ବୋଉ
ବୋଉ


ବେଳ ଆସି ଚାରିଟା ଉପରେ ହେଲାଣି। ମାଳତୀ ଦେବୀ ନ ଖାଇ ନ ପିଇ ପ୍ରକାଶର ବାଟକୁ ସେମିତି ଚାତକ ପରି ଚାହିଁ ରହିଛନ୍ତି। ଅପେକ୍ଷା କରିଛନ୍ତି କେତେବେଳେ ଯେ ତାଙ୍କ ଧନସଙ୍ଖାଳି ଫେରିବ। ସକାଳୁ ସକାଳୁ ଛୁଆଟା ଭୋକ ଉପାସରେ ରାଗିକି କୁଆଡ଼େ ବାହାରକୁ ଯାଇଛି ଯେ ଏଯାଏଁ ଫେରିନି। ଆଜି ପ୍ରକାଶର ଅତି ମନପସନ୍ଦର ଆଳୁ ପୋଟଳ ତରକାରୀ ଓ କୋବି ପକୋଡ଼ା ସିଏ କେତେ ଯତ୍ନର ସହ ରାନ୍ଧିବାଢ଼ି ରଖିଛନ୍ତି।
ପ୍ରକାଶ ସବୁଦିନ ଘରକୁ ଫେରିବା ପରେ ତା'ର ଝାଳୁଆ ମୁହଁଟିକୁ ମାଳତୀଦେବୀ ସବୁଦିନ ତାଙ୍କର କୋମଳ ପଣତ କାନିରେ ପୋଛିଦେଇ ପାଣି ଗିଲାସଟିଏ ତା' ହାତକୁ ବଢ଼ାଇଦିଅନ୍ତି। ଗୋଟିଏ ମାତ୍ର ପୁଅ ବୋଲି ସେ ତା'କୁ ଏତେ ଗେହ୍ଲାରେ ବଢ଼ାଇଛନ୍ତି ଯେ ସେ ନିଜେ ପାଣି ଗିଲାସଟେ ଆଣି ସୁଦ୍ଧା ପିଏ ନାହିଁ। ସବୁଦିନ ଗାଧୋଇ ସାରି ପ୍ରକାଶ ତା'ର ପୋଷାକପତ୍ର ସବୁକୁ ଫିଙ୍ଗିଦେଇ ଚାଲିଯାଏ। ତା'ର ପୋଷାକପତ୍ର ସବୁକୁ ଭଲଭାବେ ସଫାକରି ଇସ୍ତ୍ରୀ କରି ରଖିବା ଦାୟିତ୍ୱ ମାଳତୀ ଦେବୀଙ୍କର। ତା'ର ଖରାପ ସ୍ବଭାବ ଯୋଗୁଁ ପ୍ରକାଶକୁ ତାଙ୍କ ସାଇପଡ଼ିଶାରେ କେହି ବି ପସନ୍ଦ କରନ୍ତି ନାହିଁ। ତାହାର କାରଣ ହେଉଛି ସେ ଖୁବ ଅହଂକାରୀ ଓ ଉଦ୍ଧତ ସ୍ବଭାବର ଅଟେ। କେହି ତା'କୁ ପସନ୍ଦ ନକଲେ ସୁଦ୍ଧା ତା' ବୋଉର କିନ୍ତୁ ସେ ଗେଲବସରିଆ କୁଳନନ୍ଦନ ଅଟେ।
ସବୁଦିନ ସେ ଠିକ୍ ସମୟରେ ଘରକୁ ଫେରିଆସେ। କିନ୍ତୁ ଆଜି ଫେରିବାରେ ଏତେ ବିଳମ୍ବ କାହିଁକି? ମନକୁ ତାଙ୍କର ପାପ ଛୁଇଁଲା। ମାଆ ମନ ଅଥୟ ଓ ବିଚଳିତ ହେବା ସ୍ବାଭାବିକ। ଯେତେ ଯାହା ହେଲେବି ଦଶମାସ ଦଶଦିନ ସେ ତା'କୁ ଗର୍ଭରେ ଧାରଣ କରି ସମସ୍ତ କଷ୍ଟ ଯନ୍ତ୍ରଣାକୁ ନିର୍ବିକାର ଭାବେ ସହି ଜନ୍ମ ଦେଇଛନ୍ତି। ପ୍ରକାଶର