ଶୁଭ୍ରା ଗୌଡ

Romance

4.0  

ଶୁଭ୍ରା ଗୌଡ

Romance

ଏମିତି ଏକ ଅପେକ୍ଷାରେ

ଏମିତି ଏକ ଅପେକ୍ଷାରେ

4 mins
41



ଜହ୍ନ ରାତି। ଜୋସ୍ନା ର ଆଲୁଅ ଏବଂ ପବନ ର ଶୀତଳ ଛୁଆଁ ରେ ପୂର୍ଣ୍ଣିମାର ରାତି ଯାଏ ବିତି। କି ସୁନ୍ଦର ଦିଶେ ଜହ୍ନର ଆକୃତି। ଭାରୀ ମନଲୋଭା। ଶୁନସାନ୍ ରାତିର ଝଙ୍କାରି ଶବ୍ଦ ମନରେ ବାରମ୍ବାର ଭୟ ସୃଷ୍ଟି କରୁଥାଏ।


     ପ୍ରିୟା ମନ ମାନେନା। ସେ ଗହଳ ଚହଳ ଭିତରୁ ବାହାରି ଆସିଛି ଛାତ ଉପରକୁ। ତା ଆଖି କେବଳ ଚାହିଁ ରହିଛି ଜହ୍ନକୁ। କିଛି ଗୋଟେ ଅନବରତ ଭାବି ଚାଲିଛି। ଆଖିରେ ଆଖିଏ ଲୁହ। ସେ ଲୁହରେ ଅସୁମାରୀ ସ୍ୱପ୍ନ,ଆଶା,ପ୍ରତିଶୃତି ସବୁ କିଛି ଉଙ୍କି ମାରୁଛି ତା’ ମାନସ ପଟରେ। ହୃଦୟର କେଉଁ ଏକ କୋଣରେ ସୃଷ୍ଟି ହୋଇଛି ଦ୍ୱନ୍ଦ। ନିଜକୁ ପଚାରିଛି ବାରମ୍ବାର। ଯାହା କିଛି ଭାବୁଛି କ’ଣ ସେ ସବୁ ଠିକ୍? ହାତରେ ମୋବାଇଲ୍ ଧରି ଶେଷ ଥର ପାଇଁ ଚେଷ୍ଟା କରିଛି । ମେସେଜ୍ କରିଛି ଶୁଭଙ୍କର କୁ। ସବୁଦିନ ଭଳି ଏଥର ବି କିଛି ରିପ୍ଲାଏ ଆସିଲାନି। କଲ୍ କଲେ ବି ଲାଗେନା। କାହିଁକି ନା ସେ ବିଦେଶ ରେ ଏବେ। ବହୁତ୍ କାନ୍ଦିଛି ପ୍ରିୟା। ମନର କୋହ କୁ ମନରେ ଚାପି ରଖି ବହୁତ କଷ୍ଟ ପାଇଛି ସେ। କେତେବେଳେ ଜୀବନକୁ ଶେଷ କରିବାକୁ ଭାବିଛି ତ ଆଉ କେତେବେଳେ ବିରହର ନଇଁରେ ବୁଡିଯିବାକୁ ସ୍ଥିର କରିଛି।


