STORYMIRROR

sumita behera

Abstract

2  

sumita behera

Abstract

ଏରୁଣ୍ଡି

ଏରୁଣ୍ଡି

2 mins
237


    

  ଏରୁଣ୍ଡି ଏପାଖେ ମେଞ୍ଚା ମେଞ୍ଚା ଅନ୍ଧକାର ଆଉ ସେପାଖେ ମୁଠା ମୁଠା ସ୍ୱପ୍ନର ପ୍ରକାଶ। ସେ ପ୍ରକାଶରେ ଆଖି ଝଲସିଯାଏ ଲୋପାର। ଏପାଖୁ ଥାଇ ହାତ ବଢ଼ାଏ ଟିକେ ଛୁଇଁଦେବାକୁ ତା ସ୍ବପ୍ନକୁ, ସେ ପ୍ରକାଶକୁ। ଠିକ ଛୁଇଁବ ଛୁଇଁବ ହେଲାବେଳକୁ ଦାଉ ସାଧେ ନିଦ, ବସ୍ତବତାକୁ ସାମ୍ନାରେ ଠିଆ କରେଇଦେଇ। ପୁଣି ସେଇ ପ୍ରକାଶକୁ ଛୁଇଁବା ଆଶାରେ ପ୍ରତି ରାତିରେ ସେ ନିଜକୁ ଆଉଁସି ଶୋଇପଡ଼େ।


   କୁଆଁରୀ ଜୀବନରେ କେବେ ନୀଲ୍ ସହ ଆଖି ମିଶେଇଥିଲା, ଗତ ଅଠର ବର୍ଷ ଧରି ସେ କଥା ଭୁଲି ଯାଇଥିଲା ଲୋପା। ସ୍ୱାମୀ ସନ୍ତାନ ସହ ସୁନ୍ଦର ଚାଲିଥିଲା ସଂସାର। କିନ୍ତୁ ହଠାତ ତା' ଗୀତ ଶୁଣି, ଟିଭିରେ ଦେଖି ପୁଣି ଥରେ ତା'କୁ ପାଇବାର ଆଶା କେଜାଣି କେମିତି ମନରେ ଧୀରେ ଧୀରେ ଘର କରୁଥିଲା ତା' ନିଜେ ବି ଜାଣି ପାରୁ ନଥିଲା। ତା' ପରେ ଫେସବୁକରେ ବନ୍ଧୁତ୍ବ। ଫୋନ୍ ରେ କଥାବାର୍ତ୍ତା ଖୁବ ଚାଲିଲା। ନିଲକୁ ଯେ ସେ କେତେ ଭଲପାଏ ଏକଥା ବି କହିଦେଲା। ଆଉ ନୀଲ ବି ସମ୍ମତି ଦେଲା। ସେତିକିରେ ତ ଆଉ ମନ ଶାନ୍ତି ହୁଏନି...। ତା' ପରେ ଟିକେ ଦେଖା ହେବାର ଲାଳସା। 


   ଏରୁଣ୍ଡି ଭିତରର ପ୍ରକାଶ ଲୋପା ପାଇଁ ଘନ ଅନ୍ଧକାର ସଦୃଶ ପ୍ରତୀୟମାନ ହେଲା। ଅଣ ନିଃଶ୍ୱାସୀ ହେଇଯାଉଥିଲା ସେ। ସ୍ୱାମୀଙ୍କର ସ୍ପର୍ଶ ଏବେ ତା'କୁ ବୃଶ୍ଚିକର ଦଂଶନ ପରି ପ୍ରତୀୟମାନ ହେଲା। ନୀଲ୍ କୁ ସେ ବାରମ୍ବାର ଏଇଆ ଜଣାଉଥିଲା ଯେ, ସେ ସ୍ୱାମୀ ଦ୍ୱାରା ରେପ୍ ହେଉଛି, ତା' ଇଛା ବିରୁଦ୍ଧରେ ବିବାହ କରିଦିଆ ଯାଇଛି, ସେ କେବଳ ନୀଲ୍ ର, ନୀଲ୍ ବିନା ବଞ୍ଚିପାରିବନି, ସେ କେବଳ ତାକୁ ହିଁ ଚାହେଁ....... ଆଉ ନୀଲ୍ ବି ସୁଯୋଗ ଦେଖି ତାକୁ ସିନ୍ଦୁର ଉପରେ ଆଉ ଥରେ ସିନ୍ଦୁର ପିନ୍ଧେଇ ଦେଲା।ପ୍ରେମ ଦେହଜ ହେବାକୁ ବେଶି ଡେରି ଲାଗିଲାନି। 


    ଲୋପା ଭାବିବାକୁ ଲାଗିଲା ନୀଲ ତା'ର ପସନ୍ଦ। ଯାହା ସହ ଘର ସଂସାର କରୁଛି ସେ ପିତମାତାଙ୍କର ପସନ୍ଦ। ନିଜକୁ କଇଁ ଓ ନୀଲ କୁ ଜହ୍ନ ଭାବିଲା ବେଳେ ଭୁଲିଗଲା ଯେ, ଜହ୍ନ ଗୋଟିଏ ନୁହେଁ କୋଟିଏ କଇଁକୁ ନିଜ ଜୋଛନା ରୂପକ ପ୍ରୀତିରେ ନିଇତି ଭିଜାଇ ପାରେ। ବାସ୍ତବତାକୁ ଛାଡି ସ୍ୱପ୍ନ ଦୁନିଆରେ ରହିବାକୁ ତାକୁ ବେଶି ଭଲ ଲାଗିଲା। ଏ ଦୁନିଆର ଯନ୍ତ୍ରଣା ତାକୁ ଅତି ଆପଣାର, ଅତି ମିଠା ମନେହେଲା। ନିଜକୁ ଆବଦ୍ଧ କରିନେଲା ନିଜର ସ୍ୱପ୍ନ ବଳୟ ଭିତରେ ଏବଂ ଏକ ଭିନ୍ନ ମଣିଷ ପାଲଟି ଯାଉଥିଲା ଧୀରେ ଧୀରେ। ଏତେ ସବୁ ପରେ ବି ଏରୁଣ୍ଡି ସେପାଖର ପ୍ରକାଶ ଲୋପା ପାଇଁ ଅପହଞ୍ଚକୁ ଅପହଞ୍ଚ ରହିଗଲା।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract