାଇଗଲା | ଏକାଥରେ ଦୁଇ ହଜାର ଟଙ୍କା | ସେ ତରବର ହେଇ ଘରକୁ ଯାଇ ତା'ସ୍ତ୍ରୀ ହାତରେ ଧରେଇ ଦେଲା | ଭାବିଥିଲା, ତା' ସ୍ତ୍ରୀ ଏତେଗୁଡ଼ାଏ ଟଙ୍କାକୁ ଦେଖି କହିବ- "ଆଜିକ ତମେ ରାତିରେ ରହିଯାଅ, ମୁଁ ଭଲକି ମାଛ ତରକାରୀ ରାନ୍ଧି ତମକୁ ଖାଇବାକୁ ଦେବି |"

କିନ୍ତୁ ତା' ସ୍ତ୍ରୀ ଟଙ୍କା ବିଡ଼ାଙ୍କୁ ଧରି ଗର୍ଜି ଉଠିଲା- "ହଇହେ ! ତମେ ତ ଦିନରାତି ସେ ନାଆରେ ରହିଲ, ଏଣେ ଘରବୁଡ଼ି ପାଣି ଆଣ୍ଠୁଏ ହେଲାଣି | ତମେ କିଛି ଜାଣି ପାରୁନ | ଟଙ୍କା ରୋଜଗାର କରି କ'ଣ କରିବ ?"

 -କ'ଣ ହେଇଛି, ମୁଁ ତ କିଛି ଜାଣି ପାରୁନାହିଁ |" ମକରା କହିଲା |

-"ତମେ ତ ଅଜଣା ଚାଉଳର ଭାତ ଖାଉଛ | ସାତ ଆଠଟା ଛୁଆ ଜନମ କରେଇ ଦେଇସାରି, ତାଙ୍କୁ ଏବେ ମୋ ବେକରେ ଝୁଲେଇଦେଇ ନାଆରେ ମାଛଝୋଳ ଖାଇ ନିଘୋଡ଼ ନିଦରେ ଶୋଉଛ | ତମ ଆଖିକୁ କ'ଣ ଦେଖାଯାଉ ନାହିଁ ? ଝିଅଟାକୁ ସତର ପୂରି ଏବେ ଅଠର ଚାଲିଲାଣି | ତା'ପାଇଁ ଗୋଟାଏ ରୋଜଗାରିଆ ବର ଠିକ କର | ଯେମିତିହେଲେ, ଏଇବର୍ଷ ତାକୁ ମୁଁ ଉଠେଇଦେବି | ଆଉ ସମ୍ଭାଳି ପାରିବି ନାହିଁ |"

-"ଇଏ କି କଥା କହୁଛ ? ଏଡ଼େ ବକଟେ ଝିଅକୁ ବାହା କରେଇ ଦେଲେ ସେ କ'ଣ ଘର ସଂସାର କରିପାରିବ ? ଯାଉ ଆଉ ଦୁଇ ଚାରିବର୍ଷ | ହାତରେ ଭଲକି ଦି'ପଇସା ହେଇଗଲେ, ଧୂମଧାମରେ ମୁଁ ତାକୁ ବାହା କରେଇଦେବି | ଏବେ ସେ ତୋ'ଠାରୁ ଘରର କାମଦାମ ଶିଖୁ |"

-"ସେ ସବୁ ଶିଖି ସାରିଲାଣି | ମୁଁ ଯାହା ଶିଖି ନ ଥିଲି, ତାକୁ ମଧ୍ୟ ଶିଖି ସାରିଲାଣି |"

 -"ଏମିତି କ'ଣ କହୁଛୁ ? ତୁ ତା'ର ମାଆ ନା' ଶତ୍ରୁ ଲୋ ?"

-"ତମେ ଯାହା ଭାବୁଛ ଭାବୁଥାଅ, କିନ୍ତୁ ତାକୁ ଏଇ ତିଥିରେ କୋଉଠି ହେଲେ ବାହା କରେଇ ଦିଅ | ମୁଁ ଭଲରେ ଭରେ ତମକୁ କହିଦେଲି |"

-"କ'ଣ ହେଇଛି ? ମୋତେ ଖୋଲିକରି କହୁନୁ ?"

 -"କ'ଣ ଆଉ କହିବି ? ତାକୁ ପେରମ ନିଶା ଘାରିଲାଣି | ଗାଆଁର ଟୋକା ତା' ଉପରେ ଖରାପ ନଜର ପକେଇଲେଣି | ଆଉ ତାକୁ ରଖେଇ ବସେଇ ଦେଉନାହାନ୍ତି | ଏ'ଟୋକି ବି କିଛି କମ ନୁହଁ | ସେ ବଙ୍ଗାଳି ଦୋକାନକୁ ଯାଇ ଫୁନରେ କାହା ସହିତ ଗପୁଛି | ସାଇ ପଡ଼ିଶାର ଲୋକେ କୁହାକୁହି ହେଲେଣି, ସେ କାଳେ ବଙ୍ଗାଳି ଦୋକାନୀ ପୁଅକୁ ଭଲ ପାଉଛି | ମୁଁ ତାକୁ ଆଉ ଜଗିରଖି ପାରିବି ନାହିଁ | ତମେ ନିଜେ ଆସି ଘରେ ରୁହ | ତମର ବଢ଼ିଲା ଝିଅକୁ ସମ୍ଭାଳ |"

