ଗାନ୍ଧିବାଦୀ
ଗାନ୍ଧିବାଦୀ
ଆଖି ମୁଜି ହୋଇ ଆସିବା ପୂର୍ବରୁ ମୋହନ ଙ୍କୁ ଦେଖାଯାଉଥିଲା ଜଙ୍ଗଲୀ ହାତୀ ଟି ପାଖେଇ ଆସୁଛି. ମଣିଷମାନେ ଯେତେବେଳେ ତାଙ୍କୁ ଏମିତି ଅବସ୍ଥାରେ ଛାଡ଼ି ଚାଲିଯାଇପାରିଲେ ଏ ଜଙ୍ଗଲୀ ହାତୀ ପାଦ ରେ ଆଜି ନିଶ୍ଚୟ ଜୀବନ ଗଲା ଜାଣ. ସ୍ପଷ୍ଟ ମନେଥିଲା ମୋହନ ଙ୍କର. ବାପା ତାଙ୍କର ମାହୁନ୍ତ ଥିଲେ. ଜଙ୍ଗଲୀ ହାତୀକୁ ପୋଷା ମନେଇ ତା ଦ୍ୱାରା ଅନେକ କାମ କରି ତାକୁ କାବୁ କଲାବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସରକାରୀ ଜଙ୍ଗଲ ବିଭାଗ ମାହୁନ୍ତ ନବ ଘଡେଇ ଏକମାତ୍ର ପୁଅ ମୋହନ କୁ ମଣିଷ ପରି ମଣିଷ କରିବାକୁ ଲାଗିପଡ଼ିଥିଲେ. ନିଜେ ଓଦା ଗାମୁଛା ମୁଣ୍ଡରେ ଗୁଡେଇ, ଯାହି ତାହି ଖାଇ ଚଳି ଯାଉଥିଲେ ପଛେ ମୋହନ ଙ୍କ ସବୁ ଆବଶ୍ୟକତା ପୁରଣ କରିବାକୁ ପଛାଉ ନଥିଲେ. ମା ଛେଉଣ୍ଡ ମୋହନ କୁ ମା ନଥିବାର ଅଭାବ କେବେ ଦେଇନଥିଲେ ନବ ଘଡେଇ. ପୁଅ କେମିତି ଭଲ ପଢିବ, ବଢିବ ଓ ମଣିଷ ପରି ମଣିଷ ହେବ ଭାବି ନବ ଘଡେଇ ଦୁର୍ନୀତି ଠାରୁ ବହୁ ଦୂରରେ ଥିଲେ. ପୁଅ ମୁଁହଁ କୁ ଚାହିଁ ଯେମିତି ତା ପାଇଁ ସାବତ ମାଆ ଆଣିବା ଚିନ୍ତା କେବେ କରିନଥିଲେ ସେମିତି ଜଙ୍ଗଲୀ ହାତୀ ଓ ହାତୀମାନଙ୍କୁ ପୁତ୍ର ସଦୃଶ ଦେଖୁଥିଲେ. ସରକାରୀ ସ୍ତରରୁ ମିଳୁଥିବା ହାତୀ ଙ୍କ ପାଇଁ ସବୁକିଛି ସାହାଯ୍ୟ ଟଙ୍କା ହାତୀ ଙ୍କ ପାଇଁ ପ୍ରୟୋଗ ତଥା ନିୟୋଜିତ ଓ ଖର୍ଚ୍ଚ କରୁଥିଲେ. ତାଙ୍କରି ସାଙ୍ଗ ରେ ଥିବା ମାହୁନ୍ତ ମାନେ ଜଙ୍ଗଲୀ ହାତୀଙ୍କ ପାଇଁ ଆସୁଥିବା ଅନୁଦାନ ତଥା ସହାୟତା କୁ ହେରଫେର କରୁଥିଲା ବେଳେ ନବ ଘଡେଇ ଥିଲେ ଖାଣ୍ଟି ସୁନା. ପୁଅକୁ ମଧ୍ୟ କହିଥିଲେ କାନେ କାନେ ଦୁର୍ନୀତି ତଥା ଲାଞ୍ଚ ମିଛରୁ ବହୁ ଦୂରରେ ରହି ପ୍ରକୃତିରେ ଥିବା ପଶୁ ପକ୍ଷୀ ଙ୍କୁ ଭଲ ପାଇଲେ ଭାଗ୍ୟ କୋଉଠି ନେଇ କୋଉଠି ପହଞ୍ଚାଇ ଦେବ. କିନ୍ତୁ ବାପା ନବ ଘଡେଇ ଆଖି ମୁଜୁ ମୁଜୁ ପୁଅ ମୋହନ ଘଡେଇ କେଡେ ଚଞ୍ଚଳ ଭୁଲିଗଲେ ସେକଥା!