କିନ୍ତୁ ତା' ମାଆଙ୍କ ପ୍ରତି ଟିକେ ହେଲେ ବି ସମ୍ମାନ କିମ୍ବା ଭଲପାଇବା ନଥାଏ। ସ୍ବଳ୍ପ ଶିକ୍ଷିତା ଏବଂ ଆଜିର ଅତ୍ୟାଧୁନିକ ଯୁଗ ସହ ସେ ଖାପଖୁଆଇ ଚଳିପାରୁନଥିବାରୁ ପ୍ରକାଶ ତା' ବୋଉକୁ ସର୍ବଦା ହୀନ ଦୃଷ୍ଟିରେ ଦେଖେ। ଅନ୍ୟ ମାଆମାନଙ୍କ ସହିତ ତାଙ୍କୁ ତୁଳନା କରି ନୀଚ୍ଚା ଦେଖାଇବାର ଗୋଟିଏ ବି ସୁଯୋଗ ସେ ହାତଛଡ଼ା କରେନି।
ପ୍ରକାଶକୁ ଅପେକ୍ଷା କରିକରି ସଞ୍ଜ ଗଡ଼ିଗଲାଣି। ଛୁଆଟାର ଏ ଯାଏଁ ବି ଦେଖାଦର୍ଶନ ନାହିଁ। ଠିକ୍ ସେହି ସମୟରେ ହଠାତ୍ ଦାଣ୍ଡ କବାଟରେ କାହାର କରାଘାତ କରିବାର ଶବ୍ଦ ଶୁଭାଗଲା। ବାହାରେ ବହୁତ ଗହଳି ଚହଳିର ଶବ୍ଦ ଶୁଭୁଛି। କ'ଣ ହେଇଛି? ମାଳତୀ ଦେବୀଙ୍କ ମନରେ ଅସୁମାରୀ ପ୍ରଶ୍ନର ଜୁଆର ଲହରୀ ଭାଙ୍ଗୁଛି। କବାଟ ଖୋଲି ବାହାରକୁ ଆସି ଦେଖନ୍ତି ତ ବାହାରେ ଅନେକ ଲୋକ ଆସି ଭିଡ଼ ଜମାଇଛନ୍ତି। ଆରେ ଇଏ କ'ଣ? ଏମାନେ ସବୁ ଆସି ତାଙ୍କ ଘର ସାମ୍ନାରେ କାହିଁକି ଭିଡ଼ ଜମେଇଛନ୍ତି? ଆରେ ଆମ୍ବୁଲାନ୍ସଟା ଆସି ଏଠି ଘର ଦୁଆର ମୁହଁରେ କାହିଁ ରହିଛି? ଏମିତି ଅନେକ ପ୍ରଶ୍ନମାଳାରେ ସେ ଧନ୍ଦି ହେଉଥିବା ବେଳେ ଆମ୍ବୁଲାନ୍ସ ଭିତରୁ ଷ୍ଟ୍ରେଚରରେ ଶୋଇଥିବା ଗୋଟେ ଶବକୁ କିଛି ଲୋକ ବାହାରକୁ ଆଣିକି ତାଙ୍କ ଅଗଣାରେ ଶୁଆଇଦେଲେ। ଆପାଦମସ୍ତକ ଧଳା ଚାଦରରେ ଆଚ୍ଛାଦିତ ଶବଟିର ସମଗ୍ର ଶରୀର।
ଅନେକ ଦେଖଣାହାରୀ ସେଠି ଭିଡ଼ ଜମେଇଥାନ୍ତି। ହଠାତ୍ ବାଡ଼ିପଶା ପବନଟା ବହି ଧଳା ଚାଦରଟିକୁ ଉଡ଼ାଇଦେଲା। ଆରେ ଇଏ କ'ଣ? ପ୍ରକାଶ କ'ଣ ଏଠି ଶୋଇଛି? ମାଳତୀଦେବୀଙ୍କୁ ସତେ ଯେମିତି ଆକାଶଟା ଛିଡ଼ିଗଲା ଭଳି ଓ ତାଙ୍କ ପାଦତଳର ମାଟି ଖସିଗଲା ଭଳି ପ୍ରତୀତ ହେଲା। କାନ୍ଦିକାନ୍ଦି ସେ ପାଗିଳୀ ପରି ମାଟିରେ ଧରାଶାୟୀ ହୋଇଗଲେ। ଠିକ୍ ଏହି ସମୟରେ ପ
ୋଲିସ୍ ଜିପରୁ ଖାକି ପୋଷାକଧାରୀ ବାବୁମାନେ ଧଡ଼ଧାଡ଼ ହୋଇ ବାହାରି ଆସିଲେ। ଇନିସପେକ୍ଟର ବାବୁ ଆସି ମାଳତୀ ଦେବୀଙ୍କୁ କହିଲେ, "ତୁମ ପୁଅ ଅତ୍ୟଧିକ ନିଶାସକ୍ତ ହୋଇ ଦ୍ରୁତ ବେଗରେ ଗାଡ଼ି ଚଲାଉଥିବାରୁ ଆଜି ଏମିତି ଦଶା ତା'କୁ ଭୋଗିବାକୁ ପଡ଼ିଲା। ସରକାର ସଡ଼କ ସୁରକ୍ଷା ପାଇଁ ଏତେ ନିୟମ କାନୁନ ପ୍ରଣୟନ କରୁଛନ୍ତି ଅଥଚ ଆଜିର ବିପଥଗାମୀ ଯୁବପିଢ଼ିମାନେ ସେସବୁକୁ ଖାମଖିଆଲି ଭାବେ ନେଇ ହସରେ ଉଡ଼ାଇଦେଉଛନ୍ତି। ହେଲମେଟ ପିନ୍ଧିବା ତ ବହୁତ ଦୂରର କଥା ରାସ୍ତାର ବାମପାର୍ଶ୍ଵରେ ଯିବାକୁ ମଧ୍ୟ ଏମାନଙ୍କୁ ଖୁବ ବାଧୁଛି। ଯଦି ଆଜି ସେ ହେଲମେଟ ପିନ୍ଧି ସାବଧାନର ସହ ଗାଡ଼ିଚଲାଉଥାନ୍ତା ତାହେଲେ ଏମିତି ଅଘଟଣ କେବେବି ଘଟିନଥାନ୍ତା। ପୋଲିସ୍ ବାବୁଙ୍କ କଥା ସବୁ ମାଳତୀ ଦେବୀଙ୍କ କାନରେ କିଛି ବି ପଶୁନଥିଲା। ସତେ ଯେପରି ସେହିକ୍ଷଣି ସେ ବଧିର ପାଲଟିଯାଇଥିଲେ। ଏବେ ତାଙ୍କ ଏକୋଇର ବଳା ବିଶିକେଶନ ଆଉ ଏ ଇହଧାମରେ ନଥିଲା। ତାଙ୍କୁ ଛାଡ଼ି କେଉଁ ଏକ ଅଜଣା ରାଇଜକୁ ଲେଉଟିଯାଇଥିଲା। ପୁଅର ଶବଟିକୁ ବିକଳରେ କୁଣ୍ଢାଇ ଧରି ସେ ସେ ବୁକୁଫଟାଇ ଅହରହ କାନ୍ଦି ଚାଲିଲେ। ଏ ଦୃଶ୍ୟ ଖୁବ ହୃଦୟବିଦାରକ ଓ ମର୍ମସ୍ପର୍ଶୀ ଥିଲା। ଯିଏ ବି ଏହାକୁ ଦେଖୁଥିଲା ସେ ମୁହୂର୍ତ୍ତଟେ ବି ଧୈର୍ଯ୍ୟ ଧରି ରହିପାରୁନଥିଲା।
ଗାଁର ମହିଳାମାନେ କହିଚାଲିଥିଲେ "ଆହା ବିଚାରୀ ବୁଢ଼ୀଟିର ଏବେ କ'ଣ ହେବ? ତା'ର ତ ବଂଶ ବୁଡ଼ିଗଲା। କେଉଁ ଜନ୍ମରେ କି ପାପ କରିଥିଲା କେଜାଣି ଖୁବ କମ ବୟସରେ ସେ ବିଧବା ହୋଇଗଲା। ସ୍ବାମୀ ଚାଲିଗଲା ପରେ ଏଇ ପୁଅଟି ହିଁ ଥିଲା ତା'ର ଅନ୍ଧର ଲଉଡ଼ି। ତାଙ୍କ ବଂଶର ଏକମାତ୍ର ସନ୍ତକ। କାହାର ଖରାପ ନଜର ପଡ଼ିଲା କେଜାଣେ? ଆଉ ଅର୍ଦ୍ଧେକ କହୁଥିଲେ ହଁ ମ ସେ ଟୋକାଟା ଯେମିତି କର୍ମ କରିଥିଲା ସେମିତି ତା' ଫଳ ପାଇଲା। ତା'ର ସାମନ୍ୟତମ ଗୁରୁଗୁରୁଜନ ଜ୍ଞାନ ନଥିଲା। ଏତେ ଅହଂକାର ଗୋଟେ କ'ଣ? ଏମିତିକି ନିଜ ଜନ୍ମକଲା ମାଆକୁ ବି ରାଗରେ କେତେଥର ସେ ବାଡ଼େଇଛି। ସିଏ ଦଣ୍ଡ ପାଇବନି ତ ଆଉ କିଏ ପାଇବ? ଭଗବାନ ସବୁ ସହନ୍ତି ହେଲେ କାହାର ଗର୍ବ ଅହଂକାର ସହନ୍ତିନି। ଯେଉଁ ପୁଅ ସାରା ଜୀବନ ଘରେ ବେକାର ହୋଇ ବସିରହି ମାଆ ଉପରେ ବୋଝ ହୋଇଥିଲା, କଥା କଥାକେ ମାଆକୁ ମାଡ଼ଗାଳି ଦେଉଥିଲା ଦଇବ ତା'କୁ ଠିକ୍ ଦଣ୍ଡ ଦେଇଛି। ନିଜ ଜନ୍ମଦାତ୍ରୀ ମାଆ ସିନା ତା'ର ସମସ୍ତ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଇ ରଖିବ ହେଲେ ଭଗବାନ ସବୁ ଦେଖୁଛନ୍ତି, ସିଏ କର୍ମ ଅନୁଯାୟୀ ଠିକ ନିର୍ଦ୍ଧାରିତ ଫଳ ଦେବେ।" ଏସବୁ ଶୁଣି ହଠାତ୍ ମାଳତୀ ଦେବୀଙ୍କ ଛାତିରେ ଖୁବ ପୀଡ଼ା ଅନୁଭବ ହେଲା ଏବଂ ସେଇଠି ସେଇ ମୁହୂର୍ତ୍ତରେ ହିଁ ଗୋଟିଏ ଶବ ସହିତ ସେ ନିଜେ ଶବ ପାଲଟିଗଲେ। ଗ୍ରାମବାସୀମାନେ ଉଭୟ ମାଆ ଓ ପୁଅଙ୍କର ସମସ୍ତ ଅନ୍ତିମ ସଂସ୍କାର ସମାପନ କରି ଯେଝାଯେଝା ଘରକୁ ଲେଉଟିଆସିଲେ। ବାସ୍ତବିକ ମାଳତୀଦେବୀଙ୍କର ସମ୍ପୂର୍ଣ୍ଣ ଜୀବନଟି ଖୁବ ଦୁଃଖମୟ ଥିଲା। ମାଆ ହିସାବରେ ସେ ତାଙ୍କ କର୍ତ୍ତବ୍ୟରେ କେବେବି ସାମାନ୍ୟତମ ଅବହେଳା କରିନଥିଲେ। ହଁ ଭୁଲ ତାଙ୍କର ବାସ୍ ଏତିକି ଥିଲା ଯେ ସେ ନିଜ ପୁଅକୁ ଠିକ ଭାବରେ ଗଢ଼ିପାରିନଥିଲେ। ଉପଯୁକ୍ତ ସଂସ୍କାର ଅଭାବରୁ ପିଲାଟି ପଥଭ୍ରଷ୍ଟ ହୋଇଯାଇଥିଲା। ଯାହାର ଫଳାଫଳ ଉଭୟ ମାଆ ଓ ପୁଅଙ୍କୁ ଭୋଗ କରିବାକୁ ପଡ଼ିଲା। ସେଥିପାଇଁ ତ କୁହାଯାଏ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ବ୍ୟତିରେକ ଜୀବନଟି ନିତାନ୍ତ ନିରର୍ଥକ ଅଟେ।