    ପ୍ରିୟା ଓ ଶୁଭଙ୍କର ଦୁହେଁ କଲେଜ୍ ସମୟରେ ଭଲ ପଢୁଥିଲେ। ମେଧାବୀ ଛାତ୍ର, ଛାତ୍ରୀ ଥିଲେ। ପରସ୍ପରଙ୍କୁ ଭଲପାଉଥିଲେ। ଏକଥା କାହାକୁ ଅଛପା ନଥିଲା। ଯୁଆଡେ ବି ଗଲେ ଏକାଠି ଯାଉଥିଲେ। ସେ କଲେଜ୍ ହଉ କି ଟିଉସନ୍। ସାଥିରେ ପାର୍କ ବୁଲିବା,ଘଣ୍ଟା ଘଣ୍ଟା ଫୋନରେ ଗପିବା ଥିଲା ତାଙ୍କର ନିତିଦିନିଆ ଅଭ୍ଯାସ। ଏସବୁ ଦେଖି ସାହି,ପଡୋଶୀ ନାନା କଥା କୁହନ୍ତି ପ୍ରିୟାକୁ ଆକ୍ଷେପ କରି। କିନ୍ତୁ ପ୍ରିୟାର ସେସବୁ ରେ ଖାତିର୍ ନାହିଁ। ମନେ ମନେ ଶୁଭଙ୍କର କୁ ସ୍ୱାମୀର ଆସନରେ ସେ ବସାଇ ସାରିଛି। ହାତରେ ଶଙ୍ଖା ମଥାରେ ସିନ୍ଦୁର ନ ଥିଲେ କ’ଣ ହେଲା? ଶୁଭଙ୍କର ତା’ର ଇହକାଳ ପରକାଳ ର ଦେବତା। ମନେ ମନେ ସେ ମାନି ନେଇଛି। ହେଲେ ସାମାଜିକ ସ୍ୱୀକୃତି ବି ଜରୁରୀ। ସେଥିପାଇଁ ଶୁଭଙ୍କର କୁ ଚାକିରି ଟିଏ କରିବାକୁ ହବ। ପଢା ବି ସରି ଆସୁଥାଏ। ଭାଗ୍ଯକୁ ତା’ର କ୍ଯାମ୍ପସରେ ସିଲେକ୍ସନ୍ ହୋଇଛି। ଟ୍ରେନିଂ ପିରିୟଡ୍ ପରେ ତାକୁ ବିଦେଶରେ ପୋଷ୍ଟିଙ୍ଗ ହୋଇଛି। ତା ଖୁସିର ଆଉ ସୀମା ନାହିଁ। ପ୍ରିୟା ବି ବେଶ୍ ଖୁସି ଜଣାପଡୁଛି। ଏବେ ଯାହା ଖାଲି ଶୁଭଙ୍କର ସହ ତା’ର ବାହାଘର ଟା ବାକି ଅଛି। ଖୁସିରେ ତା ପାଦ ଆଉ ତଳେ ଲାଗୁନି। ନୂଆ ନୂଆ ଶୁଭଙ୍କର ଯାହା କଲ୍ କି ମେସେଜ୍ କରୁଥିଲା ପ୍ରିୟାକୁ। ଏବେ ସେତକ ବି ନାହିଁ।


ଇତି ମଧ୍ଯରେ ପାଞ୍ଚ ବର୍ଷ ବିତିଯାଇଛି। ପ୍ରିୟା ସେମିତି ଶୁଭଙ୍କର ବାଟ ଚାହିଁ ବସିଛି। କିନ୍ତୁ ଘରେ ଅପେକ୍ଷା କରିବାକୁ ନାରାଜ୍। ପ୍ରିୟା ପାଇଁ ପ୍ରସ୍ତାବ ଦେଖା ଚାଲିଛି। ଦେଖୁ ଦେଖୁ ଗୋଟେ ପ୍ରସ୍ତାବ ମନକୁ ବି ପାଇଯାଇଛି । ଉଭୟ ଘର ଲୋକ ରାଜି। ପ୍ରିୟାକୁ ଦେଖିବା ପରେ ସେ କୁଆଡେ ଭାରି ପସନ୍ଦ ପୁଅର। ତେଣୁ ଯଥା ସମ୍ଭବ ବାହାଘର କରିବାକୁ ଉଭୟ ପକ୍ଷ ନିଷ୍ପତ୍ତି ନେଇଛନ୍ତି। ପ୍ରିୟାର ମନ ଦୁଃଖ। ଆଜି ବି ସେ ଶୁଭଙ୍କର ଅପେକ୍ଷାରେ ବସି ରହିଛି। ଘରେ ବା ଆଉ କେତେ ଦିନ ଅପେକ୍ଷା କରିଥାନ୍ତେ.. । ଦିନ,ମାସ,ବର୍ଷ ଯାଇ ଆଜି ପାଞ୍ଚ ବର୍ଷ ବିତିଗଲାଣି । ଅଥଚ ଶୁଭଙ୍କର ର କିଛି ଖବର କି ଅନ୍ତର ନାହିଁ। କାଳବିଳମ୍ଭ ନ କରି ନିର୍ବନ୍ଧ କାର୍ଯ୍ଯ ସୁରୁଖୁରୁ ରେ ସମାପ୍ତ ହେଲା। ପ୍ରିୟା ଘର ଲୋକେ ଏବେ ସାହି ଭାଇଙ୍କ କଥାରୁ ମୁକ୍ତ। ସେମାନେ ଆଉ ଟୁପୁରୁ ଟାପର ହେବେନି କି ପ୍ରିୟାକୁ ଦେଖେଇ ଶିଖେଇ କିଛି କହିବେନି। ସେମାନଙ୍କ ପାଟିରେ ଏବେ ତାଲା ପଡିଲା। କାହାର କିଛି କହିବାରେ ପ୍ରିୟାକୁ ଫରକ୍ ପଡେନା କେବେ। ସେ ବି ଅଯଥା କଥାରେ ମୁଣ୍ଡ ପୁରାଏନା। ହେଲେ ଆଜି.....! ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଆଜି ତାକୁ ଫରକ୍ ପଡୁଛି। ପ୍ରତି ବଦଳରେ ସେ ପୁରା ଚୁପ୍,ଜୀବନ୍ତ ମୂର୍ତ୍ତି ପାଲଟି ଯାଇଛି। କାହାକୁ ବା ସେ କ’ଣ କହିବ? ଯେତେବେଳେ ତା ଭଲପାଇବା ତା ହାତ ଛାଡିଦେଇଛି l ସେ ଅନ୍ଯକୁ କି ଉତ୍ତର ଦେଇପାରିବ?