ପ୍ରେମିକାର ଆବଶ୍ୟକତା ସାଙ୍ଗକୁ ସ୍ତ୍ରୀ ର ଅନୁରୋଧ ରେ ଯାବତୀୟ ଜିନିଷ ଯୋଗେଇବାକୁ ଯାଇ ଲାଞ୍ଚୁଆ ହୋଇଗଲେ.ସେଥିରେ ପୁଣି ନିଜର ନିଶା ପାଣି ତାକୁ ଜଙ୍ଗଲ ବିଭାଗ ଫରେଷ୍ଟର ଚାକିରୀ ରୁ ଆସ୍ତେ ଆସ୍ତେ କାଠ ମାଫିଆ ବନେଇ ଦେଲା ତାଙ୍କ ପରିଚୟ. ବାପାଙ୍କ ଆଦର୍ଶ ଭୁଲିଗଲେ ମୋହନ. ପେସାରେ ନିଷ୍ଠା ଓ କର୍ମଠ ନରହି କାଠ ମାଫିଆ ଙ୍କ ଠାରୁ ଦୁଇ ପଇସା ଲାଞ୍ଚ ନେଉ ନେଉ କାମନା ଚରିତାର୍ଥ କରିବାକୁ ଯାଇ କେବେ ଓ କେତେବେଳେ ଚାକିରୀ ଛାଡ଼ି କାଠ ମାଫିଆ ହୋଇଗଲା ନିଜେ ଵି ଜାଣି କି ବୁଝି ପାରିଲେ ନାହିଁ. ତାଙ୍କର କେବଳ ଟଙ୍କା ଦରକାର ତାହା ପୁଣି ଯେ କୌଣସି ଉପାୟରେ. ନିଜକୁ ନିଶାଖୋର, ଜୁଆଡ଼ି, ଲାଞ୍ଚୁଆ କାଠ ମାଫିଆ ସଙ୍ଗେ ସାଙ୍ଗ ହୋଇ ଭୁଲିଗଲଲେ ଗଛ ଆମ ଜୀବନ. ଜଙ୍ଗଲ ର ପଶୁ ମାନଙ୍କ ପ୍ରାଚୀର ତଥା ପକ୍ଷୀମାନଙ୍କର ବାସସ୍ଥାନ ବା ଘର. ଭୁଲିଗଲେ ବାପାଙ୍କ ଆଦେଶ. ଭୁଲିଗଲେ ବାପା ଜଣେ ଗାନ୍ଧିବାଦୀ ମଣିଷ ଥିଲେ ବୋଲି.ସେ ମଣିଷ ପରି ମଣିଷ ହେବାକୁ ଯାଉ ଯାଉ କୋଉ କୁପଥ ରେ ପାଦ ଦେଇ ବାଟ ହୁଡ଼ିଲେ କେଜାଣି!ଆଜି ଵି ସେ ଅସୁସ୍ଥ ଦେହ ଓ ମନ ନେଇ ଜଙ୍ଗଲ ଧ୍ବଂସ କରିବାକୁ ଆସିଥିଲେ କିନ୍ତୁ ଫରେଷ୍ଟ ଅଫିସ ରୁ ଆସୁଥିବା ଫାଙ୍କା ଗୁଳି ଚାଳନା ରେ ସେହି ସହସାଥିମାନେ ତାକୁ ଅସୁସ୍ଥ ଜାଣି ମଧ୍ୟ ଛାଡ଼ିଦେଇ ଦଉଡି ଚାଲିଗଲେ ସହର ଭିତରକୁ.