-"ହଉ, ଆଜି ମୁଁ ନଈକୁ ଯାଉଛି | ସେଠି ମକୁ ଏକୁଟିଆ ଅଛି | ମୋତେ ଅପେକ୍ଷା କରି ବସିଥିବ | କାଲି ସକାଳେ ଆସି ମୁଁ ସେ କଥାର ସମାଧାନ କରିବି ? ତୁ ଆଉ ଏତେ ବଡ଼ପାଟିରେ ମୋ ଝିଅର ବଦନାମୀ କରନା |"

ମନ ଉଣାକରି ସେଦିନ ମକରା ନାଆକୁ ଫେରିଲା | ରାତିରେ କିଛି ଖାଇଲା ନାହିଁ | ସେ ମକୁକୁ କହିଲା -"ଆଜି ରାତିରେ ଆଉ ରୋଷେଇ କରିବା ଦରକାର ନାହିଁ | ଯାହା ଅଛି, ତାକୁ ତୁ ଖାଇଦେ | ମୋର ଦେହ-ମନ ଠିକନାହିଁ | ମନେମନେ ସେ ନିଜ ସ୍ତ୍ରୀକୁ ବହେ ଗାଳିଦେଲା- "ବଜାତ ମାଇକିନା, ନିଜ ଝିଅଟା ନାଆଁରେ ବଦନାମ କରିବାକୁ ତାକୁ ଲାଜ ଲାଗୁନାହିଁ | ତା'ର କଥା କହିବାର ଢଙ୍ଗ ନା' ରଙ୍ଗ ଅଛି ? ଘରେ ସାତ ଆଠଟା ପିଲା ଥାଉଥାଉ ବଡ଼ଝିଅଟାକୁ ଭଲରେ ରହିବାକୁ ଦେଉନାହିଁ | ସବୁ ମିଛକଥା, ମୋ ଝିଅର ଏମିତି କ'ଣ ହେଇଯାଇଛି ଯେ, ତାକୁ ଗାଆଁ ଟୋକା ରଖେଇ ବସେଇ ଦେଉନାହାନ୍ତି ? ସବୁମିଛ, ଆଉ ଡାହାମିଛ | କଲି ସକାଳେ ସବୁ ସତକଥା ଜଣା ପଡ଼ିଯିବ |"

ରାତି ପାହୁପାହୁ ମକରା ଘରକୁ ଯାଇ ଆଗ ବଡ଼ଝିଅକୁ ପାଖକୁ ଡାକି ତା' ଆପଦମସ୍ତକ ଲକ୍ଷ୍ୟକଲା | ମନେମନେ ଭାବିଲା -"ଏ' ଝିଅ ତ ମେଞ୍ଚଡ ପିଲାଟା | ତା'ର କ'ଣ ହେଇଯାଇଛି ଯେ, ଗାଆଁ ଟୋକାମାନେ ତାକୁ ରଖେଇ ବସେଇ ଦେଉନାହାନ୍ତି ? ତା' ମାଆଟା ମିଛେଇ | ତା'ପରେ ସେ ବଙ୍ଗାଳି ଦୋକାନ ଆଡ଼େ ବୁଲି ଆସିଲା | କାହାରିକୁ ଦେଖିବାକୁ ପାଇଲା ନାହିଁ | ନିଜ ସ୍ତ୍ରୀ ଉପରେ ବିରକ୍ତହେଇ କହିଲା-"ତୁ ଆଉଦିନେ ମୋ ଝିଅ ନାଆଁରେ ଏମିତି କଥା କହିବୁ ନାହିଁ | ମୋ ଝିଅ ଗୋଟାଏ ସୁନାମୁଣ୍ଡା |"

ମକରା ତା' ବଡ଼ଭାଇ କଥାକୁ ଭାରି ବିଶ୍ୱାସ କରେ | ତା' ପାଖକୁ ଯାଇ ସେ ଝିଅ ବିଷୟରେ ପଚାରି ବୁଝିଲା |

ବଡ଼ଭାଇ କହିଲା-"ତୋ ସ୍ତ୍ରୀ ଯାହା କହୁଛି, ତାହା ଅକ୍ଷରେ ଅକ୍ଷରେ ସତ | ଝିଅର ମନକଥାକୁ ମାଆ ହିଁ ଠିକ ଭାବରେ ବୁଝିପାରେ | ବଢ଼ିଲା ଝିଅ ଘରେ ରହିଲେ ବିପଦ | ଝିଅ ହେଉଛି ଘିଅ | ଘିଅକୁ ବେଶିଦିନ ରଖିଲେ, ରହଣିଆ ହେଇଯାଏ | ନ ହେଲେ ତାତି ପାଇଲେ, ତରଳି ଯାଏ | ତା'ର ବୟସ ହେଇଗଲାଣି | ବାପା-ମାଆଙ୍କୁ ନିଜ ପିଲାମାନେ କେବେ ବି ବଡ଼ ଦେଖାଯାଆନ୍ତି ନାହିଁ | କାଲି ରାତିରେ ତୋ ଝିଅ ସେ ବଙ୍ଗାଳି ଟୋକା ସାଙ୍ଗରେ କୁଆଡ଼େ ଯିବାକୁ ବାହାରି ପଡ଼ିଥିଲା, ମୋ ହାତରେ ଧରା ପଡ଼ିଗଲା ବୋଲି ଆଜି ତୁ ତାକୁ ଆଜି ଦେଖିବାକୁ ପାଇଲୁ | ମୋ କଥା ମାନ | ତାକୁ ଶୀଘ୍ର ହାତକୁ ଦି'ହାତ କରିଦେ, ନହେଲେ ଲାଜ ଅପମାନ ତୁ ସହି ପାରିବୁ ନାହିଁ |"

ବଡଭାଇର କଥା ଶୁଣି ମକରା ମୁଣ୍ଡକୁ ପିତ୍ତ ଚଢ଼ିଗଲା | ସେ କହିଲା-"ଭାଇ !ଏବେ ମୁଁ ଯାଉଛି ସେ ବଙ୍ଗାଳି ଟୋକାକୁ ମୂଳିଆ ଠେଙ୍ଗାରେ ପିଟି ତା' ମୁଣ୍ଡକୁ ଛତୁ କରିଦେବି | ଶଳାର ଏତେ ସାହସ ? ମୋ ଝିଅକୁ ସେ ନେଇଯିବାକୁ ବସିଛି ? ଆଜି ତାକୁ ମୁଁ ଖତମ କରିଦେବି | ଦେଖିବି କୋଉ ବୋପା ତା' ପିଠିରେ ପଡ଼ିବ |"

ମକରା ହାତକୁ ଧରି ବଡ଼ଭାଇ ବୁଝେଇଲେ-"{ଆରେ ମକରା ! ଏଇଟା ସମାଧାନର ଵାଟନୁହେଁ, ବରଂ ତୁ ଯାଇ ଜେଲରେ ରହିବୁ | ଛୁଆପିଲା ତୋର ଅନାଥ ହେଇଯିବେ | ଝିଅଗୁଡ଼ାକ ତୋର ଆଉ ବାହା ହେଇପାରିବେ ନାହିଁ | ମୋ କଥା ଶୁଣ, ଘରଢ଼ିଙ୍କି ତ କୁମ୍ଭୀର | ଆପଣା ସୁନା ତ ଭେଣ୍ଡି | ତୁ କାହାକୁ କ'ଣ କହିବୁ ? ତୋ'ଝିଅ ତାକୁ ଭଲପାଇ ଘରୁ ବାହାରି ଯାଉଥିଲା | ତାକୁ ଆଗ ଆକଟ କର | ସବୁଠାରୁ ଭଲହେବ, ଯେଉଁଠି ବର ମିଳୁଛି,ପଚାରି ବୁଝ, ତାକୁ ଶୀଘ୍ର ବାହା ଦେଇଦେ | ଆଉ ବାଉଁଶ ଥିବ ଯେ ବଇଁଶୀ ବାଜିବ |"

ବଡଭାଇର କଥା ତା' ମନକୁ ପାଇଲା | ସେ ରାଗରେ ସଁ ସଁ ହେଉଥିଲା | ପାଣିଢାଳେ ପିଇଦେବାରୁ ତା'ର ରାଗ ଶାନ୍ତ ହେଇଗଲା | ସେ ନାଆ ପାଖକୁ ଯିବା ପୂର୍ବରୁ କହିଗଲା-"ଭାଇ ! ଝିଅଟାକୁ ମୁଁ ଭାବୁଥିଲି, ସୁନାମୁଣ୍ଡାଟାଏ; କିନ୍ତୁ ଏବେ ଜାଣିଲି, ସେ ଗୋଟାଏ ଅଲକ୍ଷଣୀ | ଯେଉଁଠି ହେଲେ, କଣା, କୁଜା, ଛୋଟା କି ବୁଢ଼ାହେଉ, ଏଇ ଆଠଦିନ ଭିତରେ ତାକୁ ବାହା କରେଇଦେବି | ଆଜିଠାରୁ ଆଉ ତା'ମୁହଁ ଚାହିଁବି ନାହିଁ | ସେ ଘରୁ ବାହାରି ଗଲେ ହିଁ ମୁଁ ଯାଇ ଶାନ୍ତିରେ ରହିପାରିବି |"

ଦୁମଦୁମ ହେଇ ସେ ଘରୁ ବାହାରିଗଲା | ରାତିରେ କିଛି ଖାଇଲାନାହିଁ କି ନିଦରେ ଶୋଇପାରିଲା ନାହିଁ | ପାହାନ୍ତିଆ ଥଣ୍ଡା ପବନରେ ତାକୁ ଟିକେ ନିଦ ଆସିଯାଇଥିଲା |

ମକୁ ଦେଖିଲା ଦାଦାର ମତିଗତି ଠିକନାହିଁ | ସେ ତାକୁ ସାହସ କରି ଉଠେଇଲା ନାହିଁ | ଦିନ ଦଶଟା ବେଳକୁ ତା'ର ମନେ ପଡ଼ିଗଲା, ଆଜି ଗୋଟାଏ ଝିଅର ଭାର ଯିବ | ସେ ପାଖଗାଆଁର ନାଟୁଆ ନରିର ଲୋକେ ତାକୁ ଅପେକ୍ଷା କରି ରହିଥିବେ | ସେ ମକରାକୁ ଡାକି ମନେ ପକାଇଦେଲା | ମକରା ସଙ୍ଗେ ସଙ୍ଗେ ମୁଣ୍ଡରେ ଠେକା ବାନ୍ଧି କାତଧରି ବାହାରି ପଡ଼ିଲା | ଘାଟ ପାଖରେ ଲୋକେ ତାକୁ ଅପେକ୍ଷା କରି ରହିଥିଲେ | ଭାର ଥୋର ଚଢାଗଲା, ନାଆ ଚାଲିଲା | ସେହି ନାଆରେ ବସିଥିବା ନାଟୁଆ ନରିକୁ ମକରା ଭଲକରି ଜାଣେ | ହସ ମଉଜିଆ ମଣିଷଟିଏ | ଖୋଲା ହାତରେ ଖର୍ଚ୍ଚକରେ | ସେ କେବେ ନାଆ ଭଡ଼ା କରିଥିଲେ, ଦୁଇଶହ ଟଙ୍କା ଜାଗାରେ ଚାରିଶହ ଟଙ୍କା ଦେଇପକାଏ | ସବୁବେଳେ ମଉଜିଆ କଥାକହି ସେ ଲୋକଙ୍କୁ ହସାଏ |

ମକରାକୁ ଚାହିଁ ସେ କହିଲା-"ଆରେ ମକରା ! ତୁ ତ ଜାଣିଥିବୁ ମୋ ମାଇପଟା ପନ୍ଦରଦିନ ତଳେ ମରିଗଲା | ଶକ୍ତ ବେମାରିରେ ପଡ଼ି ରହିଲା ଯେ, ଗୁଡ଼ାଏ ପଇସା ଖର୍ଚ୍ଚ କଲି ସିନା, ସବୁ ବେକାର ପାଣିରେ ଗଲା | ଏବେ ଚାରିଟା ପିଲା ମୋ ବେକରେ ଛନ୍ଦା | ତାଙ୍କୁ ସମ୍ଭାଳିବାକୁ ଆଉ ମୋର ବଳ ନା' ବୟସ ଅଛି ? ତାଙ୍କ ଭିତରୁ କେହି ଜଣେ ବି ମଣିଷ ହେଇ ନାହାନ୍ତି ରେ |

ତୁ ତ ଜାଣିଛୁ, ମୁଁ ଟିକେ ନାଟୁଆ ମଣିଷ | ପିଲାଗୁଡ଼ାଙ୍କୁ କିଏ ଘରେ ସମ୍ଭାଳିଦେଲେ, ମୁଁ ଟିକେ ବାହାରେ ଯାଇ ନାଟ ତାମସା କରନ୍ତି | ସେଇଥିପାଇଁ ମୁଁ ଭାବୁଛି, ଦ୍ୱିତୀୟ ପକ୍ଷ ଗ୍ରହଣ କରିବି | ତୁ ଏତେ ଲୋକଙ୍କ ସାଙ୍ଗରେ ମିଳାମିଶା କରୁଛୁ | ତୋ' ନଜରରେ ଥିଲେ, ମୋତେ କହିବୁ | କୋଉ ଝିଅ ଯଦି ବାହା ନହେଇ ରହି ଯାଇଥିବ, କି ଗରିବ ଘର ଝିଅ ହେଇଥିବ | ମୁଁ ଦୁଇପକ୍ଷର ଖର୍ଚ୍ଚ ଦେଇ ବାହାହେଇ ପଡ଼ିବି |

ଜମିବାଡ଼ି ତ ଅଛି, ଗାଆଁରେ ପକ୍କାଘରଟିଏ ତୋଳି ଦେଇଛି | ଝିଅଟାକୁ ବି ବାହା ଦେଇଦେଇଛି | ଅମାରରେ ଧାନ ଭର୍ତ୍ତି ହେଇଛି | ବସ୍ତାରେ ମୁଗ ବିରି ବନ୍ଧାହେଇ ପଡ଼ିଛି | ଗାଈ ଗୋରୁଙ୍କ ପାଇଁ ଘରେ ଚାକର ଅଛନ୍ତି | ସେ ଖାଲି ମୋ ଘରଟାକୁ ସମ୍ଭାଳି ଦେଲେ ହେଲା | ଏଇମାସ ଭିତରେ ମୋତେ କାମ ସାରିଦେବାକୁ ହେବ | ନ ହେଲେ ପୁଣି ଗୋଟାଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ | ଶୀଘ୍ର ମୋତେ କନିଆଁଟିଏ ଦରକାର |

ନାଟୁଆ ନରିର କଥାଶୁଣି ମକରା ଭାବୁଥିଲା ତା' ଝିଅକଥା | ଏଇ ପାଖଗାଆଁର ଲୋକ ହେଇଥିବାରୁ ବୋଧହୁଏ, ସେ କାଲିର କଥାଟାକୁ ଶୁଣି ମୋତେ ଟିକଳେଇକି ଏମିତି କହୁଛି କି ? ନା' ସତରେ ସେ ତା'ମନର କଥାକୁ କହୁଛି ? ନାଇଁ, ମାଆ ମଙ୍ଗଳା ବୋଧହୁଏ, ମୋ ଡାକ ଶୁଣି ନାଟୁଆ ନରିକୁ ମୋ ପାଖକୁ ପଠେଇଛନ୍ତି |

କାତଟାକୁ ନାଆ ଉପରେ ଥୋଇଦେଇ ସେ ନରି ବେହେରା ପାଖରେ ଆସି ବସିଲା | ଫୁସଫୁସହେଇ କେତେ କ'ଣ କଥାହେଲା | ବିଡ଼ାଏ ଶହେ ଟଙ୍କିଆ ନୋଟ ଅଣ୍ଟାରେ ଖୋସିଲା | କଥା ଛିଡ଼ିଗଲା | କାଲି ମାଆ ବୁଢ଼ୀ ଜାଗୁଳାଇ ମନ୍ଦିରରେ ତା'ଝିଅର ବାହାଘର ହେଇଯିବ | ଗାଆଁଲୋକ କେହି ଜାଣିବେ ନାହିଁ | ବାହାଘରର ଯେତେ ବ୍ୟବସ୍ଥା ଖର୍ଚ୍ଚ ନାଟୁଆ ନରି ସବୁ କରିବ |

ଏଥର ମକରାର ମନ ପୂରା ହାଲୁକା ହେଇଗଲା | ସେ କାତକୁ ଉଠେଇ ନଈ ତଡ଼କୁ ଢିଏଲେଖା ମାରି ନାଆକୁ ଜୋରରେ ଚଳାଇଲା | ମନେମନେ କେତେ କ'ଣ ଭାବୁଥାଏ_" ଏ'ବର୍ଷ ବଡ଼ ଝିଅଟାକୁ ପାରି କରିଦେଲେ, ଆସନ୍ତା ବର୍ଷକୁ ସାନଝିଅଟାକୁ ସେମାନେ ବ୍ୟବସ୍ଥା କରି ବାହା କରିଦେବେ | ମୋର ଚିନ୍ତାଗଲା | ତାପରେ ଅନ୍ୟ ପିଲାମାନଙ୍କୁ ମଣିଷ କରିବା ଦାୟିତ୍ୱ, ତାଙ୍କର ଭଉଣୀ ଆଉ ଭିଣୋଇଙ୍କ ଉପରେ ଛାଡ଼ିଦେବି | ନାଟୁଆ ନରିର ସିନା ବୟସ ଟିକେ ବେଶି ହେଇଯାଇଛି, କିନ୍ତୁ ତା'ର ତ ଅସରନ୍ତି ଧନ ଅଛି, ଖୋଲା ମନ ବି ଅଛି | ଘରେ ଚାକର ବାକର ଅଛନ୍ତି | ଆଉ କ'ଣ ଦରକାର ?"

ଝିଆଣି ଭାର ଜିନିଷକୁ ଓହ୍ଲେଇଦେଇ ସେ ନରିସାଙ୍ଗରେ ଆହୁରି କେତେ କ'ଣ କଥାହେଲା | ମକୁ ନାଆର ମଙ୍ଗ ଉପରେ ବସି ଏ'ସବୁ ଲକ୍ଷ୍ୟ କରୁଥାଏ | ଜୁଆର ଛାଡ଼ିବା ସମୟକୁ ସେ ଅପେକ୍ଷା କରିପାରୁ ନ ଥାଏ | ଭରା ନଈରେ ପୁଣି ନାଆକୁ ଫିଟେଇଦେଲା | ମକୁ କହିଲା -"ଦାଦା ଆଉ ଅଧଘଣ୍ଟା ଅପେକ୍ଷା କର | ପାଣିଟା ଉପର ମୁଁହାହେଇ ଚାଲିଛି | ନାଆ ଚଳେଇବାରେ କଷ୍ଟ ହେବ |"

ମକରା କହିଲା- ଆରେ ! ଆମେ ଧୀରେଧୀରେ ଚାଲିଯିବା | ତୁ ଓହ୍ଲେଇ ପଡ଼ି ଦଉଡ଼ିକୁ ଧରି ନଈ କୂଳେ କୂଳେ ଚାଲ | ମୁଁ ବାଇଆଁ କାତ ମାରୁଛି | ଆମକୁ ଶୀଘ୍ର ଘରେ ପହଞ୍ଚିବାର ଅଛି | କାଲି ସକାଳେ ପରା ମୋ ଝିଅର ବାହାଘର ହେବ | ବର ଠିକ ହେଇଯାଇଛି | ଡେରିକଲେ ଚଳିବ ନାହିଁ |"

ସେଇୟା ହେଲା | ସଞ୍ଜ ପୂର୍ବରୁ ନାଆ ଘାଟରେ ଲାଗିଗଲା |

ନାଆରେ ମକୁ ରହିଲା | ମକରା ଘରକୁ ଯିବା ଆଗରୁ କହିଗଲା-"କାଠୁଆରେ ଗୋଟାଏ ବଡ଼ ମାଡୁଆ କଙ୍କଡା ଅଛି | ତେଲ ଲୁଣ ମସଲା ସବୁ ତ ଅଛି | ତାକୁ ଭାଙ୍ଗି ଭଲକରି ତରକାରି କରି ପେଟେ ଖାଇ ଶୋଇ ପଡ଼ିବୁ | ମତେ ଅପେକ୍ଷା କରିବୁ ନାହିଁ | ମୁଁ ଆଜି ରାତିଟା ଘରେ ରହିବି | ତୁ କାଲି ସକାଳୁ ଯାଇ ମାଆ ବୁଢ଼ୀ ଜାଗୁଳେଇ ମନ୍ଦିରେ ପହଞ୍ଚିବୁ | ସେଇଠି ବହୁତ କାମ ଅଛି | ବାହାଘର ଭୋଜିହେବ, ତୁ ବି ଖାଇବୁ | ହେଲା, ମୁଁ ଯାଉଛି |"

 ମକରା ଏକମୁହାଁ ହେଇ ଘରେ ପହଞ୍ଚିଗଲା | ଆଗ ତା' ବଡ଼ଭାଇ ପାଖକୁ ଯାଇ ନାଟୁଆ ନରି କଥା କହିଲା | ବଡ଼ଭାଇ ଗୁମମାରି ରହିଥିଲେ, ଭାବିଚିନ୍ତି କହିଲେ-"ଦେଖ ଝିଅଟା ତ ବଦନାମୀ ହେଇ ସାରିଲାଣି | ତାକୁ ଆଉ କୋଉ ବର ରାଜି ହେବ ? ତା' ଭାଗ୍ୟରେ ଯାହା ଅଛି, ସେଇୟା ହେବ | ନରି ଆମ ଜାତିର ଲୋକ | ତା' ବାପା ମୋ ବାପା ସାଙ୍ଗରେ ନାଆ ବୋହୁଥିଲା | ଏବେ ସିନା ବଡ଼ଲୋକ ହେଇଯାଇଛି | ବୟସଟା ଟିକେ ବେଶି ହେଇଯାଇଛି | ମୋରି ବୟସର ହବ | ନହେଲେ ଆଉ ସବୁ ଭଲ | ପଇସାବାଲା ଲୋକ | ଭଲ ଜିନିଷ କିଣି ଖାଉଛି, ଭଲରେ ଅଛି, ସେ ନିଶ୍ଚୟ ଢେରଦିନ ବଞ୍ଚିବ | ତୁ ଖାଲି ତୋ' ସ୍ତ୍ରୀକୁ ବୁଝେଇଦେଲେ ହେଲା |"

ମକରା ତା' ସ୍ତ୍ରୀକୁ ସବୁକଥା କହି ବୁଝେଇଦେଲା | ବିଡ଼ାଏ ଟଙ୍କା ତା' ହାତକୁ ବଢ଼େଇଦେଇ କହିଲା- "ଏବେ ଝିଅକୁ ମନେଇବା ଦାୟିତ୍ୱ ତୋର | ଆଉ କହିଦେବୁ ଯଦି ସେ କିଛି ଫେଚକାମୀ ବାହାର କରେ, ତା' ତଣ୍ଟିକି ଚିପି ନଈକି ପକେଇଦେବି | ବାହାଘର ସାରିବା ପର୍ଯ୍ୟନ୍ତ ସେ ଯେମିତି ଚୁପହେଇ ରହିବ | ସେ କଥା ତାକୁ କହିଦେବୁ |"

ମକରା ଝିଅ ଜାଣେ, ତା' ବାପା ଗୋଟାଏ ହାଣୁଆଁ-ରାକ୍ଷସ | ସେ ନିଶ୍ଚୟ ମୋତେ ମାରି ପକେଇବ | ଭାଗ୍ୟକୁ ଆଦରି ସେ ସକାଳୁ ବାପା-ବୋଉ ଆଉ ବଡ଼ବାପା ସାଙ୍ଗରେ ମିଶି ବୁଢ଼ୀ ଜାଗୁଳେଇ ମନ୍ଦିରରେ ପହଞ୍ଚିଲା |

ନାଟୁଆ ନରିର ବରଯାତ୍ରୀ ଦଳ ତା' ଆଗରୁ ଆସି ପହଞ୍ଚି ଯାଇଥିଲେ | ବାହାଘର ପାଇଁ ଯାହାଯାହା ଦରକାର ସେ ସବୁ ଆଣିଥିଲେ | ନାହାକ ପୁରୋହିତ ଆସି ଆସନ ପକେଇ ବସିଥିଲେ | ନୂଆ ପାଟଶାଢ଼ୀ, ସୁନା ଗହଣା ସହିତ କେତେ ରକମର ମନୋହରୀ ଜିନିଷ ଆଣି ସେମାନେ ମକରା ହାତକୁ ବଢ଼େଇ ଦେଇ ଝିଅକୁ ସଜେଇ ବେଦୀକୁ ପଠେଇବାକୁ କହିଲେ | ତେଣେ ମନ୍ଦିର ବାହାରେ ଖନ୍ଦା ଖୋଳାହେଇ ମାଛ, ମାଉଁସ ପଲାଉ ତିଆରି ଚାଲିଥାଏ | ପୁରୋହିତ ଘଣ୍ଟାକ ଭିତରେ ବାହାଘର କାମ ସାରିଦେଲେ |

ମାଆକୁ ଧରି ଝିଅ କାନ୍ଦି ପାରିଲା ନାହିଁ | ତା'ମାଆ ତାକୁ ବୁଝେଇ ଦେଲେ- "ନାଟୁଆ ନରି ଆମରି ଚିହ୍ନା-ଜଣା ଲୋକ, ଭାରି ଭଲ ମଣିଷ | ତୋର କିଛି ଅଭାବ ହେବନାହିଁ | ତା' ମନକୁ ନେଇ ଘର ସଂସାର କରିବୁ | ତା'ର ପିଲା ତ ବଡ଼ ହେଇଗଲେଣି | କିଛି ଝମେଲା ନାହିଁ | ତୁ ରାଣୀହେଇ ତା' ଘରେ ରହିବୁ | ମଣିଷ ବୁଢା ହେଇଗଲେ, କଷି କନିଆଁକୁ ବେଶି ଭଲ ପାଆନ୍ତି | ତୁ ସେଠିକି ଗଲେ, ଜାଣି ପାରିବୁ | କିଛି ଅସୁବିଧା ହେବନାହିଁ |"

ନିଜ ମାଆର ଏଭଳି ଅଲାଜୁକୀ କଥାଗୁଡ଼ାକ ତା'ଦେହ ଆଉ ମନରେ କଣ୍ଟା ଫୋଡ଼ିଲା ଭଳି ଲାଗୁଥିଲା | ଖିଆପିଆ ସାରି ବରଯାତ୍ରୀ ଦଳ କନ୍ୟାକୁ ନାଆରେ ବସେଇ ନେଇଗଲେ |

ଗାଆଁଲୋକ ବାହାଘର ବିଷୟରେ କିଛି ଟେର ପାଇଲେ ନାହିଁ |

ନାଟୁଆ ନରି ବରବେଶହେଇ ବୁଢ଼ା ଜୋକର ଭଳି ଦିଶୁଥିଲା | ସେ ତା' ନୂଆ କନିଆଁର ମଥାରୁ ଓଢଣୀ କାଢ଼ିଦେଇ ଚମକି ପଡ଼ିଲା |

ସେ ଏତେ ଜାଗା ବୁଲି ନାଟ କରିଛି | ଜୀବନ କାଳ ଭିତରେ କେତେ ଝିଅବୋହୂଙ୍କୁ ଦେଖିଛି, କିନ୍ତୁ ଏଭଳି ସୁନ୍ଦରୀ ଲାଜକୁଳୀ ଝିଅକୁ ସେ କେବେ ଆଗରୁ ଦେଖି ନ ଥିଲା | ଏତେ ସୁନ୍ଦରୀ ଯୁବତୀ କନିଆଁ ପୁଣି ତା' ଭାଗ୍ୟରେ ଥିଲା ? ସେ କଥା ସେ କଳ୍ପନା କରିପାରୁ ନ ଥିଲା | ସେ ଭଗବାନଙ୍କ ଉଦ୍ଦେଶ୍ୟରେ ଦୁଇହାତ ଯୋଡ଼ି ତାଙ୍କ ନିକଟରେ କୃତଜ୍ଞତା ଜଣାଇଲା |

 ତା'ପରେ ସେ କନିଆଁ ପାଖରେ ବସିପଡ଼ି ତାକୁ ମନେଇବା ପାଇଁ ଗେହ୍ଲେଇହେଇ ନାଟର ଗୀତଟି ଗାଇଦେଲା-

                                   "ତୁହି ତ ମୋହର ସୁନା ପାନିଆଁ,କଷି କନିଆଁ |

                              ତୋ'ପାଇଁ ହସିବ ମୋର ଦୁନିଆ |"

ଓଢ଼ଣୀଟାକୁ ମୁଣ୍ଡ ଉପରକୁ ଟେକିନେଇ କନିଆଁ କହିଲା-"ଏମିତି ଫାଲତୁ ଗୀତ ମୋତେ ଭଲଲାଗେ ନାହିଁ | ଆଜି ମୋର ଦେହ କି ମନ ଭଲନାହିଁ | ତମେ ଏ' ଘରୁ ଆଗ ବାହାରିଯାଅ |"

ନାଟୁଆ ନରିର ସରାଗ ଭାଙ୍ଗିଗଲା | ମନକୁ ମନ କହିଲା -"ହଉ, ଛୁଆଟା ତ, ଧୀରେ ଧୀରେ ବୋଲ ମାନିଯିବ ଯେ | ମୂଳରୁ ତାକୁ ତରକେଇ ଦେବା ଠିକ ହବନାହିଁ |"

ସେ ଘରୁ ନିଜେ ବାହାରି ଆସି ଛାତ ଉପରେ ଯାଇ ଶୋଇଲା |

ତା'ପରଦିନ ନରି କେତେ ପ୍ରକାର ନୂଆନୂଆ ଦାମୀ ଜିନିଷ ଆଣି କନିଆଁ ପାଖରେ କୁଢ଼େଇ ଦେଲା | ସେ ଭାବିଥିଲା, ଗରିବ ଘର ଝିଅ ତ, ଦାମୀ ଜିନିଷକୁ ଦେଖି ସବୁକିଛି ଭୁଲିଯିବ | ତା'କଥାକୁ ମାନି ତାକୁ ଟିକେ ଗେଲ କରିବାକୁ ସୁଯୋଗ ଦେବ, କିନ୍ତୁ କେଉଁଥିରେ କନିଆଁର ମନ ନଥାଏ | ସେ ନାଟୁଆ ନରିକୁ ମୋଟେ ଆଦରିଲା ନାହିଁ | ବରଂ ଭେଁ ଭେଁ ରଡ଼ିଛାଡ଼ି କାନ୍ଦିଲା | ନରିର ମନଟା ଦୁଃଖେଇ ଗଲା ସିନା,ସେଦିନ ଧୌର୍ଯ୍ୟଧରି ରହିଥିଲା |