     ଏତେ ଗମ୍ଭୀର ଭାବେ ସେ ବୁଡି ରହିଛି ନିଜ ଭାବନା ରାଇଜରେ ଯେ ପାହାନ୍ତି ପ୍ରହର ବି ତାକୁ ଆଣିପାରେନା ବାସ୍ତବ ଦୁନିଆଁକୁ। ଜହ୍ନ କୁଆଡେ ଉଭାନ୍ ହୋଇଗଲାଣି ନୀଳ ଆକାଶରେ। ମନରେ ଅତୀତର ସ୍ମୃତି ସବୁକୁ ଜାବୁଡି ଧରି ଧିମା ଧିମା ଆଲୁଅ ରେ ସେ ଅନ୍ଧାରର ଗରଳ ପିଉଥାଏ। ଏତିକିବେଳେ ପ୍ରିୟା କାନେ ଆସି କିଏ ଜୋରରେ ଚିଲେଇଛି। ତା ଭାବନା ରାଇଜରୁ ଫେରି ବୁଲିଦେଖେ ତ ରିତୁ। ପିଲାଦିନର ସାଙ୍ଗ,ତା ବେସ୍ଟ ଫ୍ରେଣ୍ଡ୍। ରିତୁ ଜୋରରେ ହସୁଥାଏ ହା ହା ହା....। ତୁ କ’ଣ ସାରା ରାତି ଏଇଠି? ଛାତରେ ? ପ୍ରିୟା ନିର୍ବାକ୍,ପାଟିରୁ ତା ପଦିଏ କଥା ବାହାରୁନଥାଏ। ଛଳ ଛଳ ଆଖିକୁ ଦେଖି ସେ ସବୁକିଛି ବୁଝି ପାରିଥିଲା। ରାତିର ଅନ୍ଧାରେ ସବୁକିଛି ପଛରେ ଛାଡି ଆଗକୁ ବଢିବାକୁ ନିଷ୍ପତ୍ତି ନେଲା। ରିତୁ ବି ସମର୍ଥନ ଦେଲା ତା’ର ଏ ନିଷ୍ପତ୍ତିରେ। ବାପା ମା’ ଙ୍କ ପ୍ରତିଷ୍ଠା ରକ୍ଷା କରି ବାହାଘର ପାଇଁ ରାଜି ହେଲା। ବାପା, ମା’ ଙ୍କ ଭଲପାଇବା , ସମ୍ମାନକୁ ସେ ବଳି ପଡିବାକୁ ଦେଇନଥିଲା। ନିଜ ଭଲପାଇବାକୁ ତୁଛ୍ଛ ମନେ କରି ସେ ଶୁଭଙ୍କରକୁ ଭୁଲିବାକୁ ମନେ ମନେ ଠିକ୍ କଲା। କେତେ ଦିନ ଆଉ ସେ ଅତୀତ କୁ ଝୁର ଝୁରି ବର୍ତ୍ତମାନ୍ କୁ ପାଦରେ ଏଡାଇ ଦବ । ଶୁଭଙ୍କର ଯେ ତା’ର ଅତୀତ,ସେ ଜାଣିପାରିଛି। ଆଜି ନହେଲେ କାଲି ତ ତାକୁ ବାପ ଘରୁ ଯିବାକୁ ହବ। ଏକଥା ବୁଝିପାରିଛି। ସେଥିପାଇଁ ସେ ଆଜିକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ସମସ୍ତଙ୍କ ପସନ୍ଦରେ ସେ ରାଜି ହୋଇ ବିବାହ ପାଇଁ ସମ୍ମତି ଦେଇଛି। ଆଉ ମୁହଁରେ ହସ ରଖି ରିତୁ ସହ ତଳକୁ ଯିବାକୁ ମନସ୍ଥ କରିଛି। ପୁଣିଥରେ ଜୀବନକୁ ସେ ନୂଆ କରି ଆଗ ଭଳି ସଜେଇବାକୁ , ଉପଭୋଗ କରିବାକୁ ମନେ ମନେ ଭାବିଛି। ଶୁଭକାର୍ଯ୍ଯର ଶୁଭଖୁଣ୍ଟି ପଡିବାକୁ ଆଉ ଡେରି ନାହିଁ । ଶୁଭଖୁଣ୍ଟି ସହ ସବୁ ଶୁଭ କାମ ଶୁଭରେ ଶୁଭରେ ଆରମ୍ଭ ହୋଇ ସରିଛି ।



Rate this content
Log in

Similar oriya story from Romance