ଏକୋଇର ବଳା ବିଶିକେଶନ
ଏକୋଇର ବଳା ବିଶିକେଶନ
ହରିପୁର ଗ୍ରାମର ଯଦୁ ମାଷ୍ଟ୍ରଙ୍କୁ କିଏ ବା ନଜାଣେ। ନିଜର ଆଦର୍ଶ, ପରୋପକାର ଓ ସଚ୍ଚୋଟତା ଗୁଣ ପାଇଁ ସେ ସାରା ଖଣ୍ଡମଣ୍ଡଳରେ ସୁପରିଚିତ। ଜଣେ ସରକାରୀ ଚାକିରିଆ ହୋଇଥିଲେ ସୁଦ୍ଧା ତାଙ୍କ ମନରେ ସେଥିଲାଗି ତିଳେହେଲେ ବି ଗର୍ବ କି ଅହଂକାରର ଭାବ ନାହିଁ। ଗ୍ରାମର ପ୍ରତ୍ୟେକ ବର୍ଗର ଲୋକଙ୍କ ସହ ସେ ଖୁବ ସହଜରେ ମିଶିଯାଆନ୍ତି। ସତ୍ୟ, ଧର୍ମ, ନ୍ୟାୟ ହିଁ ତାଙ୍କ ଜୀବନର ମୂଳମନ୍ତ୍ର। ଅଳ୍ପରେ ସନ୍ତୁଷ୍ଟ ହେଲାଭଳି ଲୋକ ଜଣେ ସିଏ। ଈଶ୍ବର ତାଙ୍କୁ ଯାହା ଯେତିକି ଦେଇଛନ୍ତି ସେଇଥିରେ ହିଁ ତାଙ୍କର ପରମ ଆତ୍ମସନ୍ତୋଷ। ଯଯାତି କେଶରୀ ସରକାରୀ ଉଚ୍ଚବିଦ୍ଯାଳୟର ଗଣିତ ଶିକ୍ଷକ ରୂପେ ଯଦୁମଣି ବାବୁ ନିଯୁକ୍ତିରତ। ନିଜର ଶିକ୍ଷକତା ଜୀବନରେ କଦାପି ସେ କୌଣସି ଅନ୍ୟାୟ ଅନୀତିକୁ ଆଦୌ ପ୍ରଶ୍ରୟ ଦେଇନାହାନ୍ତି। ସାହସର ସହ ପ୍ରତ୍ୟେକଟି ଦୁଃସ୍ଥିତିକୁ ମୁକାବିଲା କରିଛନ୍ତି। ପତ୍ନୀ ବିମଳା ମଧ୍ଯ ଅନୁରୂପ ଭାବେ ସ୍ବାମୀଙ୍କର ଆଦର୍ଶରେ ସଦା ଅନୁପ୍ରାଣିତ। ଘର କାମରେ ସେ ଖୁବ୍ ନିପୁଣା। କାଳି ଅନ୍ଧାରରୁ ଉଠି ବିଛଣାକୁ ଗଲା ଯାଏଁ ଏକ ଯନ୍ତ୍ରଚାଳିତ ମେସିନ ଭାବେ ସେ ଅହରହ ତାଙ୍କ କର୍ମଜଞ୍ଜାଳରେ ବ୍ୟସ୍ତ। ପଡ଼ିଶା ଘରର ଅନ୍ୟ ସ୍ତ୍ରୀ ଲୋକମାନଙ୍କ ପରି ପର ନାଁରେ ଚୁଗୁଲି କରିବା, ଅନ୍ୟକୁ ଈର୍ଷା କରିବା କିମ୍ବା ଏ ଘର ମାଉସୀ ସେ ଘର ପିଉସୀ ହେବା ତାଙ୍କର ସ୍ବଭାବ ବିରୁଦ୍ଧ କାର୍ଯ୍ୟ ଅଟେ। ବିମଳା ଦେବୀଙ୍କର ଅବଶିଷ୍ଟାଂଶ ସମୟ କେବଳ ଘରକରଣା କାର୍ଯ୍ୟରେ ହିଁ ଅତିବାହିତ ହୋଇଯାଏ। ରନ୍ଧା ବଢ଼ାଠାରୁ ଆରମ୍ଭ କରି ବୁଣାବୁଣି କାମ ଯାଏଁ ସବୁ କାର୍ଯ୍ୟରେ ସେ ଖୁବ ଧୁରନ୍ଧର। ଏକାଧାରାରେ ଜଣେ ସର୍ବଗୁଣସମ୍ପନ୍ନା ମହିଳା ସିଏ।
ତାଙ୍କ ଜୀବନର କେବଳ ଜଣେ ହିଁ ଆଶା ଭରଷା ଏବଂ ସିଏ ହେଉଛି ତାଙ୍କର ଏକମାତ୍ର ପୁତ୍ର ମୋହନ। ଲକ୍ଷେ ଶିବ ପୂଜି ପୁଅଟେ ପାଇଲା ପରି ତାଙ୍କ ଏକୋଇର ବଳା ବିଶିକେଶନ ହେଉଛି ତାଙ୍କର ଅତି ଗେହ୍ଲା ପୁଅ ମୋହନ। ପୁଅକୁ ଦଣ୍ଡେ ଛାଡ଼ି ରହିବା କଥା ଆଜିଯାଏଁ କେବେ ସେ ଚିନ୍ତା କରିନାହାନ୍ତି। ଗୋଟିଏ ବୋଲି ପୁଅ ହୋଇଥିବାରୁ ମାଆର ଅତ୍ୟଧିକ ସ୍ନେହ ମମତା ପାଇ ପିଲାଟି ଖୁବ ଅବାଧ୍ଯ ହୋଇଯାଇଛି। ପିତାଙ୍କର ଅନୁଶାସନ ମଧ୍ଯ ତା'କୁ ବଦଳାଇ ପାରିନାହିଁ। ଯେବେ ଯଦୁମଣି ବାବୁ ପିଲାଟିକୁ ଟିକେ ଆକଟ କରିବାକୁ ଚେଷ୍ଟା କରନ୍ତି ସେବେ ମାଆ ମନ ବିଦ୍ରୋହ କରିଉଠେ। କେତେ ଅନୁନୟ ବିନୟ ହୋଇ ସେ ମୋହନକୁ ପ୍ରତିଥର ନିଜ ପଣତକାନି ଉହାଡ଼ରେ ଲୁଚାଇ ରଖନ୍ତି। ବିଚରା ଯଦୁମଣି ବାବୁ ବି ଆଉ କଣ କରିପାରନ୍ତେ? ବିମଳା ଦେବୀଙ୍କର ଏ ବାତ୍ସଲ୍ୟ ମମତା ସମ୍ମୁଖରେ ସେ ବି ବାଧ୍ଯହୋଇ ନୀରବ ରୁହନ୍ତି। ସମୟର ଘୂର୍ଣ୍ଣାୟମାନ ଗତି ସହ ଧୀରେଧୀରେ ସବୁକିଛି ଆଗକୁ ବଢ଼ିଚାଲେ। ମୋହନ କପିଟପି କରି ଯାହା ଯେମିତି ହେଉ କଷ୍ଟେମଷ୍ଟେ ମାଟ୍ରିକ ପରୀକ୍ଷାର ହିଡ଼ଟାକୁ ଡ଼େଇଁପାରିଛି। ଭଲ ମାର୍କ ଆଣିନଥିବାରୁ ଭଲ କଲେଜରେ ମଧ୍ଯ ତାର ଆଡମିଶନ ହୋଇ ପାରିଲାନାହିଁ। ବାଧ୍ଯ ହୋଇ ଯଦୁମଣି ବାବୁ ପାଖ ଗାଁ କଲେଜରେ ତାର ଆଡମିଶନ କରିଦେଲେ। ଯାହା ଯେମିତି ଚାଲୁଛି ଚାଲୁ ଅନ୍ତତଃ ପିଲାଟା ଡିଗ୍ରୀ ଖଣ୍ଡେ କେମିତି ପାଇଯାଉ। ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହେଲାପରି ସ୍କୁଲ ସମୟରୁ ହିଁ ତାର ବାଳୁଙ୍ଗାମୀ ସ୍ବଭାବ ବାବଦରେ ସ୍ପଷ୍ଟ ଜଣାପଡ଼ୁଥିଲା। ଏବେ କଲେଜ ଯାଇ ପିଲାଟା ଆହୁରି ବିଗିଡି ଯାଇଛି। ସବୁଦିନ କଲେଜ ଛୁଆଙ୍କ ସହ ମାଡ଼ଗୋଳ, ଝିଅମାନଙ୍କୁ କମେଣ୍ଟ ମରା ହେଉଛି ତା'ର ଏକ ନିତ୍ୟନୈମିତ୍ତିକ କାର୍ଯ୍ୟ ସାରଣୀର ଅନ୍ତର୍ଭୁକ୍ତ। ଗୁରୁଗୁରୁଜନଙ୍କ ପ୍ରତି ସାମାନ୍ୟତମ ଭକ୍ତି କି ସମ୍ମାନବୋଧ ତା' ମନରେ ନାହିଁ। କଲେଜରୁ ପ୍ରତିଦିନ ମୋହନ ନାଆଁରେ କିଛି ନାଁ କିଛି ଅଭିଯୋଗ ଗୁଡ଼ାଏ ଆସୁଛି। ପ୍ରିନ୍ସପାଲ ସାର୍ ଅନେକ ଥର ତାକୁ ଟି.ସି. ଦେଇ ବିଦା କରିବାକୁ ଚାହିଁଲେ ବି ଯଦୁମଣି ବାବୁଙ୍କ ମୁହଁକୁ ଚାହିଁ ସେ ମୋହନକୁ ପ୍ରତିଥର କ୍ଷମା କରିବାକୁ ବାଧ୍ଯ ହେଉଛନ୍ତି। କାରଣ ଯଦୁମଣି ବା
ବୁ ଓ ପ୍ରିନ୍ସପାଲ ଅନୀଲ ସାର ଏ ଦୁହିଁଙ୍କ ମଧ୍ୟରେ ଥିଲା ଖୁବ ଉତ୍ତମ ସମ୍ପର୍କ। ଆଉ ମୋହନ ଏସବୁର ଖୁବ ଭଲ ରକମର ଫାଇଦା ଉଠାଉଥିଲା। ଗୁଟୁକା ଖାଇ, ମଦପିଇ, ଡ୍ରଗ୍ସ ସେବନ କରି ମୋହନ ଏକ ବେଫିକର ଜୀବନଟେ ଜୀଉଁଛି। ବାପା ମାଆ ମଧ୍ଯ ଭୟରେ ତା'କୁ କିଛି ତାଗିଦା କରିପାରୁନାହାନ୍ତି କାରଣ ଆଜିକାଲିକା ପିଲା ଖୁବ ସମ୍ବେଦନଶୀଳ ଅଟନ୍ତି। ପଦେ ଟାଣକରି କିଛି କହିଦେଲେ ସାଙ୍ଗେସାଙ୍ଗେ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତ୍ତି ନେଇ ଯାଉଛନ୍ତି। ତେଣୁ ଯଦୁମଣି ବାବୁ ଓ ବିମଳା ଦେବୀ ସେହି ଈଶ୍ବରଙ୍କ ଭରସାରେ ହିଁ ପିଲାଟିକୁ ଛାଡ଼ି ଦେଇଛନ୍ତି। ନିଜର ବାତରାମି ଗୁଣ ଏବଂ ପାଠ ପ୍ରତି ଅନାଗ୍ରହତା ହେତୁ ସେ ୨ ରେ ୩ ଥର