ଏଣେ ମାରିଲେ ଜୀବହତ୍ୟା ସେଣେ ମାରିଲେ ଜୀବହତ୍ୟା ପରି କଥାଟି ପରି ଏବେ ମୋହନଙ୍କର ଅବସ୍ଥା. ଏପଟକୁ ଦଉଡି ପଳେଇବାକୁ ଶରୀର ଅନୁମତି ଦେଉନି. ସେପଟେ ଫରେଷ୍ଟ ଗାଡି ଆସି ଧରିନେଇ ଜେଲ ରେ ଠୁଙ୍କି ଦେଲେ ମଧ୍ୟ ଏବେ ନା ପ୍ରେମିକାର ହାତ ନା ସ୍ତ୍ରୀ ର ସାଥ ଥିଲା ତାଙ୍କ ପାଖରେ. ଏଣେ ପେଟ ର ଜ୍ୱାଳା ସାଙ୍ଗକୁ କୋଉଠିକୁ ଯାଇ ଜଳାଶୟ ସନ୍ଧାନ କରି ପାଣି ମୁନ୍ଦେ ପିଇବାକୁ ମଧ୍ୟ ଶକ୍ତି ନାହିଁ. ଆଖି ମୁଜି ହୋଇ ଆସିବା ବେଳକୁ ଦେଖୁଥିଲେ ମୋହନ. ଜଙ୍ଗଲୀ ହାତୀଟିଏ ଆଗପଟୁ ମାଡି ଆସୁଛି. ମୋହନ ଜାଣନ୍ତି ପରିଣତିର ଭୟାବହତା. ଆଖି ମୁଜି ହୋଇ ଆସିବା ପୂର୍ବରୁ ଦେଖିଲାବେଳକୁ ଦେହରେ ଓ ମନରେ ଶୀତଳତା. ହାତୀ ଟି ପାଖ ଜଳାଶୟ ରୁ ଶୁଣ୍ଢ ରେ ତାଙ୍କ ଉପରକୁ ପାଣି ଛାଟି ସାଷ୍ଟାଙ୍ଗ କରିବା ମୋହନ ନିଜ ଆଖିକୁ ବିଶ୍ୱାସ କରିପାରୁନଥିବା ବେଳେ ପିତୃପୁରୁଷ ହୋଇ ସାରିଥିବା ବାପାଙ୍କ ପୁଣ୍ୟ ବଳରେ ହିଁ ଏସବୁ ସମ୍ଭବ ବୋଲି ଭାବୁଥିଲେ. ଭାବୁ ଭାବୁ ଜଙ୍ଗଲୀ ହାତୀ ତା ଶୁଣ୍ଢରେ ନିଜ ପିଠିକୁ ଉଠେଇ ନେଇଥିଲା ମୋହନଙ୍କୁ. ହାତୀ ପିଠିରେ ବସିବା କୌଶଳ ରେ ପିଲାଦିନୁ ଅଭ୍ୟସ୍ତ ଥିବା ମୋହନ ଏବେ ନିଜକୁ ସହଜ ମଣୁ ଥିବା ବେଳେ ଜଙ୍ଗଲ ଶେଷ ମୁଣ୍ଡେ ପିଠିରୁ ଉତ୍ତାରି ଜଙ୍ଗଲୀ ରାଜା ଫେରିପଡୁଥିଲା ଜଙ୍ଗଲ ଭିତରକୁ. ଏଣିକି ମୋହନ ଆଉ ଲାଞ୍ଚଖୋର କାଠ ମାଫିଆ ନଥିଲେ ବରଂ କୋର୍ଟ ଅର୍ଡର ବଳରେ ପୁଣି ନିଯୁକ୍ତି ପାଇ ଚାକିରୀ କରିବା ସହ ମାତୃଭୂମି ର ସେବା ହିଁ ଜଙ୍ଗଲ ସୁରକ୍ଷା ରକ୍ଷା ବୋଲି ବୁଝିଯାଇଥିଲେ. କାଠ ଚୋରୀ ପରିବର୍ତ୍ତେ ବୃକ୍ଷ ରୋପଣ କରି ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ମୋହନ ପାଖକୁ ବାପାଙ୍କ ବଳକା ପୁଣ୍ୟ ଯୋଗୁଁ ବୋଧହୁଏ ସ୍ତ୍ରୀ ଫେରିଥିଲା ତ ସଂସାର ଗାଡି ଗଡି ଚାଲିଲା ସ୍ୱଚ୍ଛ ଓ ସତ୍ୟ ନ୍ୟାୟରେ. ଦୂରରୁ ଜାନୁଆରୀ ଛବିଶ ସ୍ଲୋଗାନ ଭିତରେ ପୁଅ ଟିଏ ପାଇ ମୋହନ ଭାବୁଥିଲା ପୁଅକୁ ବାପାଙ୍କ ପରି ଗାନ୍ଧିବାଦୀ ମଣିଷ କରିବ.