ହଠାତ ନିଜ ଝିଅର ଦେହ ଖରାପ ଖବର ପାଇ ନରିକୁ ତିନିଦିନ ପାଇଁ ବାହାରକୁ ଯିବାକୁ ପଡ଼ିଲା |

ନାଟୁଆ ନରିର ବଡ଼ପୁଅ ସେହିଦିନ ଗୋଟାଏ ଦାମୀ ମୋବାଇଲ ଫୋନ ଆଣି ତା'ନୂଆ ମାଆକୁ ଉପହାର ଦେଲା | ସେଇ ଫୋନଟିକୁ ପାଇ ତା' ନୂଆ ମାଆ ମୁହଁରେ ହସ ଉକୁଟି ଉଠିଲା | ଏ'କଥା ଜାଣି ପରିବାରର ସମସ୍ତେ ଖୁସି ହେଇଗଲେ | ଯାହାହେଉ ନୂଆ ମାଆ ଆଜି ପ୍ରଥମ କରି ହସି କଥାବାର୍ତ୍ତା କରିଛି | ଫୋନଟା ପାଇଁ ସେ କାନ୍ଦୁଥିଲା ବୋଲି ଆଗରୁ କେହି ଜାଣି ପାରୁ ନ ଥିଲେ | ଏହି ଶୁଭ ଖବରଟା ପିଲାମାନେ ତା'ବାପାକୁ ଫୋନରେ ଜଣେଇଦେଲେ | ନାଟୁଆ ନରି ଦୂରରେ ଥାଇ ଆନନ୍ଦରେ ନାଚିଉଠିଲା | ଯାହାହେଉ ମୋ ପୁଅଟା ତା' ମନକଥାକୁ ବୁଝି ପାରିଲା | ପିଲାଙ୍କୁ ଫୋନରେ କହିଦେଲା-"ମୁଁ ଫେରିଲେ, ତାକୁ ଆହୁରି ଗୋଟାଏ ଦାମୀ ନୂଆ ମୋବାଇଲ ଫୋନ କିଣିଦେଵି | ଏ' କଥା ତୋ ନୂଆ ମାଆକୁ କହିଦେବୁ |"

ବଡ଼ପୁଅ ଲକ୍ଷ୍ୟ କରୁଥିଲା-ଏଇ ଦୁଇଦିନ ହେଲା-ନୂଆ ମାଆ ଏକୁଟିଆ ଘର କୋଣରେ ବସି ଫୋନରେ କାହା ସହିତ ଘଣ୍ଟା ଘଣ୍ଟା ଧରି କଥା ହେଉଛି | ଅନ୍ୟକେହି ପିଲା ସେ ଘରକୁ ଗଲେ, ସେ ଫୋନ କାଟି ଦେଉଛି | ଏଣେ ହସିହସି ସମସ୍ତଙ୍କ ସହିତ କଥା ହେଉଛି | ସେହିଦିନ ରାତିରେ ସମସ୍ତେ ଖାଇପିଇ ଖୁସିରେ ଶୋଇଲେ | ରାତି ପହିଲା ବେଳକୁ ସମସ୍ତେ ଦେଖିଲେ-ତାଙ୍କର ନୂଆ ମାଆ ତ ଘରେନାହିଁ | ବାଡ଼ି କବାଟ ମୁକୁଳା ହେଇପଡ଼ିଛି | ସମସ୍ତଙ୍କ ମନରେ ଛାନିଆଁ ପଶିଲା | ଝିଅଟା କୋଉଠି ଆତ୍ମହତ୍ୟା କରିଦେଲା କି ? ପିଲାମାନେ ଆଖପାଖ କୂଅ, ପୋଖରୀ, ଗଡ଼ିଆ ଖୋଜିଲେ | ସାଇ-ପଡ଼ିଶାଙ୍କୁ ପଚାରିଲେ | ବଡ଼ପୁଅ ତା' ବାପଘରକୁ ଯାଇ ଖୋଜି ଫେରିଲା | କୋଉଠି ହେଲେ, ପିଲାମାନେ ତାଙ୍କର ନୂଆ ମାଆକୁ ପାଇଲେ ନାହିଁ |

ନାଟୁଆ ନରି ଏହି ଖବର ପାଇ ତରବର ହେଇ ଗାଆଁକୁ ଫେରି ବୁଝିଲା-"ଗତ ରାତିରେ ଗୋଟାଏ ବଙ୍ଗାଳି ଟୋକା ମୋଟର ସାଇକଲ ଧରି ତାଙ୍କ ଗାଆଁ ମୁଣ୍ଡରେ ଠିଆ ହେଇଥିଲା |"

000



Rate this content
Log in

Similar oriya story from Classics