ଯାକ ଫେଲ ହୋଇ ଏବେ ଘରେ ବସିରହିଛି। ବାଧ୍ଯ ହୋଇ ଯଦୁମଣି ବାବୁ ତାର ପାଠପଢା ଅଧାରୁ ବନ୍ଦ କରିଦେଇଛନ୍ତି। ପୁଅର ଚିନ୍ତାରେ ବାପା ମାଆଙ୍କର ଏବେ ରୁଗ୍ଣପ୍ରାୟ ଅବସ୍ଥା। ଏପଟେ ଘରେ ରହି ମୋହନ ମଧ୍ଯ ଆହୁରି ଅବାଧ୍ଯ ଓ ଉଗ୍ର ହେବାକୁ ଲାଗିଲାଣି। ପ୍ରତିଦିନ ବାପା ମାଆଙ୍କ ସହ ଝଗଡ଼ା କରିବା, ପଇସା ଚୋରି କରିବା, ମଦ ପିଇବା, ଜୁଆ ଖେଳିବା, ସିନେମା ଦେଖି ଯିବା ତା'ର ଏକ ବଦଭ୍ୟାସରେ ପରିଣତ ହୋଇଯାଇଛି। ପୁଅର ଭବିଷ୍ଯ ବାବଦରେ ଅହର୍ନିଶି ଚିନ୍ତାକରି କରି ଯଦୁମଣି ବାବୁ ଅକାଳରେ ହୃଦଘାତରେ ଆରପାରିକୁ ଚାଲିଗଲେ। ମୋହନର ସ୍ବଭାବରେ ତଥାପି ବି କିଞ୍ଚିତ ପରିବର୍ତ୍ତନ ପରିଲକ୍ଷିତ ହେଲାନାହିଁ। ବାପା ଗଲାପରେ ତା' ମନରେ ତିଳେହେଲେ ବି ଦୁଃଖ କି ଅନୁଶୋଚନାର ଭାବ ନାହିଁ। ଚାକିରୀରୁ ଅବସର ନେବା ପରେ ଯଦୁମଣି ବାବୁ ଯେଉଁ ପେନସନ୍ ଗଣ୍ଡାକ ପାଉଥିଲେ ସିଏ ଚାଲିଗଲା ପରେ ସେଇ ପେନସନ୍ ଟଙ୍କାକୁ ଆତ୍ମସାତ କରିବା ଥିଲା ମୋହନର ମୂଳ ଉଦ୍ଦେଶ୍ଯ। ପେନସନ୍ ଟଙ୍କାକୁ ଆଣି ଅଯଥାରେ ବଦଖର୍ଚ୍ଚରେ କରିବ ବୋଲି ସେହି ଟଙ୍କାକୁ ଉଠେଇ ଆଣିବା ପାଇଁ ମୋହନ ବିମଳା ଦେବୀଙ୍କୁ ଅନେକ ବାଧ୍ୟ କରିଛି, ଧମକ ଚମକ ଦେଇ ଟଙ୍କାଗୁଡ଼ାକ ଉଠେଇ ଆଣିବାକୁ ଅନେକ ଚେଷ୍ଟା କରିଛି। କିନ୍ତୁ ସେଥିରେ ସେ କେବେ ସଫଳ ହୋଇପାରିନି। ପୁଅର ଦୁର୍ଗୁଣ ବାବଦରେ ତ ବିମଳା ଦେବୀଙ୍କୁ ସବୁ ଜ୍ଞାତ। ସେଥିପାଇଁ ସେ ମୋହନକୁ ଏଥିରୁ ନିବୃତ୍ତ ରହିବାକୁ ଅନେକ ତାଗିଦ କରିଛନ୍ତି।
ଦୁର୍ଯୋଗ କେତେବେଳେ ଯେ ଆସି ଘରର କବାଟ ଠକଠକ କରିବ ସେ କଥା କେହି କେବେ ଜାଣିନଥାନ୍ତି। ସେମିତି ଏକ ଭୟଙ୍କର ଦୁର୍ଯୋଗ ଆସି ଉପନୀତ ହେଲା ବିମଳା ଦେବୀଙ୍କ ଭାଗ୍ୟରେ। ସେଦିନ ସାଙ୍ଗମେଳରେ ମୋହନ ଅତ୍ୟଧିକ ନିଶାସକ୍ତ ହୋଇ ଜୁଆରେ ହାରି ଘରକୁ ଫେରିଥିଲା। ଜୁଆରେ ଅନେକ ଟଙ୍କା ବାଜି ଲଗାଇ ଟଙ୍କା ନ ଦେଇପାରି ସାଙ୍ଗମାନଙ୍କ ଠାରୁ ଢ଼େର ଉତ୍ତମ ମଧ୍ୟମ ବି ଖାଇଥିଲା। ମାଆକୁ ଟଙ୍କା ମାଗିବାରୁ ମାଆ ସିଧାସଳଖ ମୁହେଁମୁହେଁ ତାକୁ ନାସ୍ତିବାଣୀ ଶୁଣାଇ ଦେଲେ। କ୍ରୋଧ ମଣିଷକୁ ମୁହୂର୍ତ୍ତକରେ ପଶୁ ବନେଇଦିଏ। କ୍ରୋଧ ଦ୍ବାରା ମନୁଷ୍ଯ ନିଜର ସମସ୍ତ ହିତାହିତ ଜ୍ଞାନକୁ ହରେଇବସି ମାନବରୁ ଦାନବ ପାଲଟିଯାଏ। ଅପରାଧୀ ପ୍ରବଣର ମୋହନ ସବୁବେଳେ ନିଜ ପକେଟରେ ପିସ୍ତଲଟେ ଧରି ବୁଲୁଥାଏ। ଆଉ ସେଦିନ ସେହି କାଳରାତ୍ରିରେ ସେ କାଣ୍ଡଜ୍ଞାନ ଶୂନ୍ଯ ହୋଇ ନିଜର ଜନ୍ମଦାତ୍ରୀ ମାଆକୁ ନିଃସଙ୍କୋଚରେ ଗୁଳି କରି ହତ୍ୟାକରି, ଲକରରେ ଥିବା ସବୁ ଟଙ୍କା ଓ ସୁନା ଗହଣାକୁ ଧରି ଚମ୍ପଟମାରି କେଉଁଆଡ଼େ ନିଖୋଜ ହୋଇଗଲା ଯେ ତା'ର ସନ୍ଧାନ ଏଯାଏଁ ବି କେହି ପାଇଲେନି। ଯେଉଁ ମାଆ ଦଶମାସ ଦଶଦିନ ସବୁ ଗର୍ଭ ଯନ୍ତ୍ରଣାକୁ ନିର୍ବିକାର ଭାବେ ସହି ତା'କୁ ଏ ଦୁନିଆଁର ଆଲୋକ ଦେଖାଇଥିଲେ, ନିଜ ହାତରେ କୋଳେଇ କାଖେଇ ପୁଅଟିକୁ ଛୋଟରୁ ବଡ଼ କରିଥିଲେ। ପୁତ୍ ନାମକ ନର୍କରୁ ଉଦ୍ଧାର ପାଇବା ପାଇଁ ପୁଅ ଜନ୍ମକରି ତା' ଉପରେ ଯେଉଁ ଅଯାଚିତ ସ୍ନେହ ମମତା ଟିକକ ଅଜାଡ଼ି ଦେଇଥିଲେ ଆଜି ତା'ର ଭୟଙ୍କର ଫଳ ତାଙ୍କୁ ହିଁ ଏକା ଭୋଗିବାକୁ ପଡ଼ିଲା। ପାଖ ପଡିଶାଙ୍କ ମୁହଁରୁ ଏବେ ଏବେ ଶୁଣିବାକୁ ମିଳୁଛି ଯେ ବଂଶ ବୁଡ଼ିଲା ବେଳେ ହିଁ ଏମିତିକା ଘୋଡାମୁହାଁ ପୁଅ ଜନ୍ମହୁଏ।