ଘାଣ୍ଟ
ଘାଣ୍ଟ
କି କୋରୋନା ଆସିଲା ଯେ ନୋ ହୋଟେଲ ନୋ ପାର୍ଟି । ମାମା ସବୁବେଳେ ସେଇ ଭାତଡାଲି ସେଇ ରୁଟି କ୍ଷୀର । ବୋର୍ ଲାଗିଲାଣି । କିଛି ଏକସାଇଟିଂ ଖାଇବାକୁ ନାହିଁ ।
ଆରେ ମୁଁ ପରା ଘରେ ଜଲେବି, ରସଗୋଲା, ପନିର୍, ମସରୁମ୍, ମଟରଚାଟ୍, ମୋମୋ ସବୁ କରି ଦଉଛି । ପୁଣି କଣ ହୋଟେଲର ଅଭାବ ରହିଗଲା ।
ଓ୍ଵାନ୍ ଇୟର୍ ହେଇଗଲାଣି.... ଟେଷ୍ଟବଡ୍ସ ମରିଗଲେଣି । ତମେ ଯାହା ରାନ୍ଧୁଛ କହୁଛ ଫ୍ଲାଟ୍ ଲାଗୁଛି । ମାକଡୋନଲଡ୍ ଟେଷ୍ଟ୍ ଅଲଗା, କେଏଫସି ଟେଷ୍ଟ୍ ଅଲଗା ।
ମୁଁ ଚୁପ୍ ରହିବା ଭଲ ଭାବିଲି । ଆଜିକାଲି ପିଲାଙ୍କୁ କୋଉଥିରେ ସାଟିସଫାଏ କରି ହେବନି । ଡିଫରେଣ୍ଟ୍ ଡିଜାଇନ ଉଇଅର୍ ପିନ୍ଧି ରେଷ୍ଟୁରାଣ୍ଟରେ ନଖାଇଲେ ଲାଇଫ୍ ବୋରିଂ ଲାଗୁଛି । ଗୋଟେ ଲେଖାଏଁ ହେଇଛନ୍ତି ଯେ ସବୁ ଡିମାଣ୍ଡ ପୂର୍ଣ୍ଣ କରାଯାଉଛି ।
ମନେ ପଡିଗଲା ପିଲାଦିନ କଥା । ଆମେ ଆଠ ଭାଈ ଭଉଣୀ । ବଡର ଜାମା ସାନ ପିନ୍ଧୁଥିଲା । ମୋ ଉପରେ ତିନି ତିନିଟା ଭାଈ ଯେ ସେମାନଙ୍କ ପିନ୍ଧା ହାଫ୍ ପ୍ୟାଣ୍ଟ ସାର୍ଟ୍ ମୁଁ ସବୁବେଳେ ପିନ୍ଧୁଥିଲି । ମତେ ଛୋଟ ହେଲେ ମୋ ସାନ ଭାଈ ଭଉଣୀ ବି ପିନ୍ଧୁଥିଲେ । ସମସ୍ତଙ୍କ ହଳେ ଲେଖାଏଁ ଭଲ ଡ୍ରେସ୍ ଥିଲା ବାହାରକୁ ପିନ୍ଧି ଯିବା ପାଇଁ । ବାପା କର୍ମକାଣ୍ଡ କରୁଥିଲେ । ଦିନେ ଦିନେ ଚାଉଳ ପରିବା ଓ ଟଙ୍କା ଆଣୁଥିଲେ । ସେଇଥିରେ ବୋଉ ଘର ଚଳଉଥିଲା । ବେଳେବେଳେ ବାପା ଦୂର ବାଟ ଯାଉଥିଲେ । ପନ୍ଦର ଦିନ ମାସେ ପରେ ଫେରନ୍ତି । ଅବଶ୍ୟ ଆସିଲା ବେଳକୁ ବହୁତ ଜିନିଷ ଆଣିଥାନ୍ତି । କିନ୍ତୁ ସେଇ ମାସେ ପନ୍ଦର ଦିନ ବୋଉ ଭାରି କଷ୍ଟରେ ଘର ଚଳାଏ । ବର୍ଷକ ପାଇଁ ଚାଉଳ ଥାଏ, ତେଣୁ ଭାତ ହେଇଯାଏ । ବୋଉ ବାଡିଆଡୁ ଶାରୁ, ଓଲୁଅ, ଶାରୁ ପତ୍ର, ବାଡିରେ ଲଗେଇ ଥିବା ଜହ୍ନି, ବାଇଗଣ, କଖାରୁ, ଅମୃତଭଣ୍ଡା ଆଦି ଯାହା ଗୋଟେ ଦିଟା ଫଳିଥାଏ ସବୁ ଆଣି ନଡ଼ିଆ ପକେଇ ବିନା ତେଲ ମସଲାରେ ସୁଆଦିଆ ଘାଣ୍ଟ କରିଦିଏ । କଦଳୀ ପତ୍ର ଧାଡ଼ି କରି ପକାଇ ଆମ ସମସ୍ତଙ୍କୁ ଏକାଠି ବାଢେ । ଆମେ ସମସ୍ତେ ଆନନ୍ଦରେ ଖାଉ ।
ଏବେ ସେସବୁ ସ୍ମୃତି ଟିକେ ହସ ଓ ଟିକେ ଲୁହ ଆଣି ଦଉଛି । ସେ ଘାଣ୍ଟ ସ୍ଵାଦ ଓ ଉଦର ଶାନ୍ତି ହଜାର ହଜାର ଟଙ୍କା ଦେଇ ରେଷ୍ଟୁରାଣ୍ଟରେ ଖାଇଲେ ବି ମିଳେନି । ମୋ ଝିଅ ଅବା କାହୁଁ ବୁଝିବ । ଡିମାଣ୍ଡ ଓ ଫୁଲଫିଲ୍ ଭିତରେ ଗ୍ୟାଫ୍ ନାହିଁ ।
ମାମା କଣ ସବୁବେଳେ ତୁମେ ଡ୍ରିମ୍ ଲ୍ୟାଣ୍ଡକୁ ପଳଉଛ ମ ... ମୁଁ ମଟନ୍ ବିରିୟାନି ଜୋମାଟୋରେ ଅର୍ଡର କରି ଦେଇଛି । କୋକ୍ ଓ ଚିକେନ୍ ପିଜା ବି ଅର୍ଡର କରିଛି । ତୁମେ ଇଭିନିଂ ସ୍ନାକ୍ସ ଓ ଡିନର୍ କଥା ଚିନ୍ତା କରନି । ଖାଲି ଅର୍ଡର ପହଞ୍ଚିଲା ପରେ ପେମେଂଟ କରିଦବ ।